Posted inଜାତୀୟ

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି ଦେଶର ବିଭିନ୍ନ ଭାଗର ଦମ୍ପତିମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଉଛି। ଇନ୍‌-ଭିର୍ଟୋ ଫର୍ଟିଲାଇଜେଶନ୍‌ (ଆଇଭିଏଫ୍‌) ପଦ୍ଧତିରେ ପୁଅ ଜନ୍ମ ପାଇଁ ଆଗ୍ରହୀ ଥିବା ଦମ୍ପତିଙ୍କୁ ଥାଇଲାଣ୍ଡ, ସିଙ୍ଗାପୁର ଓ ଦୁବାଇ ଭଳି ଦେଶକୁ ପଠାଇ ଦିଆଯାଉଛି, ଯେଉଁଠି ଲିଙ୍ଗ ଚୟନ ବେଆଇନ ନୁହେଁ। ଏଭଳି କାରନାମା କରୁଥିବା କେନ୍ଦ୍ରୀୟ ଦିଲ୍ଲୀର ଜଣେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ ଉପରେ ଚଢ଼ାଉ କରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ।
ମିଳିଥିବା ସୂଚନାନୁସାରେ ଦିଲ୍ଲୀର କରୋଲବାଗ୍‌ରେ ‘ଏଲା ଓମ୍ୟାନ’ ନାମରେ ଏକ କ୍ଲିନିକ ରହିଛି। ଉକ୍ତ କ୍ଳିନିକରେ ଲିଙ୍ଗ ନିରୂପଣ ସେବା ପ୍ରଦାନ କରାଯାଉଥିଲା। ସନ୍ତାନ ଜନ୍ମ ଦେବାକୁ ଚାହୁଁଥିବା ଦମ୍ପତିମାନଙ୍କୁ ଫୋନ୍‌ କରି ଆକର୍ଷିତ କରିବା ଲାଗି ସେଠାରେ ୩୦୦ କମ୍ପ୍ୟୁଟର ବ୍ୟବହାର କରାଯାଉଥିଲା। ଦେଖିବାକୁ ଗଲେ କ୍ଲିନିକକୁ ଏକ କଲ୍‌ ସେଣ୍ଟରରେ ପରିବର୍ତ୍ତିତ କରାଯାଇଥିଲା। ଉକ୍ତ କଲ୍‌ ସେଣ୍ଟରରୁ ୩୦୦ ଦମ୍ପତିଙ୍କୁ ଫୋନ୍‌ କରି ଆଇଭିଏଫ୍‌ ପଦ୍ଧତି ସମ୍ପର୍କରେ ବୁଝାଯାଉଥିଲା। ଯେଉଁମାନେ ରାଜି ହେଉଥିଲେ ସେମାନଙ୍କୁ ଥାଇଲାଣ୍ଡ, ସିଙ୍ଗାପୁର ଓ ଦୁବାଇକୁ ପଠାଯାଉଥିଲା। ସେମାନେ ସେଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଉଥିଲେ। ପୁଅ ଥିଲେ ତାକୁ ଜନ୍ମ ହେବାକୁ ଦିଆଯାଉଥିଲା। ଗର୍ଭରେ ଝିଅ ଥିଲେ ତାକୁ ହତ୍ୟା କରାଯାଉଥିଲା। କଲ୍‌ ସେଣ୍ଟର ପକ୍ଷରୁ ଲିଙ୍ଗ ଚୟନ ପାଇଁ ବେଆଇନ ଭାବେ ସେବା ପ୍ରଦାନ କରାଯାଉଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଗୁପ୍ତ ସୂଚନା ମିଳିଥିଲା। ଫାନ୍ଦରେ ପଡ଼ିଥିବା ଏକ ଦମ୍ପତିକୁ ସେଣ୍ଟରକୁ ପଠାଯାଇଥିଲା। ସେମାନଙ୍କୁ ଦୁବାଇରେ ୧୫ ଦିନର ପ୍ୟାକେଜ ପାଇଁ ୮.୫ ଲକ୍ଷ ଟଙ୍କା ପଇଠ କରିବାକୁ କୁହାଯାଇଥିଲା। ବିଦେଶ ମାଟିରେ ପୁଅ ଜନ୍ମ କରାଇବାର ଗ୍ୟାରେଣ୍ଟି ବି ଦିଆଯାଇଥିଲା। ଦିଲ୍ଲୀର କେନ୍ଦ୍ରସ୍ଥଳରେ ଏଭଳି ଲିଙ୍ଗ ଚିହ୍ନଟ ର଼୍ୟାକେଟ ଚାଲୁଥିବା ନେଇ ଦମ୍ପତିଙ୍କ ଅଭିଯୋଗ ପରେ ଏକ କେନ୍ଦ୍ରୀୟ ନିରୀକ୍ଷକ ଟିମ୍‌ ସୋମବାର ସେଠାରେ ଚଢ଼ାଉ କରିଥିଲା। ଉକ୍ତ ଟିମ୍‌ରେ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଓ ପୋଲିସ ଅଧିକାରୀମାନେ ସାମିଲ ଥିଲେ। ନ୍ୟାଶନାଲ ଇନ୍ସପେକ୍‌ଶନ ଆଣ୍ଡ ମନିଟରିଂ କମିଟି (ଏନ୍‌ଆଇଏମ୍‌ସି) ନେତୃତ୍ୱରେ ସେମାନେ ସେଠାରେ ସୋମବାର ରାତି ପର୍ଯ୍ୟନ୍ତ ତନାଘନା କରିଥିଲେ। ଯାଞ୍ଚ ବେଳେ ଲେଟରହେଡ୍‌, ଜାଲ୍‌ ବିଲ୍‌, ଆଇଭିଏଫ୍‌ ବିଶେଷଜ୍ଞଙ୍କ ରିସିପ୍ଟ ବୁକ୍‌, କଲ୍‌ ସେଣ୍ଟର ଟିମ୍‌ର ଟ୍ରେନିଂ ମୋଡ୍ୟୁଲ ଏବଂ ଅନ୍‌ଲାଇନ୍‌ରେ କ୍ଲାଏଣ୍ଟମାନଙ୍କ ସହ କିପରି ବ୍ୟବହାର କରାଯିବ ସେନେଇ ଅନେକ ଆପତ୍ତିଜନକ ସାମଗ୍ରୀ ପାଇଥିଲେ। ଆଇଟି ସ୍ପେଶାଲିଷ୍ଟ ଓ ଫୋରେନ୍ସିକ୍‌ ସାଇନ୍ସ ଲାବରେଟୋରିର ଏକ ଟିମ୍‌ ସେଠାରୁ ଜବତ ଲାପ୍‌ଟପ୍‌ ଓ ଅନ୍ୟ ଉପକରଣଗୁଡ଼ିକରୁ ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ ବୋଲି ଦିଲ୍ଲୀ ସରକାରଙ୍କ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ମୁଖ୍ୟ ଡାକ୍ତର ନୂତନ ମୁଣ୍ଡେଜା ସୂଚନା ଦେଇଛନ୍ତି। ଜଣେ ଏନ୍‌ଆଇଏମ୍‌ସି ଅଧିକାରୀ ନିଜକୁ କ୍ଲାଏଣ୍ଟ ପରିଚୟ ଦେଇ ‘ଏଲା ଓମ୍ୟାନ୍‌’ ସହ ଯୋଗାଯୋଗ କରିଥିଲେ। ୧୦୦ ପ୍ରତିଶତ ପୁଅ ଜନ୍ମର ଗ୍ୟାରେଣ୍ଟି ଦେଉଥିବା ଏହି ପ୍ରକ୍ରିୟା ପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ ସେନେଇ କମ୍ପାନୀର ଲୋକସମ୍ପର୍କ ଅଧିକାରୀ ତାଙ୍କୁ ବିଶଦ ଭାବେ ବୁଝାଇଦେଇଥିଲେ। ଅଧିକାରୀ ଜଣକ କହିଥିଲେ, ଭାରତରେ ଲିଙ୍ଗ ନିରୂପଣ ନିଷେଧ ହୋଇଥିବାରୁ ସେମାନେ ରେଜିଷ୍ଟ୍ରେଶନ୍‌ ଫି ବାବଦରେ ୧୦,୦୦୦ ଟଙ୍କା ନେଉଛନ୍ତି। ତା’ ପରେ ବିଭିନ୍ନ ପ୍ୟାକେଜ୍‌ ଅନୁସାରେ ରୋଗୀଙ୍କୁ ଦୁବାଇ, ବ୍ୟାଙ୍କକ୍‌ ଓ ସିଙ୍ଗାପୁରକୁ ପଠାଉଛନ୍ତି। ସମ୍ପୃକ୍ତ ଅଧିକାରୀ ଏଥିରେ ରାଜି ହେବା ପରେ ଦୁବାଇରେ ଆଇଭିଏଫ୍‌ ପଦ୍ଧତିରେ ପୁଅ ପାଇବା ଲାଗି ଉଭୟଙ୍କ ମଧ୍ୟରେ ୮.୫ ଲକ୍ଷ ଟଙ୍କା ଛିଣ୍ଡିଥିଲା। ତେବେ ଲିଙ୍ଗ ନିରୂପଣ ଭାରତରେ କରାଯାଉ ନ ଥିବାରୁ ଷ୍ଟାର୍ଟ-ଅପ୍‌ ମାଲିକ କିଛି ବେଆଇନ କାର୍ଯ୍ୟ କରିନାହାନ୍ତି ବୋଲି ଦାବି କରୁଛନ୍ତି। ଇତିମଧ୍ୟରେ ମିଳିତ ଅପରେଶନରେ ସାମିଲ ଥିବା ଏନ୍‌ସିଡବ୍ଲ୍ୟୁ ପଶ୍ଚିମ ଦିଲ୍ଲୀରେ ଚାଲିଥିବା ଏପରି ୧୦୦ କ୍ଲିନିକକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଛି। ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି, ଦିଲ୍ଲୀରେ ଆଇଭିଏଫ୍‌ ଏବଂ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ ନାମରେ ଚାଲିଥିବା ବେଆଇନ କାରବାରକୁ ରୋକିବା ଲାଗି ସେ ଆକସ୍ମିକ ପରିଦର୍ଶନ କରିବେ। ଚଢ଼ାଉ କରାଯାଇଥିବା କ୍ଲିନିକର ରେଜିଷ୍ଟ୍ରେଶନକୁ ରଦ୍ଦ କରାଯାଇଛି। ମିଳିଥିବା ପ୍ରମାଣଗୁଡ଼ିକୁ ସାଇବରକ୍ରାଇମ୍‌ ଓ ଅନ୍ୟ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ବିନା ସାଇନ୍‌ବୋର୍ଡରେ ଦୁଇବର୍ଷ ହେଲା ଚାଲିଥିବା ଉକ୍ତ କ୍ଲିନିକରୁ ତଦନ୍ତକାରୀମାନେ ୨୦୦ରୁ ୩୦୦ ଲାପଟପ୍‌ ଜବତ କରିଛନ୍ତି।

ପ୍ରି-କନ୍‌ସେପ୍‌ଶନ୍‌ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍ନିକ୍‌ ଆକ୍ଟ, ୧୯୯୪ ଅନୁସାରେ ଲିଙ୍ଗ ନିରୂପଣ ଭାରତରେ ବେଆଇନ। ଏହାକୁ ଅବଜ୍ଞା କଲେ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ନିୟମ ରହିଛି। ଅନ୍ୟପକ୍ଷରେ ଆମେରିକା, ମେକ୍ସିକୋ, ଥାଇଲାଣ୍ଡ, ସିଙ୍ଗାପୁର ଓ ଦୁବାଇ ଭଳି ଦେଶରେ ଏହା ଉପରେ କିଛି କଟକଣା ନାହିଁ। ତେଣୁ ଗର୍ଭଧାରଣ କରିବାରେ ଅକ୍ଷମ ଓ ସନ୍ତାନ ଚାହୁଁଥିବା ଦମ୍ପତି ଏହାକୁ ବେଆଇନ ଘୋଷଣା କରି ନ ଥିବା ଦେଶଗୁଡ଼ିକୁ ଯାଉଛନ୍ତି। ବିଦେଶ ଯାଇ ଲିଙ୍ଗ ନିରୂପଣ ଏବଂ ଆବଶ୍ୟକ ସ୍ଥଳେ ଭ୍ରୂଣହତ୍ୟା କରିବା ନେଇ ଏକ ନୂଆ ଟ୍ରେଣ୍ଡ ଏବେ ବଢ଼ିବାରେ ଲାଗିଛି, ଯାହାକୁ ‘ରିପ୍ରଡକ୍ଟିଭ୍‌ ଟୁରିଜମ୍‌’ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri