କରୋନା ପ୍ୟାକେଜ୍‌ ଓ ଓଡ଼ିଶାର ଖଣି ସମ୍ପଦ

ଡ. ଅସୀମା ସାହୁ

କୋଭିଡ୍‌-୧୯ ମହାମାରୀରୁ ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜ୍‌ ଘୋଷଣା କଲେ। ଏହି ଘୋଷଣାରେ ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ଏକ ବଡ଼ ଧରଣର ଲମ୍ଫ ପ୍ରଦାନର ଆଶା ରଖାଯାଇଥିଲା। କାରଣ ସବୁଜ ବିପ୍ଳବ ପରଠାରୁ ୧୯୯୧ ମସିହାର ପ୍ରଥମ ପିଢ଼ି ସଂସ୍କାର ପର୍ଯ୍ୟନ୍ତ ଦେଖାଯାଇଛି ଯେ ସଙ୍କଟ ବେଳେ ହିଁ ଆମେ ସଂସ୍କାରମୁଖୀ ହୋଇଥାଉ।
ଏହାର ସବିଶେଷ ତଥ୍ୟ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଶଙ୍କର ଆୟାର ତାଙ୍କ ପୁସ୍ତକ ‘ଆକ୍ସିଡେଣ୍ଟାଲ ଇଣ୍ଡିଆ: ଏ ହିଷ୍ଟ୍ରି ଅଫ୍‌ ନେସନ୍‌ସ ପ୍ୟାକେଜ ଥ୍ରୁ କ୍ରାଇସିସ୍‌ ଏଣ୍ଡ୍‌ ଚେଞ୍ଜ’ରେ ଆଲୋକପାତ କରିଛନ୍ତି। ତେଣୁ ଆଜିର ଦୁର୍ଦ୍ଦିନରେ ଘୋଷିତ ଚତୁର୍ଥ ଆର୍ଥିକ ପ୍ୟାକେଜରେ ସେହିପରି ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏଥିରେ ସାମିଲ ଥିବା ୮ଟି କ୍ଷେତ୍ର ମଧ୍ୟରୁ କେନ୍ଦ୍ର ସରକାର ଖଣି ଉତ୍ପାଦନକୁ ଦୃଷ୍ଟିରେ ରଖି କୋଇଲା ଓ ବକ୍ସାଇଟ୍‌ କ୍ଷେତ୍ରରେ ଏକ ବୃହତ୍‌ ସଂସ୍କାର ଆଣିବାକୁ ପ୍ରୟାସ କରିଛନ୍ତି। ମୁଖ୍ୟ କାରଣଟି ହେଲା ଏ ଦୁଇଟିଯାକ କ୍ଷେତ୍ରରେ ଉଭୟ ଉତ୍ପାଦନ ତଥା ଶ୍ରମ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ଭାବନା ରହିଛି। ଭାରତୀୟ ଆର୍ଥିକ ବଜାରରେ ମଧ୍ୟ ଖଣିଜ ସମ୍ପଦର ଯଥେଷ୍ଟ ଅବଦାନ ଅଛି। ଆମ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଖଣିଜ କ୍ଷେତ୍ରରୁ ୨୦୧୮-୧୯ ମସିହାରେ ୪.୧ ଲକ୍ଷ କୋଟି ଟଙ୍କା ଆସିଥିଲା ବେଳେ ୨୦୨୪ ମସିହା ସୁଦ୍ଧା ତାହା ୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି। ରାଷ୍ଟ୍ରାୟତ୍ତ ‘କୋଲ୍‌ ଇଣ୍ଡିଆ’ର ଉତ୍ପାଦନ ୨୦୧୯-୨୦ ମସିହାରେ ୬୦ କୋଟି ୨୨ ଲକ୍ଷ ଟନ୍‌ ଥିଲାବେଳେ ସେଥିରେ ୧୦୦ କୋଟି ଟନ୍‌ ହେବାର ଆଶା କରାଯାଇଛି। ପୁଣି ଘରୋଇ ଉଦ୍ୟୋଗର ଉତ୍ପାଦନ ୫୬ ନିୟୁତ ଟନ୍‌ ହୋଇଥିବା ବେଳେ ସେଥିରେ ଅତିକମ୍‌ରେ ଦୁଇଗୁଣ ବୃଦ୍ଧିର ଲକ୍ଷ୍ୟ ରହିଛି। ତେଣୁ ସରକାରଙ୍କ ଏ କ୍ଷେତ୍ରରେ ମହତ୍‌ ଆକାଂକ୍ଷା ବେଶ୍‌ ସ୍ପଷ୍ଟ।
ଘୋଷିତ ପ୍ୟାକେଜ୍‌ରେ କେନ୍ଦ୍ର ସରକାର ଖଣି ଉତ୍ପାଦନକୁ ଦୃଷ୍ଟିରେ ରଖି ଭିତ୍ତିଭୂମିର ବିକାଶ ପାଇଁ ୫୦,୦୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିସହିତ ଏହା ପରଠାରୁ ସମ୍ପୂର୍ଣ୍ଣ ଆବିଷ୍କୃତ ହୋଇ ନ ଥିବା ଖଣିଗୁଡ଼ିକ ମଧ୍ୟ ନିଲାମ ଓ ଲିଜର ପରିସରଭୁକ୍ତ ହୋଇପାରିବ, ଯାହା କି ଆଗରୁ କେବଳ ଆବିଷ୍କୃତ ଖଣି ଉପରେ ସୀମାବଦ୍ଧ ଥିଲା। ସେହିପରି ପୂର୍ବରୁ ଖଣିମାନଙ୍କଠାରୁ ସାମାନ୍ୟ ରାଜଭାଗ (ରୟାଲିଟି) ଓ ଟିକସ ଆଦାୟ ଆଧାରରେ ଖଣି ଲିଜ୍‌ ଦିଆଯାଉଥିବା ବେଳେ ଏବେ ଲିଜ୍‌ଧାରୀଙ୍କ ବିକ୍ରୟ ମୂଲ୍ୟର ଅଂଶକୁ ଭିତ୍ତିକରି ନିଲାମ ଟଙ୍କା ଧାର୍ଯ୍ୟ କରାଯିବ। ଧାର୍ଯ୍ୟ ହୋଇଥିବା ସମୟସୀମା ପୂର୍ବରୁ ଯଦି ଖନନ ଓ ଉତ୍ପାଦନ କାର୍ଯ୍ୟ ସମାପ୍ତ ହୋଇଯାଏ ତେବେ ରାଜସ୍ବ ଆଦାୟ ଉପରେ ରିହାତିର ବନ୍ଦୋବସ୍ତ କରାଯିବ। କୋଇଲା ଖଣିରୁ ଗ୍ୟାସ୍‌ ନିର୍ଗତ କରାଗଲେ ସେଥିପାଇଁ ସ୍ବତନ୍ତ୍ର ରିହାତି ମିଳିବ। ପୂର୍ବରୁ କେବଳ କାରଖାନା ମାଲିକ ଖଣି ଲିଜ୍‌ ନେଇପାରୁଥିବା ବେଳେ ଏବେ କିନ୍ତୁ ଖଣି ନିଲାମରେ କାରଖାନା ନ ଥିବା ସାଧାରଣ ବ୍ୟକ୍ତି ଯିଏ କି ତୁରନ୍ତ ଆଗୁଆ ପଇସା ପଇଠ କରିବାର କ୍ଷମତା ରଖୁଥିବେ ସେମାନେ ବି ନିଲାମ ବେଳେ ଅଂଶଗ୍ରହଣ କରିପାରିବେ। ରାଷ୍ଟ୍ରାୟତ୍ତ କୋଇଲା ଖଣି କ୍ଷେତ୍ରରେ ମିଥେନ ଉତ୍ପାଦନ କରିବା ପାଇଁ ଘରୋଇ ଉଦ୍ୟୋଗପତିଙ୍କୁ ମଧ୍ୟ ଏଥର ସୁଯୋଗ ଦିଆଯିବ। ଅନୁସନ୍ଧାନ, ଖଣି ଖନନ ଓ ଉତ୍ପାଦନର ମିଳିତ ଲାଇସେନ୍ସ ଯୋଗାଇ ଦିଆଯିବ, ଯାହାଦ୍ୱାରା ଖଣି ମାଲିକମାନେ ଆଉ ଅଯଥା ସରକାରୀ ନାଲିଫିତାର ଶିକାର ହେବେ ନାହିଁ। ଆଲୁମିନିୟମ ପାଇଁ ବକ୍ସାଇଟ୍‌ ଖଣି ନିଲାମ ବେଳେ ଏକ ସଙ୍ଗେ କୋଇଲା ଖଣି ନିଲାମକୁ ଧାର୍ଯ୍ୟ କରାଯାଇଛି। ତାହାହେଲେ ଆଲୁମିନିୟମ ଶିଳ୍ପ ପାଇଁ ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନର ଅନିଶ୍ଚିତତା ଆଗପରି ଆଉ ରହିବ ନାହିଁ। ଏ ସମସ୍ତ ଖଣି ସଂସ୍କାରରେ ସରକାରଙ୍କର କୋହଳ ମନୋଭାବ ସ୍ପଷ୍ଟ ହୋଇଛି।
ସବୁଠାରୁ ବଡ଼ କଥା ହେଲା କେନ୍ଦ୍ର ସରକାର ଏହି ଖଣି ସଂସ୍କାରରେ କେବଳ କୋଇଲା ଓ ବକ୍ସାଇଟ୍‌ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ତେଣୁ ଅନୁଭବ ହେଉଛି ସତେ ଅବା ଓଡ଼ିଶାର ଖଣି ସମ୍ପଦକୁ ଆଖିରେ ରଖି ଏ ଦୁଇଟି କ୍ଷେତ୍ରକୁ ଏତେ ପ୍ରାଧାନ୍ୟ ଦିଆଯାଇଛି। କାରଣ ଭାରତୀୟ ଆର୍ଥିକ ବଜାରରେ କୋଇଲାର ଗଚ୍ଛିତ ଓ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ସମଗ୍ର ଦେଶରେ ଝାଡ଼ଖଣ୍ଡ (ପ୍ରଥମ) ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହା ଆନୁମାନିକ ୮୦.୮୪୦ ବିଲିୟନ ଟନ ଓ ଭାରତର ମୋଟ ଗଚ୍ଛିତ କୋଇଲାର ୨୪.୭୬ ପ୍ରତିଶତ। ପୁଣି ଦେଶର ସର୍ବବୃହତ୍‌ କୋଇଲା ଖଣି ଆମ ତାଳଚେରରେ ଅଛି। ତା’ର ଗଚ୍ଛିତ ପରିମାଣ ଆନୁମାନିକ ୫୧.୯୨୦ ବିଲିୟନ ଟନ। ୨୯.୬୨୦ ବିଲିୟନ ଟନ କୋଇଲା ଗଚ୍ଛିତ ଥାଇ ଓଡ଼ିଶାର ଇବ୍‌ ଉପତ୍ୟକା ଦେଶର ତୃତୀୟ ସର୍ବବୃହତ ସ୍ଥାନ ଅଧିକାର କରିଛି। ମାତ୍ର ଏହା ମଧ୍ୟ ସତ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତରେ ଛତିଶଗଡ଼ (ପ୍ରଥମ), ଝାଡ଼ଖଣ୍ଡ (ଦ୍ୱିତୀୟ) ପଛକୁ ୧୧୨.୯୧୭ ନିୟୁତ ଟନ ଉତ୍ପାଦନ କରି ତୃତୀୟ ସ୍ଥାନରେ ଅଛି। ପରିବହନ ଭିତ୍ତିଭୂମିର ଅଭାବ, ଶ୍ରମିକ ଅଶାନ୍ତି ତଥା ସରକାରଙ୍କ ଏକଚାଟିଆ ଖଣି କାରବାର ଏସବୁ ପାଇଁ ଦାୟୀ। ଏଥି ସହ ଭାରତରେ ସମ୍ଭାବ୍ୟ ଖଣି ଅଞ୍ଚଳର ନଗଣ୍ୟ ୧୦ ଶତାଂଶ ଆବିଷ୍କୃତ ଓ ତତ୍‌ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ହୋଇଥିବା ବେଳେ ଅଷ୍ଟ୍ରେଲିଆରେ ତାହା ୯୫ ଶତାଂଶ।
ଓଡ଼ିଶାର ବକ୍ସାଇଟ ଭଣ୍ଡାର ମଧ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରେ। ସମଗ୍ର ବିଶ୍ୱରେ ଏହା ଚତୁର୍ଥ ସ୍ଥାନ ଅଧିକାର କରିଛି। ବକ୍ସାଇଟ୍‌ ଉତ୍ପାଦିତ ହେଉଥିବା ଆଲୁମିନିୟମ କ୍ଷେତ୍ରରେ ଓଡ଼ିଶାକୁ ଦକ୍ଷିଣ ଏସିଆର ‘ରାଜଧାନୀ’ ବୋଲି କୁହାଯାଏ। ସମଗ୍ର ରାଜ୍ୟରେ ଆନୁମାନିକ ୧୫୩୦ ନିୟୁତ ଟନ ବକ୍ସାଇଟ ଗଚ୍ଛିତ ଅଛି। ସେଥିରୁ କେବଳ କେନ୍ଦୁଝର, ସୁନ୍ଦରଗଡ଼ ଓ ଫୁଲବାଣୀରେ ୨୦ ନିୟୁତ ଟନ୍‌ ରହିଛି। ଅବଶିଷ୍ଟ ୧୫୧୦ ନିୟୁତ ଟନ୍‌ କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ରାୟଗଡ଼ା ଜିଲାଗୁଡ଼ିକ ମଧ୍ୟରେ ଥିବା ୩୦୦ କିଲୋମିଟର ଦୈର୍ଘ୍ୟ ତଥା ୪୦ରୁ ୧୦୦ କିଲୋମିଟର ପ୍ରସ୍ଥର ଏକ ବେଲ୍ଟ ମହଜୁଦ ଅଛି। ଏଥିସହ ଆମ ରାଜ୍ୟରେ ଥିବା ନାଲ୍‌କୋ, ହିଣ୍ଡାଲକୋ ଓ ବେଦାନ୍ତ ଆଲୁମିନିୟମ କମ୍ପାନୀଗୁଡ଼ିକର ବାର୍ଷିକ ଉତ୍ପାଦନ କ୍ଷମତା ୬ ଲକ୍ଷ ଟନ, ଯାହା କି ସମଗ୍ର ଦେଶରେ ହେଉଥିବା ଉତ୍ପାଦନ କ୍ଷମତାର ୫୪ ଶତାଂଶ। ଏଥିରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ, ସାରା ଭାରତବର୍ଷର ୫୨ ଶତାଂଶ ବକ୍ସାଇଟ ଓଡ଼ିଶାରେ ଥିଲାବେଳେ ଉତ୍ପାଦନ ମାତ୍ର ଏକ ତୃତୀୟାଂଶ।
ଏ ସମସ୍ତ ତଥ୍ୟରୁ ଏତିକି ନିଶ୍ଚିତ ଯେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଓ ବକ୍ସାଇଟ ଗଚ୍ଛିତ ଅଛି। ଦେଶରେ ଆଲୁମିନିୟମ ବ୍ୟବହାର ପ୍ରତିବର୍ଷ ୧୭ରୁ ୧୮ ଶତାଂଶ ବୃଦ୍ଧି ପାଇବା ଆମ ପାଇଁ ଏକ ଶୁଭ ସଙ୍କେତ। କୋଇଲା ଖଣିର ଠିକ୍‌ ପରିଚାଳନା ଦ୍ୱାରା ଆମଦାନୀ ଖର୍ଚ୍ଚ ନୂ୍ୟନ ହେବା ସହ ୨ କୋଟି ଲୋକ ନିଯୁକ୍ତି ପାଇବାର ଆଶା ରଖାଯାଏ। ତେଣୁ ଖଣି ସମ୍ବନ୍ଧୀୟ ଏହିପରି ଏକ ଆର୍ଥିକ ପ୍ୟାକେଜ ଯଦି ଠିକ ଭାବେ କାର୍ଯ୍ୟକାରୀ ହୁଅନ୍ତା ତେବେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଥଇଥାନ ଚିନ୍ତା ଯଥେଷ୍ଟ ନୂ୍ୟନ ହେବା ସହ କୃଷି ଉପରେ ଆଗକୁ ହେବାକୁ ଥିବା ଅଯଥା ବୋଝର ଆଶଙ୍କା କମିଯାଆନ୍ତା। ମାନ୍ଦାଥିବା ଆର୍ଥିକ ଅଭିବୃଦ୍ଧି ହାରରେ ମଧ୍ୟ ଯଥେଷ୍ଟ ଉନ୍ନତି ହୁଅନ୍ତା। ମାତ୍ର ଏପରି କ୍ଷେତ୍ରରେ ବୃହତ ସଫଳତା ପାଇଁ ଶିଳ୍ପୋଦ୍ୟୋଗୀଙ୍କ ଆନ୍ତରିକତା, ରାଜନୈତିକ ଇଚ୍ଛାଶକ୍ତି, ସର୍ବୋପରି ଜନସାଧାରଣଙ୍କ ସହଯୋଗ ଯେ ଏକାନ୍ତ କାମ୍ୟ ଏ କଥାକୁ ମଧ୍ୟ ଅସ୍ବୀକାର କରିହେବ ନାହିଁ।

ଅଧ୍ୟକ୍ଷା, ଏସ୍‌ସିବି ଡିଗ୍ରୀ ମହାବିଦ୍ୟାଳୟ, ରାଗ୍‌ଧା, ମୟୂରଭଞ୍ଜ,
ମୋ: ୯୪୩୭୩୮୦୭୭୦


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri