ନିଟ୍‌ ଫଳାଫଳ

ଡ. ମୌସୁମୀ ପରିଡ଼ା

ଏଇ କିଛିଦିନ ତଳେ ଆଚମ୍ବିତ କଲା ପରି ବହୁ ପ୍ରତୀକ୍ଷିତ ନିଟ୍‌ର ଫଳାଫଳ ପ୍ରକାଶିତ ହେଲା ପରେ ବିଧିବଦ୍ଧ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ପରିଚାଳନା କରୁଥିବା ଏନ୍‌ଟିଏ ଉପରେ ଲୋକମାନଙ୍କ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। କିଛି ପ୍ରଶ୍ନ ଯାହାର ସନ୍ତୋଷଜନକ ଉତ୍ତର ନ ମିଳିପାରୁଥିବାରୁ ଏହି ପରୀକ୍ଷାଫଳକୁ ନେଇ ବର୍ତ୍ତମାନ ନାନା ପ୍ରକାରର ଆଲୋଚନା ତର୍ଜମା ଚାଲିଛି। ଚଳିତ ୨୦୨୪ରେ ପ୍ରାୟ ୨୪ ଲକ୍ଷ ୬ ହଜାର ୭୯ ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ୨୩ ଲକ୍ଷ ୩୩ ହଜାର ୨୯୭ ପରୀକ୍ଷାର୍ଥୀ ୧ ଲକ୍ଷ ୬ ହଜାର ୩୩୩ (ଏମ୍‌ବିବିଏସ୍‌) ଓ ୨୬ ହଜାର ୯୪୯ (ବିଡିଏସ୍‌) ସହିତ ଅନ୍ୟାନ୍ୟ ସିଟ୍‌ ପାଇଁ ପରୀକ୍ଷା ଦେଇଥିବାବେଳେ ଏଥରର ପରୀକ୍ଷାଫଳ ପିଲାମାନଙ୍କ ସହିତ ଅଭିଭାବକମାନଙ୍କୁ ମଧ୍ୟ ଚକିତ କରିଦେଇଛି।
ପ୍ରକାଶଥାଉ କି, ମୋଟ୍‌ ୨୦୦ ପ୍ରଶ୍ନ ଭିତରୁ ୧୮୦ଟି ପ୍ରଶ୍ନର ଉତ୍ତର ପାଇଁ ପୂର୍ଣ୍ଣସଂଖ୍ୟା ହେଉଛି ୭୨୦; ତେଣୁ ପ୍ରତି ପ୍ରଶ୍ନ ପିଛା ଚାରି ମାର୍କ। ଆଶ୍ଚର୍ଯ୍ୟର ବିଷୟ ଯେ, ଏଥର ୬୭ ଜଣ ପିଲା ୭୨୦/୭୨୦ ରଖି ରେକର୍ଡ ସୃଷ୍ଟି କରିଛନ୍ତି! କେବଳ ଏତିକି ନୁହେଁ, ଏକାଧିକ ପ୍ରଶ୍ନଘେରରେ ଜନସାଧାରଣ ଓ ଅଭିଭାବକମାନେ। ପିଲାମାନଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରେ। ଡାକ୍ତରି ବୃତ୍ତିରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିବା ପିଲାମାନେ କ୍ୟାରିୟର୍‌କୁ ନେଇ କେବଳ ସିରିୟସ୍‌ ନଥା’ନ୍ତି, ନିଜ ଜୀବନକାଳର ବହୁ ସମୟ ପଢ଼ିବାରେ ଅତିବାହିତ କରିଦିଅନ୍ତି। କାରଣ ଏହି ଲାଇନ୍‌ରେ ମେଧା ସହିତ ତ୍ୟାଗ, ସେବା ଓ ଉତ୍ସର୍ଗୀକୃତ ମନୋଭାବ ରହିଥାଏ। ତେଣୁ ଏହି ପରୀକ୍ଷା ପାଇଁ ପିଲାମାନଙ୍କ ଆବେଗପ୍ରବଣତା ଓ ବ୍ୟସ୍ତତା ଅଧିକ। ଅଳ୍ପବହୁତେ ଆମେ ଜାଣିଛେ ନିଟ୍‌ ଆଶାୟୀମାନେ ତିନି ଚାରି ଥର ଲେଖାଏ ପରୀକ୍ଷା ଦେବାର ଧୈର୍ଯ୍ୟ ବହନ କରନ୍ତି। ୬୦୦ରୁ ଊର୍ଦ୍ଧ୍ୱ ମାର୍କ ରଖି ବି ସରକାରୀ କଲେଜରେ ସିଟ୍‌ ପାଇବା ସହଜ ହେଉନାହିଁ।
ସୂଚନାନୁସାରେ, ଏଥର ବହୁସଂଖ୍ୟକ ପିଲା ସମାନ ମାର୍କ ରଖିଥିବାରୁ ସରକାରୀ କଲେଜରେ କଟ୍‌ଅଫ୍‌ ମାର୍କ ସାଧାରଣ ବର୍ଗର ପରୀକ୍ଷାର୍ଥୀ ପାଇଁ ପାଖାପାଖି ୬୫୦ ହେବ ବୋଲି ଆକଳନ କରାଯାଉଛି। ଅର୍ଥାତ୍‌ ୬୪୦-୬୪୯ ରଖିଥିବା ସାଧାରଣ ବର୍ଗର ପିଲାମାନେ ଡାକ୍ତରିପାଠ ପଢ଼ିବାରୁ ବଞ୍ଚତ୍ତ ହୋଇପାରନ୍ତି। ପୁଣି ଏକ ସନ୍ଦେହ ସୃଷ୍ଟି କରୁଛି ୭୧୯, ୭୧୮ ମାର୍କ, ଯାହା ନିୟମତଃ ଅସମ୍ଭବ। କାରଣ ଗୋଟେ ଉତ୍ତର ଭୁଲ୍‌ ହେଲେ ୫ ମାର୍କ କଟିଯାଇଥାଏ। କିନ୍ତୁ କିଛି ପିଲା ଏହି ମାର୍କ ରଖିଛନ୍ତି। ସାଧାରଣରେ ଅସନ୍ତୋଷ ଦେଖାଦେବାରୁ ଏନ୍‌ଟିଏ ସଫେଇ ଦେଉଛି ଯେ ବିଳମ୍ବତା କାରଣରୁ ଓ ଅନ୍ୟ କିଛି ପ୍ରସଙ୍ଗକୁ ତର୍ଜମା କରି ପିଲାମାନଙ୍କୁ ଗ୍ରେସ୍‌ ମାର୍କ ଦିଆଯାଇଛି, ଯେଉଁ ଉତ୍ତର ସନ୍ତୋଷଜନକ ନୁହେଁ। ବିଳମ୍ବତା ଯଦି ଗ୍ରେସ୍‌ ଦେବାର ଏକ କାରଣ ହୁଏ, ତେବେ ୨୦୨୦ ଓ ୨୦୨୧ରେ କୋଭିଡ୍‌ଜନିତ ବିଳମ୍ବତା ପାଇଁ କାହିଁକି ଗ୍ରେସ୍‌ ଦିଆଗଲା ନାହିଁ? ପୁଣି ଏକ ସନ୍ଦେହ ଗୋଟେ ପ୍ରଶ୍ନକୁ ନେଇ, ଯାହାର ଉତ୍ତର ପୁରୁଣା ଏନ୍‌ସିଇଆର୍‌ଟି ବହି ଅନୁଯାୟୀ, ଯାହା ନୂତନ ପାଠ୍ୟ ପ୍ରଣାଳୀ ଅନୁଯାୟୀ ଭିନ୍ନ ଥିବାରୁ ଦୁଇଟାଯାକ ଉତ୍ତର ଠିକ୍‌; ତେଣୁ ଦୁଇ ପ୍ରକାରର ଚୟନ ପାଇଁ ସମାନ ୪ ମାର୍କ ଦିଆଯିବା କଥା। କିନ୍ତୁ ମାତ୍ର ୪୦ ଜଣଙ୍କୁ ଗ୍ରେସ୍‌ ମାର୍କ କେଉଁ ଆଧାରରେ ସ୍ପଷ୍ଟ କରାଯିବା ଉଚିତ୍‌।
ନିଟ୍‌ ପରୀକ୍ଷାର ମାର୍କିଂ ବ୍ୟବସ୍ଥା ସ୍ପଷ୍ଟ ହେଉନାହିଁ। ପ୍ରତିବର୍ଷ ନୂଆ ନୂଆ କାରଣ ଦୃଷ୍ଟିକୁ ଆସୁଥିବାରୁ ଏହାକୁ ନେଇ ଭବିଷ୍ୟତ ଗଢ଼ିବା ିଭରସାଯୋଗ୍ୟ ମନେହେଉନାହିଁ। ଏଥିପାଇଁ ବିରୋଧର ସ୍ବର ତୀବ୍ର ହେଉଥିବାରୁ ଗ୍ରେସ୍‌ ମାର୍କର ବାହାନା ଦେଖାଇ ସଫେଇ ଦିଆଗଲେ ମଧ୍ୟ ସେସବୁ କପୋଳକଳ୍ପିତ ବୋଲି କୁହାଯାଉଛି। ପରୀକ୍ଷା ବ୍ୟବସ୍ଥା ଓ ମାର୍କିଂ ପ୍ରଣାଳୀ ସହିତ ଅବଗତ ଥିବା ତୃତୀୟ/ ଚତୁର୍ଥ ଥର ପାଇଁ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ମାନସିକ ଅବସ୍ଥାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଏସବୁ ସନ୍ଦେହ ଅଯୌକ୍ତିକ ନୁହେଁ। ସେମାନେ ୩-୪ବର୍ଷ ନିଜ କ୍ୟାରିୟର୍‌ରୁ ଦେବା ପରେ ବିଫଳତା ସାମ୍ନା କରୁଥିବା ମେଧାବୀମାନେ କରିବେ କ’ଣ? ପୁଣି ସାମାଜିକ ଗଣମାଧ୍ୟମର ଏକ ସୂଚନା ଅନୁଯାୟୀ, ହରିୟାଣାସ୍ଥିତ ଫରିଦାବାଦର ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୮ ଜଣ ପରୀକ୍ଷାର୍ଥୀ ୭୨୦ ମାର୍କ ରଖିଛନ୍ତି! ଏଭଳି ସଂଯୋଗ ଭ୍ରୂକୁଞ୍ଚନ ସୃଷ୍ଟି କରୁନାହିଁ କି? ପିଲାଙ୍କ ମେଧା ବୃଦ୍ଧି ପାଉଛି ନା ଆଉ କିଛି କାରଣ ଯାହାପାଇଁ ଏତେ ସନ୍ଦେହ, ଅଭିଯୋଗ। କୋର୍ଟ କଚେରି, ଆରଟିଆଇ ପର୍ଯ୍ୟନ୍ତ କଥା ଗଲାଣି। ହୁଏତ ଆଗାମୀ ଭବିଷ୍ୟତରେ ବାସ୍ତବ ତଥ୍ୟ ପଦାକୁ ଆସିବ।
ପରୀକ୍ଷା ପୁନର୍ବାର କରାଇବାକୁ କେତେ ଜଣ କହିଲେଣି ତ ଆଉ କିଛି ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ସର୍ବସାଧାରଣରେ ମୌଖିକ ପ୍ରଶ୍ନ ଦ୍ୱାରା ପରୀକ୍ଷା ଦେବାକୁ ଚ୍ୟାଲେଞ୍ଜ କଲେଣି। ଏସବୁ କଥାକୁ ବାଦ୍‌ ଦେଇ ବିଚାର କରିବାକୁ ପଡ଼ିବ ଯେ, ପରିଚାଳନା ବ୍ୟବସ୍ଥାଟି କୋଉଠି ଅବହେଳା କରୁନାହିଁ ତ ଯାହା ପାଇଁ ଏତେ ଅସନ୍ତୋଷ ଦିନକୁ ଦିନ ଦାନା ବାନ୍ଧିବାରେ ଲାଗିଛି! ମାର୍କିଂ ପଦ୍ଧତିକୁ କାହିଁକି ପରୀକ୍ଷା ପରେ କ୍ଲିଅର୍‌ କରାଯାଉନାହିଁ। ଯେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହେଉଛି, ସେତିକିବେଳେ ସ୍ପଷ୍ଟୀକରଣ ଦିଆଯାଇ ପିଲାମାନଙ୍କୁ ଆଶ୍ୱସ୍ତ କରାଯାଇପାରନ୍ତା। ଏହା ବିଳମ୍ବରେ ଘଟୁଥିବାରୁ ସବୁରି ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣୁ ବ୍ୟବସ୍ଥାକୁ ସ୍ବଚ୍ଛ ରଖାଯିବା ସହିତ ପରୀକ୍ଷାର୍ଥୀମାନଙ୍କ ଭାବାବେଗକୁ ସମ୍ମାନ ଦେବା ଉଚିତ୍‌ ହେବ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri