Posted inଫୁରସତ

ପ୍ରଥମ ଦରମା ବାପାଙ୍କ ପାଖକୁ ପଠାଇଥିଲି: ସାମାଜିକ କର୍ମୀ ରାମ ଶଙ୍କର

ଖୋର୍ଦ୍ଧା ସହର ମୁକୁନ୍ଦପ୍ରସାଦରେ ମୋର ଜନ୍ମ। ସ୍ଥାନୀୟ ବିଜେବି ହାଇସ୍କୁଲରୁ ସ୍କୁଲ ପଢ଼ା ସାରି ବାଙ୍କୀ କଲେଜରେ ଗ୍ରାଜୁଏଶନ ଯାଏଁ ପଢ଼ିଥିଲି। ତା’ପରେ ପାରାଦୀପ ପୋର୍ଟରେ କ୍ଲରିକାଲ୍‌ ପୋଷ୍ଟରେ ଚାକିରି କଲି। ଏହା ଥିଲା ୧୯୮୦ ମସିହାର କଥା। ସେତେବେଳେ ମୋତେ ହଜାରେ ଟଙ୍କା ଦରମା ମିଳୁଥିଲା। ପ୍ରଥମ ମାସ ଦରମା ପାଇବା ପରେ ବାପାଙ୍କ ପାଖକୁ ତିନିଶହ ଟଙ୍କା ପଠାଇ ବାକି ସାତଶହ ଟଙ୍କା ନିଜ ପାଖେ ରଖିଥିଲି। ଏହି ଧାରା ମୋର ବହୁଦିନ ଯାଏଁ ଚାଲିଥିଲା। ତା’ସହିତ ତାଳଦେଇ ଚାକିରି କ୍ଷେତ୍ରରେ ପଦୋନ୍ନତି ଘଟିବା ସଙ୍ଗେ ସଙ୍ଗେ ଦାୟିତ୍ୱ ବି ବଢୁଥିଲା। ଏପରିକି ପାରାଦୀପ ପୋର୍ଟ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଓ ପରେ ସଭାପତି ଭାବେ ବି ମୋତେ ବେଶ୍‌ କିଛିଦିନ ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା; ଯଦ୍ଦ୍ବାରା ଶ୍ରମିକମାନଙ୍କ ସହ ମୋର ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା। ଫଳରେ ମୁଁ ଜାଣିବାକୁ ପାଇଲି, ଶ୍ରମିକମାନଙ୍କ ମଧ୍ୟରୁ ଅନେକେ ଏମିତି ଅଛନ୍ତି ଯେଉଁମାନେ ନିରକ୍ଷର ସହ ନିଶା ସେବନ କରୁଛନ୍ତି। ସେମାନଙ୍କ ପାଖେ ଠିକ୍‌ଭୁଲ୍‌ ବିଚାର କରିବାର ସାମର୍ଥ୍ୟ ନାହିଁ କି ସାମାଜିକ, ପାରିବାରିକ ସଚେତନତା ବି ନାହିଁ। ସେମାନେ ନିଶା ସେବନ କରୁ ନାହାନ୍ତି ବରଂ ନିଶା ସେମାନଙ୍କୁ ଓ ସେମାନଙ୍କର ପରିବାରକୁ ନଷ୍ଟ କରିବାରେ ଲାଗିଛି। ଏସବୁ କଥା ଜାଣିବା ପରେ ମୋତେ ବହୁତ କଷ୍ଟ ହୋଇଥିଲା। ଠିକ୍‌ ସେତିକି ବେଳେ ସରକାର ବି ନିୟମ କଲେ, ଆଉ ଟିପଚିହ୍ନରେ ଶ୍ରମିକମାନଙ୍କୁ ମଜୁରି ମିଳିବ ନାହିଁ। ତେଣୁ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ବାଟକୁ ଆଣିବା ପାଇଁ ପ୍ରୟାସକରି ସେମାନଙ୍କ ବସ୍ତିକୁ ଗଲି ଆଉ ୫ରୁ ୧୦ ଜଣ ନିରକ୍ଷର ଶ୍ରମିକଙ୍କୁ ଏକାଠିକରି ବୁଝାଇ ପାଠ ପଢ଼ାଇବାକୁ ରାଜି କରାଇଲି। ତା’ସହ ସେମାନଙ୍କ ମନରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସେମାନଙ୍କୁ ସିଲଟ, ଖଡ଼ି ଓ ରାତିରେ ପଢ଼ିବାକୁ ଲଣ୍ଠନ ବି ଦେଲି। ସେମାନଙ୍କୁ ଅ-ଆ ଓ ୧ରୁ ୧୦୦ ପର୍ଯ୍ୟନ୍ତ ଲେଖିବା, ଟଙ୍କା ଗଣି ଶିଖିବା ଏବଂ ନିଜ ନାମ ଦସ୍ତଖତ କରିବା ଇତ୍ୟାଦି ଶିଖାଇଲି। ପାଠପଢ଼ା ସମେତ ସେହି ବସ୍ତିରେ ନିଶା ନିବାରଣ କାର୍ଯ୍ୟକ୍ରମ ବି କଲି। ଧୀରେ ଧୀରେ ମୋ ଉଦ୍ୟମ କେତେକାଂଶରେ ସଫଳ ହେବାକୁ ଲାଗିଲା। ପାଖାପାଖି ୩୫ ବର୍ଷ ପାରାଦୀପ ପୋର୍ଟରେ କାମ କରିବା ଭିତରେ ନିଜସ୍ବ ଉଦ୍ୟମରେ ମୁଁ ପ୍ରାୟ ୬୦/୭୦ ଜଣ ଶ୍ରମିକଙ୍କୁ ଶିକ୍ଷିତ କରାଇବା ସହ ସେମାନଙ୍କୁ ନିଶାମୁକ୍ତ ବି କରାଇ ପାରିଥିଲି। ଏହା ମୋତେ ଆଗକୁ କର୍ମଭୂମି ସମେତ ଜନ୍ମଭୂମିରେ ବି କିଛି ସମାଜ ମଙ୍ଗଳ କାମ କରିବା ପାଇଁ ପ୍ରେରଣା ଦେଇଥିଲା। ଫଳରେ ଚାକିରିରୁ ଅବସର ନେବାକୁ ଆହୁରି ତିନିବର୍ଷ ବାକି ଥିବା ସତ୍ତ୍ୱେ ମୁଁ ଚାକିରି ଛାଡ଼ି ୨୦୧୫ରେ ଜନି୍ମତ ସହରକୁ ଫେରିଆସିଲି ଏବଂ ନିଜସ୍ବ ଉଦ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭକଲି। ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକ୍‌ ତଥା ଖୋର୍ଦ୍ଧା, ଜଟଣୀ ମ୍ୟୁନିସିପାଲିଟି ଅଧୀନରେ ଥିବା ସମସ୍ତ ହାଇସ୍କୁଲ ଓ କଲେଜକୁ ମଝିରେ ମଝିରେ ଯାଇ ଛାତ୍ରୀଛାତ୍ରଙ୍କୁ ଦୈନନ୍ଦିନ ଜୀବନରେ ଓଡ଼ିଆ ଭାଷାର କିପରି ବ୍ୟବହାର କରିହେବ ସେ ନେଇ ସଚେତନତା ସୃଷ୍ଟି କଲି। ତା’ସହିତ ନିଶାଠାରୁ କିପରି ଦୂରେଇ ରହିବେ, ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ କିପରି ବର୍ଜନ କରିବେ ସେ ବିଷୟରେ ବି ସେମାନଙ୍କୁ ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟାକଲି। ଏହି କାର୍ଯ୍ୟକ୍ରମ ମୋର ଏବେ ବି ଜାରି ରହିଛି॥ ତା’ସହିତ ମୁଁ ମୋ ଘରେ ଏକ ଛାତ୍ରାବାସ ବି ଗଢ଼ିଛି, ଯାହାର ନାଁ ଦେଇଛି ବିଶ୍ୱାମିତ୍ର ଛାତ୍ରାବାସ। ଏଠାରେ ଯେଉଁ ପିଲାମାନେ ରୁହନ୍ତି, ସେମାନେ ୬ଦିନ ଯାକ ସେମାନଙ୍କ ପାଠ ପଢ଼ିଥାନ୍ତି। ପ୍ରତି ରବିବାରରେ ପ୍ରାୟ ଦୁଇଘଣ୍ଟା ମୁଁ ସେମାନଙ୍କୁ ମୌଳିକ ଶିକ୍ଷା ଦେଇଥାଏ, ଯାହା ସେମାନଙ୍କ ଜୀବନରେ କିଛିଟା ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ। ତା’ସହିତ ଲେଖାଲେଖି ବି ମୁଁ କରେ। ବିଶେଷକରି ଅର୍ଥନୀତି ସମ୍ବନ୍ଧୀୟ ଅନେକ ଲେଖା ମୋର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ସେହିପରି ମୋ ଲିଖିତ ଭୋକ, ଛାତ ଓ ଛାତି, ନନା ଓ ନେତା, ମାଗୁଣିର ଟ୍ରଲି ରିକ୍ସା ଶୀର୍ଷକ କ୍ଷୁଦ୍ରଗଳ୍ପ ଏବଂ ଦୁଇଟି ଝିଅର ଇଚ୍ଛା, ହିରୋ ନିମ୍ବର ଓ୍ବାନ୍‌ ଇତ୍ୟାଦି ପ୍ରବନ୍ଧ ବେଶ୍‌ ପାଠକାଦୃତ ହୋଇପାରିଛି। ତେଣୁ ଏହିସବୁ କାର୍ଯ୍ୟ ଭିତରେ ମୋ ସମୟ କେମିତି ବିତିଯାଉଛି ଜଣାପଡୁନି। ମୁଁ ସର୍ବଦା ଗୋଟିଏ କଥା ଉପରେ ବିଶ୍ୱାସକରେ ତାହା ହେଉଛି ‘ପଢ଼ିଲେ ଜାଣିବ, ଜାଣିଲେ ଜିଣିବ’। ତେଣୁ ସବୁବେଳେ କିଛି ନା କିଛି ନୂଆ ବିଷୟ ପଢ଼ିବା ପାଇଁ ମୁଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥାଏ। ତା’ସହିତ ଯେଉଁ ବରିଷ୍ଠ ନାଗରିକମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ସେମାନଙ୍କୁ ମୋର ଗୋଟିଏ ଅନୁରୋଧ, ସମଗ୍ର ଜୀବନ ନିଜ ପରିବାରକୁ ଗଢ଼ିବା ପାଇଁ ଦେଇ ସାରିଲା ପରେ ଏବେ ଯଦି ସେମାନେ କିଛି ସମୟ ସାମାଜିକ ସମସ୍ୟା ସମାଧାନ ଦିଗରେ ଦେଇପାରନ୍ତେ ତା’ହେଲେ ଅନେକ ଉପକାର ହୋଇପାରନ୍ତା।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri