ଶିକ୍ଷା, ସମାଜ ଓ ସାମାଜିକତା

ଜଷ୍ଟିସ୍‌ ଡ. ଦୀପକ ମିଶ୍ର

ଏକ ଶ୍ରେଣୀକକ୍ଷରୁ ହିଁ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ କରିହେବ, ଏ ମନ୍ତବ୍ୟ ରାଷ୍ଟ୍ରୀୟ ଶିକ୍ଷା କମିଶନଙ୍କର। ତେଣୁ ଶିକ୍ଷାନୁଷ୍ଠାନ କେବଳ ଇଟା-ବାଲି-ପଥର-ସିମେଣ୍ଟ-ଲୁହାଛଡ଼ ତିଆରି କଂକ୍ରିଟ କୋଠରି ନୁହେଁ, ତାହା ଜ୍ଞାନ-ଉତ୍ସର ଭଣ୍ଡାର ଓ ପ୍ରଜ୍ଞାର ନାଭିକେନ୍ଦ୍ରଠୁ ବି ଅଧିକ। ସେଠାରୁ ପ୍ରବାହିତ ଶିକ୍ଷା-ଝର ସମାଜକୁ ସ୍ଥାଣୁତ୍ୱରୁ ମୁକ୍ତି ଦିଏ ଏବଂ ବିକଶିତ କରେ।
ଆନନ୍ଦଦାୟକ ଅସାଧାରଣ ଅନୁଭୂତି ଓ ଉଚ୍ଚାଭିଳାଷ ବିନା ଜୀବନଟା ଯେ ନିରସ ଓ ଫମ୍ପା ଏ କଥା ସମସ୍ତଙ୍କୁ ଜଣା। ତେଣୁ ଯେକୌଣସି ସମାଜର ବିକାଶ ସାଧନ ପାଇଁ ସର୍ବୋତ୍ତମ ମାଧ୍ୟମ ହେଉଛି ଶିକ୍ଷା। ଶିକ୍ଷା ଦ୍ୱାରା ଲୋକଶକ୍ତିକୁ ଅଧିକ କ୍ରିୟାଶୀଳ କରିହୁଏ। ୨୦୧୩ ମସିହାରେ ମିଚେଲ ଓବାମା ଇଷ୍ଟର୍ନ କେନ୍‌ଟୁକି ୟୁନିଭର୍ସିଟିରେ ଯେଉଁ ଅଭିଭାଷଣ ଦେଇଥିଲେ, ତାହା ଏଠାରେ ସ୍ମରଣଯୋଗ୍ୟ। ଛାତ୍ରୀଛାତ୍ର ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ହେବାକୁ ସେ ଅନୁରୋଧ କରି କହିଥିଲେ ଯେ, ଯେଉଁମାନଙ୍କ ସହ ମତଭେଦ ଅଛି, ସେମାନଙ୍କ ସହ ମିଶିବାକୁ କିଛି ସମୟ ଦିଅନ୍ତୁ। ଅସମ୍ମତି ପ୍ରକାଶ କରିବା ଅର୍ଥ ନୁହେଁ ଯେ ବୈରତା ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା। ଏକ ପ୍ରଗତିଶୀଳ ସମାଜ ପାଇଁ ବିଭିନ୍ନ ମତ ବା ମନ୍ତବ୍ୟ ସ୍ବାଗତଯୋଗ୍ୟ। ଭାରତୀୟ ସମ୍ବିଧାନର ପ୍ରସ୍ତାବନାରେ ଏହା ଉଲ୍ଲିଖିତ, ଯାହା ଭ୍ରାତୃଭାବକୁ ସୁଦୃଢ଼ କରେ। ମହାବିଦ୍ୟାଳୟ ଶିକ୍ଷା ପ୍ରତ୍ୟେକ କଲେଜପଢୁଆଙ୍କ ଜୀବନରେ ପରିବର୍ତ୍ତନ ଓ ବିକାଶର ଏକ ଉଲ୍ଲେଖନୀୟ ପର୍ଯ୍ୟାୟ। ବ୍ୟକ୍ତିତ୍ୱ ବିକାଶର ଏହା ଗୁରୁତ୍ୱପୂର୍ଣ୍ଣ ଆଧାର। କଲେଜ ଜୀବନରେ ଆହରଣ କରିଥିବା ଶିକ୍ଷା, ଦକ୍ଷତା ଓ ଜ୍ଞାନ ସାରା ଜୀବନ ବ୍ୟକ୍ତି ପାଖରେ ରହିଯାଏ।
ଜୀବନକୁ ସଫଳତା ଦିଗରେ ଆଗେଇନେବାକୁ କଲେଜ ଜୀବନର ଶିକ୍ଷା କେବଳ ସହାୟକ ନୁହେଁ, ଏହା ବ୍ୟକ୍ତିର ଲୁକ୍କାୟିତ ବୌଦ୍ଧିକତା ଓ ଜ୍ଞାନ ପିପାସାର ଉଚ୍ଚତର ସାମର୍ଥ୍ୟକୁ ଉନ୍ମୋଚନ କରିଥାଏ। ଯଦି ଏହି ଅନ୍ତର୍ନିହିତ କ୍ଷମତାକୁ ଆବିଷ୍କାର କି ଉଦ୍ଦୀପିତ କରା ନ ଯାଏ, ଏହା ଛୋଟ ଛୋଟ ବିପଦ ସୃଷ୍ଟି କରେ। ଅନ୍ୟପକ୍ଷରେ ଏହି କ୍ଷମତାର ସର୍ବାଧିକ ବିନିଯୋଗ ଦକ୍ଷ ବୃତ୍ତିଧାରୀ ଗଢ଼ିବା ସହିତ ଅଜଣା ଆହ୍ବାନର ମୁକାବିଲା ପାଇଁ ସାମର୍ଥ୍ୟ ଆଣି ଦେଇଥାଏ।
ଆସନ୍ତା କିଛିବର୍ଷ ମଧ୍ୟରେ ଭାରତ ବହୁ ଘଟଣାର ସମ୍ମୁଖୀନ ହେବ। ଭିଜନ-୨୦୨୦ର ଲକ୍ଷ୍ୟ ରହିବ କ୍ରିୟାଭିମୁଖୀ। ଦ୍ରୁତ ପରିବର୍ତ୍ତନଶୀଳ ତଥା ଆହ୍ବାନଯୁକ୍ତ ବିଶ୍ୱରେ ଅନ୍ତହୀନ ଶିକ୍ଷାକୁ ଉପେକ୍ଷା କରିବା ଅସ୍ପୃହଣୀୟ। ଶିକ୍ଷା ଥରକର କାର୍ଯ୍ୟ ନୁହେଁ, ସମ୍ଭାବନାକୁ ଖୋଜିବା ଏକ ଅସରନ୍ତି ପ୍ରକ୍ରିୟା। ଶିକ୍ଷାର ଶେଷ ବୋଲି କିଛି ନାହିଁ। ଶିକ୍ଷା ପ୍ରକ୍ରିୟାର ବିଶେଷତ୍ୱ ହେଉଛି ଏହା ସର୍ବଥା ଗତିଶୀଳ ଓ ଜ୍ଞାନୋଦ୍ଦୀପକ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହନ୍ତି, ମଣିଷର ମନ ମହାସାଗରଠୁ ଗଭୀର ଓ ମହାଶୂନ୍ୟଠାରୁ ଅଧିକ ପରିବ୍ୟାପ୍ତ। ଶିକ୍ଷା ସହ ସମ୍ପୃକ୍ତ ଶିକ୍ଷକ ବା ଶିକ୍ଷାର୍ଥୀଙ୍କୁ ପୂର୍ଣ୍ଣପ୍ରାଣରେ ଶିକ୍ଷାର ବିକାଶମୂଳକ ଚିନ୍ତାଧାରାକୁ ଆପଣାଇବାକୁ ପଡ଼ିବ। ଶିକ୍ଷା ସମାଜ ବିକାଶର ମାର୍ଗଦର୍ଶକ ଓ ଉତ୍‌ପ୍ରେରକ। ଜନଗଣଙ୍କୁ ଶକ୍ତିଶାଳୀ କରିବାରେ ଏହା ଏକ ଅବିଚ୍ଛେଦ୍ୟ ମାଧ୍ୟମ ବୋଲି କୁହାଯିବ। ନିପୀଡ଼ିତ ଜନତାଙ୍କ ସଶକ୍ତୀକରଣ ଓ ସାହଚର୍ଯ୍ୟ ପାଇଁ ଶିକ୍ଷାର ଭୂମିକାକୁ ଭୁଲିଗଲେ ଚଳିବ କି? ଉତ୍ତର ନିଶ୍ଚୟ ନା। ସେମାନଙ୍କ ଉତ୍ଥାନର ମୌଳିକ ଓ ବୈଷୟିକ ଉପକରଣ ହେଉଛି ଶିକ୍ଷା। ସ୍ବାମୀ ବିବେକାନନ୍ଦଙ୍କ ମତରେ ଯେଉଁ ଶିକ୍ଷା ସାଧାରଣ ମଣିଷକୁ ତା’ର ଜୀବନ ସଂଗ୍ରାମରେ ସହଯୋଗ କରିପାରେ ନାହିଁ, ଯାହା ମାନବ ଚରିତ୍ରକୁ ସଜାଡି ସୁଦୃଢ଼ କରିପାରେ ନାହିଁ, ମାନବୀୟ ପ୍ରେମରେ ଯାହା ଉଚ୍ଛଳ ନୁହେଁ ଏବଂ ଯେଉଁଥିରେ ସିଂହର ପରାକ୍ରମ ନାହିଁ, ତାକୁ ଶିକ୍ଷା ବୋଲି କହିବାର ଯଥାର୍ଥତା କ’ଣ?
ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷାରେ ନିର୍ଦ୍ଦିଷ୍ଟ ମେଳ ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇଦେବା ଯେକୌଣସି ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ। ଏହାର ଅଭାବରେ ରାଷ୍ଟ୍ରର ଆର୍ଥତ୍କ-ସାମାଜିକ ବିକାଶ ବିଘ୍ନିତ ହୁଏ। ଏ ପ୍ରସଙ୍ଗରେ ନୋବେଲ ବିଜୟୀ ପ୍ରଫେସର ଅମର୍ତ୍ତ୍ୟ ସେନ କହନ୍ତି, ଶିକ୍ଷାର କକ୍ଷ ବାହାରେ ଯଦି ଅମେ ଜନତାର ବିପୁଳ ଅଂଶକୁ ବାଦ୍‌ ଦେଇ ଚାଲିଥିବା, ତେବେ ପରିଣତିରେ ଆମେ ଆଂଶିକ ସୁରକ୍ଷିତ ଏକ ବିଶ୍ୱ ହିଁ ଗଢୁଥିବା। ଜନସମୁଦାୟକୁ ଗଢ଼ି ବିସ୍ତାରିତ କରିବା ଶିକ୍ଷାର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏଥିସହ ଛାତ୍ରୀଛାତ୍ରଙ୍କ ସମଷ୍ଟିଗତ ସ୍ବାଭାବିକ ପ୍ରବୃତ୍ତି ଓ ବ୍ୟକ୍ତିତ୍ୱର ବିକାଶ କରିବା ମଧ୍ୟ ଶିକ୍ଷାର ଲକ୍ଷ୍ୟ। ଅନ୍ୟ ଅର୍ଥରେ କୁହାଯିବ ଯେ ଶିକ୍ଷା ମାନବିକ ଜୀବନ ପ୍ରକ୍ରିୟାର ଦିଗ୍‌ବଳୟକୁ ପ୍ରସାରିତ କରେ। ଜ୍ଞାନାର୍ଜନ ଶିକ୍ଷାର କେବଳ ଗୋଟିଏ ଦିଗ। ଶିକ୍ଷା ବିକାଶରେ ଏହାର ଭୂମିକା ଅତୁଳନୀୟ। ମାନବବାଦ, ଶୃଙ୍ଖଳା, ଉଦାରତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଜିଜ୍ଞାସା ପାଇଁ ଆଗ୍ରହ ଓ ସଂସ୍କାର ଆଦି ଭଲ ଗୁଣଗୁଡ଼ିକ ଉତ୍ପନ୍ନ କରିବା ଶିକ୍ଷାର ବୈଶିଷ୍ଟ୍ୟ। ମାନବ ଜୀବନକୁ ଆଲୋକିତ କରିବାରେ ଏସବୁର ଆବଶ୍ୟକତା ରହିଛି।
ଉତ୍ତମ ଶିକ୍ଷା ବ୍ୟବସ୍ଥାରେ ନୈତିକତା ଉଚିତ ଆଚରଣ ଓ ଯୁକ୍ତିଯୁକ୍ତ ମୂଲ୍ୟବୋଧ ଥାଏ, ଯାହା ଅତୀତ ଓ ଭବିଷ୍ୟତର ବିଭ୍ରାନ୍ତିକର ତଥା ହାନିକାରକ ନିଷ୍ପତ୍ତିକୁ ନିଷ୍ପ୍ରଭ କରିଥାଏ। ଆମ ଶିକ୍ଷାନୁଷ୍ଠାନଗୁଡିକରେ କାମ କରିବା ପାଇଁ ପ୍ରତିଭାବାନ ଓ ବୌଦ୍ଧିକ ଶକ୍ତିସମ୍ପନ୍ନ, ସାଧୁତାସମ୍ପନ୍ନ ଗବେଷକଙ୍କର ପ୍ରୟୋଜନୀୟତା ରହିଛି। ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ବୁଝି ଗବେଷକଙ୍କୁ ଅଭିନବ ସମାଧାନ ପନ୍ଥା ବାହାର କରିବାକୁ ପଡ଼ିବ। ଏକବିଂଶ ଶତାବ୍ଦୀରେ ସମାଜର ଅଭିବୃଦ୍ଧି ଜ୍ଞାନ ଓ ଅଭିନବତ୍ୱ ଉପରେ ନିର୍ଭର କରେ। ଗବେଷଣା, ଅଭିନବତ୍ୱ ଓ ଅବିରତ ଶିକ୍ଷାକୁ ଉତ୍ସାହିତ କରୁଥିବା ଶିକ୍ଷାୟତନ ଦ୍ୱାରା ହିଁ ଏହା ସମ୍ଭବ। ଉନ୍ନତ ଗବେଷଣାଲବ୍ଧ ସିଦ୍ଧାନ୍ତକୁ କେବଳ ଶିକ୍ଷାୟତନ ଭିତରେ ସୀମିତ ନ ରଖି ଯଥାସମ୍ଭବ ଏହାର କାର୍ଯ୍ୟାନ୍ବୟନ କରିବାକୁ ହେବ। ଏଥିପାଇଁ ଗବେଷକ ଓ ଯୋଜନା ପ୍ରଣୟନକାରୀଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ଶିକ୍ଷକ ଶିକ୍ଷା ଜାତୀୟ ପରିଷଦ’ ମାମଲାରେ ଅନୁଧ୍ୟାନ କରି କହିଛନ୍ତି ଯେ, ଅନୁଶୀଳନପୂର୍ଣ୍ଣ ବିକଶିତ ତାଲିମ ଓ ତୀକ୍ଷ୍‌ଣ ବୁଦ୍ଧି ଶକ୍ତି ଦ୍ୱାରା ଶିକ୍ଷାରେ ପରିଶୁଦ୍ଧତା ଓ ପୂର୍ଣ୍ଣତା ହାସଲ କରାଯାଇପାରିବ। ସେଥିପାଇଁ ଉନ୍ନତ ଶିକ୍ଷାଦାନ ଶିକ୍ଷକଙ୍କ ଉତ୍ତମ ରୁଚି ଓ ଧର୍ମର ପରିଚାୟକ। ଜଣେ ଭଲ ଶିକ୍ଷକ ଦେଶର ସୁବ୍ୟବସ୍ଥିତ ସଭ୍ୟତାର ପ୍ରତିନିଧିତ୍ୱ କରିଥାଏ।
ଆଲବର୍ଟ ଆଇନଷ୍ଟାଇନ କହନ୍ତି, ଅଧ୍ୟୟନକୁ କଦାପି ବୋଝ ଭାବନ୍ତୁ ନାହିଁ। ଜ୍ଞାନ ଆହରଣକୁ ବରଂ ଏକ ଈର୍ଷାଯୋଗ୍ୟ ସୁଯୋଗ ଭାବନ୍ତୁ। ଆମ ପ୍ରତ୍ୟେକଙ୍କର ଯଦିଓ ବ୍ୟକ୍ତିଗତ ଲକ୍ଷ୍ୟ ଓ ସ୍ବପ୍ନ ରହିଛି, କିନ୍ତୁ ସେସବୁ ସମ୍ପୂର୍ଣ୍ଣ ଭାବେ ଆତ୍ମକୈନ୍ଦ୍ରିକ ନ ହୋଇ ସମାଜମୁଖୀ ହେବା ଆବଶ୍ୟକ। କାରଣ ଶିକ୍ଷାର ଉପଯୋଗରେ ମରୁଭୂମି ନୁହେଁ, ମରୁଦ୍ୟାନ ସୃଷ୍ଟି ହିଁ ଆମର ଲକ୍ଷ୍ୟ। ଅତୀତକୁ ସମ୍ମାନ କରିବା ଦ୍ୱାରା ଭବିଷ୍ୟତକୁ ଶକ୍ତି ସଂଚାରିତ କରିହୁଏ। ଆଜିର ପରିବର୍ତ୍ତନଶୀଳ ସମାଜରେ ବ୍ୟକ୍ତିସତ୍ତା ହିଁ ସର୍ବାଧିକ ଶକ୍ତିଶାଳୀ ପରିବର୍ତ୍ତନକାରୀ- ଆମକୁ ଏହା ମନେରଖିବାକୁ ହେବ। କହିବା ବହୁଲ୍ୟ ଯେ, ଛାତ୍ର ଜୀବନରୁ ହିଁ ବ୍ୟକ୍ତିସତ୍ତାର ଭୂମିପୂଜନ ହୋଇଥାଏ।
(ଷ୍ଟିଓ୍ବାର୍ଟ ସାଇନ୍ସ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଜଷ୍ଟିସ୍‌ ମିଶ୍ରଙ୍କ ଇଂଲିଶ ଅଭିଭାଷଣ: ଓଡ଼ିଆ ରୂପାନ୍ତର-ଡ. ନୃସିଂହ ଷଡ଼ଙ୍ଗୀ)


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri