ଚତୁର କୁଆ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କିଛିଦିନ ତଳେ ବଡ଼ିଭୋରରୁ ମୁଁ ପ୍ରାତଃଭ୍ରମଣରେ ବାହାରିବା ବେଳେ ମୋ ଗେଟ୍‌ ଉପରେ ବସିଥିବା ଏକ କୁଆ ମୋତେ ଚାହିଁ ରାବିବାକୁ ଲାଗିଲା। ସେ ଖୁବ୍‌ ବ୍ୟସ୍ତ ଥିବା ପରି ମନେହେଲା ଏବଂ ମୁଁ ସେଠି ଠିଆହୋଇ ସେ କ’ଣ ଚାହୁଁଛି ବୁଝିବାକୁ ଚେଷ୍ଟା କଲି। ଦୁଇମିନିଟ୍‌ ପରେ ମୁଁ ପିଠି ବୁଲାଇ ପଛକୁ ଫେରିବାକୁ ଆରମ୍ଭ କଲି। କୁଆଟି ସଙ୍ଗେ ସଙ୍ଗେ ମୋ ମୁଣ୍ଡ ଉପରକୁ ଉଡ଼ିଆସି ମୋ ଚୁଟି ଟାଣିଲା। ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି ଓ କ’ଣ କରିବି ଜାଣିପାରିଲିନି। ତା’ପରେ ମୁଁ ସେ କୁଆ ପାଇଁ କିଛି ବିସ୍କୁଟ ଓ ପାଣି ଆଣିଲି। ସେ ସେଥିରୁ ଖଣ୍ଡେ ନେଲା ଏବଂ ତାକୁ ଗେଟ୍‌ରେ ଭାଙ୍ଗି ଗିଳିବା ଆକାରର କଲା, ମୋ ଆଡ଼କୁ ଟିକେ ନୈରାଶ୍ୟପୂର୍ଣ୍ଣ ନଜରରେ ଚାହିଁଲା ଓ ଉଡ଼ିଗଲା।
କୁଆ ଓ ପିମ୍ପୁଡ଼ିମାନେ ହେଉଛନ୍ତି ମୋ ‘ଜିନିଷ’। ସେମାନେ ଖୁବ୍‌ ଚତୁର, ଶିଷ୍ଟ, ରୁଚିପୂର୍ଣ୍ଣ, ବାସ୍ତବଧର୍ମୀ, ପରିବାରମନସ୍କ ଓ ଶୃଙ୍ଖଳିତ, ଯାହା ମଣିଷ ହେବା ଉଚିତ କିନ୍ତୁ ହୋଇପାରିନି। ପ୍ରତି କିଛିମାସ ଅନ୍ତରରେ ମୁଁ ସେମାନଙ୍କ ବିଷୟରେ ଲେଖୁଛି ଏବଂ ପ୍ରତିଥର ସେମାନଙ୍କ ବୁଦ୍ଧିମତ୍ତାର କିଛି ନୂଆ ଦିଗକୁ ଆଲୋକିତ କରିବାକୁ ଚେଷ୍ଟା କରୁଛି।
ବୁଦ୍ଧିମତ୍ତା କ’ଣ? ଅନେକ ମହାସମୁଦ୍ର ଡେଇଁ ଉଡ଼ି ଉଡ଼ି ଆଉ ଏକ ଦେଶକୁ ଯିବା ଓ ସେଇ ଏକା ଗଛରେ ବସିବା- ଏହା କ’ଣ ଅସାଧାରଣ ବୁଦ୍ଧିମତ୍ତାର ପରିଚାୟକ ନୁହେଁ? କିନ୍ତୁ ଆମେ କେବଳ ଦୁଇଟି ଜିନିଷ ଭିତରେ ତୁଳନା କରିବା, ଅନ୍ୟ ମଣିଷର କଥାକୁ ନକଲ କରିବା ବା ଦୁଇରେ ଦୁଇ ମିଶାଇବାର କ୍ଷମତାରୁ ବୁଦ୍ଧିର ପରିମାପ କରୁ।
ବିହେଭିୟରାଲ ଇକୋଲୋଜି ଆଣ୍ଡ୍‌ ସୋସିଓଲୋଜି ପତ୍ରିକାରେ ପ୍ରକାଶିତ ଏକ ଅନୁଧ୍ୟାନର ରିପୋର୍ଟ ଅନୁସାରେ କୁଆମାନଙ୍କର ସ୍ମୃତିଶକ୍ତି ଅତି ପ୍ରଖର ଏବଂ ସେମାନେ ମଣିଷଙ୍କ ମୁହଁ ଚିହ୍ନିପାରନ୍ତି ଓ କେଉଁ ମଣିଷ ବିପଜ୍ଜନକ ତାହା ମନେରଖିପାରନ୍ତି। ଏକା ମଣିଷକୁ ସେମାନେ ଭିନ୍ନ ଜାଗାରେ ଦେଖିଲେ ବି ଚିହ୍ନିପାରନ୍ତି। ଗୋଟିଏ ଗବେଷଣାରେ ଗବେଷକମାନେ ମୁହଁରେ ମୁଖା ପିନ୍ଧି ଓ ହାତରେ ମଲା କୁଆକୁ ଧରି ଜିଅନ୍ତା କୁଆମାନଙ୍କୁ ଖାଦ୍ୟ ଦେଲେ। କୁଆମାନେ ସେ ଖାଦ୍ୟ ତ ଖାଇଲେ ନାହିଁ ବରଂ ଅନ୍ୟ କୁଆମାନଙ୍କୁ ସତର୍କ କରିଦେଲେ ଓ ସେ ଗବେଷକମାନଙ୍କୁ ଆକ୍ରମଣ କଲେ। ଯେତେବେଳେ ଉକ୍ତ ଗବେଷକମାନେ କିଛି ସପ୍ତାହ ପରେ ଫେରିଆସିଲେ ସେତେବେଳେ ସେମାନଙ୍କ ହାତରେ ମଲା କୁଆ ନ ଥିଲା। କିନ୍ତୁ କୁଆମାନେ ତଥାପି ତାଙ୍କୁ ଆକ୍ରମଣ କରିବାକୁ ଓ ହଇରାଣ କରିବାକୁ ଲାଗିଲେ। କୁଆମାନେ ଦିନ ଦିନ ଧରି ସେ ଅଞ୍ଚଳରେ ପଡ଼ିଥିବା ଖାଦ୍ୟର ଦାନାଟିଏ ବି ଉଠାଇଲେ ନାହିଁ। ଗୋଟିଏ କୁଆ ଯେତେବେଳେ ଏକ ନୀଚ ମଣିଷ ସଂସ୍ପର୍ଶରେ ଆସେ ସେ ଉକ୍ତ ମଣିଷକୁ ଚିହ୍ନିରଖେ ଓ ଅନ୍ୟ କୁଆମାନଙ୍କୁ ତାକୁ ଚିହ୍ନାଇଦିଏ। କୁଆମାନେ କାର୍‌, ମଣିଷର ଭାବଭଙ୍ଗି ଆଦି ଚିହ୍ନିପାରନ୍ତି ଓ ରାଗ ବି ରଖିପାରନ୍ତି।
ଗବେଷକମାନେ ମୁଖା ପିନ୍ଧି ୧୨ଟି କୁଆଙ୍କୁ ଧରିଲେ, ତାଙ୍କୁ ଘରେ ରଖିଲେ ଓ ଅନ୍ୟ ପୋଷାକ ପିନ୍ଧି ତାଙ୍କୁ ଖାଇବାକୁ ଦେଲେ। ଚାରି ସପ୍ତାହ ପରେ ସେମାନେ ଉକ୍ତ କୁଆଙ୍କ ମସ୍ତିଷ୍କ ପରୀକ୍ଷା କରି ଦେଖିଲେ ଯେ ମଣିଷଙ୍କ ପରି ସେମାନେ ସବୁକିଛି ମନେରଖିପାରୁଛନ୍ତି। ନିର୍ଯାତକ ମଣିଷଙ୍କୁ ଦେଖିଲା ବେଳେ ସେମାନଙ୍କ ମସ୍ତିଷ୍କ ଯେପରି କାମ କରୁଥିଲା, ସେମାନଙ୍କ ଯତ୍ନ ନେଉଥିବା ମଣିଷଙ୍କୁ ଦେଖିଲାବେଳେ ତା’ଠାରୁ ଭିନ୍ନ ପ୍ରକାର କାମ କରୁଥିଲା।
କୁଆମାନଙ୍କ ଚତୁରତା ବିଷୟରେ ୨୦୧୮ରେ ଏକ ଗବେଷଣା କରାଯାଇଥିଲା, ଯାହା ନେଚର ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏକ ବାକ୍ସରେ କୁଆମାନଙ୍କ ପାଇଁ ଖାଦ୍ୟ ରଖାଗଲା ଓ ଉପରେ ଏକ ଲମ୍ବା ବାଡ଼ି ବି ରଖାଗଲା। ବାଡ଼ିର ସାହାଯ୍ୟ ବିନା କୁଆମାନେ ସେଥିରୁ ଖାଦ୍ୟ ଖାଇପାରିବେ ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ଏକ ଲମ୍ବା ବାଡ଼ି ବଦଳରେ ଏକ ଛୋଟ ବାଡ଼ି ଓ ନଳୀ ପରି ବାଡ଼ି ଦିଆଗଲା। ଛୋଟ ବାଡ଼ିଟିକୁ ନଳୀ ଭିତରେ ଭର୍ତ୍ତି କଲେ ଯାଇ ତାହା ଖାଦ୍ୟ ପାଖରେ ପହଞ୍ଚିପାରିବ। ତୃତୀୟ ପର୍ଯ୍ୟାୟରେ କୁଆମାନଙ୍କୁ ଦୁଇରୁ ଅଧିକ ଜିନିଷ ଦିଆଗଲା, ଯାହାକୁ ଯୋଡ଼ାଯୋଡ଼ି କରି ଖାଦ୍ୟ ପାଖରେ ପହଞ୍ଚିହେବ। ପ୍ରଥମ ଦୁଇ ପର୍ଯ୍ୟାୟରେ କୁଆମାନେ ପାସ୍‌ କରିଗଲେ ଓ ସେହି ଜ୍ଞାନକୁ ଆଧାର କରି ତୃତୀୟ ପର୍ଯ୍ୟାୟରେ ବି ନୂଆ ଜିନିଷଗୁଡ଼ିକୁ ଯୋଡ଼ାଯୋଡ଼ି କରି ଖାଦ୍ୟ ଖାଇବାକୁ ସମର୍ଥ ହେଲେ। ଏଥିରୁ ଜଣାଗଲା କୁଆମାନେ ଶିମ୍ପାଞ୍ଜି ଓ ଗରିଲାମାନଙ୍କଠାରୁ ବି ଚତୁର।
ଆଉ ଏକ ଅନୁଧ୍ୟାନରେ କାଲେଡୋନିଆନ୍‌ କୁଆମାନଙ୍କ ଆଗରେ ଏକ ଭେଣ୍ଡିଂ ମେଶିନ୍‌ ରଖାଗଲା। ଏକ କଣାରେ ନିର୍ଦ୍ଦିଷ୍ଟ ଆକାରର କାଗଜ ରଖିଲେ ଭେଣ୍ଡିଂ ମେଶିନ୍‌ ଭିତରୁ ଖାଦ୍ୟ ବାହାରୁଥିଲା। କୁଆମାନେ ଏହି କୌଶଳ ଅତି ସହଜରେ ଶିଖିଗଲେ ଓ ମେଶିନ୍‌ରୁ ଖାଦ୍ୟ ବାହାର କରି ଖାଇଲେ। ତା’ପରେ ସେହି କୁଆମାନଙ୍କୁ ଭୁଲ୍‌ ଆକାରର କାଗଜ ଦିଆଗଲା। କୁଆମାନେ ବିନା ବାଧାରେ କାଗଜଗୁଡ଼ିକୁ ପୂର୍ବ ଆକାରବିଶିଷ୍ଟ କରି, ଯାହା ସେମାନଙ୍କର ମନେଥିଲା, ମେଶିନ୍‌ରୁ ଖାଦ୍ୟ ବାହାର କରିବାକୁ ସମର୍ଥ ହେଲେ।
ଏସପ୍‌ କାହାଣୀରେ କୁଆ ଓ ମାଠିଆ ଗପ ଅଛି। ଗୋଟିଏ ତୃଷାର୍ତ୍ତ କୁଆ ଅଳ୍ପ ପାଣି ଥିବା ମାଠିଆ ଭିତରେ ଗୋଡ଼ି ପକାଇ କିପରି ପାଣି ପିଇଲା, ତାହା ଏହି ଗପରେ ବର୍ଣ୍ଣିତ। ବୈଜ୍ଞାନିକମାନେ କୁଆଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ ଅନୁରୂପ ଏକ ପରୀକ୍ଷା କରିଥିଲେ। ପାଣି ଥିବା ଏକ ରବର ନଳୀ ଭିତରେ ଗୋଡ଼ି ପକାଇ କୁଆମାନେ ପାଣି ପିଇଲେ କିନ୍ତୁ ଯେଉଁ ରବର ନଳୀ ଭିତରେ ପାଣି ବଦଳରେ ବାଲି ଥିଲା, ସେଥିରେ ଗୋଡ଼ି ପକାଇଲେ ନାହିଁ। ସେମାନେ ପାଣି ଥିବା ନଳୀ ଭିତରେ କେବଳ ଓଜନିଆ ବସ୍ତୁ ପକାଇଲେ, କୌଣସି ଭାସମାନ ବସ୍ତୁ ପକାଇଲେ ନାହିଁ। ତେଣୁ କାର୍ଯ୍ୟ-କାରଣ ସମ୍ପର୍କ ବିଷୟରେ କୁଆମାନଙ୍କର ଯେ ଜ୍ଞାନ ଅଛି ତାହା ଏଥିରୁ ସ୍ପଷ୍ଟ।
ନିକଟରେ ମସ୍କୋ ଷ୍ଟେଟ୍‌ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ୍‌ ଆୟୋଓ୍ବା ପକ୍ଷରୁ ମିଳିତଭାବେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ କୁଆମାନେ ଏପରି ସମସ୍ୟାର ସମାଧାନ କରିପାରନ୍ତି, ଯେଉଁଥିରେ ବୌଦ୍ଧିକ ଚିନ୍ତନର ଆବଶ୍ୟକତା ରହିଛି। ଏକା ପ୍ରକାର ରଙ୍ଗ, ଆକାର ବା ସଂଖ୍ୟାବିଶିଷ୍ଟ ଜିନିଷକୁ ବର୍ଗୀକରଣ କରିବା ପାଇଁ କୁଆମାନଙ୍କୁ ତାଲିମ ଦିଆଗଲା। ତା’ପରେ କୁଆମାନେ ବିନା ସାହାଯ୍ୟରେ ସେହିପ୍ରକାର କାର୍ଯ୍ୟ କରିପାରୁଛନ୍ତି କି ନାହିଁ ପରୀକ୍ଷା କରାଗଲା। ଏ ପରୀକ୍ଷାରେ ସେମାନେ ଉତ୍ତୀର୍ଣ୍ଣ ହୋଇଗଲେ।
ଅନ୍ୟ ପ୍ରାଣୀଙ୍କ ଅପେକ୍ଷା କୁଆମାନଙ୍କର ମସ୍ତିଷ୍କ ସେମାନଙ୍କ ଶରୀରର ଆକାର ତୁଳନାରେ ବଡ଼। ସେମାନଙ୍କ ମସ୍ତିଷ୍କର ସ୍ନାୟୁକୋଷୀୟ ସାନ୍ଦ୍ରତା (ଏକ ଗ୍ରାମ୍‌ ମସ୍ତିଷ୍କରେ ରହିଥିବା ସ୍ନାୟୁକୋଷ ସଂଖ୍ୟା) ମଣିଷ, ମାଙ୍କଡ଼ ପ୍ରଭୃତି ପ୍ରାଣୀଙ୍କଠାରୁ ଅଧିକ। ତେଣୁ ସେମାନଙ୍କ ଛୋଟିଆ ମସ୍ତିଷ୍କର ପ୍ରସେସିଂ ପାଓ୍ବାର ଢେର୍‌ ଅଧିକ।
ମୁଁ ଏବେ ବି ସନ୍ଦେହରେ ଅଛି- ସେଦିନ ସେ କୁଆଟି ମୋତେ କ’ଣ କହିବାକୁ ଚାହୁଁଥିଲା।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri