ପୁଣି ମଦ

ପ୍ରକାଶ ତ୍ରିପାଠୀ

କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିଲାବେଳେ କେତେକ ସର୍ତ୍ତରେ ମଦଦୋକାନ ଖୋଲିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ୍‌ ଜାରି କରିଥିଲେ। କିଛି ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ଯେଉଁ ଦୃଶ୍ୟ ନଜରକୁ ଆସିଲା ସେଥିରୁ ଅନ୍ତତଃ ଏତିକି ପ୍ରମାଣ ମିଳିଲା ଯେ, କିଛି ଲୋକଙ୍କ ପାଇଁ ମଦ କେତେ ଅପରିହାର୍ଯ୍ୟ ଓ ସରକାର ମଦ ବିକିବା ପାଇଁ କେତେକ ଆତୁର। ମଦ ନ ପିଇ ଦୀର୍ଘ ୪୦ ଦିନ ଏମାନେ କିପରି ଜିଇଥିଲେ ତାହା ମଧ୍ୟ ଭାବିବାର ବିଷୟ। ସକାଳ ୯ଟାରେ ମଦ ଦୋକାନ ଖୋଲାଯିବାକୁ ଧାର୍ଯ୍ୟ ଥିଲାବେଳେ ସକାଳ ୬ଟାରୁ ଦୋକାନ ଆଗରେ ଧାଡ଼ିବାନ୍ଧି ଠିଆ ହୋଇଥିଲେ ମଦପ୍ରେମୀମାନେ। ଦୋକାନ ଆଗରେ ଧାଡ଼ି ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା ଓ ମଦପ୍ରେମୀ ଲୋକମାନେ ଧାର୍ଯ୍ୟଦରଠାରୁ ଶତକଡ଼ା ୭୫ ଅଧିକ ଦାମ୍‌ରେ ବି ମଦ କିଣିବାକୁ ପଛାଇ ନ ଥିଲେ। ଛଅଫୁଟ୍‌ ସାମାଜିକ ଦୂରତା, ଦୋକାନ ସମ୍ମୁଖରେ ୫ଜଣ ଗରାଖରୁ ଅଧିକ ଠିଆ ନ ହେବାକୁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଘୋଷଣା ହୋଇଥିଲେ ବି ଦୋକାନ ଖୋଲୁ ଖୋଲୁ ମଦପ୍ରେମୀମାନେ ଏପରି ଆତୁର ହୋଇ ଉଠିଥିଲେ ଯେ, କୋଭିଡ୍‌-୧୯ କଟକଣା ଆଉ ସେମାନଙ୍କ ସ୍ମୃତିରେ ନ ଥିଲା। ଏପରି କି ମଦ ପାଇଁ ହୋଇଥିବା ଲମ୍ବାଧାଡ଼ିରେ କିଛି ମହିଳା ବି ନଜରକୁ ଆସିଥିଲେ। ପ୍ରଥମ ଦିନରେ କର୍ନାଟକରେ ୪୫ କୋଟି, ଉତ୍ତରପ୍ରଦେଶରେ ୧୦୦ କୋଟି ଟଙ୍କା ମଦ ବିକ୍ରି ପ୍ରମାଣ ଦେଇଥିଲା ଯେ, ସରକାର ମଦ ଦୋକାନ ଖୋଲିବା ପାଇଁ କାହିଁକି ବ୍ୟଗ୍ର। ମଦ ବିକ୍ରି ସୂଚାଇଥିଲା ସରକାରଙ୍କ ରାଜକୋଷକୁ ମଦର ଅବଦାନ କେତେ। ତେବେ କୋଭିଡ୍‌ ୧୯ ସଂକ୍ରମଣ ଦୃଷ୍ଟିରୁ ଓ ମଦ ଦୋକାନ ସମ୍ମୁଖରେ ଅସମ୍ଭବ ଭିଡ଼ ଜନିତ ସାମାଜିକ ଦୂରତା ବ୍ୟବସ୍ଥା ଖଣ୍ଡିତ ହେବା ଦୃଷ୍ଟିରୁ ସରକାର ମଦ ଦୋକାନ ଆଗରେ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ ବଦଳରେ ହୋମ୍‌ ଡେଲିଭେରି କିମ୍ବା ଅନ୍‌ ଲାଇନ୍‌ରେ ଗରାଖଙ୍କୁ ମଦ ଯୋଗାଇ ଦେବାକୁ ଇତି ମଧ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ମଦ ଓ ମଦପ୍ରିୟ ଲୋକଙ୍କର ଗୁରୁତ୍ୱ ଉପଲବ୍‌ଧି ହୋଇଛି।
ମଦକୁ ନେଇ ହିନ୍ଦୀରେ ଏକ ସୁନ୍ଦର ସାୟରି ଶୁଣିବାକୁ ମିଳିଥାଏ। ‘ବହତ ଅମିର ହୋତି ହୈ ୟେ ସରାବ୍‌ କି ବୋତ୍‌ଲେଁ, ପୈସା ଚାହେ ଯୋ ଭି ଲଗ୍‌ଯାଏ ସାରେ ଗମ୍‌ ଖରିଦ୍‌ ଲେତି ହୈ।’ ଅଭ୍ୟାସଗତ ମଦୁଆଙ୍କ ପାଇଁ ମଦର ଦରବୃଦ୍ଧି କିଛି ଫରକ୍‌ ପକାଏ ନାହିଁ। ସେ କେବଳ ପିଇବା ହିଁ ଜାଣେ ଦାମ୍‌ ଯାହା ବି ହେଉ। ନିଶାସେବନ ପ୍ରତି ସାଧାରଣରେ ଆସକ୍ତି ଓ ଦୁର୍ବଳତା ସୃଷ୍ଟି ହେବା ସ୍ବାଭାବିକ। ରାଜସ୍ବ ବୃଦ୍ଧି ଆଳରେ ଏହି ଦୁର୍ବଳତାର ଫାଇଦା ଉଠାଇବା ସରକାରଙ୍କ ପକ୍ଷେ କେତେଦୂର ଯୁକ୍ତିଯୁକ୍ତ? ଏଠାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କିଛି ସୂଚନା ପ୍ରଦାନ ଆବଶ୍ୟକ। ତଥ୍ୟ ଅନୁଯାୟୀ ଭାରତରେ ମଦପ୍ରିୟ ଲୋକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟୁଛି। ୨୦୦୫ରେ ଜଣେ ଭାରତୀୟଙ୍କ ପିଛା ହାରାହାରି ୨.୪ ଲିଟର ମଦ ସେବନ ହେଉଥିଲାବେଳେ ୨୦୧୦ରେ ଏହା ୪.୩ ଲିଟରକୁ ବୃଦ୍ଧି ଘଟିଥିଲା ଓ ୨୦୧୬ବେଳକୁ ଏହା ୫.୭ ଲିଟରକୁ ପହଞ୍ଚତ୍ଛି। ଅର୍ଥାତ୍‌ ଦଶ ବର୍ଷରେ ମଦ୍ୟପଙ୍କ ସଂଖ୍ୟା ଦୁଇଗୁଣାରୁ ଅଧିକ ବଢ଼ିଛି। କେବଳ ପୁରୁଷଙ୍କ କ୍ଷେତ୍ରରେ ନୁହେଁ, ଭାରତୀୟ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହା ଆଦୃତି ଲାଭ କରିବାକୁ ଯାଉଛି। ପୁରୁଷଙ୍କ କ୍ଷେତ୍ରରେ ୪.୨ ଲିଟର ମଦ ବ୍ୟୟ ହେଉଥିଲା ବେଳେ ମହିଳାଙ୍କ କ୍ଷେତ୍ରରେ ଏହାର ପରିମାଣ ୧.୫ ଲିଟର। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଆହୁରି କୁହେ ଯେ, ଭାରତରେ ପ୍ରତିବର୍ଷ ପ୍ରାୟ ଏକଲକ୍ଷ ଲୋକ ମଦ୍ୟପାନ କରି ଅସାବଧାନତାରେ ଗାଡି ଚଳାଇବା ଯୋଗୁଁ ପ୍ରାଣ ହରାଇଥାନ୍ତି। ଏଥିସହ ମଦ୍ୟପାନଜନିତ କ୍ୟାନ୍‌ସର ରୋଗରେ ପ୍ରତିବର୍ଷ ପ୍ରାୟ ୩୦ ହାଜର ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ସେହିପରି ମଦ୍ୟପାନ ଯୋଗୁଁ ୧ ଲକ୍ଷ ୪୦ ହଜାର ଲୋକ ଲିଭର ସିରୋସିସ୍‌ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ଅର୍ଥାତ୍‌ ଭାରତରେ ପ୍ରତିବର୍ଷ ପ୍ରାୟ ଦୁଇ ଲକ୍ଷ ସତୁରି ହଜାର ଲୋକ ମଦ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏହା ସତ୍ତ୍ୱେ ବି ମଦ ପିଇବା ପାଇଁ ଜନସାଧାରଣରେ ବର୍ଦ୍ଧିତ ଉତ୍ସାହ ଓ ମଦ ବିକ୍ରୟଜନିତ କର ସଂଗ୍ରହ ପାଇଁ ସରକାରଙ୍କ ଆଗ୍ରହ ଚିନ୍ତାର ବିଷୟ। ସରକାର କ’ଣ ବୁଝିପାରନ୍ତି ନାହିଁ ଯେ, ମଦରୁ ଯେତିକି ରାଜସ୍ବ ମିଳିଥାଏ, ତା’ଠାରୁ ଅଧିକ ଅର୍ଥ ମଦପାନଜନିତ କ୍ଷୟକ୍ଷତି ଭରଣା ପାଇଁ ସରକାର ବ୍ୟୟ କରିଥାନ୍ତି। ପାରିବାରିକ ଅଶାନ୍ତି, ଆୟହାନି, ରୁଗ୍‌ଣ ସ୍ବାସ୍ଥ୍ୟ, ଅସାମାଜିକ ପରିବେଶ, ଅପରାଧ ବୃଦ୍ଧି, ସାମାଜିକ ଅସ୍ଥିରତା, କାର୍ଯ୍ୟଦକ୍ଷତା ହ୍ରାସ, ଉତ୍ପାଦନରେ ବାଧା ଓ ସର୍ବୋପରି ଦେଶର ଭବିଷ୍ୟତ କୁହାଯାଉଥିବା କିଶୋର ଓ ଯୁବଗୋଷ୍ଠୀଙ୍କ ଉପରେ ସର୍ବାଧିକଙ୍କୁ ପ୍ରଭାବ ପକାଉଥିବା ମଦର ପ୍ରସାର ପାଇଁ ସରକାରୀ ପ୍ରୋତ୍ସାହନ କେତେଦୂର ଯୁକ୍ତିଯୁକ୍ତ। ସରକାରଙ୍କ ମଦବିକ୍ରି ଆଦେଶରୁ ବୁଝାପଡ଼େ ନାହିଁ ଯେ, ମଦ ସରକାରଙ୍କ ପାଇଁ ଆବଶ୍ୟକ ନା ଲୋକଙ୍କ ପାଇଁ। ୪୦ଦିନର ବିରାମ ପରେ ସେହି ଘରର ମହିଳାମାନେ ଦୁଃଖୀ ହୋଇଥିବେ, ଯେଉଁ ଘରେ ପ୍ରତ୍ୟେକ ଦିନ ମଦ୍ୟପାନ କରି ପୁରୁଷମାନେ ଅଶାନ୍ତି ସୃଷ୍ଟି କରୁଥିବେ। ମଦ ଦୋକାନ ଖୋଲିବା ପରେ ସେହି ଘରର ପିଲାମାନେ ପୁଣି ଦୁଃଖୀ ହୋଇଥିବେ ଯେଉଁଘରକୁ ବାପାମାନେ ମଦ ପିଇ ଆସି ସେମାନଙ୍କୁ ଓ ସେମାନଙ୍କ ମାଆମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ପୂର୍ବକ ବାଡ଼ାଉଥିବେ। ଏପରି ଏକ ସମୟରେ ମଦ ଦୋକାନ ଖୋଲାଯିବାର ନିଷ୍ପତ୍ତି ନିଆଗଲା ଯେତେବେଳେ କି ସମସ୍ତ ଶିକ୍ଷାନୁଷ୍ଠାନ ଓ ସମସ୍ତ ଧର୍ମୀୟ ଉପାସନାପୀଠଗୁଡିକ ବି ବନ୍ଦ ରହିଛି। ଘରୋଇ ହିଂସା ଓ ଅପରାଧ ବୃଦ୍ଧିର ମୁଖ୍ୟକାରଣ ସାଜିଥିବା ମଦ ଏପରି ଏକ ସମୟରେ ଉପଲବ୍‌ଧ ହେବାକୁ ନିଷ୍ପତ୍ତି ନିଆଗଲା, ଯେତେବେଳେ କି ରୋଜଗାର ବନ୍ଦ ଓ ଲୋକଙ୍କ ପାଖରେ ଅର୍ଥର ଘୋର ଅଭାବ। ଜୀବନ ଆଗ, ଆଉସବୁ ପଛ ନ୍ୟାୟରେ ଯେଉଁଠି ସରକାର ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ବାହାରକୁ ବାହାରିବାକୁ ବାରଣ କରୁଛନ୍ତି, ବଞ୍ଚତ୍ବା ନିମନ୍ତେ ଦୈନିକ ରାଶନ ପ୍ରଦାନ କରି କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି, ସେଇଠି ମଦ ଦୋକାନ ଖୋଲି ଦୁଇଗୁଣା ଅଧିକ ଦାମ୍‌ରେ ମଦ ବିକିବା ପାଇଁ ଅନୁମତି ପ୍ରଦାନ କରିବା ସାଧାରଣରେ ବିସ୍ମୟଭାବ ସୃଷ୍ଟି କରିଛି। ଅଧିକ ଦାମ୍‌ରେ ମଦ କିଣିବା ପାଇଁ ଜଣେ ଅଭାବୀ ମଦପ୍ରିୟ ମଣିଷ ପକ୍ଷେ ଅପରାଧ ଘଟାଇବା କିଛି ଅସମ୍ଭବ ନୁହେଁ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କର ରାଜସ୍ବର ପ୍ରାୟ ୩୦ ଭାଗ ମଦବିକ୍ରିରୁ ସଂଗୃହୀତ ହୋଇଥାଏ। ମଦ ଆଧାରିତ ଅର୍ଥ ବ୍ୟବସ୍ଥା ଉପରେ ଚାଲୁଥିବା ସରକାର ଭୁଲିଯାଇଥାନ୍ତି ଯେ, ଭାରତୀୟ ନୋଟ୍‌ ଉପରେ ସ୍ଥାନ ପାଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ଥିଲେ ମଦର ତୀବ୍ର ବିରୋଧୀ। ଚୋରି ଓ ବ୍ୟଭିଚାରଠାରୁ ସେ ଅଧିକ ଘୃଣା କରୁଥିଲେ ମଦ୍ୟପାନକୁ। ସେ କହୁଥିଲେ ଯଦି ଭାରତରେ ମଦ୍ୟପାନକୁ ବନ୍ଦ କରା ନ ଯାଏ ତେବେ ଆମର ସ୍ବତନ୍ତ୍ରତା ବି ଗୋଲାମି ହୋଇ ରହିଯିବ। ତାଙ୍କ ଆଶଙ୍କା ଆଜି ସତ୍ୟ ପ୍ରମାଣିତ ହୋଇଛି ଓ ମଦ ଦୋକାନ ଖୋଲିବା ଆମର ପ୍ରାଥମିକତା ହୋଇଯାଇଛି। ମଦର ଅଭ୍ୟାସ ମନୁଷ୍ୟର ଆତ୍ମାକୁ ନାଶ କରିଦେଇଥାଏ। ପତ୍ନୀ, ମାଆ ଓ ଭଉଣୀ ମଧ୍ୟରେ ଫରକ ଦେଖିପାରି ନ ଥାଏ। ଏହା ଧୀରେ ଧୀରେ ମଣିଷକୁ ପଶୁ କରିଦେଇଥାଏ। ବେମାର କେବଳ ଶରୀରକୁ କ୍ଷତି ପହଞ୍ଚାଇଥାଏ। ମାତ୍ର ମଦ ଉଭୟ ଶରୀର ଓ ଆତ୍ମାକୁ ନଷ୍ଟ କରିଦେଇଥାଏ। ସେ ଗରିବ ହେବାକୁ ପସନ୍ଦ କରିବେ, ମାତ୍ର ମଦ୍ୟପ ହେବାକୁ ଆଦୌ ପସନ୍ଦ କରିବେ ନାହିଁ ବୋଲି ଗାନ୍ଧୀଙ୍କ ମତ ଆଜି ସତେ ଯେପରି ଅଲୋଡ଼ା ଓ ଅନାବଶ୍ୟକ। ଯେଉଁ ଦେଶରେ ଗୁଜରାଟ, ବିହାର, ମଣିପୁର, ନାଗାଲାଣ୍ଡ ଆଦି ରାଜ୍ୟରେ ମଦ ବିକ୍ରିକୁ ନିଷେଧ କରାଯାଇ ରାଜ୍ୟର ରାଜସ୍ବ ଆଦାୟକୁ ଚଳଚଞ୍ଚଳ ରଖାଯାଇପାରୁଛି, ତେବେ ସମଗ୍ର ଭାରତ ବର୍ଷରେ ଏହା ସମ୍ଭବ ହେବନାହିଁ କାହିଁକି? କୋଭିଡ୍‌-୧୯ଜନିତ ଲକ୍‌ଡାଉନ୍‌ ଏକ ସୁବର୍ଣ୍ଣ ସୁଯୋଗ ଆଣିଥିଲା ମଦପ୍ରସାରକୁ ରୋକିବା ପାଇଁ। ମାତ୍ର ଏ ସୁଯୋଗକୁ ହାତଛଡ଼ା କରାଗଲା। ମଦଠାରୁ କ୍ରମଶଃ ଦୂରେଇ ଯାଉଥିବା ମଣିଷଙ୍କୁ ପୁଣିଥରେ ମଦ ପ୍ରତି ଆକୃଷ୍ଟ ହେବାର ସୁଯୋଗ ପ୍ରଦାନ କରାଗଲା।
ମୋ-୯୪୩୭୨୩୨୪୬୩
ଇମେଲ-prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri