ବର୍ଜନ ଅସମ୍ଭବ

ହଠାତ୍‌ ଭାରତୀୟଙ୍କ ନିଦ୍ରାଭଙ୍ଗ ହୋଇଛି। ଏପର୍ଯ୍ୟନ୍ତ ବିନା କାରଣରେ ମୁସଲମାନ ସମ୍ପ୍ରଦାୟର ଭାରତୀୟଙ୍କୁ ଘୃଣା କରୁଥିବା କିଛି ଲୋକ ବହୁ ଦିନରୁ ପାକିସ୍ତାନକୁ ଏକ ନମ୍ବର ଶତ୍ରୁ ଭାବେ ଚିତ୍ରଣ କରିଆସିଛନ୍ତି। ପିଲାଦିନରୁ ସମସ୍ତେ ଶିଖିଛନ୍ତି ଯେ, କେବଳ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରୀଛାତ୍ର ପରବର୍ତ୍ତୀ ଜୀବନରେ ବଡ଼ ମଣିଷ ହୋଇପାରନ୍ତି ନାହିଁ। ପାଠପଢ଼ା ସହ ଯେତେବେଳେ ଶାଠ ବା ସାଧାରଣଜ୍ଞାନ, ଯାହାକୁ ଇଂଲିଶରେ କମନ୍‌ସେନ୍ସ କୁହାଯାଏ, ତାହାର ମିଶ୍ରଣ ହୁଏ ସେତେବେଳେ ସେହି ଛାତ୍ରୀଛାତ୍ରର ପରବର୍ତ୍ତୀ ଜୀବନରେ ସଫଳତା ହାସଲ ହୋଇଥାଏ। ପାକିସ୍ତାନ ଭଳି ଏକ ଝିଣ୍ଟିକା ଦେଶକୁ ମୁଖ୍ୟ ଶତ୍ରୁ ଭାବେ ପ୍ରଦର୍ଶିତ କରିଆସୁଥିବା ମୁଷ୍ଟିମେୟ ଲୋକଙ୍କର ଅନେକ ବ୍ୟକ୍ତିଗତ ସ୍ବାର୍ଥ ଲୁକ୍କାୟିତ ରହିଛି ବୋଲି ଏବେ କ୍ରମଶଃ ବୁଝାପଡୁଛି। ପାକିସ୍ତାନକୁ ଅର୍ଥନୀତି ଭାଷାରେ ଫେଲ୍‌ଡ ଷ୍ଟେଟ୍‌ ବା ବିଫଳ ରାଷ୍ଟ୍ର ଆଖ୍ୟା ଦିଆଯାଉଛି। ତେଣୁ ଏକ ବିଫଳ ରାଷ୍ଟ୍ରକୁ ସାମ୍ନା କରିବା ପାଇଁ ଅଣ୍ଟାଭିଡ଼ି ଭାରତ ଛିଡ଼ା ହୋଇଥିବା ବେଳେ ରାଜନେତାଙ୍କଠାରୁ ବ୍ୟବସାୟୀମାନେ ଆମ ଦେଶର ଲୋକଙ୍କୁ ବୋକା କରି ନିଜର ସୁବିଧା ସୁଯୋଗ ନେଇ ଚାଲିଛନ୍ତି।
ଏବେ ହଠାତ୍‌ ନିଦ୍ରାଭଙ୍ଗ ଯୋଗୁ ଭାରତୀୟମାନେ ବୁଝିଲେଣି ଯେ ତାଙ୍କର ଦକ୍ଷତା, ଜନସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ପ୍ରାକୃତିକ ସମ୍ବଳ ଭଳି ଅନେକ ଦିଗରୁ ଦେଖିଲେ ବାସ୍ତବ ଦୀର୍ଘମିଆଦୀ ଶତ୍ରୁ ହେଉଛି କେବଳ ମାତ୍ର ଚାଇନା। ବର୍ତ୍ତମାନ ସେହି ମୁଷ୍ଟିମେୟ ଗୋଷ୍ଠୀ ଦ୍ୱାରା ପ୍ରଚାର କରାଯାଉଛି ଯେ, ଚାଇନା ସାମଗ୍ରୀ ବ୍ୟବହାରକୁ ବନ୍ଦ କରାଯାଉ। ତାହା ହେଲେ ଯାଇ ଭାରତରୁ ଚାଇନା ଅର୍ଥନୈତିକ ଦୃଷ୍ଟିରୁ ଝଟକା ପାଇବ। କିନ୍ତୁ ଏହିସବୁ ଦାୟିତ୍ୱ ଜନସାଧାରଣଙ୍କ ଉପରେ ଲଦି ଦିଆଯାଉଛି। ଏହା ଅବାଞ୍ଛିତ ଏଇଥିପାଇଁ ଲାଗୁଛି କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପଯୁକ୍ତ ବାଣିଜ୍ୟ ନୀତି ନିର୍ଦ୍ଧାରିତ ନ ହେବା ପର୍ଯ୍ୟନ୍ତ ଚାଇନା ସାମଗ୍ରୀ ଦୋକାନ ବଜାରରେ ମିଳୁଥିବ। ତାହାକୁ ବର୍ଜନ କରିବା ଅସମ୍ଭବ ହୋଇପଡ଼ିବ। ଅନେକ ସମୟରେ ବାହାରକୁ ଦିଶୁଥିବା ଭାରତୀୟ ସାମଗ୍ରୀର ଅନ୍ତବୁଜୁଳାରେ ଚାଇନାର ନାଡ଼ ଝୁଲିଥାଉଛି। ତେଣୁ ଚାଇନା ସାମଗ୍ରୀକୁ ବର୍ଜନ ନିଷ୍ପତ୍ତି ଜନସାଧାରଣଙ୍କ ଉପରେ ଲଦିଦେଇ ସରକାର ନୀରବରେ ବସିଯିବା ସମ୍ଭବପର ହେବ ନାହିଁ।
କୁଆଡ଼େ ଗଲା ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା, ଯାହାକି ୬ ବର୍ଷ ପୂର୍ବରୁ ମୋଦି ଘୋଷଣା କରିଥିଲେ। ପ୍ରତୀକ ଭାବରେ କେବଳ ସିଂହର ଚିତ୍ର ଦେଖିବାକୁ ମିଳୁଛି। ତଥାକଥିତ ଭାରତୀୟ କମ୍ପାନୀଗୁଡ଼ିକ ବିକ୍ରି କରୁଥିବା ସବୁ ସାମଗ୍ରୀ ଚାଇନାରୁ ଆସୁଛି। ଭାରତୀୟ ଉଦ୍ୟୋଗ ଭାବେ ପରିଚିତ ମାରୁତିର ହେଡ୍‌ଲାଇଟ୍‌ ଚାଇନାର ବୋଲି କୁହାଯାଉଛି। ସେହିପରି ମାଇକ୍ରୋମାକ୍ସ ମୋବାଇଲ୍‌ ଫୋନ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ସମ୍ପୂର୍ଣ୍ଣ ଫୋନ୍‌ ସେଟ୍‌ଟି ସ୍ବଦେଶୀ ବୋଲି କୁହାଯାଉଥିଲେ ମଧ୍ୟ ଏହାର ଅଧିକାଂଶ ଅଂଶ ଚାଇନାରୁ ଆମଦାନୀ ହେଉଛି। ସେହିପରି ବ୍ୟବସାୟିକ ନିଷ୍ପତ୍ତି ପରେ ମୋଟର ସାଇକେଲ ତିଆରି କରୁଥିବା ଭାରତୀୟ-ବିଦେଶୀ ଯୌଥ ଉଦ୍ୟୋଗ ପରସ୍ପରଠାରୁ କିଛିବର୍ଷ ପୂର୍ବେ ଅଲଗା ହୋଇଥିଲେ। ଭାରତୀୟ କମ୍ପାନୀ ଭାବିଥିଲା ତା’ର ସୁନାମ ଯୋଗୁ ସେ ଅଧିକ ଉପାର୍ଜନ କରିବ। କିନ୍ତୁ ତାହା ନିମ୍ନମୁଖୀ ହୋଇଛି। ଏହାର କାରଣ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) ଦିଗରେ ଏହି କମ୍ପାନୀ ଖର୍ଚ୍ଚ କରିବାକୁ ଚାହିଁ ନାହିଁ। ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଅବଧାରଣା ରହିଛି ଯେ, ଆର୍‌ ଆଣ୍ଡ୍‌ ଡି ପାଇଁ ଅଧିକ ବ୍ୟୟ କରିବା ଅର୍ଥ ବଦଖର୍ଚ୍ଚ। ବାସ୍ତବରେ ଦେଖିଲେ ଚାଇନା ଆଜି ତା’ର ସାମଗ୍ରୀ ବିଶ୍ୱ ବଜାରରେ ମେଲେଇଦେବା ସହ ଲାଭ ଅର୍ଜନ କରିବା ପଛରେ ‘ଆର୍‌ ଆଣ୍ଡ୍‌ ଡି’ର ଅବଦାନ ସର୍ବାଧିକ ରହିଛି।
ଭାରତକୁ ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା) କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ବିବେଚନା କରାଯାଉଛି। କିନ୍ତୁ ବାସ୍ତବରେ ଦେଖିଲେ ଏଠାରେ ଆଇଟି ଠିକାଦାର ଅଧିକ ହାଉଯାଉ ହେଉଛନ୍ତି। ସେ ଇନ୍‌ଫୋସିସ୍‌ ହେଉ ବା ଓ୍ବିପ୍ରୋ କିମ୍ବା ଟାଟା କସ୍‌ସଲଟାନ୍ସି ବା ଏଚ୍‌ସିଏଲ୍‌ ପ୍ରତିଟି ଆଇଟି କମ୍ପାନୀ କୌଣସି ନୂତନ ଉଦ୍ଭାବନ କରି ନାହାନ୍ତି। ସେମାନେ କେବଳ ଜବ୍‌ ଅର୍ଡର ଠିକାଦାର ଭାବେ କାର୍ଯ୍ୟ କରି ଅର୍ଥ ରୋଜଗାର କରିଛନ୍ତି। ଏଗୁଡ଼ିକ ବିପୁଳ ଚାକିରି ଦେଇଥାଇପାରନ୍ତି, କିନ୍ତୁ ଦେଶର ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ମୂଳଦୁଆକୁ କୌଣସି ଭାବେ ସୁଦୃଢ଼ କରିବାକୁ ଚେଷ୍ଟା କରିନାହାନ୍ତି। କୌଣସି ନୂତନ ସଫ୍ଟଓ୍ବେର ସୃଷ୍ଟି କରି ବିଶ୍ୱ ବଜାରକୁ ଆକର୍ଷିତ କରିଥିବାର ଉଦାହରଣ ଖୋଜିଲେ ନିରାଶ ହେବାକୁ ପଡ଼େ। ଆଇଟି କ୍ଷେତ୍ରରେ ଅନେକ ଭାରତୀୟ କମ୍ପାନୀ ସ୍ବଦେଶୀ ସାମଗ୍ରୀ ନିର୍ମାଣ କରୁଥିବା ଦାବି କରୁଥିଲେ ହେଁ ସେମାନେ ଯାହା ତିଆରି କରନ୍ତି ସବୁର ବୁଦ୍ଧି ଓ କାରିଗରି ବିଦେଶୀ କମ୍ପାନୀଠାରୁ ଆସିଥାଏ। ଏହିଭଳି ବିରାଟକାୟ ଭାରତୀୟ କମ୍ପାନୀଗୁଡ଼ିକ ଠିକାଦାରି କରୁଥିବା ବେଳେ ଚାଇନା ତା’ର ନାଗରିକଙ୍କ ପାଇଁ ଗୁଗଲ୍‌ର ବିକଳ୍ପ ବାଇଡୁ, ହ୍ବାଟ୍‌ସଆପ୍‌ର ବିକଳ୍ପ ଓ୍ବିଚାଟ୍‌, ଇ-କମର୍ସ ପ୍ଲାଟଫର୍ମ ଆମାଜନ୍‌ ଡଟ୍‌ କମ୍‌ ପରିବର୍ତ୍ତେ ଆଲିବାବା ଡଟ୍‌କମ୍‌ ଏବଂ ଅନେକ ଢଙ୍ଗରେ ନିଜତ୍ୱ ବଜାୟ ରଖିପାରିଛି। ଅପରପଟେ ଟିକ୍‌ଟକ୍‌ ମାଧ୍ୟମରେ ଭାରତର ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବତୀଯୁବକଙ୍କୁ ନଚାଉଛି ଚାଇନାର ସଫ୍ଟଓ୍ବେର। ଏଭଳି ପରିସ୍ଥିତିରେ କାହା ବିରୋଧରେ ଲଢ଼ିବା। ଭାରତର ସବୁ ସରକାର (ଉଭୟ କଂଗ୍ରେସ ଓ ଆଜିର ମୋଦି ସରକାର) ବାଣିଜି୍ୟକ ପରିବେଶକୁ ବିଷାକ୍ତ କରିବାରେ ସକ୍ରିୟ ସହଯୋଗ କରିଚାଲିଛନ୍ତି।
ଚାଇନା ସବୁବେଳେ ଭାରତକୁ ବିରୋଧ କରିଆସିଛି। ଜାତିସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟତାକୁ ବିରୋଧ କରିବାଠାରୁ ଆରମ୍ଭ କରି ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ଆତଙ୍କବାଦୀ ନ ଦର୍ଶାଇବା, ଅରୁଣାଚଳ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ଭାରତୀୟ ନେତାଙ୍କୁ ପୂରାଇ ନ ଦେବା ଭଳି ଭାରତ ବିରୋଧୀ କାର୍ଯ୍ୟରେ ଚାଇନା ବ୍ୟସ୍ତ ରହୁଛି। ଏପରି କି ଉପରଠାଉରିଆ ଭାବେ ଭାରତକୁ ବନ୍ଧୁରାଷ୍ଟ୍ର କହିବାକୁ ଦ୍ୱିଧାବୋଧ କରୁଛି। ହେଲେ ଏବେ ଭାଜପା ସରକାର ଏ ଦେଶର ଦୃଷ୍ଟିକୁ ଝିଣ୍ଟିକା ପାକିସ୍ତାନ ଆଡ଼କୁ ମୁହଁାଇ ରଖିଛି। କାରଣ ମୁସଲ୍‌ମାନ ବିରୋଧୀ ଭାବନା ଥିବା ହେତୁ ପାକିସ୍ତାନ ହୋଇଯାଇଛି ଭାରତ ପାଇଁ ସର୍ବୋଚ୍ଚ ଶତ୍ରୁ। ଦୁଃଖର ବିଷୟ ସେହି ଗୋଷ୍ଠୀର ମାନସିକତାର ଶତ୍ରୁ ଏବଂ ଦେଶ ଭାବେ ଭାରତବର୍ଷର ପ୍ରକୃତ ଶତ୍ରୁ ସମ୍ପୂର୍ଣ୍ଣ ଭିନ୍ନ। କେବଳ ରାଜନୀତି ପାଇଁ ପାକିସ୍ତାନ ଓ ମୁସଲମାନଙ୍କୁ ବିରୋଧ କରାଯାଉଛି। ଭାରତର ଅର୍ଥନୈତିକ ସ୍ବାଧୀନତା ଓ ଗଣତାନ୍ତ୍ରିକ ଚିନ୍ତାଧାରାକୁ ଚାଇନା ବିରୋଧ କରିଆସିଛି, କରୁଛି, କରିଚାଲିବ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri