ଦୋଷ ଦେବା କାହାକୁ

ଡ.ସତ୍ୟନାରାୟଣ ମିଶ୍ର

ସାମ୍ପ୍ରତିକ ଏକବିଂଶ ଶତାବ୍ଦୀରେ ମଣିଷ ଯେତେବେଳେ ସ୍ବୟଂସିଦ୍ଧ, ସେତେବେଳେ ପ୍ରଯୁକ୍ତିବିଦ୍ୟାର ଉତ୍କର୍ଷରେ ନିଜକୁ ଶ୍ରେଷ୍ଠ ବୋଲି ପରିଚୟ ସୃଷ୍ଟି କରିଥାଏ। ମାତ୍ର ପରିଚୟକୁ ଏକ ଦୃଷ୍ଟାନ୍ତ ରୂପରେଖ କରିବା ପାଇଁ ମଣିଷ ଚିନ୍ତନ କରିବା ଆବଶ୍ୟକ। ପରିଚୟ ମଣିଷକୁ ଜୀବନ୍ତ କରିବାରେ ସାହାଯ୍ୟ କରିଥାଏ, ଯେଉଁଠି ଥାଏ ଭବିଷ୍ୟତର ମାନ୍ୟତା। ଗୋଟିଏ ଜାତି ବା ଦେଶର ମାନ୍ୟତା ସେତେବେଳେ ପରିଚିତ ହୋଇଥାଏ, ଯେତେବେଳେ ତାହା ଭବିଷ୍ୟତ ଦ୍ୱାରା ଆଦୃତ ହୋଇଥାଏ ଓ ଯାହା ଥାଏ ଏକ ଦୃଷ୍ଟାନ୍ତ। ମାତ୍ର ବର୍ତ୍ତମାନର ସମାଜରେ ମଣିଷ ନିଜେ ଦୋଷ କରି ଯେଉଁ ପରିଚୟ ସୃଷ୍ଟି କରୁଛି ତାହା ହେଉଛି ଏକ ସମ୍ବେଦନଶୀଳ ପୃଷ୍ଠା, ଯାହା ଭବିଷ୍ୟତ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଅନେକ ସମୟରେ ଆଜିର ଜୀବନଶୈଳୀରେ ମଣିଷ ନିଜର କର୍ମ ଚାତୁରୀକୁ ପାଥେୟ କରିବା ପାଇଁ ନିଜର ଭୁଲ୍‌କୁ ନିଜେ ମାନିବା ଲାଗି ନାରାଜ, କାରଣ ମଣିଷ ନିଜର ଶ୍ରେୟରେ ନିଜେ ବଳୀୟାନ, ଯାହା ଏକ ମର୍ମସ୍ପର୍ଶୀ ବ୍ୟବସ୍ଥା। କୌଣସି ଭୋଜି ଆଦିରେ ସଭ୍ୟ ମଣିଷ ଯେତିକି ପରିମାଣରେ ଖାଦ୍ୟ ନଷ୍ଟ କରିଥାଏ ତାହା ଚିନ୍ତାର ବିଷୟ। ସଭା ସମିତି, ବିବାହ ଉତ୍ସବ ଆଦିରେ ଯେଉଁ ପରିମାଣରେ ଓ ପ୍ରକାରର ଖାଦ୍ୟ ଉପକରଣ ହୋଇଥାଏ ଓ ତାହାର ବ୍ୟବହାର ତଥା ନଷ୍ଟର ତାଲିକା ଯଦି ପ୍ରସ୍ତୁତ କରାଯାଏ, ତେବେ ଏକ ଅସନ୍ତୁଳିତ ତାଲିକା ସୃଷ୍ଟି ହୋଇଥାଏ। ଏଥିରେ କର୍ତ୍ତା ପ୍ରକାରାନ୍ତରେ ଏକ ଅକ୍ଷମଣୀୟ ଅପରାଧ କରିଥାନ୍ତି, କାରଣ କ୍ଷୁଧା ନିବାରଣ ବା ଉଦର ଶାନ୍ତି ପାଇଁ ଉକ୍ତ ଖାଦ୍ୟ ସାମଗ୍ରୀର ପ୍ରସ୍ତୁତ ହୋଇ ନ ଥାଏ। କେବଳ ଆଭିଜାତ୍ୟକୁ ପ୍ରତିପାଦିତ କରିବା ପାଇଁ ଏହା ଉଦ୍ଦିଷ୍ଟ ଥାଏ। ଯେଉଁ ଚାଷୀ ଖାଦ୍ୟ ଦ୍ରବ୍ୟକୁ ଉତ୍ପାଦନ କରିଥାଏ, ତାହାର ଉଦ୍ଦେଶ୍ୟ ଥାଏ ମଣିଷର ଆବଶ୍ୟକତାକୁ ପୂରଣ କରିବ ଓ ତାହା ଜନସେବାରେ ଉପଲବ୍ଧ ହେବ। ମାତ୍ର ଯେଉଁ ସମାଜରେ ମଣିଷ ଅନାହାରରେ ମୃତ୍ୟୁବରଣ କରୁଛି, ସେହି ସମାଜରେ ଖାଦ୍ୟର ଆଭିଜାତ୍ୟ ନଷ୍ଟ ପଦ୍ଧତି ପରୋକ୍ଷରେ ଏକ ନିଅଣ୍ଟ ପରିବେଶ ସୃଷ୍ଟି କରୁଛି ଓ ସମାଜ ଅସନ୍ତୁଳନ ସୃଷ୍ଟି କରୁଛି। ବର୍ତ୍ତମାନ ବିଦ୍ୟୁତ୍‌ ବ୍ୟବହାର କ୍ଷେତ୍ରରେ ଶକ୍ତିର ଅପଚୟ ଏକ ନିତିଦିନିଆ ମନ୍ଦ ଅଭ୍ୟାସ ହୋଇଗଲାଣି। ଘରୋଇ କ୍ଷେତ୍ରରେ ହେଉ ବା ବ୍ୟବସାୟରେ ହେଉ ଆବଶ୍ୟକତାରୁ ଅଧିକ ବା ପ୍ରୟୋଜନ ନ ଥାଇ ବିଜୁଳିର ଅସଦ୍‌ ବ୍ୟବହାର ଅଧିକ ହେଉଛି। ଅନେକ କଳକାରଖାନାରେ ବେପରୁଆ ବିଦ୍ୟୁତ୍‌ ବ୍ୟବହାର କରି ଦେୟକୁ ଅସଦ୍‌ ଉପାୟରେ ଫାଙ୍କି ଦିଆଯାଉଛି।
ଇନ୍ଧନ କ୍ଷେତ୍ରରେ ମଧ୍ୟ ସମାନ ଅପଚୟ ବ୍ୟବସ୍ଥା। ବିଦେଶରେ ଅନେକ ସ୍ଥାନରେ କୌଣସି କାରଣ ନ ଥାଇ ବ୍ୟକ୍ତି ଏଣେତେଣେ ବୁଲାବୁଲି କରି ଇନ୍ଧନ ନଷ୍ଟ କରନ୍ତି ନାହିଁ ଓ ଅଯଥାରେ ଭିଡ଼ ସୃଷ୍ଟି କରି ଟ୍ରାଫିକ ସମସ୍ୟାକୁ ଅଧିକ ଗମ୍ଭୀର କରନ୍ତି ନାହିଁ। ମାତ୍ର ଆମେ ଦୋଷ ଦେବା କାହାକୁ ? ସମାଜରେ ବର୍ତ୍ତମାନ ଲାଞ୍ଚ ନେବା ଓ ଦେବା ଏକ ନିଆ ଦିଆର ବ୍ୟବସ୍ଥା। ଏପରି କି କେତେଜଣ ବ୍ୟକ୍ତି ନୂତନ ସରକାରୀ ଚାକିରି ଆରମ୍ଭ କରିବା ପୂର୍ବରୁ ହିସାବ କରିଥାନ୍ତି ଏଥିରେ ଉପୁରି ବା ଲାଞ୍ଚର ବ୍ୟବସ୍ଥା ଅଛି କି ନାହିଁ। ଲାଞ୍ଚ ନ ଦେଲେ କାର୍ଯ୍ୟ ସଫଳ ହେବା କଷ୍ଟ ବୋଲି ଅନେକେ ଅଭିଯୋଗ କରିଥାଆନ୍ତି। ତେବେ ଦୋଷ ଦେବା କାହାକୁ ଲାଞ୍ଚ ନେଉଥିବା ବ୍ୟକ୍ତିକୁ ନା ଲାଞ୍ଚ ଦେଉଥିବା ବ୍ୟକ୍ତିକୁ ନା ଶାସନ ବ୍ୟବସ୍ଥାକୁ। ବ୍ୟକ୍ତି ଅନେକ ସମୟରେ ବାରମ୍ବାର ଗୋଟିଏ କାର୍ଯ୍ୟ ପାଇଁ ଯେତେବେଳେ ନିରୁପାୟ ହୋଇଯାଏ, ସେତେବେଳେ ଉକ୍ତ ଲାଞ୍ଚ ବ୍ୟବସ୍ଥାକୁ ଇଚ୍ଛା ବିରୋଧରେ ବ୍ୟବହାର କରି କାର୍ଯ୍ୟ ହାସଲ କରିଥାଏ। ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡ଼ିକ କେଉଁ ମାତ୍ରାରେ ଗଢ଼ିଉଠିଛି ଓ କେଉଁ ସ୍ତରରେ ରହିଛି ତାହା ବେଶ୍‌ ଜଣା। ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ କେତେ ହାରରେ ଶିକ୍ଷିତ ବା ଜ୍ଞାନୀ ବ୍ୟକ୍ତି ସୃଷ୍ଟି ହେଉଛନ୍ତି ତାହା ଏ ସମାଜକୁ ବି ଜଣା। ଶିକ୍ଷାନୁଷ୍ଠାନର ଅୟମାରମ୍ଭରୁ ସୃଷ୍ଟି ହୋଇଥାଏ ଅସାଧୁ ଉପାୟରେ ଶିକ୍ଷାନୁଷ୍ଠାନର ସ୍ଥିତି। ଶିକ୍ଷାନୁଷ୍ଠାନରେ ପିଲା କିପରି ଜ୍ଞାନୀ ଓ ପାଠପଢ଼ାରେ ମନୋନିବେଶ କରିବେ ସେଥିପ୍ରତି ଶିକ୍ଷକ ବା ଶିକ୍ଷାନୁଷ୍ଠାନ ଯେତିକି ଯତ୍ନବାନ ହୋଇ ନ ଥାଏ, ତା’ଠାରୁ ଅଧିକ ଯତ୍ନବାନ ହୋଇଥାନ୍ତି ପିଲାମାନେ କିପରି ଅସାଧୁ ଉପାୟରେ ପରୀକ୍ଷାରେ ପାସ୍‌ ହେବେ। ପିଲା ପାସ୍‌ ହେବା ପାଇଁ ଶିକ୍ଷକ, ଶିକ୍ଷାନୁଷ୍ଠାନ ଓ ଅଭିଭାବକ ଯଥେଷ୍ଟ ଉଦ୍ୟମ କରିଥାନ୍ତି।
ରାଜନୀତିରେ ନିର୍ବାଚନ ସମୟରେ ଭୋଟ ଜବରଦଖଲ, ଘରେଘରେ ଉପହାର ବା ଉତ୍କୋଚ ବଣ୍ଟନ, ମାତ୍ରାଧିକ ଭୟ ଆତଙ୍କର ସମଷ୍ଟିରେ ଭୋଟ ଗ୍ରହଣ ଇତ୍ୟାଦି ପାଇଁ ଦୋଷଦେବା କାହାକୁ, ଜନତାଙ୍କୁ ନା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ନା ସରକାରଙ୍କ ବ୍ୟବସ୍ଥାକୁ । ଖାଦ୍ୟରେ ଅପମିଶ୍ରଣ ଲାଭଜନକ ବ୍ୟବସାୟ ହୋଇଗଲାଣି। ବର୍ତ୍ତମାନ ଏହା ଜୀବନକୁ ଦୁର୍ବିଷହ କରିସାରିଲାଣି। ତେବେ ଏଥିପାଇଁ ମଣିଷପଣିଆକୁ ଦୋଷ ଦେବା ନା ବିବେକକୁ ଦୋଷ ଦେବା ନା ସଭ୍ୟତାକୁ ଦୋଷ ଦେବା। ପୋଷାକରେ ବର୍ତ୍ତମାନ ଶାଳୀନତାର ପ୍ରଶ୍ନ ରହୁ ନାହିଁ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଯିଏ ଯେତେ ଛୋଟ ଓ ଚିରାଫଟା ପିନ୍ଧିପାରିଲା ସିଏ ସେତେ ଆଭିଜାତ୍ୟ ବୋଲି ନିଜକୁ ଗର୍ବ କରିଥାଏ। ତେବେ ଏଥିରେ ଦୋଷ ଦେବା କାହାକୁ?
ମଦ ଓ ଅନ୍ୟ ନିଶାରେ ଆସକ୍ତ ହୋଇ ସାମାଜିକ ଜୀବନକୁ ଭିତତ୍ରସ୍ତ କରିବା ଓ ଅନ୍ୟମାନଙ୍କୁ ବାଧକ ସୃଷ୍ଟି କରିବା ଯେପରି ଏକ ଅଣସୀକୃତି ଶୃଙ୍ଖଳା ହୋଇଗଲାଣି। ନିଶା ସେବନ ପାଇଁ ସରକାର ସ୍ଥାନ ନିରୂପଣ କରି ସରକାର ସେଥିରୁ ଧନ ପାଇଥାନ୍ତି। ସରକାର ମଧ୍ୟ ଆଇନ ଶୃଙ୍ଖଳା ପାଇଁ ଅଧିକ ଶ୍ରମ ଓ ଧନ ବ୍ୟବହାର ବି କରିଥାନ୍ତି। ଏତଦ୍‌ବ୍ୟତୀତ ନିଶା ଉପତ୍ାଦନ, ବିକ୍ରି ପାଇଁ ସୀକୃତି ଦେଇ ବ୍ୟବହାର ନ କରିବା ପାଇଁ ବିଜ୍ଞାପନ ଆଦିରେ ଅନେକ ଅର୍ଥ ନଷ୍ଟ କରନ୍ତି ଓ ଜନସାଧାରଣଙ୍କୁ ମଧ୍ୟ ସଚେତନ କରିଥାନ୍ତି ନିଶା ସେବନ ନ କରିବା ପାଇଁ। ତେବେ ଦୋଷ ଦେବା କାହାକୁ ? ଅତଏବ ମଣିଷ ପ୍ରଥମେ ନିଜକୁ ଦୋଷୀସାବ୍ୟସ୍ତ କରିବା ଉଚିତ ଓ ଦୋଷର ନିରାକରଣ ପାଇଁ ପ୍ରତିରୋଧ କରି ନିଜେ ସଂଶୋଧିତ ହେଲେ ସମଗ୍ର ପଦ୍ଧତି ନିଶ୍ଚୟ ଦୋଷମୁକ୍ତ ହୋଇଯିବ।
ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର,
ଭାରତ ସରକାର
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri