ଜି.ଉଦୟଗିରି,୧୮।୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି କଳିଙ୍ଗା ରାଜ୍ୟ ରାଜପଥ ଡୁଗୁଡ଼ିପାରି ମୁଣ୍ଡାମାଲା ନିକଟରେ କଟକରୁ ବାଲିଗୁଡ଼ା ଆସୁଥିବା ଓଡି୦୫ବିସି-୪୧୦୬ ନମ୍ବର ବିଶିଷ୍ଟ ସରକାରୀ ଯାତ୍ରୀବାହୀ ବସ୍ସହ ଓଡି୩୨ଜେ-୭୬୫୫ ନମ୍ବର ବଜରଙ୍ଗ କନଷ୍ଟ୍ରକସନ ହାଇୱା ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଥିଲା। ହେଲେ ବସ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଖଟାଇ ରାସ୍ତାର ବାମ ପଟକୁ ମୋଡ଼ି ଦେବା ଫଳରେ ବସଟି ରାସ୍ତା କଡ଼ରେ ଥିବା ଖାଲରେ ରହିଯାଇଥିଲା। ଫଳରେ ବସ୍ରେ ଯାତ୍ରା କରୁଥିବା ୩୦ରୁ ଊର୍ଦ୍ଧ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।
କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ହାଇୱା ଚାଳକ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଏଏସ୍ଆଇ କାମରାଜ ରେଡି ଏବଂ ଏସ୍ଆଇ ବୁଲୁ ବେହେରା ସଦଳବଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ହାଇୱା ଗାଡ଼ିତ୍କୁ ଜବତ କରି ଥାନାକୁ ନେବା ସହ ଆହତ ଚାଳକ ଓ ଅନ୍ୟ ଆହତମାନଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ କଳିଙ୍ଗା ଠାରୁ ଜି.ଉଦୟଗିରି ଦେଇ ଯାତାୟାତ କରୁଥିବା ହାଇୱା ଗାଡ଼ି ଓ ଅନ୍ୟ ମାଲବାହୀ ଯାନ ଗୁଡ଼ିକ ବେପରୁଆ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଅତ୍ୟଧିକ ବେଗରେ ଗାଡ଼ି ଚଳାଉଥିବା ବେଳେ ଭବିଷ୍ୟତରେ ଦୁର୍ଘଟଣାରେ କାହାର କିଛି କ୍ଷତି ନ ହେବା ପାଇଁ ସମସ୍ତ ମାଲବାହୀ ଭାରୀଯାନ ତଥା ହାଇୱା ଗାଡ଼ିଗୁଡ଼ିକୁ ଦିନରେ ସହରକୁ ପ୍ରବେଶ ନିଷେଧ କରାଯିବା ସ୍ଥାନୀୟ ନେଇ ପ୍ରଶାସନକୁ ଅନୁରୋଧ କରିଛନ୍ତି।


