ଲଣ୍ଡନ,୧୮ା୭:ଗଣତାନ୍ତ୍ରିକ ଭାଗୀଦାରିତା ବଢ଼ାଇବା ନିମନ୍ତେ ଆଗାମୀ ଜାତୀୟ ନିର୍ବାଚନରେ ମତଦାନ ପାଇଁ ସର୍ବନିମ୍ନ ବୟସସୀମା ୧୮ରୁ ୧୬କୁ ହ୍ରାସ କରିବାକୁ ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି। ୨୦୨୪ ଜୁଲାଇରେ ଲେବର ପାର୍ଟି ବିଜୟୀ ହେବା ପୂର୍ବରୁ ବ୍ରିଟେନ୍ ପାର୍ଲାମେଣ୍ଟ ନିର୍ବାଚନ ପାଇଁ ଭୋଟଦାନ ବୟସସୀମା ହ୍ରାସ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସ୍କଟ୍ଲାଣ୍ଡ ଏବଂ ଓ୍ବେଲ୍ସରେ ସ୍ଥାନୀୟ ଓ ଆଞ୍ଚଳିକ ନିର୍ବାଚନରେ ମତଦାନ ପାଇଁ ସର୍ବନିମ୍ନ ବୟସସୀମା ଯଥାକ୍ରମେ ୧୬ ଏବଂ ୧୭ ବର୍ଷ କରାଯାଇଛି। ଇକ୍ୱେଡର, ଅଷ୍ଟ୍ରିଆ ଏବଂ ବ୍ରାଜିଲରେ ସର୍ବନିମ୍ନ ଭୋଟଦାନ ବୟସ ୧୬ ବର୍ଷ ହୋଇଥିବାବେଳେ ଏହି ତାଲିକାରେ ବ୍ରିଟେନ୍ ସାମିଲ ହେବାକୁ ଯାଉଛି। ସନ୍ଦିଗ୍ଧ ମାଲିକାନାରେ ଥିବା ସେଲ୍ କମ୍ପାନୀଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଯୋଗାଇଦେଉଥିବାରୁ ପ୍ରଚାର ପାଣ୍ଠି ନିୟମାବଳୀରେ ବ୍ୟାପକ ସଂସ୍କାର ଆଣିବାକୁ ସରକାର ଯୋଜନା କରିଛନ୍ତି। ଏହି ପରିବର୍ତ୍ତନ ବ୍ରିଟେନ୍ ରାଜନୀତିକୁ ବିଦେଶୀ ହସ୍ତକ୍ଷେପ ବିରୋଧରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରୁଶାନାରା ଅଲି କହିଛନ୍ତି। ସ୍ବତଃ ଭୋଟର ପଞ୍ଜୀକରଣ କାର୍ଯ୍ୟକାରୀ ହେବା ସହ ଭୋଟଗ୍ରହଣ କେନ୍ଦ୍ରରେ ପରିଚୟ ଭାବେ ବ୍ୟାଙ୍କ କାର୍ଡକୁ ଭୋଟର ବ୍ୟବହାର କରିପାରିବେ ବୋଲି ସରକାର କହିଛନ୍ତି।


