କୃଷି ଋଣ ପ୍ରଦାନରେ ହେରଫେର ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୨୧ା୬: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କମ ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ଚାଷୀ ଯେପରି ଅର୍ଥାଭାବ ଜନିତ ସମସ୍ୟାର ସମ୍ମୁଖୀନ ନ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ବାସ୍ତବରେ କିନ୍ତୁ ଚାଷୀଙ୍କ ଅପେକ୍ଷା ଅଧିକାଂଶ ଅଣଚାଷୀ ଏହାର ଭରପୁର ଫାଇଦା ଉଠାଇ ଚାଲିଛନ୍ତି। ଏପରି କି ଜଣେ ଜଣେ ପରିବାରର ୫/୭ ଜଣଙ୍କୁ ଋଣ ଦିଆଯାଉଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ, ସୂଚନା ଅଧିକାର ଆଇନ ବଳରେ ଋଣ ନେଇଥିବା ଚାଷୀଙ୍କ ତାଲିକା ମଗାଗଲେ ମଧ୍ୟ ମିଳୁନାହିଁ। ଏହାକୁ ନେଇ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ପ୍ରାନ୍ତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଏହି ଜିଲାର ମୁଖ୍ୟ ଚାଷ କହିଲେ ଧାନକୁ ବୁଝାଯାଏ। ଯେହେତୁ ଜିଲାରେ ବିଭିନ୍ନ ସମୟରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ହୁଏ ତେଣୁ ଚାଷ କ୍ଷତିଗ୍ରସ୍ତ ହୁଏ। ଚାଷୀ ପରିଶ୍ରମ କରି ଅମଳ କଲାବେଳକୁ ପ୍ରାକୃତିକ ବିପର୍ଯ୍ୟୟ ସବୁ କିଛି ଛାରଖାର କରିଦିଏ। ଏହାଦ୍ୱାରା ଚାଷୀର ମେରୁଦଣ୍ଡ ଭାଙ୍ଗି ପଡେ। କିନ୍ତୁ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିପାରେ ନାହିଁ। ଏହାର ମୁଖ୍ୟକାରଣ ହେଲା ହୀନ ରାଜନୀତି। ଚାଷୀ ଯେତେବେଳେ ଅଣ୍ଟା ସଳଖ କରି ପୁଣି ଛିଡା ହେବା ପାଇଁ ଚେଷ୍ଟା କରେ ସେତେବେଳେ ଅନେକ ବାଧାବିଘ୍ନ ଆସେ। ବଡ କଥା ହେଲା ସରକାର ଚାଷୀର ଅର୍ଥାଭାବଜନିତ ସମସ୍ୟା ଦୂର ପାଇଁ ୧% ସୁଧରେ କୃଷି ଋଣ ପ୍ରଦାନ କରୁଛନ୍ତି। ଏଥିରେ ମଧ୍ୟ ପାତରଅନ୍ତର କରାଯାଏ। ଦୁଃଖର କଥା ହେଲା ଅନେକ ଚାଷୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଋଣ ଦିଆଯାଏ ନାହିଁ। ଅଥଚ ଜଣେ ଚାଷୀଙ୍କ ପରିବାରର ୫/୭ ଜଣ ସଦସ୍ୟଙ୍କ ନାଁରେ ନିୟମ ଉଲ୍ଲଙ୍ଘନ କରାଯାଇ ଋଣ ପ୍ରଦାନ କରାଯାଏ। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏହାର ଏକ ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜିଲାର ଅନନ୍ତପୁର ସେବା ସମବାୟ ସମିତିରେ। ଏହି ସମିତିର କେତେଜଣ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି ଓ କେତେ ଚାଷୀ ଠିକ ସମୟରେ ଏହା ପରିଷୋଧ କରୁଛନ୍ତି ସେ ସମ୍ପର୍କରେ ଜଗତ୍‌ସିଂହପୁର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ୍‌ ସୋସାଇଟ୍‌(ଏଆର୍‌ସିଏସ୍‌)ରେ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିଲା। ଏହା ଉପରେ ଯେଉଁ ତଥ୍ୟ ମିଳିଛି ତାହା ସମିତିର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରେ ଦର୍ଶାଯାଇଛି, ୧୧୯୧ ଜଣ ଚାଷୀ ଋଣ ନେଇଛନ୍ତି। କିନ୍ତୁ ସମିତିରେ ମାତ୍ର ୩୯୯ ଜଣଙ୍କ ତାଲିକା ଅଛି। ହେଲେ ଅବଶିଷ୍ଟ ୭୯୨ଜଣଙ୍କ ନାଁ କୁଆଡେ ଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାସ୍ତବରେ ଏହି ତାଲିକା ସମିତିରେ ନାହିଁ, ନା ଏହା ପଛର ରହସ୍ୟ ଆଉ କିଛି ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଏ ସମ୍ପର୍କରେ କେତେଜଣ ଚାଷୀ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁ ଚାଷୀ ଋଣ ନେଇଛନ୍ତି ସେମାନଙ୍କ ନାଁ କଟିବା ଅସମ୍ଭବ। ଯେବେ ସମ୍ଭବ ତା ହେଲେ ସେମାନଙ୍କୁ ଦିଆଯାଇଥିବା ଋଣ ରାଶି କଣ ସରକାର ଛାଡ କରିଦେଲେ ବୋଲି ପ୍ରଶ୍ନ କରିଛନ୍ତି। ଏଥିରୁ ସ୍ପଷ୍ଟ, ନାଁ ଦିଆଯାଇ ନ ଥିବା ୭୯୨ ଜଣ ଚାଷୀଙ୍କ ଋଣ ରାଶି ଚଳୁ ହୋଇଛି ଅଥବା ଚଳୁ ପାଇଁ ଷଡଯନ୍ତ୍ର କରାଯାଇଛି। ଅର୍ଥାତ୍‌ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଜାଲ କାଗଜପତ୍ର ମାଧ୍ୟମରେ ଋଣ ପ୍ରଦାନ କରାଯାଇଛି। ଏହି ଚାଷୀଙ୍କ ନାଁ ପ୍ରଘଟ ହେଲାପରେ ବାସ୍ତବ ଚିତ୍ର ପଦାକୁ ଆସିବ। କୁହାଯାଉଛି ଅଧିକାଂଶ ଚାଷୀଙ୍କ ବ୍ୟାଙ୍କ ପାସ ବୁକ୍‌ ସେମାନଙ୍କ ପାଖରେ ନ ଥାଏ। ସମିତି ସମ୍ପାଦକମାନେ ଏହାକୁ ରଖିଥାନ୍ତି। ସେମାନଙ୍କ ନାମରେ ମିଥ୍ୟା ଋଣ କରି ଏହି ରାଶି ନିଯେ ହାତେଇଥାନ୍ତି। ପରେ ଏହାକୁ ବ୍ୟବସାୟ ଆଦିରେ ଲଗାଇ ଲାଭବାନ ହୋଇଥାନ୍ତି। କିନ୍ତୁ ପ୍ରତିବର୍ଷ ଋଣ ରାଶି ସୁଝିବା ବ୍ୟବସ୍ଥା କରିଥାନ୍ତି। ଯଦ୍ଦ୍ବାରା ଚାଷୀ ସେମାନଙ୍କ ନାମରେ ଋଣ ଥିବା ଜାଣିପାରେ ନାହିଁ। କେତେକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହେବାର ମଧ୍ୟ ନଜିର ରହିଛି। ଏହାକୁ ନେଇ ଅତୀତରେ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ତୁମ୍ଭି ତୋଫାନ ମଧ୍ୟ ହୋଇଛି। ଋଣ ନେଇଥିବା ଚାଷୀଙ୍କ ମଧ୍ୟରୁ କେତେକଙ୍କ ପରିବାରର ଏକାଧିକ ସଦସ୍ୟଙ୍କ ନାମରେ ଋଣ ପ୍ରଦାନ କରାଯାଇଛି। ଗୌରାଙ୍ଗ ବିଶ୍ୱାଳଙ୍କ ପରିବାରର ୬ ଜଣଙ୍କ ନାମରେ ଋଣ ମଞ୍ଜୁର ହୋଇଛି। ଏହି ପରିବାରର ସୁକାନ୍ତ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ଅବିବାହିତ ଅଛନ୍ତି। ସେହିପରି ପ୍ରତାପ ସ୍ବାଇଁ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଋଣ ଦିଆଯାଇଛି। ଶ୍ୟାମ ସୁନ୍ଦର ବିଶ୍ୱାଳଙ୍କ ପରିବାରର ୭ ଜଣ ସଦସ୍ୟଙ୍କ ନାମରେ ଚଞ୍ଚକତାପୂର୍ବକ ଋଣ ପ୍ରଦାନ କରାଯାଇ ପାରିଛି। ଏହିଭଳି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କୁ ଅନ୍ୟାୟ ଭାବେ କୃଷି ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଅନୁରୂପ ଭାବେ ୨୦୧୮-୧୯ ଖରିଫ ଋତୁରେ ଏହି ସମିତିରେ ୩୪୩ ଜଣ ଚାଷୀଙ୍କୁ ପଞ୍ଜିକୃତ କରାଯାଇଛି। କିନ୍ତୁ ଏହା ଭିତରେ ଧାନ ବିକି ପାରିଛନ୍ତି ୨୫୬ ଜଣ। ଅବଶିଷ୍ଟ କାହିଁକି ଧାନ ବିକ୍ରିରୁ ବଞ୍ଚତ୍ତ ହେଲେ ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଏପରି କି ଜିଲା ଯୋଗାଣ ଅଧିକାରୀ ଓ ଏଆର୍‌ସିଏସ୍‌ଙ୍କ କାର୍ଯ୍ୟାଳୟରେ ପ୍ରଫୁଲ ସ୍ବାଇଁ, ଦୁର୍ଗାଦଳ ଗିରି, ଅମରେନ୍ଦ୍ର ଖଣ୍ଡା, ସୁରେନ୍ଦ୍ର ପ୍ରଧାନଙ୍କ ଭଳି ଏକାଧିକ ବଡ ଚାଷୀ ପହଞ୍ଚତ୍ ସେମାନଙ୍କ ଧାନ ବିକ୍ରି ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଏଥିମଧ୍ୟରେ ବର୍ଷା ଦିନ ଆସିଗଲାଣି। କିନ୍ତୁ ଧାନ ବିକି ନ ପାରି ଚିନ୍ତାରେ ଅଛନ୍ତି। ତେଣୁ ବାଧ୍ୟ ହୋଇ ବେପାରୀଙ୍କୁ କମ ଦାମରେ ବିକ୍ରି କରିବେ ବୋଲି କହିଛନ୍ତି। କେବଳ ଏହି ଚାଷୀମାନେ ନୁହନ୍ତି ଅନେକ ଚାଷୀ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇ କମ ଦରରେ ବେପାରୀଙ୍କୁ ବିକ୍ରି କରି ସାରିଲେଣି। ଏହିସବୁ ବାବଦରେ ଜିଲାରେ କୃଷି ଋଣ ପ୍ରଦାନରେ ଶତାଧିକ କୋଟି ଟଙ୍କା କେଳେଙ୍କାରୀ ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଅନନ୍ତପୁର ସେବା ସମବାୟ ସମିତି ସମ୍ପାଦକ ଜୟନ୍ତ ହାତୀଙ୍କୁ ପଚାରିବାରୁ ଗୋଟିଏ ଗୋଟିଏ ପରିବାରର ୫/୭ ଜଣଙ୍କ ନାମରେ କୃଷି ଋଣ ହୋଇଥିବା ସ୍ବୀକାର ସହ ଅସହାୟତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରଲର ମାଡ଼ରେ ମରୁଛନ୍ତି ଅଲିଭ ରିଡ୍‌ଲେ

କୁଜଙ୍ଗ,୧୩।୨(ମନୋଜ ପ୍ରଧାନ): ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପାରାଦୀପରେ କଇଁଛ କରିଡର କରିବାକୁ ବଜେଟରେ ଘୋଷଣା କରିଥିବା ବେଳେ କୁଜଙ୍ଗ ବନାଞ୍ଚଳ ନୂଆଗାଁ ବନକ୍ଷେତ୍ର…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ପତାକା ଅବତରଣ ବେଳେ ଅଘଟଣ: ବିଦ୍ୟୁତ ଆଘାତରେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୁଜଙ୍ଗ,୨୬।୧(ମନୋଜ ପ୍ରଧାନ): ସାରା ଦେଶ ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ…

ପାଳ ଗଦା ନିଆଁରେ ମହିଳା ଜୀବନ୍ତ ଦଗ୍ଧ

ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା…

ବସ୍‌ ମାଲିକ ସଂଘର ବଡ଼ ନିଷ୍ପତ୍ତି: ପାରାଦୀପରୁ ଗଡ଼ିବନାହିଁ ଘରୋଇ ବସ୍‌

ପାରାଦୀପ,୧୮।୧: ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ବଡ଼ ନିଷ୍ପତ୍ତି ନେଇଛି। ସୋମବାର ସକାଳ ୬ଟାରୁ ପାରାଦୀପ ବସ୍‌ଷ୍ଟାଣ୍ଡରୁ…

ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…

ଜଗତ୍‌ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍‌ପ୍ରକାଶ ପଣ୍ଡା…

ସ୍ତ୍ରୀଙ୍କୁ କରଣୀରେ ହାଣିଲେ ସ୍ବାମୀ: କାରଣ ଜାଣିଲେ…

ପାରାଦୀପ,୧୭।୧(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ବଡପଡିଆ ସିନେମାହଲ ସମ୍ମୁଖ ବସ୍ତିରେ ଶନିବାର ସକାଳୁ ଅଭାବନୀୟ ଘଟଣା ଘଟିଛି।ନିଜ ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ସ୍ବାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri