ସ୍ମାର୍ଟଫୋନ୍‌ ପରିବାର ଉଜାଡ଼ିଦେଲା

ସହଦେବ ସାହୁ
ମୋବାଇଲ ଫୋନ୍‌ ପରିବାରକୁ ନଷ୍ଟ କରିଦେଲା। ଆଗର ଭୂଇଁ ସହ ଲାଖି ରହିଥିବା ଫୋନ୍‌ ଯାହାକୁ ଆମେ ଲ୍ୟାଣ୍ଡ୍‌ ଲାଇନ୍‌ କହୁଛୁ, ତାହା ସାରା ପରିବାରକୁ ଯୋଡ଼ି ରଖୁଥିଲା। ଫୋନ୍‌ ବାଜିଲା କ୍ଷଣି ବାପା କି ମା’ ଝିଅକୁ ଡାକି ଦେଉଥିଲା, ‘ଶ୍ରଦ୍ଧା ଦେଖିଲୁ କିଏ ଫୋନ୍‌ କରୁଛି।’ ପ୍ରକୃତରେ ସେ କହୁଥିଲେ ଫୋନ୍‌ ଧର, ପଚାର, କିଏ କହୁଛି। ତହିଁରେ ଦେଖିବାର ଅବସର ନ ଥିଲା। ଆଜିର ସେଲ୍‌ ଫୋନ୍‌ ଦେହ ସାଙ୍ଗରେ ଅଛି, ଖାଲି କମ୍ପନ ହେଲେ ବି ମଣିଷ ଫୋନ୍‌ ଧରୁଛି। ଫୋନ୍‌ ବାଜିବା ଘରଯାକ ତ ଶୁଣୁନାହାନ୍ତି, ଫୋନ୍‌ ରଖିଥିବା ଲୋକ ବି କାନ ଭିତରେ ଗୁଞ୍ଜିଥିବା ଟିକିଲି (ଇୟର୍‌ ଫୋନ୍‌)ରୁ ଶୁଣିନେଉଛି। ଝିଅ କି ତା’ ମା’ ଆଉ ଫୋନ ତାରକୁ ବାଁ ହାତରେ ଗୁଡ଼ାଇ ଧରି ରୋଷେଇ ଘର ଭିତରେ ବସି ରହୁନାହିଁ କି ପଛ ଆଡ଼େ ରେଫ୍ରିଜରେଟରର ଶବ୍ଦ ଶୁଣୁ ନାହିଁ। ସାଙ୍ଗରେ ତା’ର ଫୋନ ଅଛି, ଫୋନ ପାଖରେ ସେ ବସି ରହିନାହିଁ।
ବିଭାଘର ପ୍ରସ୍ତାବ ଆସିଲେ ମଧ୍ୟସ୍ଥ ପଚାରୁଥିଲା ଆପଣଙ୍କର ଫୋନ୍‌ ଅଛି ତ? ଲ୍ୟାଣ୍ଡ ଲାଇନ୍‌ ଥିଲା ଆଭିଜାତ୍ୟର ଚିହ୍ନ। ଏବେ ପଚାରିବା ଦରକାର ନାହିଁ, କାହାର ଗଳାରେ ଫୋନ୍‌ ଝୁଲୁଛି ତ କାହାର ହାତ କଚଟିରେ ଝୁଲୁଛି କିମ୍ବା ପକେଟ୍‌ରେ ଫୋନ୍‌। ପରିବାର ଯାକ ଗୋଟିଏ ଫୋନ୍‌ରେ ଚଳିବା ସମୟ ଗଲାଣି। ପରିବାରକୁ ଯୋଡି ରଖିବା ଆଉ ଫୋନ୍‌ର କାମ ନୁହେଁ। ଆଉ ଗୋଟିଏ କୋଠରିରେ ଫୋନ୍‌ ବାଜିଲେ କେହି ଜଣେ ଦଉଡି ଯାଉଥିଲା ଧରିବାକୁ। ଆଉ ଦଉଡିବାକୁ ପଡୁନାହିଁ। କିଏ ଫୋନ୍‌ କରୁଛି ସେ ଜାଣିବାର ଉତ୍ସୁକତା ଆଉ ନାହିଁ କି ଯାହାକୁ ଫୋନ୍‌ରେ ଡାକିବାବାଲା ଚାହୁଁଛି ‘ସେ ନାହିଁ, ପରେ ଫୋନ୍‌ କର’ କହିବାର ଅବସର ଆଉ ନାହିଁ। ଏ ସବୁ ଶବ୍ଦ ପରିବାରର ଶବ୍ଦ ଭଣ୍ଡାରରୁ ଉଠିଗଲାଣି।
ନୂଆ ସହସ୍ରାବ୍ଦୀର ଲୋକ ଯେତେବେଳେ କହୁଛି ଯେ ତା’ ଘରେ ଲ୍ୟାଣ୍ଡଲାଇନ ନାହିଁ ସେ ଖୁବ୍‌ ଗର୍ବ ଅନୁଭବ କରୁଛି। ଏତେ ଧୀରେ ଧୀରେ ମୋବାଇଲ ବା ସେଲ୍‌ ଫୋନ୍‌ ଓ ତା’ପରେ ସ୍ମାର୍ଟଫୋନ୍‌ ଆମକୁ ମାଡ଼ି ବସିଲା ଯେ ଆମେ ପରିବାର ସହଯୋଗୀ ଭାବ ବା ଯେ ଯୌଥ ଭାବ, ଅଭିନ୍ନ ପରିବାରର ଭାବ ଖୁବ୍‌ ସହଜରେ ଭୁଲିଗଲୁ। ଲ୍ୟାଣ୍ଡ୍‌ ଲାଇନ୍‌ ସମଗ୍ର ପରିବାରର ଥିଲା, ବ୍ୟକ୍ତିବିଶେଷର ନୁହେଁ। ତାକୁ କୋଠ-ଫୋନ୍‌ କହିଲେ ଭଲ ବୁଝିହେବ, ଫୋନ୍‌ ଗୋଟିଏ, କିନ୍ତୁ ପରିବାର ଯାକର ସମସ୍ତଙ୍କୁ ମିଶାଇ ରଖୁଥିଲା, ଏବେ ପରିବାରଟା ଭାଙ୍ଗିଦେବାରେ ସେଲ୍‌ ଫୋନ୍‌ କାମ କରୁଛି। ପରିବାର-ଡଙ୍ଗାକୁ ବାନ୍ଧିରଖିବାର ନଙ୍ଗର ଆଉ ନାହଁି; ପରିବାର ହଲ୍‌ଚଲ୍‌ ହୋଇ ଖଣ୍ଡ ବିଖଣ୍ଡିତ ହୋଇଗଲାଣି ବୋଲି କାହାର ଚିନ୍ତା ନାହିଁ।
ଏ ଭାବ ଜଣେ କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପକ ଲିଉକ୍‌ ଫର୍ନାଣ୍ଡେଜ ଓ ତାଙ୍କ ସାଙ୍ଗ ଲେଖିଥିବା ବହିର ନାଁରେ ସବୁ କହି ଦେଇଛନ୍ତି: ବୋର୍‌, ଲୋନ୍‌ଲି, ଆଙ୍ଗ୍ରି, ଷ୍ଟୁପିଡ୍‌: ଫିଲିଙ୍ଗ୍‌ସ ଏବାଉଟ୍‌ ଟେକ୍ନୋଲୋଜି, ଫ୍ରମ୍‌ ଟେଲିଗ୍ରାଫ୍‌ ଟୁ ଟୁଇଟର୍‌। (ବିରକ୍ତ, ଏକଲା, ରାଗ, ବଦମାସ୍‌: ଟେକ୍ନୋଲୋଜି ବିଷୟରେ ଅନୁଭୂତି, ଟେଲିଗ୍ରାଫ୍‌ରୁ ଟୁଇଟର ଯାଏ।)
ଘର ଥିଲା ଯେଉଁଠିକି ଆମେ ଯାଉଥିଲୁ, ଯେଉଁଠୁ ଆମର ଖବରଟା (ମେସେଜ୍‌) ପାଉଥିଲୁ, କିନ୍ତୁ ସ୍ମାର୍ଟଫୋନ୍‌ ପରିବାରର ମୂଲ୍ୟ କମାଇଦେଲା। ସେଲ୍‌ ଫୋନ୍‌ ଆମକୁ ସିନା ବାର୍ତ୍ତାଳାପ ସହ ଚଲାବୁଲା ଶିଖାଇଦେଲା, ପ୍ରାଇଭେସି (ଗୋପନୀୟତା) ରଖାଇବା ଶିଖାଇଲା, କିନ୍ତୁ ପରିବାରର ଆଚ୍ଛାଦନ ଉଡ଼ାଇଦେଲା। ଆପଣଙ୍କୁ ପାଇବା ପାଇଁ ଲୋକେ ଆପଣଙ୍କ ଘରକୁ ଫୋନ୍‌ କରୁଥିଲେ। ଏବେ ଆପଣ ବାରବୁଲା। ପରିବାର ବ୍ୟବହାରର ମାର୍ଗ ଦର୍ଶାଉଥିଲା, ପରିବାରର ଫୋନ୍‌ କଲାବାଲା ବା ଧରିବାବାଲାର ଚଳଣି ତନଖି (ମନିଟର) କରୁଥିଲା। ସମ୍ଭବତଃ ପରିବାରକୁ ଏକାଠି ଅଧିକ ବାନ୍ଧି ରଖୁଥିଲା। ଏବେ ଆପଣ ଆଲେକ୍‌ଜାଣ୍ଡର ସେଲ୍‌କାର୍କ ହୋଇପାରିବେ, ଆପଣଙ୍କର ବା ଆପଣଙ୍କ ପିଲାର ଆଳାପ-ଆଲୋଚନାରେ ଅନ୍ୟ କେହି ଭାଗ ନେଇ ପାରିବେ ନାହିଁ। ହଁ, କନ୍‌ଫରେନ୍ସିଂ ଅଛି, ଗୋଟିଏ ଫୋନରୁ ପାଞ୍ଚ ଛ’ ଜଣଙ୍କ ସହ କଥା ହୋଇପାରିବା, କିନ୍ତୁ ସେହି ପାଞ୍ଚ ଛ’ ଜଣଙ୍କ ଛଡ଼ା ଆଉ କିଏ ଶୁଣି ପାରିବ ନାହିଁ। ଆମ ସେଲ୍‌ ଫୋନ୍‌ ଆମକୁ ଅଶରୀରୀ ଓ ଅବର୍ତ୍ତମାନରେ ବି ଭୂତ ଭଳି କଥା କହି ପାରିବ, ଆମେ ନ ଥିଲା ବେଳେ କଥାକୁ ଟିପି ରଖିଥିବ, ପୁରୁଣା କଥା ବି ରେକର୍ଡ କରି ରଖିପାରିବ- ଆପଣ ଏମିତି କି ସେମିତି କହିନାହାନ୍ତି ବୋଲି ବାହୁସ୍ଫୋଟ ମାରି ହେବ ନାହିଁ। ସେ ପୁଣି କି ପ୍ରକାରର ପ୍ରାଇଭେସି? ସ୍ମାର୍ଟଫୋନ୍‌ ଥିଲେ ଶ୍ରୀକୃଷ୍ଣ ଅଶ୍ୱତ୍ଥାମାର ମୃତ୍ୟୁ ବିଷୟରେ ଯୁଧିଷ୍ଠିରଙ୍କୁ ମିଛ କହିବାରେ ପ୍ରବର୍ତ୍ତାଇ ଥିଲେ ବୋଲି ପ୍ରମାଣଟା ଚାରିଆଡ଼େ ଖେଳିଥାନ୍ତା, ଦ୍ରୋଣ ମରି ନ ଥାନ୍ତେ କି ମହାଭାରତ ଯୁଦ୍ଧ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ଚାଲି ନ ଥାନ୍ତା- ଦୁର୍ଯ୍ୟୋଧନର ଗୋଇନ୍ଦାମାନେ ସବୁ କଥା ଜଣାଇ ଦେଇଥାନ୍ତେ।
ଆପଣଙ୍କୁ ପାଇବା ଲାଗି ଆପଣଙ୍କ ଘରକୁ ଯିବାକୁ ପଡୁଥିଲା, ଫୋନ୍‌ରେ କିଏ କ’ଣ କହିଛି ଜାଣିବା ଲାଗି ଆପଣଙ୍କୁ ଘରକୁ ଯିବାକୁ ପଡୁଥିଲା। ମୋବାଇଲ୍‌ ଫୋନ୍‌ ଆମ ଚାଲିଚଳଣକୁ ବଦଳାଇଦେଲା, ଘରର ଅର୍ଥାତ୍‌ ପରିବାରର ମୂଲ୍ୟ କମାଇଦେଲା। ଫୋନ୍‌ରେ କ’ଣ କହୁଛ ଆଉ କେହି ଶୁଣୁ ନାହିଁ, ଘରଲୋକେ ତୁମ କଥାବାର୍ତ୍ତାର ଢଙ୍ଗ କି ଆଚରଣର ଆଦବକାଇଦା ଜାଣିପାରୁ ନାହାନ୍ତି ତ କେମିତି ତୁମକୁ ପରିବାରର ଆଦବକାଇଦା ଶିଖାଇବେ? ଫୋନ୍‌ ବାଜିଲେ ଟିନ୍‌ ଟିନ୍‌ ଶବ୍ଦ ହେଉଥିଲା। ଦେଶ ବ୍ୟାପୀ ଏକା ରକମର ଶବ୍ଦ, ସ୍ମାର୍ଟଫୋନ୍‌ର ଫିଲ୍ମ ଗୀତ କି ମନପସନ୍ଦର ପ୍ରେମଗୀତ ନ ଥିଲା। ଟେଲିଫୋନ୍‌ ବାଜିଲେ ସାଙ୍ଗେ ସାଙ୍ଗେ ପିଲାଛୁଆ ଦଉଡି ଯାଇ ଧରିବାର ଅବସର ଆଉ ନାହିଁ। ଆରମ୍ଭରୁ ଘର ଫୋନ୍‌ (ଲ୍ୟାଣ୍ଡ୍‌ ଲାଇନ୍‌) ଗୋଟିଏ ସଂହତିର ସୂଚକ ଥିଲା, ରେଡିଓ ଆରମ୍ଭ ହେବା ଆଗରୁ ଫୋନ୍‌ର ମ୍ୟାଜିକ୍‌ ଲୋକଙ୍କୁ ମୋହିତ କରୁଥିଲା। ୧୯ଶ ଶତାବ୍ଦୀ ଶେଷରେ ୨୦ଶ ଶତାବ୍ଦୀର ମଧ୍ୟଭାଗ ଯାଏ ଆମକୁ (କଲର୍‌ମାନଙ୍କୁ) ସୁଇଚ୍‌ବୋର୍ଡ ଅପରେଟରଙ୍କ ଉପରେ ଭରସା କରିବାକୁ ପଡୁଥିଲା, ଅପରେଟର ଜଣକ ଗ୍ରାହକମାନଙ୍କୁ ଚିହ୍ନିଥିଲା, ସେମାନଙ୍କ ପାଟି ବା ସ୍ବର ବାରି ନେଉଥିଲା। କାହା ଘରେ ଫୋନ୍‌ ବାଜିଲେ ପଡ଼ୋଶୀମାନେ ବି ଶୁଣି ପାରୁଥିଲେ, କାନ ଡେରିଲେ କଥା କାନ୍ଥ ପାର ହୋଇ ଶୁଭୁଥିଲା, ତାଙ୍କ ଘରେ କ’ଣ ହେଉଛି ବା ହେବାକୁ ଯାଉଛି କାନ ଡେରି ଶୁଣିଥିବା ପଡ଼ୋଶୀ ଅନୁମାନ କରିନେଉଥିଲା, ମହଲା ଯାକ ଲୋକେ ଏକ ରକମର ଗୋଟିଏ ସମ୍ପ୍ରଦାୟ ହୋଇ ପଡୁଥିଲେ। ସାହିର ଏକ ମ୍ୟାପ୍‌ (ମାନଚିତ୍ର) ଭଳି ଫୋନ୍‌ କାମ କରୁଥିଲା।
ପ୍ରଥମେ ପ୍ରଥମେ ତ ଫୋନ୍‌ ଏତେ ବଡ଼ ଆଉ ଏତେ ଓଜନିଆ ଥିଲା ଯେ ଫୋନ୍‌ କଲ୍‌ ଧରିବା ଲୋକଟା ଘରକୁ ଆସିଗଲା ଭଳି ମନେ ହେଉଥିଲା। ଫୋନ୍‌ଟାକୁ ଭଲରେ ରଖିବା ବା ସଜେଇ ରଖିବା ଗୋଟିଏ ସଉକ ହୋଇଯାଇଥିଲା ବା ଆଭିଜାତ୍ୟର ପରିଚୟ ଦେଉଥିଲା। ଘରର ଆସବାବପତ୍ର ବା ସାଜସଜ୍ଜାରେ ଫୋନ୍‌ ଏକ ଫର୍ନିଚରର ସ୍ଥାନ ନେଉଥିଲା। ଫୋନ୍‌ ଫର୍ନିଚର ଭିତରେ କାଠ ବା ଧାତୁର କାରୁକାର୍ଯ୍ୟ ଆମ ପରିବାରର ଆଭିଜାତ୍ୟର ପରିଚୟ ଦେଉଥିଲା। ଠାକୁରଙ୍କୁ ଯେପରି ରଖାଯାଏ, ଫୋନ୍‌ ସେଟ୍‌ ରହିବା ପାଇଁ ଢଙ୍ଗରଙ୍ଗର କାଠର ଘର କରାଯାଉଥିଲା। ଫୋନ୍‌ ଫର୍ନିଚର ଭିତରେ ଥିଲା ବସିବାର ଜାଗା, ବେଞ୍ଚ ବା ସେମିତି କିଛି। ବସି ରହିଥିବା ଲୋକ ଫୋନ୍‌ ଧରି ଭାବୁଥିଲା ଯେମିତି ମାଇଲ ମାଇଲ ଦୂରରୁ କହୁଥିବା ଲୋକଟା ତା’ ପାଖରେ ଅଛି ଏବଂ ସେ ତା’ ଘର ବା ପରିବାର ସହ ବାନ୍ଧି ହୋଇ ରହିଛି, ଆଉ ସେ ନିଜେ ଘରର କାନ୍ଥରେ ଆଉଜି ରହିଛି। କେତେ ସମୟ ଲାଗିଲା କି କେଉଁ ଜାଗାରେ ଛିଡା ହୋଇ ବା ବସିରହି ଫୋନ୍‌ ଧରିଲା ଚିନ୍ତା ନ ଥିଲା, କାରଣ ସମସ୍ତେ ଜାଣିଥିଲେ ଯେ ଫୋନ୍‌ ଅମୁକ ଜାଗାରୁ ସମୁକ ଜାଗାକୁ ଆସୁଛି ଆଉ ଯାଉଛି। ବାପା କି ମା’ ଧରିବ ତ ପିଲାକୁ ଡାକି ଦେବ, ଯଦି ତା’ର ସାଙ୍ଗ ବା ନିଯୁକ୍ତିଦାତା ଫୋନ୍‌ କରିଥାଏ, ଭାରି ଖୁସି ହେବ ଯେ ପିଲା ଭଲ ଚାକିରିରେ ଅଛି। ଅନ୍ୟ କେହି ହୋଇଥିଲେ କାହିଁକି ଫୋନ୍‌ କରିଛ ବୋଲି ବାପା ମା’ ପଚାରୁଥିଲେ।
ସ୍ମାର୍ଟ ଫୋନ୍‌ ଆମକୁ ସ୍ମାର୍ଟ କରିଦେବା ଆଳରେ ପରିବାର-ଭିତ୍ତିକ ଚଳଣିକୁ ପଙ୍ଗୁ କରିଦେଲା, ସମାଜରେ ବିଶୃଙ୍ଖଳା ଆଣିଦେଲା। ଅପରାଧ ବଢ଼ିବାର ଏକ ବଡ଼ ଅସ୍ତ୍ର ହେଉଛି ଷଡ଼ଯନ୍ତ୍ର, ତାକୁ ବଢ଼ିବାରେ ସ୍ମାର୍ଟ ଫୋନ୍‌ ସାହାଯ୍ୟ କଲା।
ଇମେଲ୍‌ : sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri