ସମ୍ପାଦକୀୟ/ କାଗଜ ଓ କଦଳୀ ପଟୁଆ

ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣମୀରେ ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭସାଇ ଅତୀତର ସ୍ମୃତିକୁ ମନେପକାଯାଉଛି। ପୂର୍ବରୁ ଥର୍ମୋକୁଲ ନିର୍ମିତ ଡଙ୍ଗା ବହୁଳ ଭାବେ ଭସାଯାଉଥିଲା। ପ୍ଲାଷ୍ଟିକ୍‌ ଓ ଥର୍ମୋକୁଲ ବ୍ୟବହାର ଉପରେ ରୋକ ଲଗାଯାଇଥିବାରୁ କାଗଜ ନିର୍ମିିତ ଓ କଦଳୀ ପଟୁଆରେ ତିଆରି ଡଙ୍ଗା ଏଥର ବହୁ ପରିମାଣରେ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, କାଗଜ ଓ କଦଳୀ ପଟୁଆରେ ତିଆରି ଡଙ୍ଗା ମାଟିରେ ମିଶିଯାଇଥାଏ । ତେଣୁ ଏହାର ବିକ୍ରି ବୃଦ୍ଧି ପାଇବା ପରିବେଶ ସୁରକ୍ଷା ଦିଗରେ ନିଶ୍ଚିତ ଭାବେ ଏକ ସକାରାତ୍ମକ ସନ୍ଦେଶ ଦେଉଛି। ଏହା ସ୍ବାଗତଯୋଗ୍ୟ ଯେ, ସାଧାରଣ ନାଗରିକ ସ୍ବଇଚ୍ଛାରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କଲେଣି। ଏଥିରୁ ପ୍ରମାଣ ମିଳୁଛି, ସଚେତନତା ହେଉଛି ପରିବର୍ତ୍ତନର ଏକମାତ୍ର ସଫଳ ଉପାୟ।
ଆଜି ବିଭିନ୍ନ ପ୍ରକାରର ପ୍ରଦୂଷଣ ଯୋଗୁ ଲୋକେ ଘୋର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ଥିତିକୁ ଚାଲିଆସି ଜନଜୀବନକୁ କିଭଳି ପ୍ରଭାବିତ କରିଦେଇଛି ତାହା ସମସ୍ତେ ଜାଣିଛନ୍ତି। ଦେଶର ପ୍ରାୟ ସବୁ ନଦୀ ଏବେ ପ୍ରଦୂଷିତ। କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ଭୂପୃଷ୍ଠରେ ବ୍ୟାପକ ଭାବେ ବ୍ୟବହୃତ ପ୍ଲାଷ୍ଟିକ୍‌ ପଦାର୍ଥ ସହିତ ଚାଷଜମିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ ସମୁଦ୍ର, ନଦୀ ଏବଂ ଭୂତଳ ଜଳକୁ ଦୂଷିତ କରିଦେଉଛି। ଫଳରେ ଜଳଚର ଜୀବଙ୍କ ପ୍ରତି ଏହି ପଦାର୍ଥ ବିପଦ ଭାବେ ଉଭା ହୋଇଛି। ବୈଜ୍ଞାନିକଙ୍କ ମତରେ ପଲିଥିନ୍‌ ବା ପ୍ଲାଷ୍ଟିକ୍‌ ମାଟିରେ ନ ମିଶି ୫୦୦ ବର୍ଷ ଯାଏ ପୃଥିବୀପୃଷ୍ଠରେ ପଡ଼ି ରହିଥାଏ। ସ୍ଥିତି ଏଭଳି ଉପୁଜିଛି ଯେ ଗୋରୁ ଓ ତିମି ଭଳି ପ୍ରାଣୀ ଏହାକୁ ଖାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଭାରତରେ ପ୍ଲାଷ୍ଟିକ୍‌କୁ ଉପଯୁକ୍ତ ରିସାଇକ୍ଲିଂ ବା ପୁନଃ ବ୍ୟବହାର ଉପଯୋଗୀ କରାଯାଇପାରୁ ନ ଥିବାରୁ ତାହା ଚିନ୍ତାର କାରଣ ପାଲଟିଛି। ଏହାର ବ୍ୟବହାର ଉପରେ ସରକାରୀ ସ୍ତରରେ ନିଷେଧାଜ୍ଞା ଜାରି କରାଯାଇଥିବାରୁ ଲୋକେ ସଚେତନ ହେବା ଆରମ୍ଭ କଲେଣି। କେତେକେ ଭୟରେ ପଲିଥିନ୍‌ ଧରୁନାହାନ୍ତି। ଜରିମାନା ଡରରେ ପ୍ଲାଷ୍ଟିକ୍‌ ବର୍ଜନ କରୁଥିବା ବ୍ୟକ୍ତି ଲୁଚାଛପାରେ ସୁଯୋଗ ପାଇଲେ ତାହାର ଉପଯୋଗ କରିପାରେ। ସବୁଠାରୁ ବଡ଼ କଥା ହେଲା, ଲୋକେ ଏବେ କେତେକାଂଶରେ ଏହାର ଭୟଙ୍କର ରୂପକୁ ଅନୁଭବ କରି ସଚେତନ ହେବାକୁ ଆରମ୍ଭ କଲେଣି। କଟକଣା, ଜରିମାନା ଓ ଭୟ ସାମାଜିକ ପରିବର୍ତ୍ତନ ଆଣିପାରେ। ତାହାଠାରୁ କାହିଁ କେତେ ଗୁଣରେ ବିବେକାନୁମୋଦିତ ପଦକ୍ଷେପ ଫରକ ଦେଖାଇଥାଏ। ଓଡ଼ିଶାର ଐତିହାସିକ କଟକ ବାଲିଯାତ୍ରା ୧୨ ନଭେମ୍ବରରୁ ଆରମ୍ଭ ହୋଇଯାଇଛି। ଏଥିସହିତ ରାଜ୍ୟର ପୁରପଲ୍ଲୀରେ ଥିବା ନଦୀ ଓ ପୋଖରୀରେ ଲୋକେ ଡଙ୍ଗା ଭସାଇ ପରମ୍ପରାକୁ ବଜାୟ ରଖିଛନ୍ତି। ତେବେ ବିଗତ ବର୍ଷ ଅପେକ୍ଷା ଏଥର ଲୋକେ ଅଧିକ ପରିମାଣରେ କାଗଜ ଓ କଦଳୀ ପଟୁଆରେ ତିଆରି ଡଙ୍ଗା ଭସାଇଥିବାରୁ ସେମାନଙ୍କ ମଧ୍ୟରେ ପରିବେଶ ସଚେତନତା ବଢ଼ିଛି ବୋଲି କୁହାଯାଇପାରେ। ଆଗରୁ ଡଙ୍ଗାରେ ଥର୍ମୋକୁଲ ଯେଭଳି ପର୍ଯ୍ୟାପ୍ତ ଭାବରେ ବ୍ୟବହାର କରାଯାଉଥିଲା, ତାହାର ପରିମାଣ ହ୍ରାସ ପାଇବା ନଦୀ ଜଳ ପାଇଁ ଶୁଭଙ୍କର। ଅନୁରୂପ ଭାବେ ଗଣେଶ, ଦୁର୍ଗା, କାଳୀ ମୂର୍ତ୍ତିରେ ବିଷାକ୍ତ ରଙ୍ଗ ଓ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ତାହାକୁ ବେଖାତିର ମନୋଭାବ ପୋଷଣ କରି ନଦୀ, ପୋଖରୀ ଏବଂ ଅନ୍ୟ ଜଳାଶୟରେ ବିସର୍ଜନ କରାଯାଉଥିଲା। ସେଗୁଡ଼ିକ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି ହେଲାଣି। କୃତ୍ରିମ ପୋଖରୀ କରାଯାଇ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରିବାର ପ୍ରୟାସ ଆରମ୍ଭ ହେଲାଣି। ତାହା ସମ୍ପୂର୍ଣ୍ଣ ସମାଧାନ ନୁହେଁ। ମୂର୍ତ୍ତିର ଆକାର କ୍ଷୁଦ୍ର କରିବା ସହ ସେଥିରେ ଯଦି କୌଣସି ବିଷାକ୍ତ ପଦାର୍ଥ ବ୍ୟବହାର କରା ନ ଯାଆନ୍ତା, ତାହା ଅଧିକ ଗ୍ରହଣୀୟ ହୋଇପାରନ୍ତା। ଏମିତି ଦେଖିଲେ ରାଜ୍ୟର ଅନେକ ଅଞ୍ଚଳରେ ବିଶୁଦ୍ଧ ପାନୀୟଜଳ ମିଳୁନାହିଁ। ଏହିି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ୍‌ ବର୍ଜନ ପ୍ରତି ଲୋକଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତା ଜନ୍ମିବା ଉତ୍ସାହପ୍ରଦ।
ସରକାର ଚାପ ପ୍ରୟୋଗ କରି କୌଣସି ବିଷୟରେ ପରିବର୍ତ୍ତନ ଆଣିପାରନ୍ତି। ମାତ୍ର ନାଗରିକ ନିଜେ ସାମାଜିକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କଲେ, ତାହାର ପ୍ରଭାବ ସୁଦୂରପ୍ରସାରୀ ହୋଇଥାଏ। ଏଠାରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରର ଉଦାହରଣ ଦିଆଯାଇପାରେ। ସେଠାରେ ସରକାର ସହ ସାଧାରଣ ନାଗରିକର ସେଭଳି ନେଣଦେଣ ନ ଥାଏ। ଆଇନଶୃଙ୍ଖଳା, ନ୍ୟାୟ ଓ ବାସ୍ତବ ସରକାରୀ କାର୍ଯ୍ୟ ବ୍ୟତୀତ ନାଗରିକମାନେ ଦୈନନ୍ଦିନ ଜୀବନରେ ବ୍ୟବସ୍ଥାର ସାହାଯ୍ୟ ଲୋଡ଼ି ନ ଥାଆନ୍ତି। ସେମାନେ ନିଜେ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ପାଲଟିଥାଆନ୍ତି। ସେହି ଦୃଷ୍ଟିରୁ ଦେଖିଲେ, ଓଡ଼ିଶାରେ ପ୍ଲାଷ୍ଟିକ ଓ ଥର୍ମୋକୁଲ ବର୍ଜନ କରି କାର୍ତ୍ତିକ ପୂର୍ଣ୍ଣିମାରେ ଯେଉଁମାନେ କାଗଜ ଓ କଦଳୀ ପଟୁଆରେ ନିର୍ମିତ ଡଙ୍ଗା ଭସାଇଛନ୍ତି, ସେମାନଙ୍କ ଭିତରେ ନିଶ୍ଚୟ ପରିବର୍ତ୍ତନ ଆସିଲା ଭଳି ମନେହେଉଛି। ପୃଥିବୀ ଇତିହାସରେ ପ୍ରସ୍ତର ଯୁଗ, ଲୌହ ଯୁଗ ଓ କାଂସ୍ୟ ଯୁଗ ଥିଲା। ସେହିଭଳି ଭାବେ ବୈଜ୍ଞାନିକମାନେ କହୁଛନ୍ତି, ଆମର ଏହି ଯୁଗ ପ୍ଲାଷ୍ଟିକ୍‌ ଯୁଗ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri