Posted inଜାତୀୟ

ରାତିରେ ପଲଟିଗଲା ବାଜି: ଫଡ୍‌ନବିସ ମୁଖ୍ୟମନ୍ତ୍ରୀ, ଅଜିତ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ା୧୧: ହିସାବ ସରିଥିଲା… ଭାଗବଣ୍ଟା ଛିଣ୍ଡିଥିଲା ଶିବସେନା, ଏନ୍‌ସିପି ଓ କଂଗ୍ରେସ ମଧ୍ୟରେ। ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ବିଧାୟକଙ୍କ ସମର୍ଥନପତ୍ର ଧରି ପହଞ୍ଚତ୍ଥାନ୍ତେ ରାଜ୍ୟପାଳଙ୍କ ନିକଟରେ। ଜଣାଇଥାନ୍ତେ ସରକାର ଗଠନ ପାଇଁ ଦାବି। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ ବୋଲି ତିନି ଦଳ ମଧ୍ୟରେ ପ୍ରକାଶ ପାଇଥିଲା ସହମତି। ହେଲେ ରାତିରେ ହିଁ ବଦଳିଯାଇଥିଲା ସମୀକରଣ, ପଲଟିଯାଇଥିଲା ବାଜି। ସକାଳେ ନିଦ ଭାଙ୍ଗିବା ପରେ ଦେଖିବାକୁ ମିଳିଲା ମହାରାଷ୍ଟ୍ରରୁ ହଟାଇ ଦିଆଯାଇଛି ରାଷ୍ଟ୍ରପତି ଶାସନ। ଭାଜପା ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ପୁନର୍ବାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଏନ୍‌ସିପିର ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଅଜିତଙ୍କ ପକ୍ଷବଦଳକୁ ତିନି ଦଳ ବିଶ୍ୱାସଘାତ ବୋଲି ଅଭିହିତ କରି ରାଜ୍ୟପାଳଙ୍କ ଭୂମିକାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଏହି ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମ କେବଳ ମହାରାଷ୍ଟ୍ର ନୁହେଁ ବରଂ ଜାତୀୟ ରାଜନୀତିରେ ଭରିଦେଇଛି ଅଭୂତପୂର୍ବ ଉଷ୍ମତା।

ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ ହଠାତ୍‌ ବଦଳିଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାରଙ୍କ ସମର୍ଥନରେ ଭାଜପା ସରକାର ଗଠନ କରିଛି। ଦେବେନ୍ଦ୍ର ଫଡ୍‌ନବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାରାଷ୍ଟ୍ରରେ ଏନ୍‌ସିପି ଏବଂ କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଢ଼ିବ ବୋଲି ଶୁକ୍ରବାର ତିନିଦଳର ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଶିବସେନା ନେତା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ନେଇ ତିନିଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ଶନିବାର ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥାନ୍ତେ। ତେବେ ହଠାତ୍‌ ରାତିଅଧରେ ସବୁକିଛି ବଦଳିଗଲା। ଶନିବାର ଭୋର ସମୟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠାଇଦିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଭାବେ ଫଡ୍‌ନବିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ବାର ଶପଥ ନେଲେ। ଏଭଳି ଘଟଣାକୁ ବିଶ୍ୱାସଘାତକତା ବୋଲି ଶିବସେନା ଓ କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଶପଥ ନେବା ପରେ ଫଡ୍‌ନବିସ କହିଛନ୍ତି, ରାଜ୍ୟରେ ଖେଚୁଡି ଶାସନ ନୁହେଁ, ଏକ ସ୍ଥାୟୀ ସରକାର ଗଠନର ଆବଶ୍ୟକତା ଥିଲା। ମହାରାଷ୍ଟ୍ରବାସୀ ଭାଜପା ନେତୃତ୍ୱରେ ସରକାର ଗଠନ ଲାଗି ଜନାଦେଶ ଦେଇଥିଲେ। ଶିବସେନା ଏହାକୁ ଗ୍ରହଣ ନ କରି ଅନ୍ୟ ଦଳ ସହ ମିଶି ସରକାର ଗଢ଼ିବାକୁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟପାଳ ତାଙ୍କୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଥିଲେ ବୋଲି ସେ କହିଛନ୍ତି। ଏହା ସହ ସେ ସମର୍ଥନ ପାଇଁ ଅଜିତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନଭେମ୍ବର ୩୦ ସୁଦ୍ଧା ଫଡ୍‌ନବିସଙ୍କୁ ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସମୟ ଦେଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ଆସ୍ଥାଭୋଟରେ ଭାଜପା ନେତୃତ୍ୱାଧୀନ ସରକାରକୁ ପରାଜିତ କରି ପୁଣିଥରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ସରକାର ଗଢ଼ାଯିବ ବୋଲି ତିନିଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି, ତାଙ୍କ ପୁତୁରା ଅଜିତ ଭାଜପାକୁ ସମର୍ଥନ ଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାସହିତ ଦଳ ଏକମତ ନୁହେଁ। ଅଜିତ ଭାଜପାକୁ ସମର୍ଥନ ଦେବା ସମ୍ପର୍କରେ ସେ ଜାଣି ନ ଥିଲେ ବୋଲି ଶରଦ ପାଓ୍ବାର ଉଦ୍ଧବଙ୍କୁ ଫୋନ୍‌ କରି କହିଛନ୍ତି। ଅଜିତ ପାଓ୍ବାରଙ୍କୁ ବ୍ଲାକମେଲ୍‌ କରାଯାଇଥିବା ଶିବସେନା ନେତା ସଞ୍ଜୟ ରାଉତ୍‌ ଅଭିଯୋଗ କରିଛନ୍ତି।
ଏକ ନାଟକୀୟ ଘଟଣାକ୍ରମରେ ସରକାର ଗଠନ ନେଇ ଭାଜପା ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲା। ରାଜ୍ୟପାଳ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ ସୁପାରିସ କରିଥିଲେ। ୫ଟା ୪୭ ମିନିଟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇଦିଆଯାଇଥିଲା। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାକ୍ଷରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସକାଳ ୮ଟାରେ ଫଡ୍‌ନବିସ ଓ ଅଜିତ ପାଓ୍ବାର ଶପଥ ନେଇଥିଲେ। ଏହା ପୂର୍ବରୁ ରାଜ୍ୟପାଳ କୋଶିୟାରୀ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ତିନିଦିନିଆ ଦିଲ୍ଲୀ ଗସ୍ତକୁ ବାତିଲ କରିଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କଲାବେଳେ ଅଜିତ ପାଓ୍ବାର ସେଠାରେ ଉପସ୍ଥିତ ଥିଲେ। ଅଜିତ୍‌ଙ୍କ ନିଷ୍ପତ୍ତି ସହ ଦଳ ନାହିଁ ବୋଲି ଶରଦ ପାଓ୍ବାର ଦାବି କରୁଥିବାବେଳେ ଦଳର ସବୁ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ପୂର୍ବରୁ ଏନ୍‌ସିପି ଏହାର ବିଧାୟକମାନଙ୍କ ସମର୍ଥନପତ୍ର ସଂଗ୍ରହ କରିଥିବା କୁହାଯାଉଛି। ଆମେ ବୈଠକରେ ଯୋଗଦେବା ନେଇ ସ୍ବାକ୍ଷର କରିଥିଲୁ। ଶପଥ ଗ୍ରହଣ ପାଇଁ ଏହାର ଅପବ୍ୟବହାର କରାଯାଇଥିବା ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ କହିଛନ୍ତି। ଅଜିତ ପାଓ୍ବାର ପଛରୁ ଛୁରିକାଘାତ କଲେ ବୋଲି ଶିବସେନା ଅଭିଯୋଗ କରିଛି। ଅଜିତ ଯାହା କଲେ ସେଥିରେ ଶରଦ ପାଓ୍ବାରଙ୍କର କିଛି କରିବାର ନାହିଁ। ତେବେ ଅଜିତଙ୍କୁ ଛତ୍ରପତି ଶିବାଜୀ ଓ ମହାରାଷ୍ଟ୍ରବାସୀ କଦାପି କ୍ଷମା ଦେବେନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି। ଗତ ରାତିରେ ଅଜିତଙ୍କ ହାବଭାବ ସନ୍ଦେହଜନକ ଥିବା ସେ ଲକ୍ଷ୍ୟ କରିଥିଲେ ବୋଲି ଶିବସେନା ଏମ୍‌ପି କହିଛନ୍ତି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ କହିଛନ୍ତି, ନିର୍ବାଚନ ଫଳାଫଳ ଘୋଷଣା ଦିନରୁ ଆଜି ପର୍ଯ୍ୟନ୍ତ କେହି ସରକାର ଗଠନ କରିବାକୁ ସମର୍ଥ ହେଲେନାହିଁ। ମହାରାଷ୍ଟ୍ର କୃଷକ ସମସ୍ୟାଠାରୁ ଆରମ୍ଭ କରି ଅନେକ ସମସ୍ୟାର ସମ୍ମୁଖୀନ। ସେଗୁଡ଼ିକର ସମାଧାନ ନିମନ୍ତେ ଏକ ସ୍ଥାୟୀ ସରକାର ଗଠନ ଲାଗି ଆମେ ନିଷ୍ପତ୍ତି ନେଲୁ ବୋଲି ଅଜିତ କହିଛନ୍ତି। କେନ୍ଦ୍ର ସରକାରରେ ଏନ୍‌ସିପି ସାମିଲ ହେବା ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ ବୋଲି ଭାଜପା ସୂତ୍ରରୁ ଜଣାପଡିଛି। ଶପଥ ଗ୍ରହଣ ପରେ ଫଡ୍‌ନବିସ ଓ ଅଜିତ ପାଓ୍ବାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଥିଲେ। ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ୧୦୫ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଏହା ସହ ଏକାଠି ଲଢ଼ିଥିବା ଶିବସେନାକୁ ୫୬ ଆସନ ମିଳିଥିଲା। ଏନ୍‌ସିପି ଓ କଂଗ୍ରେସ ଯଥାକ୍ରମେ ୫୪ ଓ ୪୪ ଆସନରେ ବିଜୟୀ ହୋଇଥିଲେ। ତେବେ ଫଳାଫଳ ଘୋଷଣା ହେବା ପରେ ଶିବସେନା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ୫୦:୫୦ ସୂତ୍ରରେ ମନ୍ତ୍ରୀପଦ ଦାବି କରିଥିଲା, ଯାହାକୁ ଭାଜପା ଅଗ୍ରାହ୍ୟ କରିଦେଇଥିଲା। କୌଣସି ଦଳ ସରକାର ଗଢ଼ିବାକୁ ସମର୍ଥ ନ ହେବାରୁ ରାଜ୍ୟପାଳଙ୍କ ସୁପାରିସ କ୍ରମେ ଗତ ୧୨ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟ ଉପସ୍ଥାପନ ପୂର୍ବରୁ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ: ସୁବର୍ଣ୍ଣ ଯୁଗ ଆଡ଼କୁ…

ଭୁବନେଶ୍ୱର,୨୦।୨: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri