ନୂଆଦିଲ୍ଲୀ, ୮ା୯(ପି.ଟି.): ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଶନିବାର ପ୍ରକାଶ କରିଛନ୍ତି। ପାକିସ୍ତାନର ହୀନ ଚକ୍ରାନ୍ତ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଲାଗି ସେଠାରେ କଟକଣା ବଳବତ୍ତର ରହିଛି। ପାକିସ୍ତାନ ମନଭାବରେ ପରିବର୍ତ୍ତନ କଲେ କଶ୍ମୀରରୁ କଟକଣା ଉଠାଇ ଦିଆଯିବ ବୋଲି ଡୋଭାଲ କହିଛନ୍ତି। ୩୭୦ର ଅର୍ଥ ସ୍ବତନ୍ତ୍ର ପାହ୍ୟା ନୁହେଁ ବରଂ ଏହା ସ୍ବତନ୍ତ୍ର ଭେଦଭାବ ଥିଲା। ଲାଗିଥିବା କଟକଣା କ୍ରମଶଃ ଉଠାଇ ଦିଆଯିବ ବୋଲି ଖବରଦାତାଙ୍କ ସହ ଆଲୋଚନାବେଳେ ସେ ପ୍ରକାଶ କରିଛନ୍ତି। ଜମ୍ମୁ, କଶ୍ମୀର ଓ ଲଦାଖର ୧୯୯ ପୋଲିସ ଜିଲା ମଧ୍ୟରୁ କେବଳ ୧୦ଟିରେ ନିଷେଧାଦେଶ ଜାରି ରହିଛି। ଅଟକ ଥିବା ରାଜନେତାଙ୍କୁ ଆଇନଗତ ଭାବେ ସମ୍ପର୍କୀୟଙ୍କୁ ଦେଖାକରିବାର ସୁଯୋଗ ଦିଆଯାଉଛି। ଆଇନଗତ ଭାବେ ସବୁ କାର୍ଯ୍ୟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ବିକାଶ ଓ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ଲାଗି ସରକାର ସଚେତନ ଅଛନ୍ତି। କେତେକ ସଂଖ୍ୟାଲଘୁ ଏଭଳି ପ୍ରକ୍ରିୟାକୁ ବିରୋଧ କରୁଥିବା ନେଇ ହେଉଥିବା ପ୍ରଚାରରେ କୌଣସି ସତ୍ୟତା ନାହିଁ। ପାକିସ୍ତାନ କଶ୍ମୀରରେ ଅସ୍ଥିରତା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ଭାରତ ବିରୋଧରେ ବିଭିନ୍ନ ମିଛ ପ୍ରଚାର ଚଳାଇଛି। କଶ୍ମୀର ଭିତରକୁ ଆତଙ୍କବାଦୀଙ୍କୁ ଛାଡ଼ି ଶାନ୍ତି ଭଙ୍ଗ କରିବାକୁ ଚାହୁଁଛି। ଅନୁପ୍ରବେଶ ଲାଗି ସୀମାରେ ୨୩୦ ଆତଙ୍କବାଦୀ ପ୍ରସ୍ତୁତ ଅଛନ୍ତି। କାର୍ଯ୍ୟରେ ସଫଳ ନ ହେଲେ ପାକିସ୍ତାନ ସେମାନଙ୍କ ଲାଗି ଚୁଡ଼ି ପଠାଇବ ବୋଲି କହି ତାତ୍ସଲ୍ୟ କରୁଛି। ଅଘଟଣ ଘଟାଇବା ଲାଗି ସେମାନଙ୍କ ପ୍ରୟାସ ଜାରି ରହିଛି। ଏହା କେବେ ସମ୍ଭବ ହେବାକୁ ଦିଆଯିବନି ବୋଲି ଡୋଭାଲ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ଓ ସ୍ଥାନୀୟ ପୋଲିସ ସେଠାରେ ନିୟୋଜିତ ଥିବାବେଳେ ସେମାନଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ କରାଯାଉଛି। ଏଥିରେ କୌଣସି ସତ୍ୟତା ନାହିଁ। ସେଠାରେ ଆଇନଶୃଙ୍ଖଳା ରକ୍ଷା ଓ ଶାନ୍ତି ପ୍ରତିଷ୍ଠା ସେମାନଙ୍କ କାମ। ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


