ଡିଜିଟାଲ୍‌ ଗାଁ

ହରିହର ତ୍ରିପାଠୀ
କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ସମସ୍ତ ଗାଁକୁ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ। ହରିୟାଣାର ରେୱାରୀଠାରେ ଗୁରୱାରା ନାମକ ଗ୍ରାମକୁ ଡିଜିଟାଲ୍‌ ଗ୍ରାମ ଭାବେ ଉଦ୍‌ଘାଟନ କରି ରବିଶଙ୍କର ଏହା କହିଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଭାରତ ନେଟ୍‌ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୩୦ ହଜାର ଗ୍ରାମପଞ୍ଚାୟତକୁ ସଂଯୋଗ କରାଯାଇ ପାରିଛି। ତେବେ ୨ ଲକ୍ଷ ୫୦ ହଜାର ଗ୍ରାମପଞ୍ଚାୟତକୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ଅତିକମ୍‌ରେ ୧୫ ପ୍ରତିଶତ ଗ୍ରାମକୁ ଡିଜିଟାଲ୍‌ ଗ୍ରାମରେ ପରିଣତ କରିବା ପାଇଁ ସରକାର ଯୋଜନା କରିଛନ୍ତି। ମନ୍ତ୍ରୀଙ୍କର ମତ ହେଲା ଡିଜିଟାଲ୍‌ ଗ୍ରାମରେ ପରିଣତ ହେଲେ ଗାଁଗୁଡ଼ିକର ଚିତ୍ର ବଦଳିଯିବ।
ସରକାର ଡିଜିଟାଲ୍‌ ଶବ୍ଦଟିକୁ ଯେଭଳି ବହୁଳ ବ୍ୟବହାର କରୁଛନ୍ତି ତାହା ସୂଚନା ଓ ପ୍ରଯୁକ୍ତିରେ ଜ୍ଞାନଥିବା ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଦୁଇମାସ ତଳେ ରବିଶଙ୍କର ମଧ୍ୟ କହିଥିଲେ ଯେ, ଆଗାମୀ ପାଞ୍ଚବର୍ଷ ମଧ୍ୟରେ ସରକାର ୧ଲକ୍ଷ ଡିଜିଟାଲ୍‌ ଗାଁ ସ୍ଥାପନ କରିବେ। ଆଗାମୀ ଦିନରେ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବ ଓ ଏଥିରେ ସଫ୍ଟଓ୍ବେର, ଇଲେକ୍ଟ୍ରୋନିକ ପଲିସି ଏବଂ ଡିଜିଟାଲ କମ୍ୟୁନିକେଶନକୁ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏଠି ପ୍ରଶ୍ନଉଠୁଛି ହୁଏତ ସରକାର ଗାଁଗହଳିର ସ୍ଥିତି ଜାଣିପାରୁ ନାହାନ୍ତି ଅଥବା କେବଳ କାଗଜକଲମରେ ଯୋଜନା ଚାଲିଛି। କାରଣ ଏବେ ନିର୍ଦ୍ଦିଷ୍ଟଭାବେ ସରକାରଙ୍କ ପକ୍ଷରୁ ଡିଜିଟାଲ୍‌ ଗାଁ ସ୍ଥାପନ କରିବାର ଆବଶ୍ୟକତା ନାହିଁ। ସରକାରଙ୍କର ଏକମାତ୍ର ନିଜସ୍ବ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ ସଂସ୍ଥା ବିଏସ୍‌ଏନ୍‌ଲ୍‌ ଏବେ ବି ଥ୍ରୀ ଜି ସ୍ତରରେ ରହିଥିବାବେଳେ ଦେଶରେ ହୋଇଥିବା ସବୁପ୍ରକାର ଡିଜିଟାଲ୍‌ ବିପ୍ଳବର ଶ୍ରେୟ ଘରୋଇ ସଂସ୍ଥାଗୁଡ଼ିକୁ ଯାଉଛି। କେବଳ ଜିଓ ବା ସେହିଭଳି ସ୍ପିଡ୍‌ ନେଟ୍‌ୱର୍କ, ଗୋଟିଏ ସ୍ମାର୍ଟଫୋନ ଓ ଗୁଗୁଲ୍‌ର କିଛି ବ୍ୟବହାର ଦ୍ୱାରା ହୋଇପାରୁଥିବା ସମସ୍ତ କାର୍ଯ୍ୟକୁ ସରକାର ଭେଳିକି ବନାଉଛନ୍ତି। ଗାଁଗହଳିର ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଲୋକେ ଗାଁରେ ହେଉଥିବା କୀର୍ତ୍ତନ କାର୍ଯ୍ୟକ୍ରମର ଫେସ୍‌ବୁକ୍‌ ଲାଇଭ କରିପାରୁଥିବା ବେଳେ ସରକାରଙ୍କ ଡିଜିଟାଲ୍‌ ଗାଁ ଘୋଷଣା ତୁଚ୍ଛା ପ୍ରହସନ ବ୍ୟତୀତ ଆଉ କିଛି ନୁହେଁ।
ଚାରିବର୍ଷ ତଳେ ଡିଜିଟାଲ୍‌ ଇଣ୍ଡିଆ ମିଶନ୍‌ ମାଧ୍ୟମରେ ମୋଦି ସରକାର ଇ-ଗଭର୍ନାନ୍ସ ଏବଂ ସମସ୍ତଙ୍କୁ ଇଣ୍ଟରନେଟ୍‌ ସୁବିଧା ଦେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସରକାରଙ୍କର ଏହି ମିଶନ୍‌ ସଫଳ କରିବାରେ ମୋବାଇଲ କମ୍ପାନୀଗୁଡିକର ଅବଦାନ ଯଥେଷ୍ଟ ଅଧିକ। ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ବର୍ତ୍ତମାନ ସାରା ସଂସାରକୁ ଡିଜିଟାଲ୍‌ରେ ପରିଣତ କରିଥିବା ବେଳେ ସରକାରଙ୍କର ଲକ୍ଷେ ଡିଜିଟାଲ ଗାଁ ସ୍ଥାପନ କରିବାର ଘୋଷଣା ଦଶନ୍ଧିତଳର ମାନସିକତାର ପ୍ରତିଫଳନ।
ବିଶ୍ୱରେ ଯେତେ ଲୋକ ଫେସ୍‌ବୁକ୍‌ ବ୍ୟବହାର କରିଥାନ୍ତି ସେମାନଙ୍କ ମଧ୍ୟରେ ଭାରତରେ ଫେସ୍‌ବୁକ୍‌ ବ୍ୟବହାରକାରୀ ସର୍ବାଧିକ। ଏହି ସଂଖ୍ୟା ୨୪ କୋଟି। ଏ ଦିଗରେ ଭାରତୀୟମାନେ ଆମେରିକାକୁ ପଛରେ ପକାଇ ସାରିଲେଣି। ଭାରତର ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଏବେ ୫୬ କୋଟିରେ ପହଞ୍ଚତ୍ଲାଣି। କେବଳ ଗ୍ରାମାଞ୍ଚଳରେ ଏବେ ୨୫ କୋଟି ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ସରକାରଙ୍କର ଡିଜିଟାଲ ଇଣ୍ଡିଆ ଡାକରାରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବିଗତ ପାଞ୍ଚବର୍ଷରେ ଦୁଇଗୁଣରୁ ଅଧିକ ହୋଇପାରିଛି। ମୋବାଇଲ୍‌ ଫୋନ ଓ ସେଲୁଲାର ନେଟ୍‌ୱର୍କରେ ବିଭିନ୍ନ ଭାରତୀୟ ଭାଷାର ପ୍ରଚଳନ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ସଂଖ୍ୟାରେ ପ୍ରତିଦିନ ବୃଦ୍ଧି ଘଟାଉଛି।
ଏଭଳି ସ୍ଥିତିରେ ସରକାର ଡିଜିଟାଲ୍‌ ଗାଁ କଥା ଚିନ୍ତା ନ କରି ‘ଡିଜିଟାଲ୍‌ ଡିଭାଇଡ୍‌’କୁ ସମାପ୍ତ କରିବା ଦିଗରେ ପ୍ରୟାସ କରିବା ଦରକାର। ଇଣ୍ଟରନେଟ୍‌ ଜ୍ଞାନ ଥିବା ଏବଂ ଏ ସମ୍ପର୍କରେ ଜ୍ଞାନ ନ ଥିବା ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନ ସଙ୍କୁଚିତ ହେବା ଆବଶ୍ୟକ। ଏଥିଲାଗି ଲୋକଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଦରକାର ଓ ଲୋକଙ୍କୁ ଦ୍ରୁତତମ ଯୋଗାଯୋଗ ସୁବିଧା ଯୋଗାଇଦେବା ଉଚିତ। ଦୁର୍ଭାଗ୍ୟର କଥା ଦେଶର ଦୁର୍ଗମ, ଦୂରଦୂରାନ୍ତ ସ୍ଥାନ ପାଇଁ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ସମ୍ଭବପର ହୋଇ ପାରିନାହିଁ। ଡ୍ରୋନ୍‌ ମାଧ୍ୟମରେ ଏହି ଅଞ୍ଚଳଗୁଡିକରେ ବ୍ରଡ୍‌ବ୍ୟାଣ୍ଡ୍‌ ସୁବିଧା ପ୍ରଦାନ କରାଯାଇ ପାରିବ। ଏ ଦିଗର ସରକାର ଉଚ୍ଚାକାଂକ୍ଷୀ ହେବା ଆବଶ୍ୟକ। ଆମ ଦେଶର ଅଢେଇ ଲକ୍ଷ ଗ୍ରାମପଞ୍ଚାୟତକୁ ଉଚ୍ଚବେଗର ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟବସ୍ଥା ଦ୍ୱାରା ସଂଯୋଗ କରିବା ଉଦ୍ଦେଶ୍ୟରେ ନ୍ୟାଶନାଲ୍‌ ଅପ୍‌ଟିକାଲ୍‌ ଫାଇବାର୍‌ ନେଟ୍‌ୱର୍କ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତେବେ ପରିତାପର ବିଷୟ ୨୦୧୯ ସୁଦ୍ଧା ଏହା ସମାପ୍ତ ହେବାକୁ ଲକ୍ଷ୍ୟ ରହିଥିଲେ ବି ଏ ଦିଗରେ ସଫଳତା ମିଳିନାହିଁ। କାରଣ ଏହି କାର୍ଯ୍ୟ ଅତି ଧୀର ଓ ମନ୍ଥର ଗତିରେ କାର୍ଯ୍ୟକାରୀ ହେଉଛି।
ଏବେ ସମୟ ଆସିଛି ଲୋକେ ଇଣ୍ଟରନେଟ୍‌ର କିପରି ଉପଯୋଗ କରିବେ ସେ ଦିଗରେ ସେମାନଙ୍କୁ ସଚେତନ କରାଇବା। ଇଣ୍ଟରନେଟ୍‌ ଓ ଅନ୍‌ଲାଇନ୍‌ ବ୍ୟବସ୍ଥା ଫଳରେ ଶିକ୍ଷା, ସ୍ବାସ୍ଥ୍ୟ ସୁଗମ ଓ ସୁଲଭ ହୋଇପାରିବ। ଜ୍ଞାନ ସୀମିତ ଲୋକଙ୍କ ମଧ୍ୟରେ ଆବଦ୍ଧ ନ ହୋଇ ସର୍ବବ୍ୟାପୀ ହୋଇପାରିବ। ସାମାଜିକ ସଚେତନତା ବୃଦ୍ଧି ହେବା ଦ୍ୱାରା ସାମାଜିକ, ଅର୍ଥନୈତିକ ବୈଷମ୍ୟର ଅବସାନ ହେବ। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଇଣ୍ଟରନେଟ୍‌ ବରଦାନ ସଦୃଶ କାର୍ଯ୍ୟ କରିପାରିବ। ମାତ୍ର ଏହାର ସୁଫଳକୁ ଶିକ୍ଷକ ଓ ଛାତ୍ରସମାଜ ଭିତରେ ବାଣ୍ଟିବାର ଦାୟିତ୍ୱ ଓ ଏ ଦିଗରେ ସଚେତନତା ଆଣିବା କାର୍ଯ୍ୟ ସରକାରଙ୍କର।
ଡିଜିଟାଲ ପ୍ରଯୁକ୍ତି କୌଶଳର ପ୍ରୟୋଗ ଦ୍ୱାରା ପ୍ରଶାସନିକ ବ୍ୟବସ୍ଥାରେ ଅବ୍ୟାହତ ଅନେକ ଦୋଷଦୁର୍ବଳତାର ପରିସମାପ୍ତି କରାଯିବା ସମ୍ଭବ। ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ଦେୟ ପ୍ରଦାନ, ଆବେଦନ, ସଂରକ୍ଷଣ ଆଦି କାର୍ଯ୍ୟ ଏବେ କାର୍ଯ୍ୟାଳୟଗୁଡ଼ିକରେ ଭିଡ଼କୁ ସମାପ୍ତ କରିଛି। ବ୍ୟାଙ୍କ ସାମ୍ନାରେ ଲୋକଙ୍କର ଧାଡ଼ି ନାହିଁ। ସରକାରୀ ଦପ୍ତରଗୁଡ଼ିକରେ କର୍ମଚାରୀମାନଙ୍କ ଉପସ୍ଥିତିକୁ ଶୃଙ୍ଖଳିତ କରିବା ପାଇଁ ବାୟୋମେଟ୍ରିକ୍‌ ପ୍ରବେଶ ବ୍ୟବସ୍ଥା ବଳବତ୍ତର ହୋଇଛି। ଏହାଫଳରେ ଅନଧିକୃତ ଅନୁପସ୍ଥିତି, ଜଣକ ବଦଳରେ ଅନ୍ୟ ଜଣେ କାମ କରିବା ସମ୍ଭାବନା ବର୍ତ୍ତମାନ ସମ୍ଭବପର ହୋଇପାରୁ ନାହିଁ। ଏସବୁ ସୁଫଳ ଡିଜିଟାଲ ଭାରତ ଆଣିପାରିଛି। ଏବେ ସରକାରଙ୍କର ଦାୟିତ୍ୱହେଲା କେବଳ ଡିଜିଟାଲ ସଚେତନତା ଆଣିବା ଓ ଲୋକଙ୍କୁ ନିରନ୍ତର ଯୋଗାଯୋଗ ସୁବିଧା ଯୋଗାଇଦେବା। ଏଥିସହିତ ଲୋକଙ୍କ ଭିତରେ ସୂଚନା ଓ ପ୍ରଯୁକ୍ତି ସାକ୍ଷରତା ବୃଦ୍ଧି କରାଯିବା ଦରକାର।
ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା, ମୋ – ୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri