Posted inଖେଳ

ପାକିସ୍ତାନକୁ ହରାଇଲା ଭାରତ

ମାଞ୍ଚେଷ୍ଟର, ୧୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମହା ମୁକାବିଲାରେ ଭାରତର ବିଜୟ ଧ୍ୱଜା ଉଡ଼ିଛି। ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏହି ବିଜୟ ଆଣି ଦେଇଛି। ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୩୬ ରନ କରିଥିଲା। ଜବାବରେ ପାକିସ୍ତାନ ୩୫ ଓଭରରେ ୧୬୬ ରନ ମଧ୍ୟରେ ୬ ଉଇକେଟ ହରାଇ ପରାଜୟ ଆଡ଼କୁ ମୁହାଁଉଥିବାବେଳେ ବର୍ଷା ହୋଇଥିଲା। ଖେଳ କିଛି ସମୟ ବନ୍ଦ ରହିବାପରେ ଡକଓ୍ବର୍ଥ ଲୁଇସ ନିୟମ ଲାଗୁ ହୋଇଥିଲା। ୪୦ ଓଭରରେ ପାକିସ୍ତାନ ସମ୍ମୁଖରେ ୩୦୨ ରନର ଟାର୍ଗେଟ ରଖା ଯାଇଥିଲା। ମାତ୍ର ପାକିସ୍ତାନ ଏହି ଓଭର ମଧ୍ୟରେ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ଅପରିବର୍ତ୍ତିତ ରହିଛି। ପୂର୍ବରୁ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୬ଟି ଯାକ ମୁକାବିଲାରେ ଭାରତ ବିଜୟୀ ହୋଇଥିଲା। ଏବେ ଏହି ସଂଖ୍ୟା ୭ରେ ପହଞ୍ଚତ୍ଛି।
ମେଘୁଆ ପାଗ ଏବଂ ପିଚ୍‌ରେ ଅର୍ଦ୍ରତାକୁ ଦୃଷ୍ଟିରେ ରଖି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ମାତ୍ର ଏହି ମହା ମୁକାବିଲାରେ ଚାପର ବଶବର୍ତ୍ତୀ ହୋଇ ନ ଥିଲେ ଟିମ୍‌ ଇଣ୍ଡିଆର ଦୁଇ ଦକ୍ଷ ଓପନର। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହୋଇଥିଲେ ଲୋକେଶ ରାହୁଲ। ସୁଯୋଗର ଭରପୁର ସଦ୍‌ବ୍ୟବହାର କରିଥିଲେ ଏହି ଷ୍ଟାଇଲିଶ୍‌ ବ୍ୟାଟ୍ସମ୍ୟାନ। ଉଭୟ ରୋହିତ ଓ ରାହୁଲ ପାକ୍‌ ବୋଲରଙ୍କୁ ସଫଳତାର ସହିତ ମୁକାବିଲା କରି ଶତକୀୟ ଭାଗୀଦାରି ଗଢ଼ିବା ସହ ଭାରତର ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ବିଶେଷ କରି ୩୪ ବଲ୍‌ରୁ ୫୦ ଓ ୮୫ ବଲ୍‌ରୁ ୧୦୦ ରନ ପୂରଣ କରି ପାକିସ୍ତାନ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସାଜିଥିଲେ ରୋହିତ। ୨୪ତମ ଓଭରରେ ଯାଇ ପାକ୍‌ ବୋଲରମାନେ ଏହି ଯୋଡ଼ି ଭାଙ୍ଗିବାରେ ସକ୍ଷମ ହୋଇଥିଲେ। ୨୩.୫ ଓଭରରେ ଦଳୀୟ ସ୍କୋର ୧୩୬ ହୋଇଥିବାବେଳେ ରାହୁଲ ବ୍ୟକ୍ତିଗତ ୫୭ ରନ କରି ଓ୍ବାହାବ ରିଆଜଙ୍କ ବଲ୍‌ରେ ବାବର ଆଜମଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୭୮ ବଲ୍‌ର ସମ୍ମୁଖୀନ ହୋଇଥିବା ରାହୁଲ ନିଜ ଇନିଂସ ମଧ୍ୟରେ ୩ ଚୌକା ଓ ୨ ଛକା ମାରିଥିଲେ। ଗୋଟିଏ ରନ୍‌ଆଉଟ ସୁଯୋଗ ଛାଡ଼ିଦେଲେ ରୋହିତ-ରାହୁଲ ଯୋଡ଼ି ଅତି ସୁନ୍ଦରଭାବେ ଭାରତୀୟ ଇନିଂସ ଗଢ଼ିଥିଲେ। ଅଧିନାୟକ ବିରାଟ କୋହଲି କ୍ରିଜରେ ଯୋଗ ଦେବାରେ ପାକିସ୍ତାନ ବୋଲରଙ୍କ ଦୁର୍ଦ୍ଦଶା ଅଧିକ ବଢ଼ିଥିଲା। ଦୁଇ ବ୍ୟାଟ୍ସମ୍ୟାନ ରନହାର ବଢ଼ାଇବା ସହ ଭାରତକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଚମତ୍କାର ଖେଳୁଥିବା ରୋହିତ ଦଳୀୟ ସ୍କୋର ୩୮.୨ ଓଭରରେ ୨୩୪ ହୋଇଥିବାବେଳେ ହାସନ ଅଲୀଙ୍କ ବଲ୍‌ରେ ଏକ ସ୍କୁପ୍‌ ଶଟ୍‌ ଖେଳିବାକୁ ଯାଇ ଓ୍ବାହାବ ରିଆଜଙ୍କ ହାତରେ ଧରା ପଡ଼ି ଯାଇଥିଲେ। କ୍ୟାରିୟରର ୨୪ତମ ଶତକ ହାସଲ କରିଥିବା ରୋହିତ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ସହାୟତାରେ ୧୪୦ ରନ ସ୍କୋର କରିଥିଲେ। ରୋହିତ ଓ କୋହଲି ଦ୍ୱିତୀୟ ଉଇକେଟରେ ୯୮ ରନ ଯୋଗ କରିଥିଲେ। ମିଡଲ ଅର୍ଡରରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ରନ ସଂଗ୍ରହ ଚକ୍କରରେ ୧୯ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୨୬ ରନକରି ଆଉଟ ହୋଇଯାଇଥିଲେ। ତେବେ କୋହଲି ଓ ପାଣ୍ଡ୍ୟାଙ୍କୁ ଯୋଡ଼ିରୁ ୫୧ ରନ ସଂଗୃହୀତ ହୋଇଥିଲା। ମହେନ୍ଦ୍ର ସିଂ ଧୋନୀ ବିଫଳ ହେବା ଦଳକୁ ଶକ୍ତ ଝଟ୍‌କା ଲାଗିଥିଲା। ସେ ମାତ୍ର ୧ ରନ କରି ଅମିରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୧୧,୦୦୦ ରନ ପୂରଣ କରିଥିବା ଅଧିନାୟକ ବିରାଟ ଭାରତ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ୪୬.୪ ଓଭରରେ ଭାରତ ସ୍କୋର ୩୦୫/୪ ହୋଇଥିବାବେଳେ ବର୍ଷା ହୋଇଥିଲା। ଏଥିପାଇଁ ୧୫ ମିନିଟ ଖେଳ ବାଧାପ୍ରାପ୍ତ ହୋଇଥିଲା। ତେବେ ଓଭର ସଂଖ୍ୟା କମା ନ ଯାଇ ପୁଣି ଖେଳ ଆରମ୍ଭ ହୋଇଥିଲା। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ସମ୍ଭବତଃ ଏକାଗ୍ରତା ହରାଇଥିଲେ କୋହଲି। ସେ ୬୫ ବଲ୍‌ରୁ ୭ ଚୌକା ସହାୟତାରେ ୭୭ ରନ କରିଥିବାବେଳେ ଅମିରଙ୍କ ଏକ ବାଉନ୍ସରରେ ପରାସ୍ତ ହୋଇଥିଲେ। ଉଇକେଟ କିପର ସର୍ଫରାଜ ଅହମଦଙ୍କୁ କ୍ୟାଚ ଦେଇଥିବା ଅନୁଭବ କରି ସେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଅମ୍ପାୟରଙ୍କ ନିଷ୍ପତ୍ତିକୁ ଅପେକ୍ଷା ନ କରିବା ତାଙ୍କ ପାଇଁ ବଡ଼ ଭୁଲ ଥିଲା। ଅମ୍ପାୟର ଦ୍ୱନ୍ଦ୍ୱରେ ଥିବାର କିଛି କହି ନ ଥିଲେ। ରିପ୍ଲେରେ ବଲ୍‌ ବ୍ୟାଟ୍‌ରେ ବାଜି ନ ଥିବା ପରିଲକ୍ଷିତ ହୋଇଥିଲା। ସେତେବେଳକୁ ଦଳୀୟ ସ୍କୋର ୪୭.୪ ଓଭରରେ ୩୧୪ହୋଇଥିଲା। ଶେଷଭାଗରେ ବିଜୟ ଶଙ୍କର ଓ କେଦାର ଯାଦବ ଦ୍ରୁତ ରନ ସଂଗ୍ରହ କରି ନ ପାରିବାରୁ ଭାରତ ସ୍କୋର ୫୦ ଓଭରରେ ୩୩୬/୫ରେ ସୀମିତ ହୋଇଥିଲା। ବିଜୟ ଶଙ୍କର ୧୫ ବଲ୍‌ରୁ ୧୫(୧ ଚୌକା) ଓ କେଦାର ୮ ବଲ୍‌ରୁ ୯(୧ ଚୌକା) ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଅମିର ୩ଟି ଏବଂ ହାସନ ଅଲୀ ଓ ଓ୍ବାହାବ ରିଆଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୩୩୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ପାକିସ୍ତାନ ମାତ୍ର ୧୩ ରନରେ ଓପନର ଇମାମ-ଉଲ-ହକ୍‌ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇମାମ ୭ ରନ କରିଥିବାବେଳେ ବିଜୟ ଶଙ୍କରଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ ହୋଇଥିଲେ। ଫକର ଜମନ ଓ ବାବର ଆଜମ ଦ୍ୱିତୀୟ ଉଇକେଟ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ି ଭାରତ ପାଇଁ ବିପଦ ସୃଷ୍ଟି କରିଥିଲେ। ମାତ୍ର ୨୪ତମ ଓଭରର ଶେଷ ବଲ୍‌ରେ ବାବର ଆଜମ୍‌ଙ୍କୁ କ୍ଲିନ ବୋଲ୍ଡ କରି ପ୍ରତୀକ୍ଷାର ଅବସାନ ଘଟାଇଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ୫୭ ବଲ୍‌ ଖେଳିଥିବା ବାବର ୩ ଚୌକା ଓ ୧ ଛକା ସହାୟତାରେ ୪୮ ରନ ସ୍କୋର କରିଥିଲେ। ଫକର ଓ ବାବର ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୧୦୪ ରନ ଯୋଗ କରିଥିଲେ। ବାବର ଆଉଟ ହେବାପରେ କ୍ରିଜ୍‌ରେ ଜମିରହିଥିବା ଫକରଙ୍କ ଉପରେ ରନ ହାର ବଢ଼ାଇବାର ଚାପ ପଡ଼ିଥିଲା। ଫଳରେ ସେ ଆଉ ଅଧିକ ସମୟ ତିଷ୍ଠି ନ ପାରି ବ୍ୟକ୍ତିଗତ ୬୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେ ୭୫ ବଲ୍‌ ଖେଳି ନିଜ ଇନିଂସ ମଧ୍ୟରେ ୭ ଚୌକା ଓ ୧ ଛକା ମାରିଥିଲେ। ଫକର ଆଉଟ ହେବାସହ ପାକିସ୍ତାନର ବିଜୟ ଆଶା ମଉଳିଥିଲା। ଆବଶ୍ୟକ ରନ ହାର କ୍ରମେ ବଢ଼ି ଚାଲିଥିବାରୁ ଦ୍ରୁତ ହାରରେ ରନ ସଂଗ୍ରହ ଜରୁରୀ ହୋଇ ପଡ଼ିଥିଲା। ଏହି ପରିସ୍ଥିତିରେ ମିଡଲ ଅର୍ଡରରେ ମହମ୍ମଦ ହାଫିଜ(୯) ଓ ଅଭିଜ୍ଞ ସୋଏବ ମଲିକ(୦)ଙ୍କ ବିଫଳତା ପାକିସ୍ତାନ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଥିଲା। ହାଫିଜ୍‌ଙ୍କୁ ବିଜୟଶଙ୍କରଙ୍କ ହାତରେ କ୍ୟାଚ କରାଇ ଏବଂ ସୋଏବଙ୍କୁ କ୍ଲିନ ବୋଲ୍ଡ କରି ପାକିସ୍ତାନକୁ ଡବଲ୍‌ ଝଟ୍‌କା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଅଧିନାୟକ ସର୍ଫରାଜ ଅହମଦ ମଧ୍ୟ ଅଧିକ ସମୟ କ୍ରିଜରେ ରହିପାରି ନ ଥିଲେ। ସେ ୩୦ ବଲ୍‌ରୁ ମାତ୍ର ୧୨ ରନ କରି ବିଜୟଶଙ୍କରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୩୫ ଓଭର ବେଳକୁ ପାକିସ୍ତାନ ୬ ଉଇକେଟ ହରାଇ ୧୬୬ ରନ କରିଥିବାବେଳେ ବର୍ଷାଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ପରେ ୪୦ ଓଭରରୁ ୩୦୨ ରନ ଟାର୍ଗେଟ ହେବାରୁ ପାକିସ୍ତାନକୁ ୩୦ ବଲ୍‌ରେ ୧୩୬ ରନ ଆବଶ୍ୟକ ହେଉଥିଲା। ଯାହାକି ଅସମ୍ଭବ ଥିଲା। କାରଣ ପ୍ରତି ବଲ୍‌ରେ ଚୌକା ହେଲେବି ପାକିସ୍ତାନ ମ୍ୟାଚ ଜିତିବା ସମ୍ଭବ ନ ଥିଲା। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ଭୁବନେଶ୍ୱର କୁମାର ମାତ୍ର ୨.୪ ଓଭର ବୋଲିଂ କରି ପାରିଥିଲେ। ଏହା ଭାରତ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚରେ ସବୁ ଭାରତୀୟ ବୋଲର ଭଲ ବୋଲିଂ କରିଥିବାବେଳେ ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ୨ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri