ମରିଯାଉଥିବା ନଦୀ

ରୁଦ୍ର ପ୍ରସନ୍ନ ରଥ
କାହିଁ କେଉଁ ଅନାଦି କାଳରେ ନଦୀକୂଳରେ ରୂପ ନେଇଥିଲା ମଣିଷ ସଭ୍ୟତା। ବାରଆଡେ ବୁଲୁଥିବା ମଣିଷ ନଦୀକୁ ହିଁ ସାଥିକରି ନେଇଥିଲା ନିଜେ ବଞ୍ଚିବା ଓ ବଢ଼ିବା ପାଇଁ। ଆଉ ସେବେଠୁ ନଦୀ ଯେ ମଣିଷ ସଭ୍ୟତାର ସାବଲୀଳ ଜୟଯାତ୍ରାର ସାକ୍ଷୀ ରହିଛି ତାହା ନୁହେଁ ବରଂ ସେ କ୍ରମବର୍ଦ୍ଧିଷ୍ଣୁ ସଭ୍ୟତାର ମେରୁଦଣ୍ଡ ପାଲଟିଛି। ନଦୀର ଦକ୍ଷତାକୁ ଭରସା କରି ଆଉ କ୍ଷମତାକୁ ଆୟୁଧ କରି ମଣିଷ ନିଜର ପ୍ରଭୂତ ଉନ୍ନତି କରିଛି। ଏଇଠି ମଣିଷ ହାତଗୋଡ ଧୋଇଛି, ଗାଧୋଇଛି ଆଉ ପାଣି ନେଇ ବିଲରେ ମଡାଇ ଚାଷ କରିଛି। ତା’ର କଳକାରଖାନାର ଗର୍ଜନ ହେଉ ବା ସବୁଜ କ୍ଷେତରେ ଲହଡି ଭାଙ୍ଗୁଥିବା ଫସଲ ଏ ସବୁ ସମ୍ଭବ ହୋଇଛି କେବଳ ନଦୀ ଯୋଗୁ। ନଦୀ ଆଉ ମଣିଷର ଏହି ପାରମ୍ପରିକ ସମ୍ପର୍କକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବର ୨୨ ତାରିଖରେ ଅନ୍ତର୍ଜାତୀୟ ନଦୀ ଦିବସ ପାଳନ କରାଯାଉଛି। ବିଶ୍ୱର ନଦୀଗୁଡ଼ିକ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ଏବଂ ଏଥିନେଇ ସମାଧାନର ବାଟ କାଢ଼ିବା ହେଉଛି ବିଶ୍ୱ ନଦୀ ଦିବସର ଉଦ୍ଦେଶ୍ୟ।
ନଦୀ ସହ ମଣିଷର ସମ୍ପର୍କ ବେଶ୍‌ ପୁରୁଣା। ସମୟ ସହ ତାଳ ଦେଇ ମଣିଷ ଆଗକୁ ଚାଲିଲା ବେଳେ ନଦୀ ସହ ଏହି ସମ୍ପର୍କର ସଂଜ୍ଞା ଏବଂ ସୀମା ବଦଳିଯାଇଛି। ଯାହାକୁ ଦିନେ ମଣିଷ ମା’ ବୋଲି ଡାକି ପୂଜା କରୁଥିଲା ସେହି ନଦୀ ଆଜି ପାଲଟିଯାଇଛି ସମ୍ବଳ। ନଦୀକୁ ଆଉ ନଦୀ ହୋଇ ରହିବାକୁ ଦିଆଯାଇନାହିଁ ବରଂ ଏହାକୁ ପରିଣତ କରିଦିଆଯାଇଛି ଗୋଟିଏ ପ୍ରବହମାନ ଗତିଶୀଳ ଯାନରେ। ଯାହାର କାମ ହେଉଛି ମଇଳା ବୋହିବ। ଆଜି ଦୁନିଆର ଅର୍ଦ୍ଧାଧିକ ନଦୀ ପ୍ରଦୂଷଣର ଶିକାର। କେଉଁଠାରେ ନଦୀରେ ମଣିଷ ଭସେଇ ଦେଉଛି ମୂର୍ତ୍ତି କିମ୍ବା ଶବ ତ ଆଉ କେଉଁଠି କଳକାରଖାନାର ପାଣି। ଗଙ୍ଗାଠାରୁ ଗୋଦାବରୀ ଯାଏ ସବୁ ପ୍ରମୁଖ ନଦୀର ପାଣି ଏବେ ପ୍ରଦୂଷିତ। କୁଢ଼କୁଢ଼ ମାତ୍ର ଥରଟିଏ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକ୍‌ ଆଉ କଳକାରଖାନାର କଳାପାଣିରେ ନଦୀ ଆଉ ନଦୀ ହୋଇ ନାହିଁ। ଅନେକ ଜାଗାରେ ଏହା ନାଳର ଭ୍ରମ ସୃଷ୍ଟି କରୁଛି।
ଆମ ଦେଶର ନଦୀଗୁଡ଼ିକୁ ଉଦାହରଣ ରୂପେ ନିଆଯାଉ। ଦକ୍ଷିଣଭାରତର ଅନ୍ୟତମ ପ୍ରମୁଖ ନଦୀ କାବେରୀ ନିଜ ପ୍ରବାହର ୪୦% ହରାଇ ସାରିଥିବା ବେଳେ କୃଷ୍ଣା ଓ ନର୍ମଦାର ଏହି ହାର ୬୦%। ଓଡ଼ିଶାର ମହାନଦୀ ନିଜ ପ୍ରବାହର ୯% ପାଖାପାଖି ହରାଇ ସାରିଲାଣି। ଗୋଦାବରୀ ଓ କୃଷ୍ଣା ନଦୀ ଯେଉଁ ସ୍ଥାନରୁ ବାହାରିଥିଲେ ସେହି ସ୍ଥାନରେ ୨୦୧୬ ମସିହାରେ ଶୁଷ୍କ ହୋଇଗଲେ। ୨୦୧୬ରେ ବିହାରରେ ଗଙ୍ଗା ଏପରି ଶୁଷ୍କ ହୋଇଗଲା ଯେ ଲୋକ ପାଦରେ ଚାଲି ଚାଲି ପାରି ହୋଇଗଲେ। ନର୍ମଦା ଗୁଜରାଟରେ ଏପରି ସ୍ଥିତିକୁ ଆସିଗଲାଣି ଯେ ସେ ସମୁଦ୍ରଠିଁ ପହଞ୍ଚତ୍ପାରୁନି। ଦେଶର ପବିତ୍ରତମ ନଦୀ କୁହାଯାଉଥିବା ଗଙ୍ଗା ସଂପୂର୍ଣ୍ଣ ପ୍ରଦୂଷିତ। ଯମୁନାର ଅବସ୍ଥା ବି ସେହିପରି। ମହାନଦୀ ଆଉ କାଠଯୋଡ଼ିରେ ମଧ୍ୟ ବର୍ଷସାରା ପାଣି ରହୁନାହିଁ। ନଦୀ ପ୍ରଦୂଷିତ ହେବାର ସିଧାସଳଖ ପ୍ରଭାବ ମଣିଷ ଉପରେ ପଡୁଛି। ପ୍ରଦୂଷିତ ନଦୀ ଜଳ ଯୋଗୁ ମାଛ ମରିଯାଉଛନ୍ତି ବା ମାଛ ରୋଗାକ୍ରାନ୍ତ ହେଉଛନ୍ତି, ଯାହାକୁ ଖାଇ ମଣିଷ ରୋଗଗ୍ରସ୍ତ ହେଉଛି। ମଣିଷ ନଦୀକୁ ଗୋଟିଏ ନିର୍ଜୀବ ଜଳଭାଗ ଭାବୁଥିବାରୁ ଏପରି ଘଟୁଛି। ଏହା ଭିତରେ ଯେ ଅନେକ ଜଳଚର ଜୀବ ଏବଂ ଉଦ୍ଭିଦଙ୍କର ଗୋଟିଏ ବିରାଟ ଦୁନିଆ ଅଛି, ମଣିଷ ତାହା ଜାଣି ମଧ୍ୟ ଅଜଣା ରହୁଛି।
ଅନେକ ଜାଗାରେ ମଣିଷ ନିଜର ଆବଶ୍ୟକତା ପାଇଁ ନଦୀ ଜଳକୁ ବିଭିନ୍ନ ସ୍ଥାନରେ ବାନ୍ଧି ରଖୁଛି, କେଉଁଠି ଡ୍ୟାମ୍‌ ତିଆରି କରି ତ ଆଉ କେଉଁଠି ନଦୀର ଦିଗ ବଦଳାଇ ଦେଇ। ଏସବୁ ଦ୍ୱାରା ନଦୀ ତା’ର ନିଜ ସ୍ବରୂପ ହରାଇ ବସୁଛି। କେତେବେଳେ ଅସମୟରେ ବନ୍ୟା ଆସୁଛି ତ ଆଉ କେତେବେଳେ ବର୍ଷସାରା ନଦୀ ଶୁଖିଲା ପଡୁଛି। ଇଟାଲୀର ସାରନୋ କୁହନ୍ତୁ କିମ୍ବା ନାଇଜେରିଆର ନାଇଜର ନଦୀ ଏ ସବୁ ଏବେ ପ୍ରଦୂଷିତ। ନଦୀ କେବଳ ପ୍ରଦୂଷିତ ହେଉନାହିଁ, ବିଷାକ୍ତ ବି ହେଉଛି। ଜମିରୁ କୀଟନାଶକ ନେଇ ଜଳଧାର ନଦୀକୁ ଆସୁଛି। ବୃକ୍ଷ ହ୍ରାସ ଦ୍ୱାରା ମାଟି ପଶିଆସି ନଦୀଗର୍ଭ ପୋତିହୋଇ ପଡୁଛି।
ନଦୀ ପୁଣି ବେଳେ ବେଳେ ପଶିଆସୁଛି ରାଜନୀତି ଭିତରକୁ। ନଦୀ ବନ୍ଧର ଉଚ୍ଚତା ବଢ଼ାଇବା ନେଇ ରାଜନୀତି ଚାଲୁଛି। ପାଣି ଛାଡିବାକୁ ନେଇ ହେଉଛି ହରତାଳ। ଅନେକ ସମୟରେ ରାଜ୍ୟ ରାଜ୍ୟ ଆଉ ଦେଶ ଦେଶ ମଧ୍ୟରେ ନଦୀକୁ ନେଇ ସମ୍ପର୍କ ତିକ୍ତ ହେଉଛି। ଏ ତିକ୍ତତାର ପରିଣାମ ଏତେ ଅଧିକ ଯେ କୁହାଯାଉଛି ତୃତୀୟ ବିଶ୍ୱଯୁଦ୍ଧ କେବଳ ପାଣି ପାଇଁ ହେବ। ଯେତେ ହରତାଳ, ଧର୍ମଘଟ କିମ୍ବା ନଦୀ ପାଇଁ କଳସୀ ଯାତ୍ରା କଲେ ମଧ୍ୟ ନଦୀକୁ ବଞ୍ଚାଇ ହେଉନାହିଁ। ନଦୀକୁ ଜୀବନ୍ତ ବୋଲି ଦେଖାଯାଉ ନ ଥିବାରୁ ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି। ପରିସ୍ଥିତି ଏପରି ହେଲାଣି ଯେ ନଦୀମାତୃକାର ଦେଶ ଭାରତ ଏବେ ପାଣି କିଣି ପିଉଛି।
ନଦୀ ଦିବସ ପରିପ୍ରେକ୍ଷୀରେ ନଦୀଗୁଡ଼ିକ ପ୍ରଦୂଷଣ, ଜଳଧାରଣ କ୍ଷମତା ହ୍ରାସ ଏବଂ ନଦୀ ଶୁଖିଯିବା ପରି ଯେଉଁ ଘଟଣା ଘଟୁଛି, ତାହା ଉପରେ ଗମ୍ଭୀର ହେବାର ଆବଶ୍ୟକତା ରହିଛି। ନଦୀକୁ କେବଳ ଜଳ ପାଇଁ ସମ୍ବଳ ବୋଲି ଭାବିବା କିମ୍ବା ନଦୀକୁ ପ୍ରବହମାନ ଡ୍ରେନ ବୋଲି ଭାବିବାର ଭୁଲ୍‌ ନ କରି ଏହାକୁ ମା’ ପରି ସମ୍ମାନ ଦିଆଯାଉ। ନଦୀକୂଳରେ ରହୁଥିବା ଲୋକଙ୍କୁ ଏହାର ରକ୍ଷଣାବେକ୍ଷଣରେ ସାମିଲ କରାଯାଉ। ନଦୀକୁ ପ୍ରଦୂଷିତ କରୁଥିବା ସଂସ୍ଥା ଏବଂ ଅନୁଷ୍ଠାନଗୁଡ଼ିକୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ। ଏହା ଆଖ ପାଖରେ ଗଛ ଲଗାଯାଉ। ନଦୀର ସୁରକ୍ଷା ନିଶ୍ଚିତ କରିପାରିଲେ ହିଁ ମାନବ ସଭ୍ୟତାର ବିକାଶ ହୋଇପାରିବ ଅନ୍ୟଥା ଆଜି ମରିଯାଉଥିବା ନଦୀସବୁ ଆସନ୍ତାକାଲି ମାନବ ସଭ୍ୟତା ଧ୍ୱଂସର କାରଣ ହେବ।
(ଅନ୍ତର୍ଜାତୀୟ ନଦୀ ଦିବସ ୨୨ା୯ ଉପଲକ୍ଷେ)
ଧବଳଗିରି, ଯାଜପୁର ରୋଡ, ମୋ- ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri