Posted inରାଜ୍ୟ

ପୋଲିସ ପ୍ରଶାସନରେ ଅଭିଯୁକ୍ତ ପୁରସ୍କୃତ: ୪୦ ଇନ୍ସପେକ୍ଟର, ୧୪ ଏସିପିଙ୍କ ନାମରେ ଏକାଧିକ ଅଭିଯୋଗ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ସମସ୍ତଙ୍କ ପାଇଁ ଆଇନ ସମାନ। ଅପରାଧ ଅନୁଯାୟୀ ଜଣେ ସାଧାରଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଯେଉଁ ଦଫା ଲାଗେ ଜଣେ ପୋଲିସ ବିରୋଧରେ ମଧ୍ୟ ସେହି ଦଫା ଲାଗିଥାଏ। କିନ୍ତୁ ପୋଲିସ ନିଜ କ୍ଷମତାର ଦୁରୁପଯୋଗ କରି ଆଇନକୁ ଦଳିମକଚି ଚାଲିଛି। ପୋଲିସ ବିରୋଧରେ ଆସିଥିବା ଅଭିଯୋଗ ଫାଇଲକୁ ଚାପି ଦିଆଯାଉଛି। କାର୍ଯ୍ୟାନୁଷ୍ଠାନ ଦୂରର କଥା ତଦନ୍ତ ମଧ୍ୟ କରାଯାଉନାହିଁ। ଚାପ ପଡ଼ିଲେ ତଦନ୍ତ ହେଉଛି, ହେଲେ ରିପୋର୍ଟକୁ ବଦଳାଇ ଦିଆଯାଉଛି। ଫଳରେ ଜଣେ ଦୁର୍ନୀତିଗ୍ରସ୍ତ ବା ଅଭିଯୁକ୍ତ ପୋଲିସ ଅଫିସର ଆଇନ ଫାଶରୁ ଖସିଯାଉଛନ୍ତି। ଏହାସତ୍ତ୍ୱେ ଯଦି ବି କେହି ମୁହଁ ଖୋଲୁଛି ତଳସ୍ତରରୁ ଖାକି ଭୟ ଦେଖାଇ ଚାପି ଦିଆଯାଉଛି। ସବୁଠୁ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ରାଜ୍ୟର ସର୍ବାଧିକ ଦକ୍ଷ କୁହାଯାଉଥିବା କମିଶନରେଟ ପୋଲିସରେ ଦେଖିବାକୁ ମିଳିଛି। କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ବହୁ ପୋଲିସ ଅଫିସରଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଛି। କିନ୍ତୁ ଦୁର୍ଭାଗ୍ୟର କଥା ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ବଦଳରେ ସମ୍ପୃକ୍ତ ଅଫିସରମାନଙ୍କୁ ପ୍ରମୋଶନ ଦିଆଯାଇ ଅନ୍ୟତ୍ର ବଦଳି କରାଯାଇଛି। ଏହି ଅଫିସରଙ୍କ ମଧ୍ୟରୁ କେତେଜଣ କମିଶନରେଟ ପୋଲିସରେ ଥିବାବେଳେ ଆଉ କେତେଜଣ ବାହାର ଜିଲାରେ ଅବସ୍ଥାପିତ ଅଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୮ ପର୍ଯ୍ୟନ୍ତ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ୪୦ ଇନ୍ସପେକ୍ଟର ଓ ୧୪ ଏସିପିଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସିଛି। ସେଗୁଡିକ ହେଲା ମିଛ ମାମଲାରେ ଫସାଇବା, ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିବା, ଥାନାରେ ଅଭିଯୋଗକାରୀଙ୍କୁ ନିର୍ଯାତନା ଦେବା, ବିପକ୍ଷ ଗୋଷ୍ଠୀଙ୍କଠାରୁ ଟଙ୍କା ନେଇ ମାମଲା ରୁଜୁ ନ କରିବା, ବିଲ୍ଡରମାନଙ୍କୁ ସହାନୁଭୂତି ଦେଖାଇ ତାଙ୍କ ବିରୋଧରେ ମାମଲା ଉଠାଇନେବା, ବିନା କାରଣରେ ଗିରଫ କରିବା, ମହିଳାଙ୍କୁ ଅସଦାଚରଣ ଓ ଆୟ ବହିର୍ଭୂତ ସମ୍ପତ୍ତି ଅର୍ଜନ କରିବା। ବିଶେଷକରି ଥାନାରେ ନିର୍ଯାତନା ଦେବା ସହ ମିଛ ମାମଲା ରୁଜୁ କରିବା ଭଳି ଅଭିଯୋଗ ୪୦ ପ୍ରତିଶତ ରହିଛି। ସେହିଭଳି ଲାଞ୍ଚ ମାଗିବା ସହ ବିପକ୍ଷ ଗୋଷ୍ଠୀଠାରୁ ଲାଞ୍ଚ ନେଇ ମାମଲାର କାର୍ଯ୍ୟାନୁଷ୍ଠାନ ନ ନେବା ଭଳି ଅଭିଯୋଗ ୨୦ ପ୍ରତିଶତ ରହିିଛି। ବହୁ ମହିଳାଙ୍କ ସମେତ ସାଧାରଣ ଲୋକ, ଆଇନଜୀବୀ, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀ ଏବଂ ବରିଷ୍ଠ ନାଗରିକମାନେ

ଏଭଳି ଅଭିଯୋଗ କରିଛନ୍ତି। ତଥ୍ୟ ଅନୁଯାୟୀ, ଇନ୍ସପେକ୍ଟର ଦୀପକ ମିଶ୍ରଙ୍କ ନାମରେ ସର୍ବାଧିକ ଅଭିଯୋଗ ରହିଛି। ତାଙ୍କ ନାମରେ ୧୦ ପିଟିଶନ ରହିଥିବାବେଳେ ଗୋଟିଏ ତଦନ୍ତାଧୀନ ରହିଛି। ଏହାସତ୍ତ୍ୱେ ଡିଜିପି ତାଙ୍କୁ ବେଷ୍ଟ୍‌ ଇନ୍ସପେକ୍ଟର ପୁରସ୍କାର ଦେଇଛନ୍ତି। ଇନ୍ସପେକ୍ଟର ଶରତ କୁମାର ସାହୁଙ୍କ ବିରୋଧରେ ୯, ଅନୁପ କାନୁନ୍‌ଗୋଙ୍କ ନାମରେ ୪ ଅଭିଯୋଗ ଆସିଥିବାବେଳେ ଗୋଟିଏ ଲେଖାଏ ଅଭିଯୋଗର ତଦନ୍ତ ଚାଲିଛି। ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ମଣ୍ଡଳଙ୍କ ନାମରେ ଆସିଥିବା ମୋଟ ୪ଟି ଯାକ ଅଭିଯୋଗର ତଦନ୍ତ ଚାଲିଥିବାବେଳେ ରଜତ ରାୟଙ୍କ ବିରୋଧରେ ହୋଇଥିବା ୫ ଅଭିଯୋଗ ମଧ୍ୟରୁ ୨ଟିର ତଦନ୍ତ ଚାଲିଛି। ସେହିପରି ଇନ୍ସପେକ୍ଟର ମନୋଜ କୁମାର ସାମନ୍ତଙ୍କ ବିରୋଧରେ ହୋଇଥିବା ୪ ଅଭିଯୋଗ ମଧ୍ୟରୁ ୩ ଏବଂ କୃଷ୍ଣ ପ୍ରସାଦ ମିଶ୍ରଙ୍କ ନାମରେ ହୋଇଥିବା ୩ ଅଭିଯୋଗ ମଧ୍ୟରୁ ୨ଟିର ତଦନ୍ତ ଚାଲିଛି। ଅନ୍ୟ ଇନ୍ସପେକ୍ଟରମାନଙ୍କ ମଧ୍ୟରେ କିଶୋରଚନ୍ଦ୍ର ମୁଣ୍ଡ୍‌, ଯୁଗଳ କିଶୋର ଦାସ, ଜନାର୍ଦ୍ଦନ ପାଢ଼ୀ, ସୂର୍ଯ୍ୟମଣି ପ୍ରଧାନଙ୍କ ନାମରେ ୩ଟି ଲେଖାଏ ଅଭିଯୋଗ ଆସିଛି। ସେଥିମଧ୍ୟରୁ ଗୋଟିଏ ଲେଖାଏ ଅଭିଯୋଗର ତଦନ୍ତ ଚାଲିଛି। ଇନ୍ସପେକ୍ଟର ଲକ୍ଷ୍ମୀନାରାୟଣ ତିଓ୍ବାରୀ, ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ନାମରେ ଥିବା ୨ଟି ଲେଖାଏ ଅଭିଯୋଗ ମଧ୍ୟରୁ ଗୋଟିଏ ଲେଖାଏ ଅଭିଯୋଗର ତଦନ୍ତ ଚାଲିଛି।
ସେହିପରି କେତେଜଣ ଇନ୍ସପେକ୍ଟରଙ୍କ ନାମରେ ଗୋଟିଏ ଲେଖାଏ ଅଭିଯୋଗ ହୋଇଥିବାବେଳେ ତା’ର ତଦନ୍ତ ଚାଲିଛି। ସେମାନେ ହେଲେ କେ. କେ. ପାଣିଗ୍ରାହୀ, ରବି ନାରାୟଣ ପାଢ଼ୀ, ଅତନୁ କୁମାର ରାଉତ, ବନିତା ମହାରଣା, ରବି ନାରାୟଣ ଭଞ୍ଜ, ବିଦ୍ୟୁତ୍‌ ପଣ୍ଡା ଓ କ୍ଷମାସାଗର ପଣ୍ଡା।
ଆଉ କେତେଜଣ ଇନ୍ସପେକ୍ଟରଙ୍କ ନାମରେ ଏକାଧିକ ଅଭିଯୋଗ ଆସିଥିଲେ ମଧ୍ୟ କୌଣସି ଅଭିଯୋଗର ତଦନ୍ତ ବାକି ରହିନାହିଁ। ସେମାନେ ହେଲେ ମାନସ ରଞ୍ଜନ ଗଡ଼ନାୟକ(୫ ଅଭିଯୋଗ), ରବିନାରାୟଣ ଶତପଥୀ(୪), ହିମାଂଶୁ ଭୂଷଣ ସ୍ବାଇଁ(୪), ଭରତ ଚନ୍ଦ୍ର ସାହୁ(୩), ଦେବୀଶଙ୍କର ପ୍ରତାପ(୩), ବିଳାସିନୀ ମଲ୍ଲ(୨) ରଶ୍ମିରଞ୍ଜନ ସାହୁ(୨), ଆଲୋକ କୁମାର ଜେନା। ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ସତ୍ୟଜିତ୍‌ ମିଶ୍ର, ତପନ କୁମାର ମହାନ୍ତି, ପ୍ରିୟରଞ୍ଜନ ଶତପଥୀ, ଗଙ୍ଗାଧର ଦଳାଇ, ନୀହାର ରଞ୍ଜନ ପ୍ରଧାନ, ସୁରେନ୍ଦ୍ର କୁମାର ବଳ, ସରୋଜ କୁମାର ପଟେଲ, ସଞ୍ଜୀବ ଶତପଥୀ, ପଦ୍ମନାଭ ପ୍ରଧାନ, ଇମାନ କଲ୍ୟାଣୀ ନାୟକ, ସରୋଜ କୁମାର ପଟେଲ ଓ ପ୍ରଭାସ ଚନ୍ଦ୍ର ପାଲ୍‌ଙ୍କ ବିରୋଧରେ ଗୋଟିଏ ଲେଖାଏ ପିଟିଶନ ଦାଏର ହୋଇଛି।
ଅନ୍ୟପକ୍ଷରେ ୧୪ଜଣ ଏସିପିଙ୍କ ନାମରେ ଏକାଧିକ ଅଭିଯୋଗ ଆସିଛି। ସେମାନେ ହେଲେ ନିର୍ମଳ ଶତପଥୀ(୨ ଅଭିଯୋଗ), ସୁବାସ ତ୍ରିପାଠୀ(୩), ଦିଲୀପ କୁମାର ଦାସ(୪), ପି.କେ. ପଟ୍ଟନାୟକ(୧), ବିନୋଦ କୁମାର ଦାଶ(୧), ଅକ୍ଷୟ କୁମାର ମିଶ୍ର(୫), ସୁରେଶ କୁମାର ଦାଶ(୧), ପ୍ରତାପ କୁମାର ସ୍ବାଇଁ(୧), ଅନିଲ କୁମାର ପାତ୍ର(୧), ବିଳାସିନୀ ନାୟକ(୧), ବିଷ୍ଣୁଚରଣ ମିଶ୍ର(୧), ବିଭୂତି ଭୂଷଣ ପରିଡ଼ା(୧), ଶୁଭେନ୍ଦୁ ସ୍ନିହା(୧) ଓ ରବୀନ୍ଦ୍ରନାଥ ଶତପଥୀ(୧)। ଏମାନଙ୍କ ମଧ୍ୟରୁ ପି.କେ. ପଟ୍ଟନାୟକ, ପ୍ରତାପ କୁମାର ସ୍ବାଇଁ, ଅନିଲ କୁମାର ପାତ୍ର, ବିଭୂତି ଭୂଷଣ ପରିଡା ଓ ରବୀନ୍ଦ୍ର ନାଥ ଶତପଥୀଙ୍କ ବିରୋଧରେ ଗୋଟିଏ ଲେଖାଏ ଅଭିଯୋଗର ତଦନ୍ତ ଚାଲିଛି।
ପୋଲିସ ଅଧିକାରୀଙ୍କ ବିରୋଧରେ ହେଉଥିବା ତଦନ୍ତ କେବଳ ନାମକୁ ମାତ୍ର। କାରଣ ଯଦି ଜଣେ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ ଆସୁଛି ତେବେ ତାହାର ତଦନ୍ତ ଭାର ସେହି ଥାନାର ଜୋନ୍‌ ଏସିପିଙ୍କୁ ଦିଆଯାଉଛି। ପ୍ରାୟତଃ ଯେଉଁ ଜୋନ୍‌ ଏସିପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଉଛି, ସେ ଇନ୍ସପେକ୍ଟର ଥିବାବେଳେ ତାଙ୍କ ନାମରେ ମଧ୍ୟ ଅଭିଯୋଗ ଆସିିଛି। ଫଳରେ ସେ ତଦନ୍ତ କଲେ ସେଥିରେ ସ୍ବଚ୍ଛତା ରହିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ସେହିପରି ଜଣେ ଏସିପିଙ୍କ ନାମରେ ଅଭିଯୋଗ ଆସିଲେ ଅତିରିକ୍ତ ଡିସିପିଙ୍କୁ ତଦନ୍ତ ଭାର ଦିଆଯାଉଛି। ଏସିପି ଏବଂ ଅତିରିକ୍ତ ଡିସିପିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହୁଥିବାରୁ ତଦନ୍ତ ଦିଗହରା ହେଉଥିବା କୁହାଯାଉଛି। ଏନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତ କରାଯାଉନାହିଁ। ଯେଉଁଠି ତଦନ୍ତ କରାଯାଉଛି, ସେଠି ରିପୋର୍ଟକୁ ବଦଳାଯାଉଛି, ନଚେତ୍‌ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉନି। ଦାଗୀ ପୋଲିସ ଅଫିସରଙ୍କୁ ଘଣ୍ଟ ଘୋଡାଇବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି। ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ ମଧ୍ୟ ପ୍ରାୟ ସମାନ ମତ ଦେଇ କହିଛନ୍ତି, କମିଶନରେଟ ପୋଲିସରେ ସବୁକିଛି ସଲାସୁତରାରେ ଚାଲିଛି। ପୋଲିସ ଅଫିସରଙ୍କ ବିରୋଧରେ ହେଉଥିବା ଅଭିଯୋଗର ଠିକ୍‌ ତଦନ୍ତ କରାଯାଉନାହିଁ।
ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଯେଉଁ ପୋଲିସ ଅଫିସରଙ୍କ ବିରୋଧରେ ଅଭିଯୋଗ ଆସୁଛି ତାହାର ତଦନ୍ତ କରାଯାଉଛି। ଆଉ କେତେକ ଅଭିଯୋଗର ତଦନ୍ତ କୌଣସି କାରଣ ପାଇଁ ପଡ଼ି ରହିଥିବ। ସେହି ଅଭିଯୋଗଗୁଡ଼ିକର ପୁଣି ସମୀକ୍ଷା କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ସ୍ଥିତି କ’ଣ ରହିଛି ତାହା ଦେଖିବି ବୋଲି ସେ କହିଛନ୍ତି।

ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ଜଣେ ଯୁକ୍ତ ୨ ଦିତୀୟବର୍ଷ ଛାତ୍ରୀ ଏସ.ଅନିତା ଦୋରା(୧୭) କୀଟନାଶକ ପିଇ…

ପୋଖରୀ ହୁଡ଼ାରେ ପ୍ୟାଣ୍ଟ ଶର୍ଟ, ପାଣି ଭିତରେ ମୃତଦେହ

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍ବବୃହତ ମହାରାଣୀ ପୋଖରୀ ପାଣିରେ ଭାସୁଥିବା ଏକ ମୃତଦେହକୁ ଜବତ କରିଛି ଅଗ୍ନିଶମ ବିଭାଗ। ସୂଚନାନୁଯାୟୀ, ଆଜି ଦିନ ବେଳେ…

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri