ଚଣ୍ଡିଗଡ଼: ପୂର୍ବତନ ପଞ୍ଜାବ ପୋଲିସ୍ ଡିଜି (DGP) ମହମ୍ମଦ ମୁସ୍ତାଫାଙ୍କ ପୁଅ ଆକିଲ ଅଖତରଙ୍କ ପଞ୍ଚକୁଲାରେ ଥିବା ଘରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକେ ଏହାକୁ ‘ଔଷଧର ଅତ୍ୟଧିକ ମାତ୍ରା ସେବନ ଯୋଗୁଁ’ ବୋଲି କହିଥିବାବେଳେ, ମୃତ୍ୟୁର କିଛି ଦିନ ପୂର୍ବରୁ ଆକିଲ୍ ଏକ ଭିଡିଓରେ ତାଙ୍କ ବାପାଙ୍କ ଉପରେ ସ୍ତ୍ରୀ ସହ ଅବୈଧ ସମ୍ପର୍କ ରଖିବା ଓ ପରିବାର ଲୋକେ ତାଙ୍କୁ ମାରିଦେବାକୁ ଯୋଜନା କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଥିଲେ।
ଏହି ଭିଡିଓରେ ସେ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା କଥା କହିଥିଲେ। ତେବେ, ପରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆକିଲ୍ ପୂର୍ବ ଅଭିଯୋଗକୁ ଭୁଲ୍ ବୋଲି କହିବା ସହ ପରିବାରକୁ କ୍ଲିନ୍ ଚିଟ୍ ଦେଇଛନ୍ତି। ସେ କହିଛନ୍ତି, ମାନସିକ ଅସୁସ୍ଥତା ଯୋଗୁଁ ସେ ଏହି କଥାଗୁଡ଼ିକ କହିଥିଲେ। କିନ୍ତୁ ଏହି ଭିଡିଓ ଶେଷରେ ସେ ପୁଣି ଥରେ ପରିବାରକୁ ଦୋଷ ଦେଇ ଶେଷ କରିଛନ୍ତି। ଏହି ଘଟଣାରେ ପୋଲିସ୍ ପୂର୍ବତନ DGP ମହମ୍ମଦ ମୁସ୍ତାଫା, ତାଙ୍କ ପତ୍ନୀ ଓ ପୂର୍ବତନ ମନ୍ତ୍ରୀ ରଜିଆ ସୁଲତାନା ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।


