ପରୀକ୍ଷାର ପରୀକ୍ଷଣ

ହୃଷୀକେଶ ପ୍ରଧାନ

ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସଦ୍ୟସମାପିତ ୟୁଜିସି-ନେଟ୍‌ ଏବଂ ନିଟ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ରାଜନୈତିକ ଦଳଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନ୍‌ଟିଏ ପରିଚାଳନା କରୁଥବା ୟୁଜିସି-ନେଟ୍‌ ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ପାଇଁ ବାତିଲ କରାଯାଇଛି। ଗତ ୧୮ ତାରିଖରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ୧୯ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ବାତିଲ ସମ୍ବନ୍ଧୀୟ ସୂଚନା ପାଇଥିଲେ। ଫଳରେ ପ୍ରାୟ ୯ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ପୂର୍ବେ ଅନ୍‌ଲାଇନରେ ପରୀକ୍ଷା ହେଉଥିବାସ୍ଥଳେ ପ୍ରଥମ ଥର ପାଇଁ ହୋଇଥିବା ଅଫ୍‌ଲାଇନ ପରୀକ୍ଷାରେ ବ୍ୟାପକ ଅନିୟମିତତା ବା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣା ସମ୍ପ୍ରତି ସବୁଠୁ ବଡ଼ ପ୍ରଶ୍ନବାଚୀ ଭାବେ ଦଣ୍ଡାୟମାନ।
ଗବେଷଣା ନିମନ୍ତେ ସର୍ବଭାରତୀୟ ସ୍ତରରେ ଲକ୍ଷ ଲକ୍ଷ ପିଲାଙ୍କ ପାଇଁ ଏହି ପରୀକ୍ଷା ସହାୟକ ହୋଇଥାଏ। ନେଟ୍‌, ଜେଆର୍‌ଏଫ୍‌ ଉତ୍ତୀର୍ଣ୍ଣ ହୋଇ ପିଏଚ୍‌.ଡି କରିବା ପାଇଁ ପରୀକ୍ଷାର୍ଥୀମାନେ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଏବେ ଧୂଳିସାତ୍‌ ହେବାକୁ ଯାଉଛି। ପୂର୍ବରୁ ନିଟ୍‌ ପରୀକ୍ଷାରେ ୬୭ ଜଣ ଟପ୍ପର ହେବା ଓ ବହୁ ଛାତ୍ରୀଛାତ୍ରଙ୍କୁ ଗ୍ରେସ ମାର୍କ ପ୍ରଦାନ କରାଯାଇଥିବାରୁ ବିବାଦ ଦେଖାଦେଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୧୫୬୩ ପିଲାଙ୍କ ପାଇଁ ପୁନଃ ପରୀକ୍ଷା ହେବ। ଏହି ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ମଧ୍ୟ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି କିଛି ପରୀକ୍ଷାର୍ଥୀଙ୍କୁ ଅନୁଗ୍ରହ କରି ସିୟୁଇଟି-ପିଜି ପରୀକ୍ଷାରେ ଅଧିକ ମାର୍କ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାସହ ଏନ୍‌ସିଟିଇ ପରୀକ୍ଷାକୁ ମଧ୍ୟ ବୈଷୟିକ କାରଣ ଦର୍ଶାଇ ବାତିଲ କରାଯାଇଛି। ଏ ସବୁ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏ ବିରୋଧରେ ଗୋଟିଏ ପରେ ଗୋଟିଏ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହେଉଛି।
ଗତ ଫେବୃଆରୀରେ କେନ୍ଦ୍ର ଏକ ନୂତନ ପ୍ରଶ୍ନପତ୍ର ପ୍ରଘଟ ବିରୋଧୀ ଆଇନ ପ୍ରଣୟନ କରିବା ପରେ ନେଟ୍‌ ହେଉଛି ପ୍ରଥମ କେନ୍ଦ୍ରୀୟ ପରିଚାଳିତ ପରୀକ୍ଷା। ଶିକ୍ଷାଗତ ତଥା ସରକାରୀ ନିଯୁକ୍ତି ବ୍ୟବସ୍ଥାର ବିଶ୍ୱସନୀୟତାକୁ ବିପଦରେ ପକାଇଲା ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ନୂତନ ନିୟମ ପ୍ରଣୟନ କରିବାର ଆବଶ୍ୟକତା ଏବେ ବାଞ୍ଛନୀୟ। ଅସଂଖ୍ୟ ବିବିଧତା ଓ ଆହ୍ବାନଭରା ଦେଶରେ, ପରୀକ୍ଷା ଶୃଙ୍ଖଳାର ଏକ ଦୁର୍ବଳ ସଂଯୋଗ ପ୍ରଶ୍ନପତ୍ର ସଂରଚନାଠାରୁ ଆରମ୍ଭ କରି ଉତ୍ତର ପତ୍ର ମୂଲ୍ୟାଙ୍କନ ପର୍ଯ୍ୟନ୍ତ ବହୁ କଠୋର ପରିସ୍ଥିତିର ସାମ୍ନା କରିଥାଏ। ଅନେକ ରାଜ୍ୟରେ ପରୀକ୍ଷା ପ୍ରବଞ୍ଚନା ବିରୋଧୀ ନିୟମ ରହିଥିବା ସତ୍ତ୍ୱେ ପରୀକ୍ଷା ମାଫିଆ ଏବଂ କୋଚିଂ-କ୍ଲାସ ଇଣ୍ଡଷ୍ଟ୍ରି ସହ ଜଡ଼ିତ ନେଟ୍‌ୱର୍କକୁ ନଷ୍ଟ କରିବା କଷ୍ଟକର ହୋଇପଡ଼ିଛି। ଫେବୃଆରୀରେ ହୋଇଥିବା ଏକ ତଦନ୍ତ ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ୧୫ଟି ରାଜ୍ୟରେ ୪୦ରୁ ଊର୍ଦ୍ଧ୍ୱ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଦେଖିବାକୁ ମିଳିଛି, ଯାହା ଶିକ୍ଷା, ଇଞ୍ଜିନିୟରିଂ, ସାଧାରଣ କାର୍ଯ୍ୟ, ସ୍ବାସ୍ଥ୍ୟସେବା ଏବଂ ପୋଲିସ ସେବା ଭଳି ବିଭିନ୍ନ କ୍ଷେତ୍ରୀୟ ପଦବୀ ପାଇଁ ଆବେଦନ କରିଥିବା ପ୍ରାୟ ୧.୫ କୋଟି ପରୀକ୍ଷାର୍ଥୀଙ୍କ କାର୍ଯ୍ୟସୂଚୀକୁ ବ୍ୟାହତ କରିଛି। ଉଚ୍ଚ ଆକାଂକ୍ଷିତ ବୃହତ୍‌ ଯୁବଗୋଷ୍ଠୀଙ୍କ ଦେଶରେ ଏପରି ବ୍ୟାଘାତ ଅସନ୍ତୋଷ ଓ ଅନିଶ୍ଚିତତାର ଭାବ ଜାତ କରୁଛି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ, ନିକଟ ଅତୀତରେ ଅନେକ ରାଜ୍ୟରେ ପରୀକ୍ଷାମୂଳକ ଅନିୟମିତତା ହେତୁ ଜନସାଧାରଣଙ୍କ ମନରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇଛି। ସଦ୍ୟସମାପିତ ଲୋକ ସଭା ନିର୍ବାଚନରେ ତଥା ରାଜସ୍ଥାନ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ଗତ ବର୍ଷର ବିଧାନସଭା ନିର୍ବାଚନରେ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ପ୍ରସଙ୍ଗରେ ରାଜନୈତିକ ଶ୍ରେଣୀର ଚିନ୍ତାଧାରାର ଅଭାବ ଦେଶରେ ଅଚଳାବସ୍ଥା ସୃଷ୍ଟି କରୁଛି, ଯାହା ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଗୋଷ୍ଠୀ ବିଭାଜନର ସୂତ୍ରଧର ସାଜିପାରେ।
ଜାତୀୟ ପରୀକ୍ଷଣ ସଂସ୍ଥାରେ ଗଠନମୂଳକ ସଂସ୍କାର ହେବା ଦରକାର। ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଯଥାର୍ଥ ପ୍ରବେଶିକା ପରୀକ୍ଷା କରିବା ଏକ ବଡ଼ ଆହ୍ବାନ, ଯେଉଁଥିରେ ଏକ ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ଅଛି। ଏନ୍‌ଟିଏ ଦ୍ୱାରା ସୁରକ୍ଷିତ ପରୀକ୍ଷଣ ପରିକଳ୍ପନା ଏବଂ ପ୍ରଯୁକ୍ତି ବିଦ୍ୟାର ସଠିକ ବ୍ୟବହାରକୁ ସୁନିଶ୍ଚିତ କରିବାକୁ ହେବ, ଯେଉଁଥିରେ କମ୍ପ୍ୟୁଟର-ଆଧାରିତ ପରୀକ୍ଷଣ (ସିବିଟି), ବିକ୍ଷିପ୍ତ ପ୍ରଶ୍ନାବଳୀ ଏବଂ ଉପଯୋଗୀ ପରୀକ୍ଷା କୌଶଳ ଅନ୍ତର୍ଭୁକ୍ତ ହୋଇଛି। ଏଥିରେ କୌଣସି ଦୁଇ ପରୀକ୍ଷାର୍ଥୀଙ୍କର ସମାନ ପ୍ରଶ୍ନର ସେଟ୍‌ ରହିବା ସମ୍ଭବ ନୁହେଁ; ତେଣୁ, ଏହା ଏକ ଆକର୍ଷଣୀୟ ବିକଳ୍ପ।
ଅତ୍ୟଧିକ ପ୍ରତିଯୋଗିତାମୂଳକ ପରୀକ୍ଷାଗତ ପ୍ରବୃତ୍ତି ଉଭୟ ଶିକ୍ଷାଗତ ଏବଂ ନିଯୁକ୍ତିଗତ ଅପାରଗତାର ବିଲକ୍ଷଣ । ଚାହିଦା ଓ ଯୋଗାଣ ମଧ୍ୟରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପରୀକ୍ଷା ଫିକ୍ସର୍‌ ଏବଂ ଚାକିରି ମାଫିଆଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଏ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ବର୍ତ୍ତମାନ କେନ୍ଦ୍ର ସରକାର ଉଭୟ ନିଟ୍‌ ଓ ନେଟ୍‌କୁ ନେଇ ଉପୁଜିଥିବା ବିବାଦର ତଦନ୍ତ କରୁଥିବାରୁ ଏହି ଦୀର୍ଘସୂତ୍ରୀ ସମସ୍ୟାର ସମାଧାନ ବିଳମ୍ବ ହେବନାହିଁ ବୋଲି ଆଶା।
ମହେନ୍ଦ୍ରଗଡ଼, ହରିୟାଣା
ମୋ: ୮୦୧୮୧୭୨୩୦୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri