ଅନୁଗୋଳ ଅଫିସ, ୨୭।୫- ତତଲା କଡ଼େଇ ପାଲଟିଛି ଅନୁଗୋଳ। ବୁଧବାର ୪୩.୭ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ଅନୁଗୋଳ ସର୍ବାଗ୍ରେ ଥିବାରୁ ଦିନ ତମାମ କଲବଲ ହୋଇଥିଲେ ଲୋକେ। ସକାଳ ୮ଟାରୁ ତାପମାତ୍ରା ବଢ଼ିବା ସହ ମଧ୍ୟାହ୍ନରେ ମୁଣ୍ଡଫଟା ଖରା ଜନଜୀବନକୁ ଅଥୟ କରିଦେଇଥିଲା। ଫଳରେ ଜନଗହଳି ଅନୁଗୋଳ ସହର ପୂର୍ବାହ୍ନରୁ ହିଁ ଖାଁ ଖାଁ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଅତି ଜରୁରୀ କାମ ନ ଥିଲେ ଲୋକମାନେ ଘରୁ ବାହାରି ନ ଥିଲେ। ଯେଉଁମାନେ ପଦାକୁ ଆସିଥିଲେ ସେମାନେ ହାତରେ ଛତା ଓ ପାଣି ବୋତଲ ଆଣିଥିଲେ। ତେବେ ତାତି ସାଙ୍ଗକୁ ଗୁଳଗୁଳି ଯନ୍ତ୍ରଣାକୁ ଅଧିକ ବଢ଼ାଇ ଦେଇଥିଲା ଅଘୋଷିତ ବିଦ୍ୟୁତ୍ କାଟ। ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ ହେଉଥିବାରୁ ଛୋଟ ପିଲା ଓ ବୟସ୍କ ଲୋକମାନେ ଗରମରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।


