Posted inଖେଳ

ଆଇସିସି ବିଶ୍ୱକପ୍‌: ଭାରତ- ପାକିସ୍ତାନ ହାଇଭୋଲ୍‌ଟେଜ ମୁକାବିଲା

ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଭାରତୀୟ ଦଳ ପୁଣି ଥରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ରବିବାର ଖେଳାଯିବକୁ ଥିବା ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ବର୍ଷା ତଥା ଖରାପ୍‌ ପାଗ କାରଣରୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱରେ ପାକିସ୍ତାନ ମଧ୍ୟ ବିଜୟୀ ହୋଇ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି।
ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକଓ କୂଟନୈତିକ ତିକ୍ତତା ଏହି ମ୍ୟାଚର ଗୁରୁତ୍ୱକୁ ଆହୁରି ବଢାଇଦେଇଛି। ଏହା ଏକ ସାଧାରଣ ମ୍ୟାଚ୍‌ ନୁହଁ। ଏହା ଏକ ସ୍ବତନ୍ତ୍ର ମ୍ୟାଚ୍‌ ବୋଲି ଦୁଇ ଦେଶର ଖେଳାଳି ଓ ପ୍ରଶଂସକମାନେ ହୃଦୟଙ୍ଗମ କରିଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ପାକିସ୍ତାନ ବାଜି ମାରିଥିଲା। ଦ୍ରୁତ ବୋଲର ମହମ୍ମଦ ଆମୀର ପ୍ରଥମ ୩ଟି ଉଇକେଟ ନେଇ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଭାରତ ଅତି ସହଜରେ ମ୍ୟାଚ୍‌ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ତେଣୁ ଏଥର ଆମୀରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ସ୍ବତନ୍ତ୍ର ମନୋଭାବ ନେଇ ପଡିଆକୁ ଓହ୍ଲାଇବାକୁ ଅଧିନାୟକ କୋହଲି କହିଛନ୍ତି। ଭାରତ- ପାକିସ୍ତାନ ମ୍ୟାଚ୍‌ ସହିତ ଭାବପ୍ରବଣତା ଜଡିତ ରହିଥାଏ। ଫଳରେ ଏହି ମ୍ୟାଚ୍‌ କେତେଜଣ ହିରୋ ଓ ଖଳନାୟକ ସୃଷ୍ଟି କରିଥାଏ। ୧୯୯୬ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ସେତେବେଳର ତାରକା ଦ୍ରୁତ ବୋଲର ଓ୍ବାକର ୟୁନିସ୍‌ଙ୍କୁ ନିର୍ଦ୍ଧୁମ ପ୍ରହାର କରି ଅଜୟ ଜାଡେଜା ଦମ୍‌ଦାର ପ୍ରଦର୍ଶନ କରି ସବୁଦିନ ପାଇଁ ହିରୋ ବନିଯାଇଥିଲେ। ସେହିପରି ୧୯୮୭ ବିଶ୍ୱକପ୍‌ରେ ଇଡେନ୍‌ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚ୍‌ରେ ସଲିମ ମଲିକ ୩୫ ବଲରୁ ୭୨ ରନ କରି ଷ୍ଟାଡିୟମରେ ୯୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲେ। ଲୋକେ ଏହି ମ୍ୟାଚ୍‌ଗୁଡିକୁ ଏପର୍ଯ୍ୟନ୍ତ ମନେ ରଖିଛନ୍ତି। ପରେ ଏହି ଦୁଇ କ୍ରିକେଟର ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ଥିବା କଥା ଜଣାପଡିଥିଲେ ମଧ୍ୟ ପ୍ରଶଂସକ ଏହି ଦୁଇଟି ମ୍ୟାଚ୍‌ ଓ କ୍ରିକେଟରଙ୍କୁ ମନେରଖିଛନ୍ତି। ସେହିପରି ବିଶ୍ୱକପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଥିଲେ ମଧ୍ୟ ଚେତେନ ଶର୍ମା ୧୯୮୬ରେ ଶାରଜାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଶେଷ ବଲ୍‌ରେ ଫୁଲ ଟସ୍‌ ପକାଇ ଜାଭେଦ ମିଁଆଦାଦଙ୍କୁ ଛକା ଦେଇ ସବୁଦିନ ପାଇଁ ଖଳନାୟକ ବନିଯାଇଥିଲେ। ସେହିପରି ୧୯୯୮ରେ ଢାକାରେ ଖେଳାଯାଇଥିବା ଏକ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଭାରତ ହୃଷୀକେଶ କାନିତ୍‌କର ଶେଷ ବଲରେ ପାକିସ୍ତାନର ସାକଲିନ୍‌ ମୁସ୍ତାକଙ୍କୁ ଚୌକା ମାରି ଭାରତକୁ ଜିତାଇଥିଲେ। ଲୋକେ ଏପର୍ଯ୍ୟନ୍ତ ଏଥିପାଇଁ କାନିତକରଙ୍କୁ ମନେ ରଖିଛନ୍ତି।
ଏହି ମ୍ୟାଚ୍‌ରେ ଆମୀରଙ୍କ ପ୍ରଥମ ସ୍ପେଲ ଉପରେ ସମସ୍ତଙ୍କ ନଜର ରହିବ। ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆମୀର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତେଣୁ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ନିଶ୍ଚିତ ଭାବେ ପରୀକ୍ଷାର ସମ୍ମୁଖୀନ ହେବେ। ପାକିସ୍ତାନ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହି ଆସିଛି। ୨୦୧୫ ବିଶ୍ୱକପ୍‌ରେ କୋହଲି ଆଡିଲେଡ୍‌ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ଏଥର ମଧ୍ୟ କୋହଲି ଏହି ସଫଳତା ଦୋହରାଇବେ ବୋଲି ଆଶା କରାଯାଉଛି। ତେଣୁ ପାକିସ୍ତାନ ଯୁବ ଦ୍ରୁତ ବୋଲର ହାସନ ଅଲି ଓ ଶାହୀନ ଶାହ ଆଫ୍ରିଦି ପରୀକ୍ଷାର ସମ୍ମୁଖୀନ ହେବେ। ପୂର୍ବରୁ ଏହି ଦୁଇ ବୋଲର କୋହଲିଙ୍କୁ ବୋଲିଂ କରି ନାହାନ୍ତି।
ଓଲ୍ଡ ଟ୍ରାଫର୍ଡର ଏହି ଗ୍ରାଉଣ୍ଡରେ ବଲ ସିମ୍‌ କରିବା ସହ ସୁଇଂ ମଧ୍ୟ କରିବ। ତେବେ ଏହା ସତ୍ତ୍ୱେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ପିଚ୍‌ ଉପଯୋଗୀ ସାବ୍ୟସ୍ତ ହେବ ଓ ଏହି ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି।
ମିଡଲ ଅର୍ଡରକୁ ନେଇ ଭାରତର ସମସ୍ୟା ରହିଛି। ଦୀନେଶ କାର୍ତ୍ତିକଙ୍କ ଅଭିଜ୍ଞତା କାମରେ ଆସିବ। ତେବେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଖେଳାଇବ କି ନା ତାହା ଦେଖିବାକୁ ବାକି ରହିଲା। ତେବେ ଯଦି ବିଜୟ ଶଙ୍କରଙ୍କୁ ଭାରତ ୪ ନମ୍ବରରେ ଖେଳାଏ ତାହେଲେ ସେ କିଛି ଓଭର ବୋଲିଂ କରିବେ। ତେବେ କାର୍ତ୍ତିକ ଚାପର ସଫଳ ମୁକାବିଲା କରିପାରିବେ। ସ୍ପିନ ବିପକ୍ଷରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭଲ ଖେଳୁଥିବାରୁ ଓ ଦ୍ରୁତ ବୋଲରଙ୍କୁ ସୁହାଇବା ପରିସ୍ଥିତିରେ କୋହଲି ଦୁଇ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ବସାଇ ମହମ୍ମଦ ସାମିଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବେ ବୋଲି ଆଶା କରାଯାଉଛି। କାରଣ ଏହି କଣ୍ଡିସନରେ ସାମି ଜବରଦସ୍ତ ପ୍ରଦର୍ଶନ କରିବାର କ୍ଷମତା ରଖନ୍ତି। ଯଶପ୍ରୀତ ବୁମ୍‌ରା ଗତ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ର ଓଭରଷ୍ଟପ୍‌ ଭୁଲ୍‌କୁ ଦୋହରାଇବେ ନାହିଁ ବୋଲି ଆଶା କରାଯାଉଛି। ଭୁବନେଶ୍ୱର କୁମାର ମଧ୍ୟ ଲାଇନ୍‌ ଲେନ୍ଥ ବଜାୟ ରଖି ଅଫ୍‌ ଷ୍ଟମ୍ପ ଉପରେ ବଲ୍‌ ରଖିବେ। ମହମ୍ମଦ ହାଫିଜଙ୍କ ଅଭିଜ୍ଞତା ଏହି ମ୍ୟାଚ୍‌ରେ କାମଦେବ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଆଉ ଏକ ଧୂଆଁଧାର ଇନିଂସ ଦେଖିବାକୁ ପ୍ରଶଂସକମାନେ ଆଶା ରଖିଛନ୍ତି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଏଭଳି ମ୍ୟାଚ୍‌ରେ ଦଳକୁ ଦିଗ୍‌ଦର୍ଶନ ଦେବେ। ଉଇକେଟ ପଛରେ ରହି ସେ କୋହଲି ଓ ଅନ୍ୟ ଖେଳାଳିଙ୍କୁ ଗାଇଡ କରିବେ। ଯଦି ବର୍ଷା ନ ହୁଏ ଏହି ମ୍ୟାଚ୍‌ ଐତିହାସକ ହେବ ବୋଲି କୁହାଯାଇପାରେ। ପୁଣି ଥରେ ସାରା ବିଶ୍ୱର ପ୍ରଶଂସକ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ରୋହିତ ଶର୍ମା, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା ଓ ଶିଖର ଧାଓ୍ବନ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜାମାନ, ଇମାମ ଉଲ୍‌ ହକ୍‌, ବାବଦ ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସନେନ, ଶାହୀନ ଶାହ ଆଫ୍ରିଦି, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନ ଷ୍ଟିକର ନେଇ ପରିବହନ ବିଭାଗର ବଡ଼ ଘୋଷଣା, ସବୁ RTOରେ ଖୋଲିବ….

ଭୁବନେଶ୍ବର, ୨/୧:  ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ...

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଇନ୍ଦୋରରେ ବିଷାକ୍ତ ପାଣି ଯୋଗୁ ୧୫ ଜଣଙ୍କ ମୃତ୍ୟୁ, ବାନ୍ତି -ଝାଡ଼ାରେ ୩୩୮ ଆକ୍ରାନ୍ତ, ଆଇସିୟୁରେ ୩୨ ରୋଗୀ

ଇନ୍ଦୋର,୨।୧: ମଧ୍ୟପ୍ରଦେଶ ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ପାଣି ଯୋଗୁ ଅସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ୩୩୮ ଜଣ ନୂଆ ରୋଗୀ...

ଆସନ୍ତାକାଲି ଦେଖିବାକୁ ମିଳିବ ସୁପରମୁନ୍‌, ତା’ ପରେ ଆଉ କେବେ ଜାଣନ୍ତୁ…

ଭୁବନେଶ୍ୱର,୨ା୧: ଆସନ୍ତାକାଲି ଅର୍ଥାତ୍‌ ଶନିବାର ବର୍ଷର ପ୍ରଥମ ‘ସୁପରମୁନ’ ଦେଖିବାକୁ ମିଳିବ। ପୌଷ ପୂର୍ଣ୍ଣିମା ତିଥିରେ ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ। ସେହିପରି ୨୦୨୬ର ଦ୍ବିତୀୟ...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

EVM: କର୍ନାଟକରେ ନିର୍ବାଚନ ଆୟୋଗଙ୍କ ସର୍ଭେରେ ପାସ୍‌ କଲା ଇଭିଏମ୍‌, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତୃତ୍ୱାଧୀନ କର୍ନାଟକ ସରକାର ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ସର୍ଭେରେ ଇଭିଏମ ଉପରେ ଜନସାଧାରଣଙ୍କ ଦୃଢ଼ ଆସ୍ଥା ପାଇଛନ୍ତି। ଏହି...

କଳିଯୁଗର ପୁଅ: ନିଜ ବାପାଙ୍କୁ ହତ୍ୟା କରିବାକୁ ଦେଇଥିଲେ ୫ ଲକ୍ଷ ଟଙ୍କା ସୁପାରି, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା (IAF) ଅଧିକାରୀଙ୍କ ଗୁଳିମାଡ଼ ଘଟଣାରେ ଗାଜିଆବାଦ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି। ପୋଲିସ ଦାବି କରିଛି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri