ବେୟାରଫୁଟ ଡାକ୍ତର

ଡା. ଦ୍ୱିଜେଶ କୁମାର ପଣ୍ଡା

ଚାଇନାରେ କୃଷି ଶ୍ରମିକମାନଙ୍କୁ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ଦେଇ ଗ୍ରାମୀଣ ଲୋକମାନଙ୍କୁ ଚିକିତ୍ସା କରିବାର ଅନୁମତି ଦିଆଯାଉଥିଲା। ଏମାନେ ଜୋତା ଓ ମୋଜା ନ ପିନ୍ଧି ଖାଲି ପାଦରେ ଯିବା ଆସିବା କରନ୍ତି। ତେଣୁ ଏମାନଙ୍କୁ ବେୟାରଫୁଟ ଡାକ୍ତର କୁହାଯାଏ। ୧୯୩୦ ମସିହାରେ ଉଚ୍ଚ ଶିକ୍ଷିତ ଡାକ୍ତରମାନେ ଗ୍ରାମାଞ୍ଚଳରେ ରହି ଚିକିତ୍ସା କରିବାକୁ ଅନିଚ୍ଛୁକ ହେଉଥିବାରୁ ଚାଇନା ସରକାର ଏହି ପଦକ୍ଷେପ ନେଇଥିଲେ।
ବେୟାରଫୁଟ ଚିକିତ୍ସକମାନଙ୍କୁ ସ୍ବାସ୍ଥ୍ୟରକ୍ଷା, ପ୍ରତିଷେଧକ ସ୍ବାସ୍ଥ୍ୟ ବ୍ୟବସ୍ଥା, ପରିବାର କଲ୍ୟାଣ ଓ ପ୍ରାଥମିକ ଚିକିତ୍ସାର ଦାୟିତ୍ୱ ନ୍ୟସ୍ତ ହେଲା। ୧୯୬୫ ମସିହାରେ ଚାଇନାର ନେତା ‘ମାଓ ଜେଡଙ୍ଗ’ ସହରୀକରଣ ଡାକ୍ତରୀ ଚିକିତ୍ସାକୁ ସମାଲୋଚନା କଲେ। ଗ୍ରାମାଞ୍ଚଳରେ ସାର୍ବଜନୀନ ଚିକିତ୍ସା ବ୍ୟବସ୍ଥାକୁ ଅଗ୍ରାଧିକାର ଦେଲେ। ଏହାଦ୍ୱାରା କୃଷି କର୍ମୀ ଚିକିତ୍ସକଙ୍କୁ ଜାତୀୟ ସ୍ବାସ୍ଥ୍ୟ ସେବାରେ ସାମିଲ କରାଗଲା। ଏହାକୁ ଗ୍ରାମାଞ୍ଚଳ ସମବାୟ ଡାକ୍ତରୀ ଚିକିତ୍ସା ଆଖ୍ୟା ଦିଆଗଲା। ଏଥିରେ ସବୁ ଲୋକଙ୍କୁ ସହଯୋଗ କରିବାର ବ୍ୟବସ୍ଥା ରହିଲା।
୧୯୮୦ ମସିହା ବେଳକୁ ଏହି ପ୍ରକାର ଚିକିିତ୍ସା ଅଧୋଗାମୀ ହେଲା। ପାଶ୍ଚାତ୍ୟ ଦେଶରେ ଆଧୁନିକ ଉନ୍ନତ ଶିକ୍ଷା ଲାଭ କରି ଆସିଥିବା ଡାକ୍ତରମାନଙ୍କର ଚାହିଦା ବୃଦ୍ଧି ହେଲା। ଖାଲିପାଦ ଚିକିତ୍ସକଙ୍କର ଆବଶ୍ୟକତା ଅନୁଭୂତ ହେଲା ନାହିଁ। ଏମାନେ ମାଧ୍ୟମିକ ଶିକ୍ଷା ପରେ ଛଅ ମାସ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂକ୍ରାମକ ରୋଗ ନିରାକରଣ, ଜ୍ୱର, ଥଣ୍ଡା ଓ କାଶର ଚିକିତ୍ସା ପାଇଁ ତାଲିମ ପାଇଲେ। କାଳକ୍ରମେ ପରୀକ୍ଷା କରି ଏମାନଙ୍କ ମଧ୍ୟରୁ ଏକପଞ୍ଚମାଂଶକୁ ଡାକ୍ତରୀ ସ୍କୁଲରେ ଶିକ୍ଷା ପ୍ରଦାନ କରାଗଲା। ଏହି ଚିକିିତ୍ସକମାନେ ଗ୍ରାମବାସୀଙ୍କ ଦ୍ୱାରା ପ୍ରୋତ୍ସାହିତ ହେଲେ। କମ୍‌ ଖର୍ଚ୍ଚରେ ବହୁତ ଲୋକ ଚିକିତ୍ସା ପାଇଲେ। ଅଭିଜ୍ଞ ଡାକ୍ତରଙ୍କର ଅଭାବ ପୂରଣ ହେଲା। ପ୍ରତି ଘରେ ସ୍ବାସ୍ଥ୍ୟ ସେବା ପହଞ୍ଚତ୍ ପାରିଲା।
ବେୟାରଫୁଟ ଡାକ୍ତରୀ ଚିକିତ୍ସା କ୍ରମେ ବନ୍ଦ ହୋଇଗଲା। ଚିକିତ୍ସାର ଘରୋଇକରଣ ହେଲା। ଏହି ଚିକିତ୍ସକମାନଙ୍କୁ ଜାତୀୟ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡ଼ିଲା। ସେମାନଙ୍କୁ ଉଚ୍ଚତର ଶିକ୍ଷା ପ୍ରଦାନ କରି ଗ୍ରାମାଞ୍ଚଳ ଡାକ୍ତର ହିସାବରେ ଗ୍ରହଣ କରାଗଲା। ଅସଫଳମାନେ ଗ୍ରାମ ସହାୟକ କାର୍ଯ୍ୟ କଲେ। ସ୍ବୀକୃତିପ୍ରାପ୍ତ ଗ୍ରାମୀଣ ଡାକ୍ତରମାନେ ମାଗଣା ଚିକିତ୍ସା ବଦଳରେ ରୋଗୀଙ୍କଠାରୁ ଫି’ ଆଦାୟ କଲେ। ୧୯୯୪ ମସିହାରେ ସରକାର ଗ୍ରାମାଞ୍ଚଳ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ସେମାନେ ଆଧୁନିକ ଚିକିତ୍ସା ପାଇଁ ଦାବି କଲେ। ଫଳରେ ଖାଲିପାଦ ଚିକିତ୍ସକଙ୍କର ଆବଶ୍ୟକତା ରହିଲା ନାହିଁ।
୨୦୦୩ ମସିହାରେ ଚାଇନା ସରକାର ନୂତନ ସମବାୟ ଚିକିତ୍ସା ନୀତି ଅନୁସରଣ କଲେ। ଏହାର ବ୍ୟୟ ଓ ପ୍ରଶାସନିକ ଦାୟିତ୍ୱ ସରକାର ବହନ କଲେ। ଜୀବନବୀମା ପରି ଏହା କାର୍ଯ୍ୟକାରୀ ହେଲା। ଏହି ଯୋଜନା ଦ୍ୱାରା ଗାଁ ଲୋକେ କମ୍‌ ଖର୍ଚ୍ଚରେ ଚିକିତ୍ସା ପାଇଲେ ନାହିଁ। ତେଣୁ ସେମାନେ ସନ୍ତୁଷ୍ଟ ନ ହୋଇ ସହରମୁଖୀ ହେଲେ। ଆଧୁନିକ ଚିକିତ୍ସା ବ୍ୟୟବହୁଳ ହେବାରୁ ସେମାନଙ୍କର ଆଶା ବିଫଳ ହେଲା। ବର୍ତ୍ତମାନ ଚାଇନାରେ ୯୫ ପ୍ରତିଶତ ଦେଶବାସୀ ସ୍ବାସ୍ଥ୍ୟବୀମା ପରିସରଭୁକ୍ତ। ବୀମା କମ୍ପାନୀମାନେ ୭୦ ଭାଗ ଖର୍ଚ୍ଚ ବହନ କରୁଛନ୍ତି। ୨୦୨୦ ସୁଦ୍ଧା ସମସ୍ତଙ୍କୁ ସର୍ବନିମ୍ନ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ହେଉଛି। ଚାଇନା ବହୁଦେଶୀୟ ଔଷଧ କମ୍ପାନୀମାନଙ୍କର କେନ୍ଦ୍ରସ୍ଥଳୀ ହେବାକୁ ଯାଉଛି। ଏମାନେ ଉନ୍ନତ ଚିକିତ୍ସା, ଗବେଷଣା ପାଇଁ ଅନେକ ଅର୍ଥ ନିବେଶ କରୁଛନ୍ତି। ତଥାପି ସହରୀ ଲୋକମାନେ ମାଗଣା ସରକାରୀ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ। ବୃହତ୍‌ ନଗରୀରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ। ଏହା ଅତ୍ୟନ୍ତ ବ୍ୟୟବହୁଳ ଓ ସରକାରୀ ଡାକ୍ତରଖାନାର ୧୦ଗୁଣ ଅଧିକ। ଅତି ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର କୋଠରି ଓ ଚିକିତ୍ସା ବହୁମୂଲ୍ୟରେ ଉପଲବ୍ଧ। ୨୦୧୬ ମସିହାରୁ ଡାକ୍ତରଙ୍କ ସାକ୍ଷାତ ଫି’ ୨୦୦ରୁ ୩୦୦୦ ୟାନ (ଚାଇନା ମୁଦ୍ରା) ପର୍ଯ୍ୟନ୍ତ ରହିଛି।
ଚାଇନାରେ ତାଲିମପ୍ରାପ୍ତ ବେୟାରଫୁଟ ଡାକ୍ତର ପ୍ରତି ହଜାର ଲୋକଙ୍କ ପାଇଁ ଜଣେ ନିଯୁକ୍ତ ହୋଇଛନ୍ତି। ସେମାନେ ପ୍ରତିଷେଧକ ଓ ପ୍ରାଥମିକ ଚିକିତ୍ସା କରିବେ। ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦେଇ ପ୍ରତି ୫ ବର୍ଷରେ ଲାଇସେନ୍ସ ନବୀକରଣ ହେବ। ଦ୍ୱିତୀୟ ସ୍ତର ଚିକିତ୍ସା ବ୍ୟବସ୍ଥା ପ୍ରତି ୧୦ ହଜାରରୁ ୩୦ ହଜାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ୨୦ ବେଡ ଡାକ୍ତରଖାନାରେ ଏମାନେ ସହାୟକ ଡାକ୍ତର ଭାବେ କାମ କରନ୍ତି। ୩ୟ ସ୍ତର ଡାକ୍ତରଖାନାରେ ଗୁରୁତର ରୋଗୀଙ୍କୁ ଅଭିଜ୍ଞ ଓ ଆଧୁନିକ ଶିକ୍ଷାପ୍ରାପ୍ତ ଡାକ୍ତରମାନେ ସେବା ପ୍ରଦାନ କରନ୍ତି।
ଏବେ ଭାରତ ସରକାର ବେୟାରଫୁଟ ଡାକ୍ତର ସୃଷ୍ଟି କରିବାକୁ ଯାଉଛନ୍ତି। ଏମାନେ ଗ୍ରାମୀଣ ଲୋକଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ କରିବେ। ଗ୍ରାମାଞ୍ଚଳ ଡାକ୍ତରଖାନାରେ ଡାକ୍ତର ଅଭାବ। ବହୁ ଯୁଗରୁ ଏହା ପରିଲକ୍ଷିତ ହେଉଛି ଏବଂ ଭବିଷ୍ୟତରେ ଏହା ଲାଗି ରହିବ। ଅପରିପକ୍ୱ ଡାକ୍ତର ସୃଷ୍ଟି ଏହାର ପରିପୂରକ ନୁହେଁ। ଚାଇନାରେ ବହୁ ପୂର୍ବରୁ ଏହା ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଫଳ ହୋଇଛି। ଗ୍ରାମୀଣ ଲୋକମାନେ ଉନ୍ନତ ଚିକିତ୍ସା ଓ ବ୍ୟବସାୟ ପାଇଁ ସହରକୁ ଆସି ଅନେକ ବସ୍ତି ସୃଷ୍ଟି କରୁଛନ୍ତି। ଅନେକ ଗ୍ରାମୀଣ ଡାକ୍ତରଖାନାରେ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆଇନ ଅନୁସାରେ ସେମାନେ ଏଲୋପାଥିକ ଚିକିତ୍ସା କରିପାରିବେ ନାହିଁ। ଗତ ଶତାବ୍ଦୀର ଷାଠିଏ ଦଶକରେ ଡାକ୍ତର ଅଭାବରୁ ଆୟୁର୍ବେଦିକ ଡାକ୍ତରମାନଙ୍କୁ ସ୍ବଳ୍ପକାଳୀନ ତାଲିମ ଦେଇ ଏଲୋପାଥିକ ଚିକିତ୍ସା କରିବାକୁ ଅନୁମତି ଦିଆଗଲା। ଏହା ସଫଳ ନ ହେବାରୁ ବନ୍ଦ ହୋଇଗଲା।
ଏଲୋପାଥିକ ଔଷଧ ଶରୀରରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରେ। ଫଳରେ ରୋଗୀର ହଠାତ୍‌ ମୃତ୍ୟୁ ହେବାର ଆଶଙ୍କା ଥାଏ। ଅଭିଜ୍ଞ ଏଲୋପାଥିକ ଡାକ୍ତର ଏହି ସମସ୍ୟାର ସମ୍ମୁଖୀନ ହୋଇପାରିବେ। ଅନ୍ୟ ପଦ୍ଧତି ଚିକିତ୍ସାରେ ଏପରି ବିପଦ ନ ଥାଏ। ତେଣୁ ସେହି ପଦ୍ଧତିରେ ଶିକ୍ଷା ପାଇଥିବା ଡାକ୍ତର ଏଲୋପାଥିକ ଔଷଧ ବ୍ୟବହାର କରିବା ଆଇନବିରୁଦ୍ଧ। ଏମ୍‌ବିବିଏସ୍‌ ପଢ଼ିବାକୁ ହେଲେ ଦୁଇ ବର୍ଷରୁ ଅଧିକ ରସାୟନ, ପଦାର୍ଥ, ଉଦ୍ଭିଦ ଓ ପ୍ରାଣୀ ବିଜ୍ଞାନ ବିଷୟରେ ପଢ଼ିବାକୁ ହୁଏ। ଆମେରିକାରେ ଡାକ୍ତରି ପଢିବା ପୂର୍ବରୁ ୪ ବର୍ଷ ବିଜ୍ଞାନରେ ସ୍ନାତକ ଶିକ୍ଷା ଅଧ୍ୟୟନ ବାଧ୍ୟତାମୂଳକ। ବିଜ୍ଞାନ ବିଷୟରେ ଯଥେଷ୍ଟ ଜ୍ଞାନ ନ ଥିଲେ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଜାଣିବା ସହଜ ନୁହେଁ। ବିଜ୍ଞାନର ଅନେକ ଅଗ୍ରଗତି ହୋଇଛି। ସେ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଥିଲେ ଆଧୁନିକ ଉପକରଣ, ଯନ୍ତ୍ରପାତି ଓ ଚିକିତ୍ସା ପଦ୍ଧତିର ବ୍ୟବହାର ଜାଣି ହେବ।
ଅନେକ ଉନ୍ନତ ଦେଶରେ ଗ୍ରାମୀଣ ଡାକ୍ତରଖାନାରେ ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି। କିନ୍ତୁ ଅନଭିଜ୍ଞ ଡାକ୍ତରଙ୍କୁ ସେ ସବୁ ଦେଶ ନିୟୋଜିତ କରି ଏଲୋପାଥିକ ଚିକିତ୍ସା ସେବା ଯୋଗାଉ ନାହାନ୍ତି। ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ନୂତନ ଯୋଜନା କରିବାକୁ ଯାଉଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ପ୍ରଦାନ କରିବେ। ଏହାକୁ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ମନା କରୁଛନ୍ତି। ଏହା ମେଡିକାଲ ପାଠ୍ୟକ୍ରମ ହୋଇ ନ ଥିବାରୁ ଶିକ୍ଷାପ୍ରାପ୍ତ ବ୍ୟକ୍ତି ଏଲୋପାଥିକ ଚିକିତ୍ସା କରିବା ପାଇଁ ଯୋଗ୍ୟ ନୁହନ୍ତି। ଏହି ଛାତ୍ରମାନେ ୩ ବର୍ଷ ମୌଳିକ ବିଜ୍ଞାନରେ ଶିକ୍ଷା ପାଇବେ। ତା’ ପରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ର ଦାୟିତ୍ୱରେ ରହି ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ଏଲୋପାଥିକ ଚିକିତ୍ସା ପ୍ରଦାନ କରିବେ। ବିକଳ୍ପ ଚିକତ୍ସାର ସଫଳତା ସମୟ ହିଁ କହିବ।
ବରିଷ୍ଠ ବୈଜ୍ଞାନିକ, ୧୨,
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri