ସିଏସ୍‌କେକୁ ଧୋନୀଙ୍କ ଫେରିବା ପଥ ପରିଷ୍କାର


ନୂଆଦିଲ୍ଲୀ, ୬।୧୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗତ ୨ଟି ସଂସ୍କରଣରୁ ବାସନ୍ଦ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଓ ରାଜସ୍ତାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ (ଆର୍‌ଆର) ପୂର୍ବ ସିଜନର ୩ ଜଣ ଖେଳାଳିଙ୍କୁ ବଜାୟ ରଖିପାରିବେ। ଏଭଳି ନିଷ୍ପତ୍ତି ବୁଧବାର ଏଠାରେ ଅନୁଷ୍ଠିତ ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକରେ ହୋଇଛି। ଫଳରେ ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ଦଳକୁ ଫେରିବା ପଥ ପରିଷ୍କାର ହୋଇଛି। ଏହି ବୈଠକରେ ଆଇପିଏଲ୍‌ ଗଭର୍ନିଂ କାଉନସିଲ ସଦସ୍ୟଙ୍କ ସମେତ ବିସିସିଆଇର ପରିଚାଳନା କମିଟି (ସିଓଏ)ର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଆଗାମୀ ଆଇପିଏଲ୍‌ ସଂସ୍କରଣ ପାଇଁ ଖେଳାଳିଙ୍କ ରିଟେନଶନ୍‌ ପଲିସି, ଦରମା, ଖେଳାଳିଙ୍କ ସମ୍ପର୍କିତ ନିୟମ ବ୍ୟତୀତ ଅନ୍ୟ କେତେକ ବିଷୟରେ ଆଲୋଚନା କରାଯାଇଥିଲା। ଗତ ଦୁଇଟି ସିଜନରୁ ବାଦ୍‌ ପଡ଼ିଥିବା ଚେନ୍ନାଇ ଓ ରାଜସ୍ତାନ ଫ୍ରାଞ୍ଚାଇଜ୍‌କୁ ୨୦୧୫ ସଂସ୍କରଣର ନିଜ ଦଳର ୫ଜଣ ଖେଳାଳଙ୍କୁ ବଜାୟ ରଖିବାକୁ ଅନୁମତି ମିଳିଛି। କିନ୍ତୁ ଯେଉଁ ଖେଳାଳିମାନେ ଅନ୍ୟ କେଉଁ ଦଳ ପାଇଁ ଖେଳୁ ନାହାନ୍ତି, କେବଳ ସେହି ଖେଳାଳିଙ୍କୁ ଉଭୟ ଫ୍ରାଞ୍ଚାଇଜ୍‌ ଚୟନ କରିପାରିବେ। ପ୍ରତ୍ୟେକ ଫ୍ରାଞ୍ଚଇଜ୍‌ ଅଧିକରୁ ଅଧିକ ୫ଜଣ ଖେଳାଳିଙ୍କୁ ଦଳରେ ବଜାୟ ରଖିପାରିବେ। ଏଥିମଧ୍ୟରୁ ରିଟେନଶନ୍‌ ପଲିସି ଅନୁଯାୟୀ ୩ ଜଣ ଓ ୨ଜଣଙ୍କୁ ମ୍ୟାଚିଂ କାଡର୍‌ସ ନିୟମ ଅନୁସାରେ କିଣାଯାଇପାରିବ। ଗୋଟିଏ ଫ୍ରାଞ୍ଚାଇଜ ୩ ଜଣ ଭାରତୀୟ ଓ ୨ ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ରଖିପାରିବେ। ସେହିଭଳି ଗୋଟିଏ ଦଳରେ ଅଧିକରୁ ଅଧିକ ୮ ଜଣ ବିଦେଶୀ ଖେଳାଳିଙ୍କ ସମେତ ୨୫ ଜଣ ଖେଳାଳି ରହିପାରିବେ। କୌଣସି ଫ୍ରାଞ୍ଚାଇଜ୍‌ ୧୮ରୁ କମ୍‌ ଖେଳାଳିଙ୍କୁ ରଖିପାରିବ ନାହିଁ। ପ୍ରତ୍ୟେକ ଫ୍ରାଞ୍ଚାଇଜର ସାଲାରି କ୍ୟାପକୁ ୨୦୧୮ ସଂସ୍କରଣ ପାଇଁ ୮୦ କୋଟି ଧାର୍ଯ୍ୟ କରାଯାଇଛି। ଏହା ପରବର୍ତ୍ତୀ ୨୦୧୯ ଓ ୨୦୨୦ ସିଜନରେ ୮୨ ଓ ୮୫ କୋଟି ଟଙ୍କାକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାବାଦ୍‌ ପଦାର୍ପଣ କରି ନ ଥିବା ଖେଳାଳିଙ୍କ ସର୍ବାଧିକ ମୂଲ୍ୟ ୪୦ ଲକ୍ଷ ସ୍ଥିର କରାଯାଇଛି। ଉଲ୍ଲେଖଥାଉ କି, ୨୦୧୩ରେ ଆଇପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲାରେ ଲୋଧା କମିଟି ୨୦୧୫ରେ ଚେନ୍ନାଇ ଓ ରାଜସ୍ତାନ ଫ୍ରାଞ୍ଚାଇଜ୍‌କୁ ୨ ବର୍ଷ ପାଇଁ ବାସନ୍ଦ କରିଥିଲା। ଏହି ଦୁଇ ଦଳ ସ୍ଥାନରେ ୨୦୧୬ ଓ ୨୦୧୭ରେ ଦୁଇଟି ନୂତନ ଫ୍ରାଞ୍ଚାଇଜ୍‌ ଆଇପିଏଲ୍‌ରେ ଖେଳିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri