ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଶନିବାର ଏକ ନାବାଳାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ରୋହିତ ନାଇକ (୩୦)। ଜଜ୍ ତାଙ୍କୁ ୨୦ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ମାସ ସଶ୍ରମ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୨ ଡିସେମ୍ବରରେ ଜଣେ ମହିଳା ତାଙ୍କର ୯ ବର୍ଷର ଝିଅକୁ ଧରି ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ବାପାଙ୍କ ଘରକୁ ଯାଇଥିଲେ। ୨୦୨୩ ଜାନୁଆରୀ ୧୩ ତାରିଖ ରାତିରେ ଘର ସମ୍ମୁଖରେ ଭାରତ ଲୀଳା ନାଟକ ଚାଲିଥିଲା। ମହିଳା ଜଣକ ତାଙ୍କ ବାପାଙ୍କ ସହ ନାଟକ ଦେଖୁଥିଲେ। କିଛି ସମୟ ପରେ ସେ ଘରକୁ ଯିବାରେ ଘରେ ଶୋଇଥିବା ଝିଅ ନ ଥିବା ଦେଖିଥିଲେ। ପରେ ଝିଅ ଘର ପଛ ପଟରୁ କାନ୍ଦି କାନ୍ଦି ଆସୁଥିବା ଦେଖାଯାଇଥିଲା। ଜଣେ ଯୁବକ ଘରକୁ ପଶିଆସି ତାଙ୍କ ପାଟି ଚାପି ବିଲ ଭିତରକୁ ଟାଣିନେଇ ତାଙ୍କୁ ବଳାତ୍କାର କରିଥିଲେ ବୋଲି ସେ ତାଙ୍କ ମା’ଙ୍କୁ କହିଥିଲେ। ପରେ ପୀଡ଼ିତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ଏ ନେଇ ବଡଗଡ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନଂ.୨୨/୨୩ରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ରୋହିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ବେଳେ ୯ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହାକୁ ଆଧାର କରି ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


