ଚେଇଁ ଶୋଇଥିବ ଯିଏ

ଡ.ନରହରି ବେହେରା

କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏହି ଚେଇଁ ଶୋଇଥିବା ମଣିଷଙ୍କର ଚେତନା ଥାଏ, କିନ୍ତୁ ସଚେତନତା ନ ଥାଏ। ଏମାନଙ୍କର ଭଲ ଭେଲର ବିଚାର କରିବାର ଶକ୍ତି ନ ଥାଏ। ନିଜର ଅହମିକା, ଔଦ୍ଧତ୍ୟ କିମ୍ବା ପଦପଦବୀର ଅଭିମାନ ତାଙ୍କୁ ଉଚିତ କର୍ମ କରିବାରେ ପ୍ରତିବନ୍ଧକ ସାଜିଥାନ୍ତି। ତାକୁ ଠିକ କର୍ମ କରିବାକୁ ଦିଏନାହିଁ। ତାହା ହୋଇ ନ ଥିଲେ ‘ସୀତାହରଣ ରାବଣ ମରଣ’କଥା ଜାଣି ମଧ୍ୟ ରାବଣ ସେଥିରେ ପ୍ରବୃତ୍ତ ହେଲା। ଦେବକୀଙ୍କର ପୁତ୍ର କଂସ ମୃତ୍ୟୁର କାରଣ ହେବ ବୋଲି ଜାଣି ମଧ୍ୟ କଂସ ନିଜକୁ ପରିବର୍ତ୍ତନ କରିପାରି ନ ଥିଲା। ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କର ପୁତ୍ର ହୋଇ ମଧ୍ୟ କାଦମ୍ବିନୀ ରସାସ୍ବାଦନରେ ସକଳ ସାମାଜିକତାକୁ ବିସ୍ମୃତ ହୋଇଯାଇଥିଲେ ଯଦୁବଂଶୀଗଣ । ଏମାନେ ହେଉଛନ୍ତି ଜଣେ ଜଣେ ଚେଇଁଶୋଇଥିବା ମଣିଷର ଉଦାହରଣ। ଏମାନଙ୍କୁ ଗୀତା ଭାଗବତର ବାଣୀ କିମ୍ବା ସମାଜର ନୀତି ନିୟମ ବଦଳାଇ ପାରନ୍ତି ନାହିଁ।
ଯୁଗ ଯୁଗାନ୍ତରକୁ ଏହି ଲୋକମାନେ ସମାଜକୁ ଆତଙ୍କିତ କିମ୍ବା ବିପଥଗାମୀ କରିଥାନ୍ତି। ଏବେ ଏ ସମାଜ ବିଶ୍ୱ ମହାମାରୀ କରୋନା ରୋଗରେ ଆତଙ୍କିତ। ଏଥିପାଇଁ କୌଣସି ଔଷଧ ବାହାରି ନ ଥିବାରୁ ସମସ୍ତଙ୍କର ଜୀବନ ବିପଦାପନ୍ନ। ତେଣୁ କରୋନାରୁ ମୁକ୍ତି ପାଇବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ପନ୍ଥା ବୋଲି ଆମେ ସମସ୍ତେ ଜାଣୁ। ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଦୋକାନ ବଜାର, ବିବାହୋତ୍ସବ, ଶୁଦ୍ଧି କିମ୍ବା ଶ୍ରାଦ୍ଧ କର୍ମ ପ୍ରଭୃତିରେ ଗହଳି ନ କରିବାକୁ କଟକଣା ଜାରି କରାଯାଇଛି। ବ୍ୟକ୍ତିଗତ ଭାବେ ମୁହଁରେ ମାସ୍କ ପିନ୍ଧିବା, ହାତଗୋଡ଼ ଧୋଇବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ମାତ୍ର ଏହି ଚେଇଁ ଶୋଇଥିବା ଗୋଷ୍ଠୀ ସରକାରଙ୍କର ସବୁ ନିର୍ଦ୍ଦେଶ ଏବଂ କଟକଣାକୁ ଫୁ କରିଦେଉଛନ୍ତି। ରୋଗର ସକଳ ଭୟାବହତା ସତ୍ତ୍ୱେ ନିଜ ଇଚ୍ଛାର ଏମାନେ ବାଦଶାହା ପାଲଟିଯାଇଥାନ୍ତି। କାରଣ ଏମାନେ ଭାବନ୍ତି, କୌଣସି ଆଇନ୍‌କାନୁନ୍‌କୁ ମାନିବାର ଅର୍ଥ ପରାଧୀନତା,ଏହାକୁ ଭାଙ୍ଗି ସ୍ବେଚ୍ଛାରେ ବିଚରଣ କରିବା ନିଜ ପଦମର୍ଯ୍ୟାଦାର ପରିଚୟ, ବଡ଼ପଣିଆ। ଏଥିପାଇଁ ପୋଲିସ ହାତରେ ଧରାପଡ଼ିଗଲେ ଅନେକ, ମୁଁ ଅମୁକ ନେତାର ପୁଅ କି ଅମୁକ ଅଫିସରର ପୁଅ ବୋଲି ପରିଚୟ ଦେଇ ନିଜ ବଡ଼ିମା ଦେଖାଇବା ସହିତ ଦୋଷରୁ ମୁକୁଳିଯିବା ପାଇଁ ବାଟ ପରିଷ୍କାର କରିଥାନ୍ତି। ଏହି ଅହମିକା ପ୍ରଦର୍ଶନ ହିଁ ଦେଶ ଓ ଜାତି ପାଇଁ ବିପଦର କାରଣ।
ନିକଟ ଅତୀତରେ ଜଣେ ଧନୀ ବ୍ୟବସାୟୀ ନିଜର ଆଟୋପ ଦେଖାଇବା ପାଇଁ ବାହାଘର ଉତ୍ସବରେ ସାମାଜିକ ଦୂରତାକୁ ଭୁଲି ଶହ ଶହ ଲୋକଙ୍କ ସମାଗମ କରାଇ ନିଜର ବାହାଦୁରି ପ୍ରଦର୍ଶନ କରିଥିଲେ। ବାରମ୍ବାର ନିଷେଧାଜ୍ଞା ସତ୍ତ୍ୱେ ବହୁ ଜନସମାଗମ କରି ବିବାହ, ବ୍ରତ କିମ୍ବା ଶୋକସଭା କରିବାକୁ ଆମ ଲୋକମାନେ ଏବେ ବି ଭୁଲୁ ନାହାନ୍ତି। ଆମମାନଙ୍କର ଧାରଣା, ଯାହାକିଛି କରିବାର ଅଛି, ସେ ସବୁ ସରକାରଙ୍କର ଜିମାଦାରି। ଆମେ ମାସ୍କ ପିନ୍ଧିବାନି, ସାମାଜିକ ଦୂରତା ରକ୍ଷା କରିବାନି, ଆଇନ୍‌ର କଟକଣା ଭାଙ୍ଗିବା ପାଇଁ ଚେଷ୍ଟା କରିବା, ଏଥିପାଇଁ ପୋଲିସ, ବିଡିଓ, ତହସିଲଦାର, ଉପଜିଲାପାଳ, ଜିଲାପାଳ ପ୍ରଭୃତି ସମସ୍ତେ ଜଗିବେ। କାହିଁକି? ଏମାନେ ତ ଆମପରି ମଣିଷ। ସେମାନଙ୍କର ଆମପରି ଘର, ପରିବାର ଅଛି, ଜୀବନ ବି ଅଛି। ନିକଟ ଅତୀତରେ ବାଲେଶ୍ୱର ଜିଲାର ବାଲିଆପାଳ ବିଡିଓ ଏବଂ କିଛି ପ୍ରବାସୀଙ୍କ ଯୁକ୍ତିତର୍କ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ବିଡିଓଙ୍କ ଆପତ୍ତିଜନକ ଗାଳିଗୁଲଜକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମସ୍ତେ ବିଡିଓଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଆମେ ମଧ୍ୟ ସ୍ବୀକାର କରୁଛୁ, ବିଡିଓଙ୍କର ମନ୍ତବ୍ୟ ଦେବା ଅନୁଚିତ ଥିଲା। ମାତ୍ର ଅନ୍ୟପକ୍ଷରେ ପ୍ରବାସୀ ଫେରନ୍ତାଙ୍କ ବ୍ୟବହାରକୁ ମଧ୍ୟ ବିଚାର କରିବା ଉଚିତ। ବାହାର ରାଜ୍ୟରେ ଓଡ଼ିଆ ଭାଇ ଭଉଣୀମାନେ ଥିବାବେଳେ ସୋସିଆଲ ମିଡିଆରେ ସେମାନଙ୍କୁ ନେଇ ଆସିବା ପାଇଁ ବାରମ୍ବାର ସରକାରଙ୍କୁ ଅନୁରୋଧ କଲେ। ସରକାର ଟ୍ରେନ୍‌, ବସ୍‌ ପ୍ରଭୃତି ବ୍ୟବସ୍ଥା କରି ଓଡ଼ିଶାକୁ ନେଇ ଆସିଲେ। ମାତ୍ର ଓଡ଼ିଶାରେ ପହଞ୍ଚତ୍ବାପରେ କିଛି ପ୍ରବାସୀ ପୂର୍ବକଥା ଭୁଲିଗଲେ। ସଙ୍ଗରୋଧ କେନ୍ଦ୍ରରେ ସେମାନେ ନିଜର କାରନାମା ଆରମ୍ଭ କରିଦେଲେ। ନନ୍‌ଭେଜ ନ ହେଲେ ଚଳିବନି, ଫେନ୍‌ ଘୂରୁନି, କିଟ୍‌ସ୍‌ ମିଳୁନି, ଖାଦ୍ୟ ଦେବାରେ ବିଳମ୍ବ ହେଲେ ପାଟିତୁଣ୍ଡ କରିବା, ସଂଗରୋଧ କେନ୍ଦ୍ରରେ ଯୋଗାଇ ଦିଆଯାଇଥିବା ବାଲ୍‌ଟି, ମଗ ପ୍ରଭୃତି ଭାଙ୍ଗିବା,ବିଛଣା ପତ୍ରକୁ କାଟି ପକାଇବା, ସରପଞ୍ଚଙ୍କୁ ଗାଳିଗୁଲଜ କରିବା ଇତ୍ୟାଦି ହଜାର ପ୍ରକାର ଅଭିଯୋଗ। ବାଲିଆପାଳ ବ୍ଲକ୍‌ରେ ୨୮ଟି ଗ୍ରାମପଞ୍ଚାୟତରୁ ଯଦି ଏହିପରି ବାରମ୍ବାର ଅଭିଯୋଗ ଆସେ ସେ ବିଡିଓ କେବେ ନା କେବେ ଧୈର୍ଯ୍ୟହରା ହେବା ସ୍ବାଭାବିକ। କାରଣ ସର୍ବୋପରି ସେ ବି ଜଣେ ମଣିଷ। ବର୍ତ୍ତମାନ ବିଶ୍ୱ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଆମେ ଜ୍ୱାଇଁ ପୁଅ ଭାବରେ ଡାକରା ପାଇ କି ମଉଜ ମଜଲିସ୍‌ କରିବା ପାଇଁ ଆସିନାହୁଁ। ସଙ୍ଗରୋଧ କେନ୍ଦ୍ରରେ କିଛି ତ୍ରୁଟି ବିଚ୍ୟୁତି ଯେ ହୋଇ ନ ଥିବ, ଏକଥା କହି ହେବନାହିଁ। ମାତ୍ର ଆମ ଦୁଃଖ ନିକଟରେ ଏସବୁ ତୁଚ୍ଛ। ଏ ଦୁଃସହ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମକୁ ଧୈର୍ଯ୍ୟ, ତ୍ୟାଗ ଏବଂ ସଂଯମତା ଧାରଣ କରିବା ଆବଶ୍ୟକ। କିନ୍ତୁ ତାହା ହେଉନାହିଁ। କିଛି ପ୍ରବାସୀ ଓଡ଼ିଆ ତ ସମସ୍ତ ନୀତି ନିୟମ ଭୁଲିଯାଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ଥାଇ ବି ସାମାଜିକ ଦୂରତା ଭୁଲି ସେମାନେ ଟିକ୍‌ଟକ୍‌ରେ ନାଚି ମଉଜ କରିବା, ମାଂସ ସହିତ ସୁରାପାନ କରିବା ପ୍ରଭୃତି ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ହେଉଛି।
କେବଳ ପ୍ରବାସୀମାନେ ଯେ ବେପରୱା ହୋଇଛନ୍ତି ତାହା ନୁହେଁ, ଆମେ ବି କିଛି କମ୍‌ ନୋହୁଁ। ମାସ୍କ ପିନ୍ଧିବା, ଅନ୍ୟଠାରୁ ଦୂରତା ରକ୍ଷା କରିବା, ଅଯଥାରେ ବଜାର ସହରରେ ଗହଳି ନ କରିବା ପରି କେତୋଟି ସାଧାରଣ ନିୟମ ମାନି ଚଳିବାକୁ ସରକାର ବାରମ୍ବାର ସତର୍କ କରୁଥିଲେ ମଧ୍ୟ ଆମେ ତାକୁ ମାନିବାକୁ ନାରାଜ। ଶନିବାର ଓ ରବିବାର ଶଟ୍‌ଡାଉନ ହେଉଥିବାରୁ ଶୁକ୍ରବାର ଏବଂ ସୋମବାର ଦୋକାନ ବଜାର ଏମିତି ଭିଡ଼ ହୋଇଯାଏ ସତେଯେମିତି ମହାବାତ୍ୟା ଆସିଗଲା ଆଉ ଜିନିଷପତ୍ର ମିଳିବନି। ମାସ୍କ ପିନ୍ଧିବାଟା ତ ଭାରି କଷ୍ଟ। ପୋଲିସ ନ ଆସିଲା ପର୍ଯ୍ୟନ୍ତ ସେତକ ଅଧିକାଂଶ ପିନ୍ଧନ୍ତି ନାହିଁ, ମାତ୍ର ପୋଲିସକୁ ଦେଖିବା ମାତ୍ରେ କିଏ ଦୌଡ଼ି ପଳାଇଯାଏ ତ, କିଏ ବଜାରକୁ ନେଇଥିବା ଝୁଲାଟିକୁ ମୁହଁରେ ବାନ୍ଧି ପକାଏ ପୁଣି କିଏ ଦୋକାନୀ ଦେଇଥିବା ସଉଦା ତାଲିକାକୁ ପାଟିରେ ଚାପି ଧରି ତରତର ହୋଇ ଚାଲିଯାଏ। ସତେଯେମିତି ଏହି ମାସ୍କ ପିନ୍ଧିବା ତାଙ୍କ ପାଇଁ ଜରୁରୀ ନୁହେଁ, ଅନ୍ୟକୁ ଦୟାକରି ସେମାନେ ପିନ୍ଧୁଛନ୍ତି। ଏମାନଙ୍କର କାର୍ଯ୍ୟକଳାପ ସର୍କସର ଜୋକରଠାରୁ ବି କିଛି କମ୍‌ ନୁହଁ।
ମହାମାରୀ କରୋନା ପ୍ରଭାବରେ ସମଗ୍ର ବିଶ୍ୱର ମେରୁଦଣ୍ଡ ନଇଁ ପଡ଼ିଥିବାବେଳେ ଆଜି ବି ଅନେକ ବେପରୁୱା ଭାବରେ ବୁଲୁଛନ୍ତି। ଗଛମୂଳରେ, ଗାଁ ଚଉତରାରେ ତାସ, ପଶାପାଲିର ଖେଳ ଜମୁଛି। ପ୍ରଶାସନର ସବୁ ନିର୍ଦ୍ଦେଶ ଏମାନଙ୍କ କୁମ୍ଭକର୍ଣ୍ଣୀ କାନରେ ପଶୁନାହିଁ। ମାତ୍ର ଗାଁର କାହାର ମୃତ୍ୟୁ ହେଇଗଲେ ଏମାନେ ଏତେ ସଚେତନ ହୋଇଯାଆନ୍ତି ଯେ ସବୁ ମାନବିକତାକୁ ଜଳାଞ୍ଜଳି ଦେଇ କେହି ଜଣେ ଶବକୁ କାନ୍ଧଦେବାକୁ ମଧ୍ୟ ଆସନ୍ତି ନାହିଁ। ଏହାର ଅର୍ଥ ଆମେ କରୋନାକୁ ଭୟ କରୁଛୁ, ଭୟାବହତାକୁ ଜାଣୁଛୁ, ମାତ୍ର ଜାଣିଶୁଣି ସବୁ କଥାକୁ ହାଲୁକା ଭାବେ ଗ୍ରହଣ କରୁଛୁ। ଆମେ ଯଦି ଏମିତି ଚେଇଁ ଶୋଇବା, ତେବେ ମହାବିପତ୍ତିକୁ କିଏ ଦୂରକରିବ? ଆମେ ସମ୍ମିଳିତ ପ୍ରଚେଷ୍ଟାଦ୍ୱାରା ସବୁ ବିପତ୍ତିକୁ ଦୂର କରିଦେବା- ଏକଥାକୁ ଆମେ ଭୁଲିବା ଉଚିତ କି? ଏବେ ବି ସମୟ ଗଡ଼ିଯାଇନି, ଏ ନିଦ୍ରା ପରିହାର ନିତାନ୍ତ ଜରୁରୀ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର,ବାଇପାସ,
ଭଦ୍ରକ, ମୋ:୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri