ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଆଉ ମାତ୍ର ୩ ମାସ ପରେ ପାଳିତ ହେବ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ। ବିଗତ ଦିନଠାରୁ ଚଳିତ ବର୍ଷ ଆହୁରି ଏହି ମହୋତ୍ସବ ଆଦୃତ ହେବ ବୋଲି ସମସ୍ତଙ୍କ ଆଶା ରହିଛି। ସେହିପରି ଇକୋ ରିଟ୍ରିଟ୍ ମଧ୍ୟ ୩ ମାସ ଧରି ଚାଲିବ। ତେଣୁ ଏହି ସବୁ କାର୍ଯ୍ୟକ୍ରମରେ ପର୍ଯ୍ୟଟକ ଦେଖିବାକୁ ପାଇବେ ଜନଜାତିଙ୍କ ପାରମ୍ପରିକ ଚଳଣି, ନୃତ୍ୟ ସଙ୍ଗୀତ, ବାଦ୍ୟ ଯନ୍ତ୍ର ଆଦି। ଏଥିପାଇଁ କନ୍ଧମାଳ ଜିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ତତ୍ତ୍ୱାବଧାନରେ ଜନଜାତିଙ୍କ ସଂସ୍କୃତି ପରମ୍ପରାର ପ୍ରଚାରପ୍ରସାର ହୋଇଥାଏ। ତେବେ ଚଳିତ ବର୍ଷ ଏହା ଆହୁରି ଆଦୃତ ହୋଇପାରିବ ବୋଲି ଦାରିଙ୍ଗବାଡ଼ି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡ଼ିର ପୂର୍ବତନ ବିଡିଓ ତଥା ଏବେକାର ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ରଙ୍କୁ କନ୍ଧମାଳ ଜିଲାପାଳ ଅତିରିକ୍ତ ୨ଟି ବିଭାଗର ଦାୟିତ୍ୱ ପ୍ରଦାନ କରିଛନ୍ତି। ସେ ଜିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜିଲା ମୁଖ୍ୟ ଭାବେ ଦାୟିତ୍ୱ ପାଇଛନ୍ତି।
ଏନେଇ ପ୍ରକଳ୍ପ ପ୍ରଶାସକ ପାତ୍ର କହିଛନ୍ତି, ସେ ଜିଲାରେ ଜନଜାତିଙ୍କ କଳା, ସଂସ୍କୃତିକୁ ଗୁରୁତ୍ୱ ପ୍ରଦାନ କରିବା ସହ ଦାରିଙ୍ଗବାଡ଼ି ବ୍ଲକକୁ ମଧ୍ୟ ଦୃଷ୍ଟି ଦେବେ କହିବା ସହ ଇକୋ ରିଟ୍ରିଟ୍ରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନେ ସ୍ଥାନୀୟ ପାରମ୍ପରିକ ସଙ୍ଗୀତ, ନୃତ୍ୟ ଆଦିକୁ ପସନ୍ଦ କରିଥାନ୍ତି। ତେଣୁ ଆହୁରି ସୁନ୍ଦର ଓ ଆଦୃତ କରିବା ପାଇଁ ସେ ପ୍ରୟାସ କରିବେ ଏଥିସହ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଧ୍ୟ ଜିଲାରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ପାଇଁ ସ୍ବତନ୍ତ୍ର ସ୍ଥାନ ରହିଥିବାରୁ ସେ ଏଥିପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


