ବିଲୁପ୍ତ ଚେତନା

ମନ-ମାନଚିତ୍ର/ ଡ. ନରହରି ବେହେରା
ସମୟ ଥିଲା, ବୃକ୍ଷ ବେଷ୍ଟନୀ ଭିତରେ ଏ ପୃଥବୀ ସବୁଜ ଦିଶୁଥିଲା। ସେଥିପାଇଁ ପ୍ରାଚୀନ ଆର୍ଯ୍ୟ ଋଷିଗଣ ଶାନ୍ତିପାଠ ବେଳେ ଜଳ, ସ୍ଥଳ, ବନ, ଆକାଶ ପ୍ରଭୃତି ଶାନ୍ତ ହେଉ ପ୍ରାର୍ଥନା କରିସାରିବା ପରେ, ଗାନ କରୁଥିଲେ- ଏ ଶାନ୍ତିକୁ ବାଧା ଦିଅନାହିଁ। ମାତ୍ର ସମୟ ବଦଳିଛି, ଆମେ ସଭ୍ୟ ହେବା ସହିତ ଆର୍ଯ୍ୟ ଋଷିଙ୍କର ଏହି ଉପଦେଶକୁ ବିସ୍ମୃତ ହୋଇଯାଇଛୁ। ଶିଳ୍ପାୟନର ଅଭିବୃଦ୍ଧି, ଜନସଂଖ୍ୟାର ଦ୍ରୁତ ବିକାଶ, ଗାଡ଼ି ମୋଟର ପ୍ରଭୃତିର ବହୁଳ ବ୍ୟବହାର ସହିତ ଗଛବୃଚ୍ଛର ହ୍ରାସ କାଳକ୍ରମେ ଏ ଶୀତଳ-ଶ୍ୟାମଳ ପୃଥିବୀକୁ ଉତ୍ତପ୍ତ ଗ୍ରହରେ ପରିଣତ କରିଚାଲିଛି। ଜଳ, ସ୍ଥଳ, ବନ ପ୍ରଭୃତି ଅଶାନ୍ତ ହୋଇଯାଇଛି। ଏହା ପ୍ରଭାବରେ ପାଣିପାଗରେ ଘୋର ପରିବର୍ତ୍ତନ ଘଟିଚାଲିଛି- ଏ କଥା ଆମେ ସବୁ ଜାଣିଛୁ। ପରିଣତି ସ୍ବରୂପ ଆମେ ସୁନାମି, ମହାବାତ୍ୟା ପରି ଭୟଙ୍କର ପରିସ୍ଥିତିକୁ ସାମ୍ନା କରିସାରିଲୁଣି। କଥା ଏତିକିରେ ଶେଷ ହୋଇନାହିଁ, ବିଶ୍ୱର ତାପ ବୃଦ୍ଧି ହେତୁ ପର୍ବତର ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧିପାଇବାରୁ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ସମୁଦ୍ରଗର୍ଭରେ ଲୀନ ହେବାରେ ଲାଗିଛି। ଆକଳନରୁ ଜଣାଯାଇଛି,୨୯ ବର୍ଷ ଭିତରେ କେବଳ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ୧୫୦ କି.ମି. ସ୍ଥଳଭାଗ ଧୋଇଗଲାଣି। ଅର୍ଥାତ୍‌ ଆମେ ପ୍ରତିବର୍ଷ ପାଖାପାଖି ପାଞ୍ଚ କି.ମି. ସ୍ଥଳଭାଗ ହରାଉଛୁ।
ଏବେ ‘ନେଚର କମ୍ୟୁନିକେଶନ୍‌ସ’ ନାମକ ଏକ ଆନ୍ତର୍ଜାତିକ ପତ୍ରିକାରେ ଯେଉଁ ଭୟଙ୍କର ଚିତ୍ର ପ୍ରକାଶ ପାଇଛି ତା’କୁ ଦେଖିଲେ ମନେହୁଏ, ଏ ପୃଥିବୀ ସତେଯେମିତି ପୁଣି ଜଳମଗ୍ନ ହୋଇଯିବ। ଜୟଦେବଙ୍କର ସେହି ‘ପ୍ରଳୟ ପୟୋଧିଜଳେ’ର ପୁନରାବୃତ୍ତି ଘଟିବ। ଏ ପତ୍ରିକାରେ ଆମେରିକୀୟ ଗବେଷକମାନେ କହିଛନ୍ତି, ବର୍ତ୍ତମାନ ସ୍ଥିତି ଯଦି ଗତାନୁଗତିକ ଭାବରେ ଚାଲୁରହେ ତେବେ ୨୦୫୦ ମସିହା ସୁଦ୍ଧା ପୃଥିବୀର ଅନେକ ସହର ଜଳମଗ୍ନ ହୋଇଯିବ। ଏହି ତଥ୍ୟ ଅନୁଯାୟୀ ଉତ୍ତାପ ବୃଦ୍ଧି ହେତୁ ହିମାଳୟ ପରି ବହୁ ହିମଗିରି ସହିତ ଆଣ୍ଟାର୍କଟିକା ମହାଦେଶରେ ବରଫ ତରଳିବା ଯୋଗୁ ସମୁଦ୍ରର ଜଳପତ୍ତନ ତିନିଫୁଟରୁ ସାତଫୁଟ ପର୍ଯ୍ୟନ୍ତ ବଢ଼ିଯିବ। ଏହା ଫଳରେ ଭାରତ, ବାଂଲାଦେଶ, ଚାଇନା, ଭିଏତ୍‌ନାମ, ବ୍ରାଜିଲ୍‌, ବ୍ରିଟେନ ପରି ଦେଶଗୁଡ଼ିକର ବହୁ ଛୋଟ ଛୋଟ ସହର ସହିତ ମୁମ୍ବାଇ, କୋଲକାତା, ଢାକା, ହଂକଂ, ସାଂଘାଇ ପରି ବହୁତ ବଡ଼ ବଡ଼ ସହର ସମୁଦ୍ରଗର୍ଭରେ ଲୀନ ହୋଇଯିବ। ଏହି ବିବରଣୀ ବର୍ତ୍ତମାନର ସ୍ଥିତିକୁ ଆକଳନ କରାଯାଇ ପ୍ରସ୍ତୁତ ହୋଇଛି। ମାତ୍ର ଆମ ଜନସମାଜର ବେପରୱା ଭାବ ତଥା ଶିଳ୍ପ ଓ ଜନସଂଖ୍ୟା ବୃଦ୍ଧିର ହାର ଏହି ପରିସ୍ଥିତିକୁ ଅଧିକ ସଙ୍ଗିନ କରିଦେଇପାରେ।
ବର୍ତ୍ତମାନ ବୁଦ୍ଧିଜୀବୀର ସହର ବୋଲି ବିବେଚିତ ହେଉଥିବା ଭାରତର ରାଜଧାନୀ ଦିଲ୍ଲୀର ଅବସ୍ଥା ଏମିତି ସାଂଘାତିକ ହୋଇପଡ଼ିଛି ଯେ, ଏଠାରେ ଚାଳିଶ ପ୍ରତିଶତ ଲୋକ ଦିଲ୍ଲୀ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଉଚିତ ମନେକରୁଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ପ୍ରଦୂଷଣ ଦିଲ୍ଲୀରେ ପ୍ରଥମ ଘଟଣା ନୁହେଁ। ପ୍ରାୟ ପ୍ରତିବର୍ଷ ଦୀପାବଳି ପରେ ଏପରି ପ୍ରଦୂଷଣ ଚରମ ସୀମାରେ ପହଞ୍ଚତ୍ଥାଏ। ଏ ବର୍ଷ ସର୍ବାପେକ୍ଷା ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୬୦୦ ଉପରକୁ ଚାଲିଯାଇଛି। ପାଣିପାଗ ତଥ୍ୟ ଅନୁସାରେ ଏକ୍ୟୁଆଇ ୪୦୧-୫୦୦ ମଧ୍ୟରେ ରହିଲେ ଅତି ଖରାପ ବୋଲି ଧରାଯାଏ। ଏହାଠାରୁ ଏ ବର୍ଷ ଅଧିକ ଏକ୍ୟୁଆଇ ଥିବାରୁ ପରିସ୍ଥିତି କେତେ ଅଣାୟତ୍ତ ହୋଇପଡ଼ିଛି ତାହା ଅନୁମାନ କରାଯାଇପାରେ। ଦିଲ୍ଲୀ ସରକାର ବାଧ୍ୟହୋଇ ସ୍କୁଲ ବନ୍ଦ କରିଛନ୍ତି, ବିମାନ ଚଳାଚଳର ଦିଗ ପରବର୍ତ୍ତନ କରିଛନ୍ତି ଏବଂ ଅଡ୍‌-ଇଭିନ୍‌ (ଗୋଟିଏ ଦିନ ସମ ନମ୍ବର ଓ ଅନ୍ୟ ଦିନରେ ବିଷମ ନମ୍ବର ଥିବା ଗାଡ଼ି ଚଳାଇବା) ନିୟମ ପ୍ରଚଳନ କରିଛନ୍ତି। ଏ ହେଉଛି ଆପତ୍‌କାଳୀନ ବ୍ୟବସ୍ଥା। ମାତ୍ର ଏଥିପାଇଁ ସ୍ଥାୟୀ ବ୍ୟବସ୍ଥା ଆବଶ୍ୟକ।
କେବଳ ଦିଲ୍ଲୀ ନୁହେଁ, ଆମ ଓଡ଼ିଶାର ଅବସ୍ଥା ମଧ୍ୟ ଖୁବ୍‌ ସଂକଟାପନ୍ନ ହୋଇପଡ଼ିଛି, ଯାହା ଆମ ବିଶ୍ୱାସର ବାହାରେ। ଏବେ ସାରା ଭାରତରେ ୧୦୨ଟି ସହର ପ୍ରଦୂଷିତ ସହର ରୂପେ ବିବେଚିତ ହୋଇଥିବାବେଳେ ତନ୍ମଧ୍ୟରୁ ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ଭୁବନେଶ୍ୱର, କଟକ ଓ ରାଉରକେଲା ସ୍ଥାନ ପାଇଛି। କେବଳ ସେତିକି ନୁହେଁ ୟୁନିଭର୍ସିଟି ଅଫ୍‌ ଶିକାଗୋର ଟାଟା ସେଣ୍ଟର ଫର୍‌ ଡେଭ୍‌ଲପମେଣ୍ଟ (ଟିସିଡି) ଓଡ଼ିଶା ବିଷୟରେ ଯେଉଁ ଭୟଙ୍କର ପୂର୍ବାନୁମାନ କରିଛି ତାହା ନିଶ୍ଚିତ ଭାବରେ ଆମକୁ ଶଙ୍କାକୁଳ କରିଦେଇଛି। ଏହି ଗବେଷଣାଧର୍ମୀ ପୂର୍ବାନୁମାନ ଅନୁଯାୟୀ ଏକବିଂଶ ଶତାବ୍ଦୀର ଅନ୍ତିମ ଭାଗରେ ଓଡ଼ିଶା ଗୋଟିଏ ଉତ୍ତପ୍ତ ରାଜ୍ୟରେ ପରିଣତ ହେବ। ଏହି ଉତ୍ତାପ ପ୍ରଭାବରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବା ସହିତ ପ୍ରତିବର୍ଷ ଫାଇଲିନ୍‌, ହୁଡ୍‌ହୁଡ୍‌, ଫନୀ ପରି ଅକାଳ ଦୁର୍ବିପାକ ବଢ଼ିଯିବ। ଏହି ଗବେଷଣା ପୂର୍ବ ବର୍ଷଗୁଡ଼ିକର ଉତ୍ତାପ ଏବଂ ଘଟିଥିବା ଘଟଣାକୁ ଆଧାର କରି କରାଯାଇଥିବାରୁ ଏହାର ବାସ୍ତବତା ଉପରେ ଅବିଶ୍ୱାସ କରାଯାଇ ନ ପାରେ।
ଏଠାରେ ପ୍ରଶ୍ନ ଉଠୁଛି, ଆମ ଆଗରେ ଏତେ ଘଟଣା ଘଟୁଥିଲେ ମଧ୍ୟ ଆମେ ଏଥିପାଇଁ କ’ଣ କରିଛୁ? ବାସ୍ତବରେ ଆମେ ସବୁ ଜାଣି ନ ଜାଣିବା ପରି ହିଁ ରହିଯାଇଛୁ। ଆମର ଅହଂକାର, ବଡ଼ ହୋଇ ଦେଖାଇବାର ପ୍ରବୃତ୍ତି ଆମକୁ ଅନ୍ଧ କରିଦେଇଛି। ଆମେ ଚେତନଶୀଳ ହେଲେ ମଧ୍ୟ ଆମ ଚେତନା ଲୋପ ହୋଇଯାଇଛି। ପ୍ରତିବର୍ଷ ଦୀପାବଳି ଦିନ ଭାରତରେ କୋଟି କୋଟି ଟଙ୍କାର ବାଣ ଫୁଟାଯାଉଛି। ଆମେ ସମସ୍ତେ ଜାଣୁ ଏହାର କୁପରିଣାମ। ପ୍ରତିବର୍ଷ ଦୀପାବଳିର ଏକସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ପରିସ୍ଥିତି ଅସମ୍ଭାଳ ହୋଇପଡୁଛି। ତଥାପି ଏଠାରେ ବୁଦ୍ଧିଜୀବୀମାନେ ଏଥିରୁ ନିବୃତ୍ତ ହେଉନାହାନ୍ତି। ପରମ୍ପରା ନାଁରେ ଆମେ ସମାଜ ପାଇଁ ଅଭିଶାପ ସୃଷ୍ଟି କରୁଛୁ।
ହାତରେ ଝୁଲାଟିଏ ଧରିଲେ ଆମ ଆତ୍ମସମ୍ମାନରେ ଆଞ୍ଚ ଲାଗୁଛି, ମାତ୍ର ପଲିଥିନ୍‌ରେ ସଉଦା ଆଣିଲେ ଆମେ ସଭ୍ୟ ମଣିଷ ପରି ଲାଗୁଛୁ। ଏ ଭାବନା କାହିଁକି ଆମକୁ ଘାରିଛି, ତାହାର କିଛି କାରଣ ଦେଖାଯାଉ ନାହିଁ। ଏ ପଲିଥିନ୍‌ ଭସ୍ମାସୁର ହୋଇ ଅଭୂତପୂର୍ବ କ୍ଷତି ଘଟାଉଛି ବୋଲି ଜାଣିଥିଲେ ମଧ୍ୟ ଆମ ଅଭ୍ୟାସ ବଦଳୁନି। ଆମେ ଜାଣିଛୁ ମଣିଷଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ କୋଠାଘର ସଂଖ୍ୟା ବଢ଼ିବ, ପକ୍କା ରାସ୍ତା ନିର୍ମାଣ ହେବ, ବୃକ୍ଷଚ୍ଛେଦନ ମଧ୍ୟ ହେବ। ଆମେ ଏଗୁଡ଼ିକୁ ବନ୍ଦ କରିପାରିବା ନାହିଁ। କିନ୍ତୁ କ୍ଷଣିକ ଉତ୍ତେଜନାରେ ଆମେ ଯାହା ଭୁଲ୍‌ କରୁଛୁ ତାକୁ ସଂଶୋଧନ କରିପାରିବା। କୋଟି କୋଟି ଟଙ୍କା ବାଣରୋଶଣିରେ ପୋଡ଼ି ଆମେ ଯେଉଁ ଧ୍ୱଂସଲୀଳା ସୃଷ୍ଟିକରୁଛୁ ତା’କୁ ବଦଳାଇପାରିବା। ଆବଶ୍ୟକତା ପାଇଁ ଆମେ ଗଛ କାଟୁଛୁ, ସେଥିପାଇଁ ବୃକ୍ଷରୋପଣ ଆନ୍ତରିକତା ସହକାରେ କରିପାରିବା। ଆନ୍ତରିକତା ଏଇଥିପାଇଁ କୁହାଯାଉଛି ଯେ, ଉପରଠାଉରିଆ ଭାବରେ ବନ ମହୋତ୍ସବ ପାଳନ କରାଯାଉଛି, ସରକାରୀ ସ୍ତରରେ ବୃକ୍ଷରୋପଣ କରାଯାଉଛି, ମାତ୍ର ଆଖିଦୃଶିଆ କିଛି ସୁଫଳ ମିଳୁନାହିଁ। ଏମିତି ବି ହୋଇପାରନ୍ତା, ଯେଉଁମାନେ ଚାଷଜମିକୁ ଘରବାଡ଼ିରେ ପରିବର୍ତ୍ତନ କରୁଛନ୍ତି, ସେମାନେ ନିଜ ବାଡ଼ିରେ ଅତିକମ୍‌ରେ ଚାରିଟି ବୃକ୍ଷରୋପଣ କରିବାକୁ ସତ୍ୟପାଠ କରିବାକୁ ଆଇନ ହେଉ। ଏଥିରେ ଖିଲାପ କଲେ ସେମାନଙ୍କର ଏ ଅନୁମୋଦନ ଖାରଜ କରାଯିବା ବା ଅନ୍ୟାନ୍ୟ ଦଣ୍ଡବିଧାନର ନିୟମ ରହୁ। କାରଣ ଯେଉଁଠି ବ୍ୟକ୍ତି ବିଶୃଙ୍ଖଳିତ ହୁଏ ସେଇଠି କଠୋର ଆଇନ ହିଁ ମାର୍ଗ ନିର୍ଦ୍ଦେଶକ ହୋଇଥାଏ। ଏ ପୃଥିବୀରେ ଆମେମାନେ ବୁଦ୍ଧିମାନ ପ୍ରାଣୀ ବୋଲି ଗରିମା ପ୍ରଦର୍ଶନ କରୁଛୁ। ମାତ୍ର ଆମର ଚେତନା ଯଦି ବିଲୁପ୍ତ ହୁଏ ପ୍ରକୃତିଠାରୁ ହେଉ କି ଶାସକଙ୍କଠାରୁ ଦଣ୍ଡ ହିଁ ଆମର ପ୍ରାପ୍ୟ ହେବାକଥା। ତେଣୁ କେବଳ ସରକାରଙ୍କ ଆଇନର ଭୟ ନୁହେଁ, ଉତ୍ତରପିଢ଼ିଙ୍କ ଭବିଷ୍ୟତ ପ୍ରତି ଆମର ମଧ୍ୟ ଭୟ ରହିବା ଉଚିତ। ଏପରି ହେଉ, ଆମର ମିଥ୍ୟା ଅହମିକା, କ୍ଷଣିକ ଆନନ୍ଦବୋଧର ପ୍ରମତ୍ତତା ଆମ ସଦ୍‌ଭାବନାର ଚେତନାଟିକୁ ନଷ୍ଟକରି ଏ ସୁନ୍ଦର ସଂସାରକୁ ଧ୍ୱଂସ କରି ନ ଦେଉ-ଏତିକି ହିଁ ଅନୁଚିନ୍ତା।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ:୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri