Posted inଖେଳ

ଅନ୍ତିମ ଟି୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ, ୨।୨(ପି.ଟି.)- ଟି୨୦ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଏବେ ୫-୦ରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ରବିବାର ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ ହାସଲ କରିବାକୁ ପ୍ରୟାସ କରିବ। ଆସନ୍ତା ୫ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। କ୍ଲିନ୍‌ ସୁଇପ୍‌ କରି ଭାରତ ପୂରା ଆତ୍ମବିଶ୍ୱାସ ସହ ଦିନିକିଆ ସିରିଜ ଖେଳିବା ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।
ପୂର୍ବରୁ ଘରୋଇ ପରିବେଶ୍‌ରେ ନ୍ୟୁଜିଲାଣ୍ଡ କେବେ ୩ କିମ୍ବା ଅଧିକ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜରେ ସବୁ ମ୍ୟାଚ୍‌ରେ ପରାସ୍ତ ହୋଇନାହିଁ। ଅନ୍ତିମ ମ୍ୟାଚ୍‌ରେ ପରାସ୍ତ ହେଲେ ନ୍ୟୁଜିଲାଣ୍ଡ ଏହି ଅଲୋଡ଼ା ରେକର୍ଡର ଅଧିକାରୀ ହେବ। ୨୦୦୫ ପରଠାରୁ ନ୍ୟୁଜିଲାଣ୍ଡ ଥରେ ମାତ୍ର ଟି୨୦ ସିରିଜର ସବୁ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ୨୦୦୮ ଫେବୃୟାରୀରେ ନ୍ୟୁଜିଲାଣ୍ଡ ଘରୋଇ ସିରିଜରେ ଇଂଲଣ୍ଡଠାରୁ ୨-୦ରେ ପରାସ୍ତ ହୋଇଥିଲା। ୫-୦ରେ ସିରିଜ ହାତେଇଲେ ଭାରତ ପାଇଁ ଏକ ବିଶେଷ ଉପଲବ୍ଧି ସାବ୍ୟସ୍ତ ହେବ। ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଏବେ ପଞ୍ଚମ ସ୍ଥାନରେ ରହିଛି। କ୍ଲିନ୍‌ ସୁଇପ୍‌ କଲେ ଭାରତ ର଼୍ୟାଙ୍କିଙ୍ଗ୍‌ରେ ଅଗ୍ରଗତି କରିବ। ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହି ଭାରତ ଉପରେ ରହିଛନ୍ତି।
ଆଗକୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ପରୀକ୍ଷା ନିରୀକ୍ଷା ଜାରି ରଖିବ ବୋଲି ଆଶା କରାଯାଉଛି। ଚତୁର୍ଥ ଟି୨୦ରେ ଏହି ଏକ୍ସପେରିମେଣ୍ଟ କାମ ଦେଇନି। ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସାମସନ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ଯାଇ ସଫଳ ହୋଇପାରିନାହାନ୍ତି। ସାମସନ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ସହ ବଡ଼ ସ୍କୋର ହାସଲ କରନ୍ତୁ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା କରୁଛି। ତେଣୁ ତାଙ୍କୁ ମ୍ୟାନେଜମେଣ୍ଟ ପୁଣି ସୁଯୋଗ ଦେଇପାରେ। ସେହିପରି ଦୁବେଙ୍କ ଫୁଟ୍‌ଓ୍ବାର୍କରେ ମଧ୍ୟ ଦୁର୍ବଳତା ରହିଛି। ଉଭୟ ଦ୍ରୁତ ବୋଲର ଓ ସ୍ପିନରଙ୍କ ବିପକ୍ଷରେ ତାଙ୍କର ଫୁଟ୍‌ଓ୍ବାର୍କ ଆଶାନୁରୂପ ହୋଇପାରି ନାହିଁ। ଅନ୍ୟପଟେ ମନୀଷ ପାଣ୍ଡେ ୬ ନମ୍ବରରେ ତାଙ୍କ ସ୍ଥାନ ଦୃଢ଼ କରିବାରେ ସଫଳ ହୋଇଛନ୍ତି। ଏଥର ଶ୍ରେୟାସ ଆୟାରଙ୍କୁ ୩ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ଦିଆଯାଇପାରେ। ତେବେ କିପର- ବ୍ୟାଟ୍ସମ୍ୟାନ ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରୁ ଲୋକେଶ ରାହୁଲ ଉଇକେଟକିପର- ବ୍ୟାଟ୍ସମ୍ୟାନ ଭୂମିକାରେ ଅବତୀର୍ଣ୍ଣ ହୋଇ ଆସିଛନ୍ତି। ତେଣୁ ତାଙ୍କର କାର୍ଯ୍ୟଭାର ବଢିଛି। ସେ ଆଗାମୀ ଦିନିକିଆ ସିରିଜରେ ମଧ୍ୟ କିପିଂ କରିବେ ବୋଲି ବିରାଟ କୋହଲି ପରୋକ୍ଷରେ ସ୍ପଷ୍ଟ କରିଛନ୍ତି। ରାହୁଲ ଏବେ ଟପ୍‌ ଫର୍ମରେ ରହିଛନ୍ତି। ତାଙ୍କୁ ବିଶ୍ରାମ ଆବଶ୍ୟକ ହେଉଥିବା କଥା ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଛି। ତେଣୁ ରାହୁଲଙ୍କ ବଦଳରେ ରିଷଭ ପନ୍ତଙ୍କୁ ଖେଳିବାର ସୁଯୋଗ ମିଳିପାରେ। ୨୦୧୯- ୨୦୨୦ ସିଜନରେ ଭାରତ ତା’ର ଶେଷ ଟି୨୦ ମ୍ୟାଚ୍‌ ଖେଳିବାକୁ ଯାଉଛି। ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଯିବ। ଭାରତ ଏବେ ପରବର୍ତ୍ତୀ ଟି୨୦ ସିରିଜ ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ଗ୍ରୀଷ୍ମରେ ଖେଳିବ। ସିରିଜ ଜିତିସାରିଥିବାରୁ ଏହି ମ୍ୟାଚ୍‌କୁ ଭାରତ ଆଦୌ ହାଲ୍‌କା ଭାବେ ନେବନାହିଁ।
ମୁମ୍ବାଇରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ପନ୍ତଙ୍କ ହେଲ୍‌ମେଟ୍‌ରେ ବଲ୍‌ ବାଜିଥିଲା ଓ ସେ ଆହତ ହୋଇ ଦଳରୁ ବାଦ୍‌ ପଡିଥିଲେ। ଯେତେବେଳେ ସେ ପୂରା ସୁସ୍ଥ ହେଲେ ତାଙ୍କ ସ୍ଥାନ ଦଳରେ ଅସୁରକ୍ଷିତ ହୋଇଗଲା। ଚତୁର୍ଥ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ମ୍ୟାଚ୍‌ରେ କୋହଲି ବିଶ୍ରାମ ନେଇପାରନ୍ତି ଓ ରୋହିତଙ୍କୁ ନେତୃତ୍ୱର ସୁଯୋଗ ଦେଇପାରନ୍ତି। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇପାରେ ଓ ୩ ଦ୍ରୁତ ବୋଲର ସିଦ୍ଧାନ୍ତ ଅନୁସାରେ ମହମ୍ମଦ ସାମି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ ବାମ୍‌ କାନ୍ଧରେ ଆଘାତ ପାଇଥିଲେ ଓ ସେ ଗତ ମ୍ୟାଚ୍‌ ଖେଳି ନ ଥିଲେ। ଏବେ ସେ ଫିଟ୍‌ ହୋଇ ଖେଳିବା ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରୁଥିଲେ ମଧ୍ୟ ମ୍ୟାଚ୍‌ ଫିନିଶ୍‌ କରିବାରେ ବିଫଳ ହୋଇଛି। ତେଣୁ ଟିମ୍‌ ମ୍ୟାନେଜମେଣ୍ଟ ଏ ନେଇ ଚିନ୍ତିତ ରହିଛି। ଜିତିବା ପରିସ୍ଥିତିରେ ଥିଲେ ମଧ୍ୟ ଗତ ଦୁଇଟି ମୁକାବିଲାରେ ଶେଷ ଦୁଇ ଓଭରରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ହାତଛଡ଼ା କରିଥିଲା। ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌ ଜିତିବା ସହ ଦିନିକିଆ ସିରିଜ ପୂର୍ବରୁ ଆତ୍ମବିଶ୍ୱାସ ଉଚ୍ଚ କରିବା ଲକ୍ଷ୍ୟରେ ରହିଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ (ଉଇକେଟ କିପର), ମନୀଷ ପାଣ୍ଡେ, ରିଷଭ ପନ୍ତ, ସଞ୍ଜୁ ସାମସନ, ଶ୍ରେୟାସ ଆୟାର, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ଶାର୍ଦ୍ଦୂଳ ଠାକୁର, ନବଦୀପ ସଇନି ଓ ଓ୍ବାଶିଂଟନ ସୁନ୍ଦର।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ସ୍କଟ କୁଗେଲେଜିନ, କଲିନ ମୁନରୋ, ଟମ୍‌ ବ୍ରୁସ୍‌, ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଟିମ୍‌ ସିଫର୍ଟ (ଉଇକେଟକିପର), ହାମିଶ ବେନେଟ, ଇଶ୍‌ ସୋଧି, ଟିମ୍‌ ସୌଦି ଓ ବ୍ଲେୟାର ଟିକନର।
ସମୟ: ୧୨. ୩୦
ସ୍ଥାନ: ମାଉଣ୍ଟ ମାଉଁଗାନୁଇ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri