କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି।

ଇତିହାସ ଦେଖିଲେ ୩୦ ବର୍ଷ ତଳେ ଲିବରେଶନ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ) ଶ୍ରୀଲଙ୍କାରେ ନିଜସ୍ବ ଅଞ୍ଚଳ ଗଢ଼ିବା ଲକ୍ଷ୍ୟରେ ସଶସ୍ତ୍ର ସଂଗ୍ରାମ ଚଳାଇଥିଲା। ବହୁ ବର୍ଷ ଧରି ଉକ୍ତ ସଙ୍ଗଠନ ମାରାତ୍ମକ ଆକ୍ରମଣ କରିବା ଯୋଗୁ ଶ୍ରୀଲଙ୍କା ଅସ୍ଥିର ହୋଇପଡ଼ିଥିଲା। ତେଣୁ ଏହି ଦେଶ ପାଇଁ ଆତଙ୍କବାଦୀ ଆକ୍ରମଣ କିଛି ନୂଆ ନୁହେଁ। ଦେଖିବାକୁ ଗଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମେତ ଶ୍ରୀଲଙ୍କାର ଅନେକ ମନ୍ତ୍ରୀ, ସାଂସଦ ଏବଂ ସେତେବେଳେ କ୍ଷମତାରେ ଥିବା ରାଷ୍ଟ୍ରପତି ରଣସିଂହେ ପ୍ରେମଦାସାଙ୍କୁ ଏଲ୍‌ଟିଟିଇର ସୁଇସାଇଡ୍‌ ବମ୍ବର୍ସ ବା ଆତ୍ମଘାତୀ ବିସ୍ଫୋରଣକାରୀ ହତ୍ୟା କରିଥିଲେ। ଗତ ଶତାବ୍ଦୀର ଅଶୀ ଓ ନବେ ଦଶକରେ ଏହିଭଳି ଆକ୍ରମଣ ପୃଥିବୀରେ କେହି ଦେଖି ନ ଥିଲେ। ଏଲ୍‌ଟିଟିଇର ଉଗ୍ର ରୂପ ତୁଳନାରେ ଇସ୍‌ଲାମୀୟ ଜେହାଦୀମାନେ ମଧ୍ୟ ପଛରେ ପଡ଼ିଯିବେ। ଉଲ୍ଲେଖଯୋଗ୍ୟ, ୨୦୦୯ରେ ଏଲ୍‌ଟିଟିଇ ମୁଖ୍ୟ ଭେଲୁପିଲାଇ ପିର୍‌ଭାକରନଙ୍କୁ ସେଠାକାର ସେନା ହତ୍ୟା କରିବା ପରେ ଆନ୍ଦୋଳନ ଥଣ୍ଡା ପଡ଼ିଯାଇଥିଲା। ଏହା ପରେ ଏକ ନୂତନ ସମସ୍ୟା ସୃଷ୍ଟି ହେଲା, ଯେତେବେଳେ ସିଂହଳୀମାନଙ୍କ ଧର୍ମଗୁରୁମାନେ ସାଧାରଣ ଲୋକଙ୍କୁ ମୁସଲମାନ ବିରୋଧୀ ଧ୍ୱନି ଦେବାକୁ ଆରମ୍ଭ କଲେ। ସେମାନଙ୍କ କହିବା ଅନୁଯାୟୀ, ମୁସଲମାନ (ଦେଶ ଜନସଂଖ୍ୟାର ମାତ୍ର ୧୦ ପ୍ରତିଶତ) ବୌଦ୍ଧଧର୍ମ ବିରୋଧୀ ପାଲଟି ଯାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଖ୍ରୀଷ୍ଟିଆନ୍‌ମାନଙ୍କ ବିରୋଧରେ କୌଣସି ବିବାଦ ସେହି ଦେଶର ନିକଟ ଅତୀତରେ ଶୁଣିବାକୁ ମିଳି ନ ଥିଲା। ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କ ରାଜନୀତି ସବୁବେଳେ ସଂଖ୍ୟାଲଘୁଙ୍କ ବିରୋଧରେ ରହିଥିବା ବେଳେ ତାହା ମୁଖ୍ୟତଃ ମୁସଲମାନ ବିରୋଧୀ ଥିଲା। ସେଥିପାଇଁ ଇଷ୍ଟର ସଣ୍ଡେ ଅବସରରେ ଗୀର୍ଜା ଏବଂ ବିଦେଶୀ ରହୁଥିବା ତାରକା ହୋଟେଲ ଉପରେ ଆକ୍ରମଣ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେଥିପାଇଁ ଏବର ଆକ୍ରମଣ ପଛରେ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌)ର ହାତ ଥିବା ସନ୍ଦେହ କରାଯାଉଛି।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶର ପ୍ରମୁଖ ଚର୍ଚ୍ଚଗୁଡ଼ିକରେ ଆତ୍ମଘାତୀ ଆକ୍ରମଣ ହେବ ବୋଲି ଶ୍ରୀଲଙ୍କା ପୋଲିସ ମୁଖ୍ୟ ୧୦ ଦିନ ତଳେ ସତର୍କ ସୂଚନା ଦେଇଥିଲେ। ଏପରିକି ନ୍ୟାଶନାଲ ଥୋଓ୍ବିଥ୍‌ ଜମାଥ୍‌ (ଏନ୍‌ଟିଜେ) ନାମକ ଏକ ମୌଳବାଦୀ ମୁସଲମାନ ସଙ୍ଗଠନ ଉପରେ ପୋଲିସ ନଜର ରଖିଥିଲା। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାରେ ବୁଦ୍ଧମୂର୍ତ୍ତିକୁ ଭଙ୍ଗାଯିବାରେ ଏନ୍‌ଟିଜେ ସମ୍ପୃକ୍ତ ଥିବା ବିଷୟ ଗତବର୍ଷ ଜଣାପଡ଼ିଥିଲା। ତେବେ ପୋଲିସ ମୁଖ୍ୟଙ୍କ ନିକଟରେ ଆକ୍ରମଣ ସମ୍ବନ୍ଧୀୟ ସୂଚନା ଥିଲେ ମଧ୍ୟ ଗୋଇନ୍ଦା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସିରିଜ୍‌ ଆକ୍ରମଣରୁ ବୁଝାପଡ଼ିଯାଉଛି।

ଶ୍ରୀଲଙ୍କାର ଜନସଂଖ୍ୟା ଦେଖିଲେ ମୁଖ୍ୟତଃ ବୌଦ୍ଧ ଧର୍ମାବଲମ୍ବୀ ସିଂହଳୀ ୭୪.୯ ପ୍ରତିଶତ ଥିବା ବେଳେ ୧୧.୨ ପ୍ରତିଶତ  ଶ୍ରୀଲଙ୍କା ତାମିଲ, ୯.୨ ପ୍ରତିଶତ ଶ୍ରୀଲଙ୍କାନ୍‌ ମୁର୍‌ସ ଏବଂ ୪.୨ ପ୍ରତିଶତ ଭାରତୀୟ ତାମିଲ ଅଛନ୍ତି। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ହିସାବ କଲେ ୭୦.୨ ପ୍ରତିଶତ ବୌଦ୍ଧ, ୧୨.୬ ପ୍ରତିଶତ ହିନ୍ଦୁ, ୯.୭ ପ୍ରତିଶତ ଇସ୍‌ଲାମ ଏବଂ ୭.୪ ପ୍ରତିଶତ ଖ୍ରୀଷ୍ଟଧର୍ମାବଲମ୍ବୀ ଅଛନ୍ତି। ଏପ୍ରିଲ ୨୧ ଆକ୍ରମଣରେ ଅଧିକାଂଶ ସ୍ଥାନରେ ଚର୍ଚ୍ଚକୁ ଟାର୍ଗେଟ କରାଯାଇଛି।  ଆଇଏସ୍‌ କଥା ଦେଖିଲେ ମଧ୍ୟପ୍ରାଚ୍ୟ ଏବଂ ପାଶ୍ଚାତ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖୁଥିବା ଏହି ଆତଙ୍କବାଦୀ ସଙ୍ଗଠନ କିଛି ମାସ ହେବ ଦୁର୍ବଳ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏବେ କଲମ୍ବୋ ଆକ୍ରମଣ ଦ୍ୱାରା ଦକ୍ଷିଣ ଏସିଆରେ ଆଇଏସ୍‌ ତା’ର ଉପସ୍ଥିତି ଜାହିର କରୁଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନୁରୂପ ଭାବେ ଶ୍ରୀଲଙ୍କା ପୋଲିସ ମୁଖ୍ୟଙ୍କ ମନ୍ତବ୍ୟକୁ ନେଇ ତର୍ଜମା କରାଗଲେ ଏନ୍‌ଟିଜେ ଯଦି ସେଠାରେ ଆକ୍ରମଣ କରିଥିବ, ତାହା ହେଲେ ଏହି ଦ୍ୱୀପ ଦେଶରେ ପୁଣି ଆଭ୍ୟନ୍ତରୀଣ ହିଂସାକାଣ୍ଡ ବ୍ୟାପିପାରେ। କାରଣ ଏହି ସ୍ଥାନୀୟ ମୌଳବାଦୀ ମୁସଲମାନ ସଙ୍ଗଠନ ସ୍ଥିତି ଜାହିର କରିବା ସକାଶେ ଗତବର୍ଷ ବୌଦ୍ଧମୂର୍ତ୍ତି ଭାଙ୍ଗିଥିଲା।

କଲମ୍ବୋ ଆକ୍ରମଣକୁ ଦେଖିଲେ ଏହା କୁହାଯାଇପାରେ ଯେ, ଆତଙ୍କବାଦୀଙ୍କ ପାଇଁ ଏବେ କୌଣସି ଦେଶ ବା ଧର୍ମ କିଛି ମାନେ ରଖୁ ନାହିଁ। ଆତଙ୍କ ଖେଳାଇ ଭାଙ୍ଗିବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି। ଏଠାରେ ବୁଝିବା ଦରକାର ଯେ, ଆତଙ୍କବାଦୀଙ୍କ ସହ ବଞ୍ଚତ୍ବା ଲାଗି ପ୍ରତ୍ୟେକ ନାଗରିକ ପ୍ରସ୍ତୁତ ହେବା ଦରକାର। ୨୧ ଏପ୍ରିଲରେ ଶ୍ରୀଲଙ୍କାରେ ଘଟିଥିବା ଆକ୍ରମଣ ହେଉ କିମ୍ବା ଭାରତରେ ପୁଲ୍‌ଓ୍ବାମା ହେଉ, ଏହା ସବୁବେଳେ ଘଟୁଛି। ଏହାକୁ ରୋକିବାର ଶକ୍ତି ପୃଥିବୀର କୌଣସି ଦେଶ ବା ସରକାର ପାଖରେ ନାହିଁ। ନେତାମାନେ ନିଜର ସୁବିଧା ଓ କ୍ଷମତା ବୃଦ୍ଧି ପାଇଁ ଆତଙ୍କବାଦୀ ବିରୋଧୀ ଧ୍ୱନି ଦେଇପାରନ୍ତି, କିନ୍ତୁ କୌଣସି ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟ ଦିଗ୍‌ଦର୍ଶନ ଦେଖାଇବାରେ ସଫଳ ହେଉନାହାନ୍ତି। ସବୁ ଦେଶର ଗୋଇନ୍ଦା ସଂସ୍ଥା ମଧ୍ୟ ବିଫଳତାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ଭାରତ କିମ୍ବା ଶ୍ରୀଲଙ୍କାରେ ଯଦି ଇସ୍‌ଲାମୀୟ ଆତଙ୍କବାଦୀଙ୍କୁ ଦୋଷ ଦିଆଯାଏ, ତେବେ ନ୍ୟୁଜିଲାଣ୍ଡରେ ଅଣ-ଇସ୍‌ଲାମୀୟ ଉଗ୍ରବାଦୀ ନିଜର ଶକ୍ତି ପ୍ରଦର୍ଶନ କରିପାରିଛନ୍ତି। ଏହା ମଧ୍ୟ ହୋଇପାରେ ଯେ, ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ମସ୍‌ଜିଦ୍‌ ଉପରେ ଆକ୍ରମଣ କରି ୫୦ ମୁସଲମାନଙ୍କୁ ଜଣେ ଖ୍ରୀଷ୍ଟିଆନ୍‌ ହତ୍ୟା କରିଥିବାରୁ ତାହାର ପ୍ରତିଶୋଧ ଭାବେ କଲମ୍ବୋର ଗୀର୍ଜା ଓ ବଡ଼ ହୋଟେଲ ଆକ୍ରମଣର ସଂଯୋଗ ହୁଏତ ପରବର୍ତ୍ତୀ ସମୟରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri