ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୯ଟି ବଲ ବାକି ରଖି ୭ ଉଇକେଟରେ ପରାସ୍ତ କରିଛି। ଏଥିସହ ସେମିଫାଇନାଲ ପୂର୍ବରୁ ଭାରତ ତା’ର ପ୍ରସ୍ତୁତି ଜୋର୍‌ଦାର କରିଛି। ଏହି ବିଜୟ ସହ ଭାରତ ଲିଗ୍‌ ପର୍ଯ୍ୟାୟରେ ୯ଟି ମ୍ୟାଚ୍‌ ଖେଳି ୭ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୫ ପଏଣ୍ଟ ପାଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସଙ୍କ ଶତକ ସହ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୪ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୪୩.୩ ଓଭରରେ ୩ ଉଇକେଟ ହରାଇ ୨୬୫ ରନକରି ସହଜରେ ବିଜୟୀ ହୋଇଛି। ୧୦୩ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରି ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୬୫ ରନର ସମ୍ମାନଜନକ ସ୍କୋରକୁ ପିଛା କରି ଭାରତ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ପ୍ରଥମ ଉଇକେଟରେ ୩୦ ଓଭରର ଠିକ୍‌ ପରେ ୧୮୯ ରନ ସଂଗ୍ରହ କରି ଦଳକୁ ଦମ୍‌ଦାର ଆରମ୍ଭ ପ୍ରଦାନ କରିଥିଲେ। ତେବେ ଇନ୍‌ଫର୍ମ ରୋହିତ ୯୪ଟି ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ସହ ୧୦୩ ରନର ଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ କସୁନ ରଜିଥାଙ୍କ ବଲ୍‌ରେ ହାଲକା ଶଟ୍‌ ଖେଳି ମିଡଅଫ୍‌ରେ ମାଥ୍ୟୁସଙ୍କ ହାତରେ ଧରାପଡିଥିଲେ। ଏଥିସହିତ ରୋହିତ ୫ଟି ଶତକ ହାସଲ କରି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ସେ ସର୍ବାଧିକ ୫ଟି ଶତକ ହାସଲ କରି ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମଧ୍ୟ କ୍ରମାଗତ ୩ଟି ଶତକ ଅର୍ଜନ କରିଛନ୍ତି। ରୋହିତଙ୍କ ପରେ ରାହୁଲ ମଧ୍ୟ ଶତକ ହାସଲ କରିଥିଲେ। ରାହୁଲ ୧୧୮ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ୧ ଛକା ସହ ୧୧୧ ରନର ଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ଲସିଥ ମାଲିଙ୍ଗାଙ୍କ ବାଉନ୍ସରକୁ ଲେଫ୍ଟ କରୁଥିବା ବେଳେ ବଲ୍‌ ତାଙ୍କ ଗ୍ଲୋଭ୍ସରେ ବାଜିଥିଲା ଓ ଉଇକେଟକିପର କୁଶଲ ପେରେରା କ୍ୟାଚ୍‌ ନେଇଥିଲେ। ଏଥିସହିତ ରାହୁଲ ବିଶ୍ୱକପ୍‌ରେ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି। ଏହାପରେ ରିଷଭ ପନ୍ତ ଗୋଟିଏ ଚୌକା ସହ ୪ ରନ କରିଥିବାବେଳେ ଇସୁରୁ ଉଡାନାଙ୍କ ବଲ୍‌କୁ ପୁଲ୍‌ କରୁଥିବା ବେଳେ ଲାଇନ ମିସ୍‌ କରି ଏଲ୍‌ବିଡବ୍ଲ୍ୟ ହୋଇଥିଲେ। ଅଧିନାୟକ କୋହଲି ୪୧ବଲରୁ ୩ ଚୌକା ସହ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ମାଲିଙ୍ଗା, ରଜିଥା ଓ ଉଡାନା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ଆରମ୍ଭରୁ ଝଟ୍‌କା ଖାଇଥିଲା। ଦଳ ମାତ୍ର ୫୫ ରନରେ ୪ ଉଇକେଟ ହରାଇଥିଲା ଓ ଟପ୍‌ ଅର୍ଡର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ତଥା ଅଧିନାୟକ ଦିମୁଥ କରୁଣାରତ୍ନେ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ଯଥାକ୍ରମେ ୧୦ ଓ ୧୮ ରନ କରି ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ ଉଇକେଟ ପଛରେ ମହେନ୍ଦ୍ର ସିଂ ଧୋନୀଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବଲ ଦୁଇ ବ୍ୟାଟ୍ସମ୍ୟାନଙ୍କ ଏଜ୍‌ ନେଇଥିଲା ଓ ଧୋନୀ କ୍ୟାଚ୍‌ ନେବାରେ କୌଣସି ତ୍ରୁଟି କରି ନ ଥିଲେ। ମାତ୍ର ୩ ରନ କରିଥିବା ବେଳେ କୁଶଲ ମେଣ୍ଡସ୍‌ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଧୋନୀଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଏହାପରେ ଅଭିଷ୍କା ଫର୍ନାଣ୍ଡୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଉଇକେଟ ପଛରେ ଧୋନୀଙ୍କୁ କ୍ୟାଚ୍‌ ଦେଇଥିଲେ। ୪ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପଛରେ ଧୋନୀଙ୍କ ଅବଦାନ ରହିଥିଲା। ସେ ୩ଟି କ୍ୟାଚ୍‌ ନେଇଥିବା ବେଳେ ଗୋଟିଏ ଷ୍ଟମ୍ପିଂ କରିଥିଲେ। ତେବେ ଏହାପରେ ପଞ୍ଚମ ଉଇକେଟରେ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥିରିମାନେ ଲଢ଼ୁଆ ବ୍ୟାଟିଂ କରି ୧୫୭ଟି ବଲ୍‌ ଖେଳି ୧୨୪ ରନକରି ସ୍ଥିତି ସମ୍ଭାଳିଥିଲେ ଓ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ତେବେ ଥିରିମାନେ ୬୮ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ସହ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ବ୍ୟାକଓ୍ବାର୍ଡ ପଏଣ୍ଟରେ ଜାଡେଜାଙ୍କ ହାତରେ ଧରାପଡିଥିଲେ। ଏହାପରେ ମାଥ୍ୟୁସ ବୁମ୍‌ରାଙ୍କ ବଲ୍‌ରେ ଶଟ୍‌ ଖେଳିବାକୁ ପ୍ରୟାସ କରିଥିଲେ। ତେବେ ଏକ୍ସଟ୍ରା କଭରରେ ରୋହିତ ଶର୍ମା ତାଙ୍କ କ୍ୟାଚ୍‌ ନେଇଥିଲେ। ଆଉଟ ହେବା ପୂର୍ବରୁ ୩୨ ବର୍ଷୀୟ ମାଥ୍ୟୁସ୍‌ ୧୨୮ଟି ବଲ୍‌ ଖେଳି ୧୦ ଚୌକା ଓ ୨ ଛକା ସହ ୧୧୩ ରନର ଶତକୀୟ ପାଳି ଖେଳିଥିଲେ। ଏଥିସହିତ ଦିନିକିଆରେ ମାଥ୍ୟୁସ୍‌ ୩ଟି ଶତକ ଅର୍ଜନ କରିଛନ୍ତି। ସବୁ ଶତକ ସେ ଭାରତ ବିପକ୍ଷରେ ଅର୍ଜନ କରିଛନ୍ତି। ପୂର୍ବରୁ ମୋହାଲି ଓ ରାଞ୍ଚିରେ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ। ଶତକ ହାସଲ ପୂର୍ବରୁ ମାଥ୍ୟୁସ ଜାଡେଜାଙ୍କ ବଲ୍‌ରେ ଏକ ଜୀବନଦାନ ପାଇଥିଲେ। ଲଙ୍ଗଅନ୍‌ରେ ଭୁବନେଶ୍ୱର ତାଙ୍କର କ୍ୟାଚ୍‌ ହାତଛଡ଼ା କରିଥିଲେ।
ଷଷ୍ଠ ଉଇକେଟରେ ମାଥ୍ୟୁସ ଓ ଧନଞ୍ଜୟ ଡି ସିଲଭା ୭୪ ରନ ସଂଗ୍ରହ କରିଥିଲେ। ଧନଞ୍ଜୟ ୩୬ ବଲରୁ ୧ ଚୌକା ସହ ୨୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହାପରେ ଥିସାରା ପେରେରା ଲମ୍ବା ଶଟ୍‌ ଖେଳିବାକୁ ଯାଇ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଲଙ୍ଗଅଫ୍‌ରେ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇଥିଲେ। ଇସୁରୁ ଉଡାନ ୧ ରନ କରି ଅପରାଜିତ ରହିଥିଲେ। ଭାରତ ପାଇଁ ବୁମ୍‌ରା ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୦ ଓଭର ବୋଲିଂ କରି ୩୭ ରନ ବ୍ୟୟ କରିବା ସହ ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ଭୁବନେଶ୍ୱର, ପାଣ୍ଡ୍ୟା, ଜାଡେଜା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ କୁଲଦୀପଙ୍କୁ ଡ୍ରପ୍‌ କରାଯାଇଥିଲା। ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସେ ଉନ୍ନତ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ମ୍ୟାଚ୍‌ରେ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା ଓ ତାଙ୍କ ସ୍ଥାନରେ ଭୁବନେଶ୍ୱରଙ୍କୁ ଖେଳାଯାଇଥିଲା। କିନ୍ତୁ ସେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏହି ବିଶ୍ୱକପ୍‌ରେ ଜାଡେଜା ପ୍ରଥମଥର ପାଇଁ ଖେଳିବାର ସୁଯୋଗ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri