ସନ୍ଦେହ ଘେରରେ ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁ


ନୂଆଦିଲ୍ଲୀ,୨୩।୧୧(ପି.ଟି.)ସିବିଆଇ ସ୍ବତନ୍ତ୍ର ବିଚାରପତି ଜଷ୍ଟିସ୍‌ ବି.ଏଚ୍‌. ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଇଂଲିଶ୍‌ ମ୍ୟାଗାଜିନ୍‌ ‘ଦି କାରାଭନ୍‌’ରେ ଚଳିତ ସପ୍ତାହରେ ଅନେକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଦେଶବାସୀଙ୍କୁ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିଛି। ୨୦୧୪ ଡିସେମ୍ବର ୧ରେ ମୃତ୍ୟୁବରଣ କରିଥିବା ଜଷ୍ଟିସ୍‌ ଲୋୟାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଖବରଦାତା ନିରଞ୍ଜନ ତାକ୍‌ଲେ ଜନସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି ଏକାଧିକ ପ୍ରଶ୍ନ। ସୂଚନାଯୋଗ୍ୟ ଯେ, ୨୦୦୫ରେ ଗୁଜରାଟର ବହୁଚର୍ଚ୍ଚିତ ଶୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉକ୍ତ ମାମଲାର ଶୁଣାଣି ଜଷ୍ଟିସ ଲୋୟା କରୁଥିଲେ। ତେବେ ମୃତ୍ୟୁର କିଛିଦିନ ପୂର୍ବରୁ ତାଙ୍କୁ ଉକ୍ତ ମାମଲାର ଶୁଣାଣିରୁ ବିରାମ ଦିଆଯାଇ ଅନ୍ୟ ଜଣେ ବିଚାରପତିଙ୍କୁ ନିଯୁକ୍ତ କରାଯାଇଥିଲା। ଏପରି କି ପରବର୍ତ୍ତୀ ବିଚାରପତି ଜଣଙ୍କ ତୁରନ୍ତ ଶାହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଜଷ୍ଟିସ ଲୋୟାଙ୍କ ପରିବାର ଏବଂ ପାରିପର୍ଶ୍ୱିକ ସ୍ଥିତି ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବା ପରେ ମୃତ୍ୟୁକୁ ନେଇ ତାକ୍‌ଲେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ହେଲା, ଏହି ଏନ୍‌କାଉଣ୍ଟର ମାମଲାର ଶୁଣାଣି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଣେ ବିଚାରପତି କରିବେ ବୋଲି ୨୦୧୨ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କାହିଁକି ଶୁଣାଣି ମଝିରେ ଜଷ୍ଟିସ ଜେ.ଟି. ଉତ୍ପଟ୍‌ଙ୍କୁ ନିଯୁକ୍ତ କରାଯାଇଥିଲା। ଅଭିଯୁକ୍ତଙ୍କ ସପକ୍ଷରେ ରାୟ ଦେବା ପାଇଁ ବିଚାରପତି ଲୋୟାଙ୍କୁ କୌଣସି ଭାବେ ପ୍ରଭାବିତ କରାଯିବା ସମ୍ପର୍କରେ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ମୋହିତ ଶାହ ଓ ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶାହଙ୍କ ନିକଟରେ କିଛି ଖବର ଥିଲା କି। ଅଭିଯୁକ୍ତଙ୍କ ସପକ୍ଷରେ ରାୟ ଦେବା ଲାଗି ଜଷ୍ଟିସ୍‌ ଲୋୟାଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଯଚାଯାଇଥିବା ନେଇ ତାଙ୍କ ଭଉଣୀ ଯେଉଁ ଅଭିଯୋଗ ଆଣିଥିଲେ ତାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଖଣ୍ଡନ କରିଥିଲେ କି। ମୃତ୍ୟୁ ରାତିରେ ଜଷ୍ଟିସ୍‌ ଲୋୟାଙ୍କୁ ଦାଣ୍ଡେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କିଏ କରିଥିଲେ। ଏହି ସମୟରେ ସରକାରୀ ଗେଷ୍ଟ ହାଉସ୍‌ ଗାଡ଼ି କିମ୍ବା ଆମ୍ବୁଲାନ୍ସ କାହିଁକି ବ୍ୟବହାର ହୋଇ ନ ଥିଲା। ତାଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯାଇଥିଲା, କେଉଁ ଔଷଧ ଦିଆଯାଉଥିଲା, ତାଙ୍କ ସାଙ୍ଗରେ କିଏ ଉପସ୍ଥିତ ଥିଲେ ଏହା ଦାଣ୍ଡେ ହସ୍ପିଟାଲ କିମ୍ବା ମେଡିଟ୍ରିନା ହସ୍ପିଟାଲ୍‌ ରେକର୍ଡରେ କିଛି ତଥ୍ୟ ରହିଛି କି। ମେଡିଟ୍ରିନା ଡାକ୍ତରଖାନାରେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ପ୍ରକୃତ ସମୟ କ’ଣ ଥିଲା। ତାଙ୍କର ମୃତ୍ୟୁ ୨୦୧୪ ଡିସେମ୍ବର ୧ ସକାଳ ୬ଟା ୧୫ ମିନିଟ୍‌ରେ ହୋଇଥିଲା କି ୫ଟା ପୂର୍ବରୁ ହୋଇଥିଲା। କାରଣ ଲୋୟାଙ୍କ ମୃତ୍ୟୁ ୫ଟାରେ ହୋଇଥିବା ନେଇ ଡାକ୍ତରଖାନା ସୂଚନା ଦେଇଥିବା ବେଳେ ଶବବ୍ୟବଚ୍ଛେଦ ରିପୋର୍ଟ ମୃତ୍ୟୁ ସମୟ ୬ଟା ୧୫ ବୋଲି ସ୍ପଷ୍ଟ କରିଛି। କିନ୍ତୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଚାରପତିଙ୍କ ମୃତ୍ୟୁ ମଧ୍ୟରାତ୍ରିରେ ହୋଇଥିଲା ବୋଲି ତାକ୍‌ଲେ କହିଛନ୍ତି। ହୃଦ୍‌ଘାତର ଶିକାର ହୋଇ ନ ଥିବା ଜଣେ ସୁସ୍ଥ ମଣିଷର କେଉଁ କାରଣରୁ ମୃତ୍ୟୁ ଘଟିପାରେ। କାରଣ ଜଷ୍ଟିସ ଲୋୟା ଜଣେ ସୁସ୍ଥ ମଣିଷ ଥିଲେ ବୋଲି ତାଙ୍କ ଡାକ୍ତର ଭଉଣୀ ପୂର୍ବରୁ ସ୍ପଷ୍ଟ କରିଥିଲେ ଏବଂ ମୃତ୍ୟୁକୁ ନେଇ ସନ୍ଦେହ ମଧ୍ୟ ଜାହିର କରିଥିଲେ। ରହସ୍ୟଜନକ ମୃତ୍ୟୁ ବୋଲି ଅଭିଯୋଗ ହୋଇ ନ ଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ଲାଗି କାହିଁକି ନିର୍ଦ୍ଦେଶ ଦିଆଯାଇଥିଲା। ଶବ ବ୍ୟବଚ୍ଛେଦ ସମ୍ପର୍କରେ ପରିବାର ସଦସ୍ୟଙ୍କୁ କାହିଁକି ଅବଗତ କରାଯାଇ ନ ଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ସମ୍ପର୍କୀୟ ଭାଇ ଭାବେ ସ୍ବାକ୍ଷର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପରିବାର ଲୋକେ ଚିହ୍ନି ନାହାନ୍ତି। ଈଶ୍ୱର ବହେତି ନାମକ ଜଣେ ବ୍ୟକ୍ତି କାହିଁକି ଅନ୍ତିମ ସତ୍କାର ବ୍ୟବସ୍ଥା କରିବା ସହ ପରିବାର ସଦସ୍ୟଙ୍କୁ ଫୋନ୍‌ କରିଥିଲେ। ମୃତ୍ୟୁ ବେଳକୁ ପିନ୍ଧିଥିବା ଜଷ୍ଟିସ୍‌ଙ୍କ ଶାର୍ଟରେ ରକ୍ତ ଛିଟା ଥିବା ପରିବାର ସଦସ୍ୟ ଅଭିଯୋଗ ଆଣିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେଭଳି କିଛି ଉଲ୍ଲେଖ କରାଯାଇ ନ ଥିଲା। ଲୋୟାଙ୍କ ପରେ ଦାୟିତ୍ୱ ନେଇଥିବା ବିଚାରପତିଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିବା ଲାଗି ସିବିଆଇକୁ କାହିଁକି ମାତ୍ର ୧୫ ମିନିଟ୍‌ ସମୟ ଦିଆଯାଇଥିଲା। କେଉଁ ପରିପ୍ରେକ୍ଷୀରେ ତୁରନ୍ତ ଶାହଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା ବୋଲି ତାକ୍‌ଲେ ପ୍ରଶ୍ନ କରିଛନ୍ତି। ଡିସେମ୍ବର ୩୦ରେ ଯଦି ଶୋହରାବୁଦ୍ଦିନ ମାମଲାର ରାୟ ପ୍ରକାଶ ପାଏ ତା’ହେଲେ ଏହାକୁ କେହି ପ୍ରାଧାନ୍ୟ ଦେବେ ନାହିଁ। କାରଣ ସେହିଦିନ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଅନ୍ୟ ଏକ ପ୍ରମୁଖ ଖବର ଶିରୋନାମାରେ ରହିଥିବ ବୋଲି ଜଷ୍ଟିସ୍‌ ଲୋୟାଙ୍କୁ କୁହାଯାଇଥିଲା। ଆଉ ଡିସେମ୍ବର ୩୦ରେ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ତେବେ ଧୋନୀଙ୍କ ଘୋଷଣା କ’ଣ ପୂର୍ବ ନିର୍ଦ୍ଧାରିତ ଥିଲା। ଏହି ନିଷ୍ପତ୍ତି ସେ ନିଜେ କିମ୍ବା ବିସିସିଆଇ ବା ଅନ୍ୟ କେହି ନେଇଥିଲେ କି ବୋଲି ତାକ୍‌ଲେ ପ୍ରଶ୍ନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri