Posted inଫୁରସତ

ଆବର୍ଜନାରୁ ସର୍ଜନା

ପରିବେଶ ଚିନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ତେବେ କେବଳ ଚିନ୍ତା କଲେ ତ ହେବନି ।  ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର ।  ଆଉ ସେହି ବାଟ ନିଜସ୍ବ ଉପାୟରେ ଖୋଜିଛନ୍ତି କେଇଜଣ । ନିଜ ସାଧ୍ୟମତେ ପ୍ଲାଷ୍ଟିକ ଆଦି ବିଭିନ୍ନ ଆର୍ବଜନାରୁ କେବଳ ପରିବେଶକୁ ପ୍ରଦୂଷଣମୁକ୍ତ କରିନାହାନ୍ତି ପରନ୍ତୁ ଏହି ଆବର୍ଜନାରୁ ସର୍ଜନା କରିଛନ୍ତି-ନୂଆ ନୂଆ ଜିନିଷ । ଯଦ୍ଦ୍ବାରା ପରିବେଶ ସ୍ବଚ୍ଛ ସୁନ୍ଦର ହେବା ସହ ଏହି ଆବର୍ଜନା ସେମାନଙ୍କ ପାଇଁ ରୋଜଗାରର ମାଧ୍ୟମ ବି ହୋଇପାରିଛି। ଜୀବନରେ ବ୍ୟବହୃତ ହେଉଥିବା ଭିନ୍ନ ଜିନିଷକୁ ବ୍ୟବହାର ପରେ ସମସ୍ତେ ଫିଙ୍ଗି ଦିଅନ୍ତି। ହେଲେ ସେହି ଫିଙ୍ଗା ହୋଇଥିବା ଭଙ୍ଗା ପ୍ଲାଷ୍ଟିକ, ବୋତଲ, ନଡ଼ିଆ ଷଢ଼େଇ, ରଦି କାଗଜ ଆଦିକୁ ଏମାନେ ଆଦରରେ ସାଉଁଟି ନିଅନ୍ତି ା ଆଉ ତାକୁ ନେଇ ଦିଅନ୍ତି ଏକ ନୂଆ ରୂପ ।  ଯାହାଫଳରେ ଏହି ଆର୍ବଜନା ପୁଣି ଥରେ ହୋଇଯାଏ ବ୍ୟବହାର ଉପଯୋଗୀ ।

ଭଙ୍ଗା ପ୍ଲାଷ୍ଟିକରେ କଳାକୃତି – ଏଲ୍‌.ଈଶ୍ୱର ରାଓ । ଜଟଣୀ ହାଟବଜାର ଅଞ୍ଚଳର ସେ ବାସିନ୍ଦା। ଯାହାକୁ ଅଦରକାରୀ ଭାବି ଲୋକେ ଏଣେତେଣେ ଫିଙ୍ଗିଦେଇଥାନ୍ତି ସେଥିରେ ଈଶ୍ୱର ତିଆରି କରନ୍ତି ବିଭିନ୍ନ ପ୍ରତିଛବି। ବିଶେଷକରି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ କରି ତାରି ମାଧ୍ୟମରେ ବିଭିନ୍ନ କଳାକୃତି ସେ ତିଆରି କରିଥାନ୍ତି। ଚତୁର୍ଥଶ୍ରେଣୀରେ ପଢିବା ସମୟରୁ ଈଶ୍ୱର ପ୍ରଥମେ ହିନ୍ଦୁଧର୍ମର ବିଭିନ୍ନ ଦେବଦେବୀଙ୍କ ଛୋଟ ଛୋଟ ମୂର୍ତ୍ତି ତିଆରି ଆରମ୍ଭ କରିଥିଲେ । ଏହି ନିଶା ତାଙ୍କୁ ଏପରି ଘାରିଥିଲା ସ୍କୁଲ ଶ୍ରେଣୀଗୃହ ମଧ୍ୟରେ ଚକ୍‌ଖଡି, ପେନ୍‌ସିଲ, ଦିଆସିଲି କାଠିରେ ବିଭିନ୍ନ ଡିଜାଇନ୍‌ ପ୍ରସ୍ତୁତ କରୁଥିଲେ । ଏଥିପାଇଁ ସେ ବାଇକ୍‌ର ସ୍ପୋକ୍‌ ସଂଗ୍ରହ କରି ଏହାରି ମାଧ୍ୟମରେ କରୁଥିଲେ । ପରେ ସେ ବାହାରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, କପ୍‌, ପ୍ଲେଟ, ତରଳିଯାଇଥିବା ମହମ, କୋଇଲା, ରବର,ବ୍ୟାଟେରୀ, ଅବ୍ୟବହୃତ ଫାଇବର ସିଟ୍‌ ଆଦି ସଂଗ୍ରହ କରି ସେଥିରେ ଅନେକ ମୂର୍ତ୍ତି ଓ ବିଭିନ୍ନ ଡିଜାଇନ୍‌ର କଳାକୃତି କରିବାକୁ ଲାଗିଲେ । ପ୍ଲାଷ୍ଟିକର ଭୟାବହତା ଓ ଶବ୍ଦ ପ୍ରଦୂଷଣ ଦ୍ୱାରା ହେଉଥିବା କ୍ଷତି ହିଁ ତାଙ୍କ କଳାକୃତିରେ ଅଧିକ ଦେଖିବାକୁ ମିଳିଲା ା ସେ କହନ୍ତି ଯୁଆଡ଼େ ବି ସେ ଯାଇଥାନ୍ତି ବାଟଘାଟରେ ଯେଉଁଠି ପଡ଼ିଥିବା ଅବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଓ ଅନ୍ୟ ବର୍ଜ୍ୟବସ୍ତକୁ ସଂଗ୍ରହ କରିନେଇଥାନ୍ତି । ୨୦୦୨ମସିହାରେ ଈଶ୍ୱର ଭୁବନେଶ୍ୱରସ୍ଥିତ ରାଜ୍ୟ ହସ୍ତ ତାଲିମ ପ୍ରତିଷ୍ଠାନ କେନ୍ଦ୍ରରେ ତାଲିମ ନେଇଥିଲେ । ଈଶ୍ୱର କୁହନ୍ତି ଏହାକୁ ବୃତ୍ତି ନୁହେଁ ନିଶାଭାବେ ଗ୍ରହଣ କରି ନେଇଛି। ସରକାରଙ୍କ ସହଯୋଗ ରହିଲେ ଏହି କଳାକୁ ଦେଶ ବିଦେଶରେ ପହଁଞ୍ଚାଇବାକୁ ପ୍ରଚେଷ୍ଟା କରିବି।

ପରିବେଶ ଚିନ୍ତାରେ ପତ୍ନୀପତି- ସେ ଜଣେ ସାମାଜିକ କର୍ମୀ ଭାବେ ରାଜ୍ୟରେ ବେଶ୍‌ ଜଣାଶୁଣା। ସମାଜସେବା ସହିତ ପରିବେଶ ସୁରକ୍ଷା ପାଇଁ ତାଙ୍କର ସବୁବେଳେ ଚିନ୍ତା। ପଲିଥିନମୁକ୍ତ ସ୍ବଚ୍ଛ ସୁସ୍ଥ ପରିବେଶ ନିମନ୍ତେ ସେ ସର୍ବଦା କାଯର୍‌ୟ କରି ଆସୁଛନ୍ତି। ଏହାଛଡ଼ା ଭୁବନେଶ୍ୱର ଉପକଣ୍ଠସ୍ଥ ଚନ୍ଦକା ଜଙ୍ଗଲରେ ମାଟିରେ ବିଭିନ୍ନ ଫଳର ମଞ୍ଜିକୁ ରଖି ମାଟିପେଣ୍ଡୁଳା ବିହନ ପ୍ରଣାଳୀରେ ବିଭିନ୍ନ ଗଛର ମଞ୍ଜିକୁ ବୃକ୍ଷସୃଷ୍ଟି ନିମନ୍ତେ ଫିଙ୍ଗିଥାନ୍ତି ଜଙ୍ଗଲର ଅଗନାଅଗନି ଜାଗା ମଧ୍ୟକୁ । ପୁଣି ଘରେ ବର୍ଜ୍ୟବସ୍ତୁରୁ ସେ ବିଭିନ୍ନ ପୁନଃ ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ସେ ହେଲେ ସୁଶାନ୍ତ କୁମାର ସାହୁ, ପିତା ସତ୍ୟନାରାୟଣ ସାହୁ, ମା’ ମନୋରମା ସାହୁ। ଘର ନୟାଗଡ଼ ଜିଲାର ଖଣ୍ଡପଡ଼ା ଗ୍ରାମରେ। ମାତ୍ର ସେ ରୁହନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ। ସେ କୁହନ୍ତି ବିଭିନ୍ନ ସାମାଜିକ କ୍ଷେତ୍ରରେ କାଯର୍‌ୟ କରିବାର ସୁଯୋଗ ମିଳିଥିବାରୁ ମନରେ ଅନେକ ନୂତନ ଚିନ୍ତା ସୃଷ୍ଟି ହୋଇଥିଲା। ଘରେ ବଳକା ସମୟରେ ନିଜର ବ୍ୟବହାର ଉପଯୋଗୀ କେତେକ ପୁରୁଣା ଲୁଗାପଟାରୁ ବିଭିନ୍ନ ପ୍ରକାରର ପାବଛ ତଆରି କରିଛି। ଏଣେତେଣେ ପଡ଼ୁଥିବା ପ୍ଲାଷ୍ଟିକ ପାଣି ବୋତଲକୁ ସଂଗ୍ରହ କରି ସେଥିରେ ମାଟି ରଖି କେତେକ ପ୍ରଜାତିର ଗଛ ଲଗାଇଛି। ଛୋଟଛୋଟ ପଥର,ଗୋଡ଼ି ଓ ଜରିରେ ସୁନ୍ଦର ସୁନ୍ଦର ଖେଳନା ତିଆରି କରିଛି। ଘରେ ବ୍ୟବହୃତ କୋଲଡ୍ରିଙ୍କସ ପ୍ଲାଷ୍ଟିକ ବୋତଲ ଏବଂ ରାସ୍ତାକଡ଼, ଆଖପାଖ ଦୋକାନରୁ ଭଙ୍ଗାଫଟା ପ୍ଲାଷ୍ଟିକ ଡବା,ବିସ୍କୁଟ ଡବା, ଘିଅଡ଼ବା,ମାଟିରେ ପୋଡ଼ା ଯାଇଥିବା କୋଡ଼ୁଆ,କଳସ ଆଦି ସଂଗ୍ରହ କରେ। ତାକୁ ନେଇ ଛାତ ଉପରେ ଭେଣ୍ଡି, ଲଙ୍କା, ଧନିଆପତ୍ର,ଗେଣ୍ଡୁଫୁଲ, ଆହୁରି ଅନେକ ପ୍ରକାରର ଗଛ ଲଗାଇଛି। ତେବେ ଭୁବନେଶ୍ୱରରେ ମାଟି ,ଖତ ସଜହରେ ମିଳିପାରେ ନାହିଁ। କେତେକ ବୋଲତରେ ପାଣି ରଖି ବିଭିନ୍ନ ପ୍ରକାରର ଗଛକୁ ବଢାଇଛି। ମାଟିରେ ଯେପରି ଜୀବନ ରହିଛି ପାଣିରେ ମଧ୍ୟ ସେହିପରି ଜୀବନ ଅଛି। ମାଟିରେ ପୋଡ଼ା ହୋଇଥିବା ମାଟିକୁଡ଼ୁଆଗୁଡ଼ିକ ବି ପାଣିରେ ମିଶି ନ ଥାଏ। ତେଣୁ ସେଗୁଡ଼ିକ ବିଭିନ୍ନ ଜୀବଜନ୍ତୁଙ୍କ ପାଇଁ ବ୍ୟବହାର ଯୋଗ୍ୟ ପାଣିପାତ୍ର କରାଯାଇପାରେ। ସେହିପରି ଭାବେ ତାଙ୍କ ଧର୍ମ ପତ୍ନୀ ଅନୁସୂୟା ସାହୁ ଜଣେ ଚିତ୍ରଶିଳ୍ପୀ , ସେ ମଧ୍ୟ ପର୍ଯ୍ୟାବରଣକୁ ସୁସ୍ଥ ସୁନ୍ଦର, ସବୁଜ ରଖିବା ପାଇଁ ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ଯଥା- ନଡ଼ିଆ ଷଢ଼େଇ,ନଡ଼ା ବା କୁଟା ଆଦିରେ ସୁନ୍ଦର ସୁନ୍ଦର ଚିତ୍ର ତିଆରି କରିଛନ୍ତି। ଛୋଟଛୋଟ ପିଲାମାନଙ୍କୁ ଘରେ ଚିତ୍ର ଶିକ୍ଷା ମାଧ୍ୟମରେ ପରିବେଶ ସୁରକ୍ଷା ସମ୍ପର୍କୀୟ ଶିକ୍ଷା ଦେଇଥାନ୍ତି।

ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ ବୋତଲକୁ ନେଇ ରୋକାଗଲା ମୃତ୍ତିକାକ୍ଷୟ : ପରିବେଶ ସୁରକ୍ଷା ଓ ପ୍ରଦୂଷଣମୁକ୍ତ ପରିବେଶ ଆଜିର ଏକ ବଡ଼ ଆହ୍ବାନ । ମାଲକାନଗିରି ଜିଲା ସଦରମହକୁମାର ଭୈରବୀ ମନ୍ଦିର ନିକଟ ଜଙ୍ଗଲରେ ଥିତ୍ବା ନାଳଗୁଡ଼ିକରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦ୍ୱାରା ଚେକ୍‌ ଡ୍ୟାମ ନିର୍ମାଣ କରିଛି ବନବିଭାଗ। ଫଳରେ ଜଳସ୍ରୋତକୁ ଅଟକାଇବା ଏବଂ ମୃତ୍ତିକା କ୍ଷୟ ରୋକିବା ପାଇଁ ବନ ବିଭାଗ ଅଭିନବ ଉପାୟ ଅବଲମ୍ବନ କରଛି। ଜିଲା ପରିବେଶ ସମିତି ପକ୍ଷରୁ ଗତବର୍ଷ ସହରରେ ପ୍ରାୟ ୫ଦିନ ଧରି ବିଭିନ୍ନ ଓ୍ବାର୍ଡ ଏବଂ ମୁଖ୍ୟରାସ୍ତାକଡ଼ରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ ଏବଂ ଜରି ସଂଗ୍ରହକରି ସେଥିରେ ଜାଲି ପ୍ରସ୍ତୁତ କରାଯାଇଥିଲା। ଏଥିରେ ୨୫୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ସବୁଜ ବାହିନୀ ଛାତ୍ରୀଛାତ୍ରମାନେ ସାମିଲ ହୋଇଥିଲେ। ପରୀକ୍ଷାମୂଳକ ଭାବେ ଛୋଟ ଛୋଟ ନାଳରେ ପ୍ଲାଷ୍ଟିକ ବୋତଲ ଦ୍ୱାରା ବନ୍ଧ ବାନ୍ଧି ପାଣିକୁ ଅଟକାଇବା ପାଇଁ ପ୍ରୟାସ କରାଯାଇଥିଲା। ଏହା ସମ୍ପୂର୍ଣ ସଫଳ ନ ହେଲେବି ଅନେକ ସ୍ଥାନରେ ମୃତ୍ତିକା ସଂରକ୍ଷଣ ଓ ଜଳ ସଂରକ୍ଷଣ ସହ ନାଳର ଉପର ମୁଣ୍ଡରେ ପ୍ରଚୁର ଉର୍ବର ମାଟି ସଂରକ୍ଷଣ ହୋଇପାରିଲା। ଜୈବିକ ସାର ଯୁକ୍ତ ମାଟିକୁ ଅନେକ ଗ୍ରାମବାସୀ ନେଇ ପନିପରିବା ଏବଂ ଫୁଲ କୁଣ୍ଡରେ ବ୍ୟବହାର କରି ସୁଫଳ ପାଇଥିଲେ ା ଗୋଇ ପର୍ବତର ୧୮ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା କେତେକ ନାଳରେ ପ୍ଲାଷ୍ଟିକ ବୋତଲ ଦ୍ୱାରା ଚେକ୍‌ ଡ୍ୟାମକରି ମୃତ୍ତିକା ଏବଂ ଜଳ ସଂରକ୍ଷଣ ସହ ଜୈବିକ ସାର ସୃଷ୍ଟି କରି ପାରିଛନ୍ତି ା ଜଙ୍ଗଲ ମଧ୍ୟରେ ଥିବା ଝରଣା ଏବଂ ନାଳର ଉଭୟ ପାର୍ଶ୍ୱ ମୃତ୍ତିିକା କ୍ଷୟରୁ ରକ୍ଷା ହୋଇଛି। ଅନେକ ଦିନଧରି ସେହି ସ୍ଥାନରେ ଜଳ ସଂରକ୍ଷିତ ହେଇ ରହୁଥିବାରୁ ଭୂତଳ ଜଳ ଦ୍ୱାରା ବୃକ୍ଷ ରାଜି ସହଜରେ ନଷ୍ଟ ହେଉନାହିଁ ଏବଂ ପ୍ରଚୁର ପରିମାଣର ଖାଦ୍ୟ ଜଳ ପାଇଥାଏ। ଏ ସମ୍ପର୍କରେ ମାଲକାନଗିରି ଡି.ଏଫ୍‌.ଓ. ପ୍ରଦୀପ ଦେବିଦାଶ ମିରାଶେ କହିଛନ୍ତି ଯେ ଗତବର୍ଷ ଠାରୁ ମାଲକାନଗିରି ବନ ବିଭାଗ ବିଭିନ୍ନ ଜଙ୍ଗଲରେ ଅଦରକାରୀ ପ୍ଲାଷ୍ଟିକ ବୋତଲ ଦ୍ୱାରା ନାଳ ଏବଂ ଝରଣାଗୁଡ଼ିକରେ ଚେକ୍‌ଡ୍ୟାମ ନିର୍ମାଣାଧୀନ ରହିଛି। ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବା ସହ ଯେଉଁମାନେ ଅଦରକାରୀ ବୋତଲ ସଂଗ୍ରହ କରୁଛନ୍ତି ସେମାନେ ବନ ବିଭାଗକୁ ଏହା ବିକ୍ରୟ କରିପାରିବେ। ମାଲକାନଗିରି ଜିଲାରେ ସାତଟି ବନାଞ୍ଚଳକୁ ଏହା ସମ୍ପ୍ରସାରିତ କରାଯିବ।

ପରିବେଶ ସୁରକ୍ଷା ପାଇଁ ଜନସଚେତନତା ଜରୁରୀ –ଦିନକୁ ଦିନ ପୃଥିବୀପୃଷ୍ଠରେ ଜନସଂଖ୍ୟା ବୃଦ୍ଧି ଘଟିବା ସହିତ ପରିବେଶ ଦୂଷିତ ହେବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ପ୍ରଦୂଷଣମୁକ୍ତ ପରିବେଶ ନିମନ୍ତେ ସାମାଜିକ ଅନୁଷ୍ଠାନ ଆଇ.ଆଇ.ସି.ର ନିର୍ଦ୍ଦେଶକ ଡ.ଶିଶିର କୁମାର ଦାସ କୁହନ୍ତି କେତେକ କ୍ଷେତ୍ରରେ ବିଭିନ୍ନ ସୂତ୍ରର ଯୋଜନା ପ୍ରସ୍ତୁତ କରି ବିଶେଷଜ୍ଞଙ୍କ ପରାମର୍ଶରେ ସମାଜର ବିଭିନ୍ନ ସ୍ତରରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି। କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଓ ତା’ର ପୁନଃ ଉପଯୋଗୀ ବ୍ୟବସ୍ଥାକୁ ନେଇ କିପରି ସୁଯୋଗ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ସଚେତନତା ଜରୁରୀ। ଏହାସହ ଗାଁ ଓ ସହର ଅଞ୍ଚଳର ଅଦରକାରୀ ଜମିରେ କ’ଣ କରାଗଲେ ସେଥିରେ ପ୍ରକୃତିର ସୁରକ୍ଷା ସହିତ ବ୍ୟକ୍ତି ଲାଭବାନ୍‌ ହୋଇପାରିବେ ସେ ସମ୍ପର୍କରେ କର୍ମଶାଳା କରିଥାନ୍ତି। । ଯେମିତିି ଅଦରକାରୀ ରଦ୍ଦି କାଗଜକୁ ନେଇ ଏକ ପେନ୍‌ ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି। ଏପରିକି ବର୍ଜ୍ୟବସ୍ତୁରୁ ସୃଷ୍ଟ ଜୈବସାରକୁ କୃଷି କ୍ଷେତ୍ରରେ ପ୍ରୟୋଗକରି କିପରି ଅଧିକରୁ ଅଧିକ ଲାଭବାନ୍‌ ହୋଇପାରିବେ ତା’ର ଉପରେ ଗୁରୁତ୍ୱାରୋପ କରାଯାଉଛି। ଅନ୍ୟପକ୍ଷେ ଜୈବିକ ସାରରୁ ବିଦ୍ୟୁତ୍‌ ଉତ୍ପାଦନ କିପରି ହୋଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥାନ୍ତି। ତେବେ ବର୍ଜ୍ୟବସ୍ତୁ କିପରି ଲୋକମାନଙ୍କର ବିଭିନ୍ନ କାମରେ ଆସିପାରିବ ସେ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି।
ଅଦରକାରୀ ଷଢ଼େଇରୁ ସୃଷ୍ଟି କଳାକୃତି-ଅଦରକାରୀ ନଡ଼ିଆ ଷଢେଇ, କତାକୁ ନେଇ ବିଭିନ୍ନ ରକମର ଖେଳନା, ଘର ସାଜସଜ୍ଜା, ବ୍ୟବହାର ଉପଯୋଗୀ କେତେକ ସାମଗ୍ରୀ ପ୍ରସ୍ତୁତ କରି କାରିଗରମାନେ ନିଜ ନିଜର ଜୀବିକା ନିର୍ବାହ ସହିତ ଆମ ରାଜ୍ୟର କଳାକୃତିର ସ୍ବତନ୍ତ୍ର ପରିଚୟ ଦେଇଥାନ୍ତି। ତେବେ ଏହି ଅଦରକାରୀ ଦ୍ରବ୍ୟରୁ ବିଭିନ୍ନ ସାମଗ୍ରୀ ତିଆରି ପାଇଁ ସାକ୍ଷୀଗୋପାଳ ,ପୁରୀ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। ଏଥିରେ ପେନଷ୍ଟାଣ୍ଡ, ଚା’ କପ୍‌, ମନିପର୍ସ, ସିଂହ,ହାତୀ,ଘୋଡ଼ା,କୁକୁଡ଼ା ଆଦି ଖେଳନା ତିଆରି କରିଥାନ୍ତି। ସେହିପରି କାଗଜମୁଖା ଏକ ପାରମ୍ପରିକ ଚିତ୍ରକଳା ା ରଘୁରାଜପୁର, ଦାଣ୍ଡସାହି, ପୁରୀ ଚିତ୍ରକାର ସାହି, ବାଲିସାହି ଏବଂ ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ତିଆରି ହୁଏ। ରଘୁରାଜପୁରରେ ଏହି କଳା ଏବେ ବି ଜୀବିତ ଅଛି । ଏହି କଳା ପ୍ରସ୍ତୁତ ପାଇଁ ପୁରୁଣା ଖବରକାଗଜ, କଇଁଆ ମଞ୍ଜି ଅଠା, ମାଟି ଛାଞ୍ଚ ଦ୍ୱାରା ପରସ୍ତ ପରସ୍ତ କାଗଜ ପକାଯାଇ ତା’ପରେ ଗୋବର ମାଟି ଦ୍ୱାରା ତିଆରି କରାଯାଇ ତା’ ପରେ ଖଡ଼ିଗୁଣ୍ଡ ଲେପ ପରେ ପ୍ରାକୃତିକ ରଙ୍ଗ କରାଯାଇଥାଏ।

ଗୋମୟରୁ ସର୍ଜନା-:ଗୋବରକୁ ନେଇ କେବଳ ଜୈବିକସାର ହୋଇପାରେ ତା’ ନୁହେଁ ଗୋବରରେ ବିଭିନ୍ନ ପ୍ରକାରର ଖେଳନା , ହୋମଯଜ୍ଞ ନିମନ୍ତେ ଜାଳେଣି ଜଡ଼ିବୁଟି ପ୍ରସ୍ତୁତ କରାଯାଇପାରେ। ତେବେ ଏପରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ହେଲେ ବିବୁଧେନ୍ଦ୍ର ବିଦ୍ୟାଧର , ପିତାଙ୍କ ନାମ ବିଷ୍ଣୁ ପ୍ରସାଦ ଜେନା, ମା ଶ୍ରୀମତୀ ପ୍ରଭାତି ଜେନା । ଘର ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର ମଦନପୁର ଗ୍ରାମରେ। ସେ କୁହନ୍ତି ୧୯୬୬ମସିହାରେ ଆରମ୍ଭ ହୋଇଥିବା ସବୁଜ ବିପ୍ଳବ ପରେ ମାତ୍ରାଧିକ ସାର ଓ କୀଟନାଶକ ପ୍ରୟୋଗ ଫଳରେ ଜମିରେ ଅଧିକ ଅମଳ ହେଲା କିନ୍ତୁ ପରବର୍ତ୍ତୀ ସମୟରେ ଜମିରୁ ଉର୍ବରତା କମିବା ସହିତ ଅନେକ ପ୍ରକାରର ରୋଗବ୍ୟାଧିରେ ପ୍ରାଣୀଜଗତ ଆକ୍ରାନ୍ତ ହେଲେ। ମାତ୍ର ଜୈବିକ ଉପାୟରେ ଚାଷ କରିବାକୁ ହେଲେ ଗୋବଂଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଜଙ୍ଗଲରେ ଯେଉଁ ବୃକ୍ଷଲତା ବଢ଼େ ଆମେ ସେଥିରେ ସାରଖତ ଦେଇ ନଥାଉ ତାହା ଉତ୍ତମଭାବେ ବଡ଼ିଥାଏ। ଏବେ ଘରେ ବଳକା ପନିପରିବାର ଚୋପା ପଚାଅଂଶ ଗଛରପତ୍ରକୁ ନେଇ ଏକ ଖାତକରି ସେଥିରେ ଜୈବିକ ଖତ ପ୍ରସ୍ତୁତ କରିଥାଏ। ଗୋବରରେ ଦୀପ, ଧୂପଷ୍ଟାଣ୍ଡ, ଶ୍ରୀଗଣେଶଙ୍କ ମୂର୍ତ୍ତି ପ୍ରସ୍ତୁତ କରିଥିଲୁ। ଏବେ ଏହା କେତେକଙ୍କ ପାଇଁ ରୋଜଗାର ବାଟ ଦେଖାଇଛି।

ମଦ ବୋତଲରେ ଚିତ୍ରକଳା :ପିଲା ବେଳୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ଏବେ ଅଦରକାରୀ ମଦ ବୋତଲରେ ଆଙ୍କୁଛନ୍ତି ମ୍ୟୁରାଲ ଆର୍ଟ। ମ୍ୟୁରାଲ ଆର୍ଟର ଅର୍ଥ ହେଉଛି, କୌଣସି କାନ୍ଥ କିମ୍ବା ଅନ୍ୟ କୌଣସି ସ୍ଥାନରେ ଚିତ୍ରକଳାକୁ ସ୍ଥାନ ଦେବା । ଏଥିରେ ପ୍ରାୟତଃ ପ୍ରାଚୀନ ସଂସ୍କୃତିକୁ ଚିତ୍ର ମାଧ୍ୟମରେ ସ୍ଥାନିତ କରାଯାଏ । ମ୍ୟୁରାଲ୍‌ ଆର୍ଟ ଗୁଡ଼ିକ ୫୦୦ରୁ ୧୦୦୦ଟଙ୍କା ଦରରେ ବିକ୍ରି ହେଉଛି । ଏହି ପ୍ରତିଭା ଜଣଙ୍କ ହେଉଛନ୍ତି ପୁରୀ ଜିଲା କଣାସ ବ୍ଲକ ଅଣ୍ଡାରସିଂହ ଗ୍ରାମର ବିଶ୍ୱରେଖା ଜଗଦ୍ଦେବ । ବାପା ବିକ୍ରମ କୁମାର ଜଗଦ୍ଦେବ ଓ ମା’ ଗଗନୀ ଦେଈ। ସେ ହାଇଦ୍ରାବାଦରେ ସଫ୍ଟୱେୟାର ଡେଭଲପର ଭାବେ ଏକ ଅନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ହେଲେ ଚିତ୍ରକଳାକୁ ନିଶା ଭାବେ ବାଛି ନେଇଛନ୍ତି। ଚିତ୍ର ଆଙ୍କିବାର ପ୍ରେରଣା ସେ ତାଙ୍କ ବାପା, ମା’ଙ୍କ ଠାରୁ ପାଇଛନ୍ତି ବୋଲି କୁହନ୍ତି । ଭୁବନେଶ୍ୱରରେ ରହି ପାଠ ପଢ଼ିବା ସମୟରେ ହିଁ ସେ ସର୍ବାଧିକ ମ୍ୟୁରାଲ ଆର୍ଟ ସୃଷ୍ଟି କରିଛନ୍ତି । ମଦ ବୋତଲ, ମୃଦ୍ୟୁପାନୀୟ ବୋତଲରେ ପଟଚିତ୍ର ଆଙ୍କୁଛନ୍ତି। ପଟଚିତ୍ର ଗୁଡ଼ିକର ମୂଲ୍ୟ ଅଧିକ ଦରରେ ବିକ୍ରି ହୁଏ । ଏହାଛଡ଼ା ପ୍ରକୃତିକୁ ଆଧାର କରି କରାଯାଉଥିବା ମ୍ୟୁରାଲ ଆର୍ଟ ଗୁଡ଼ିକର ଚାହିଦା ଅଧିକ ରୁହେ ବୋଲି ବିଶ୍ୱରେଖାଙ୍କ ମତ । ତାଙ୍କର ପ୍ରଥମ କଳାକୃତି ଥିଲା ଏକ ମଦ ବୋତଲରେ ପଟଚିତ୍ର । ଏହାକୁ ସେ ମାତ୍ର୧୦୦ଟଙ୍କାରେ ନିଜର ଜଣେ ବନ୍ଧୁଙ୍କୁ ବିକ୍ରି କରିଥିଲେ । ଏହା ପରଠାରୁ ସେ କଳାକୃତି ବନ୍ଦ କରି ନାହାନ୍ତି । ଏପରିକି ଅନଲାଇନ ଯୋଗେ ମଧ୍ୟ ତାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି । ଫୋଫାଡ଼ି ଦିଆଯାଉଥିବା ସାମଗ୍ରୀକୁ ଚିତ୍ରଣ କରିବା ସମ୍ପର୍କରେ ସେ କୁହନ୍ତି ଅଦରକାରୀ ବସ୍ତୁ ଯେତେବେଳେ ଆକର୍ଷଣୀୟ ହୋଇଯାଏ ତାକୁ ସମସ୍ତେ ଗ୍ରହଣ କରନ୍ତି। ରାସ୍ତାକଡ଼ରେ ପଡ଼ିଥିବା ମଦବୋତଲକୁ ସଂଗ୍ରହ କରି ସେ ଘରକୁ ଆଣନ୍ତି । କେମିକାଲ ଦେଇ ତାକୁ ସଫା କରିନ୍ତି। ପରେ ଏକ ରଙ୍ଗର ପ୍ରଲେପ ମଦବୋତଲରେ ଦେବା ପରେ ଏଥିରେ ନିର୍ଦ୍ଦିଷ୍ଟ ଚିତ୍ରକଳା ଚିତ୍ରଣ ହୋଇଥାଏ। ଏହା ଛଡ଼ା ପଲିଥିନ ଟିସୁ ପେପର ଓ କାଗଜଖୋଳକୁ ବ୍ୟବହାର କରି ସେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି।

ପରିବେଶ ପାଇଁ ଅହରହ ଚିନ୍ତା କରୁଥିବା ଏହି ମଣିଷମାନେ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ।

-ରୋଜାଲିନ ମହାନ୍ତି, ବନବିହାରୀ ବେହେରା
କୁମାରଶ୍ରୀ ସାହୁ, ଶ୍ରୀକାନ୍ତ ପରିଜା,
କିଶୋର ମହାପାତ୍ର, ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri