କଳା ଦେଖାଇଛି ବାଟ

ସଂଗ୍ରାମୀ ଧରଣୀଧରଙ୍କ ତୈଳଚିତ୍ର, ଓଡ଼ିଆରେ ‘ମାଣିକ’ ଚଳଚ୍ଚିତ୍ର ନିର୍ମାଣ କରି ଏକଦା ଚର୍ଚ୍ଚାକୁ ଆସିଥିଲେ ବହୁମୁଖୀ ପ୍ରତିଭାସମ୍ପନ୍ନ କଳାକାର ରଘୁ ପିଲାଇ। ପରିଣତ ବୟସର ନୂଆ ମୋଡ଼ରେ ଆଜି ବି ହାର ନ ମାନି ସେ ରଙ୍ଗ, ତୂଳୀ ଓ କାନ୍‌ଭାସରୁ ଖୋଜିବସନ୍ତି ଜୀବନର ମୋତି ମାଣିକ ।
କେନ୍ଦୁଝର, ୧୧ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ)-କଳା ପାଇଁ କଳା ନା ଜୀବନ ପାଇଁ କଳା। ଏହାର ଅର୍ଥ କେହି ବୁଝନ୍ତୁ ନ ବୁଝନ୍ତୁ ବିଶିଷ୍ଟ ଚିତ୍ରକର ରଘୁ ପିଲାଇ ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ଚିତ୍ର କଳା ତାଙ୍କ ଜୀବନକୁ ଦେଇଛି ନୂଆ ରଙ୍ଗ, ନୂଆ ମୋଡ଼। କଳାକୁ ଜୀବନର ଅଂଶ ଭାବେ ଗ୍ରହଣ କରି ଆଜି ୮୭ ବର୍ଷରେ ପାଦ ରଖିଥିଲେ ବି ସେ ତାଙ୍କ ତୂଳୀର ଯାଦୁ ଦେଖାଇ ସମସ୍ତଙ୍କୁ ସମ୍ମୋହିତ କରିଥାନ୍ତି । କେବଳ ଜଣେ କଳାକାର ଭାବେ ନୁହେଁ, ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରି କଳା ଓ ବିଜ୍ଞାନ ଜଗତରେ ସେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ହେଲେ ତାଙ୍କୁ ମିଳିନି ମାନ୍ୟତା କି ସହାୟତା।
ରଘୁ ପିଲାଇଙ୍କ ଜନ୍ମ କେରଳରେ। ଓଡ଼ିଶା ମାଟିର ବାସ୍ନାରେ ବିମୋହିତ ହୋଇ ୧୯୫୭ରେ ସେ କେନ୍ଦୁଝରକୁ ଚାଲିଆସି ଏଠାକାର ମାଇନିଂ ରୋଡରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ଦୁଇ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ପରଲୋକ ଘଟିଛି। ତାଙ୍କର ଦୁଇ ଝିଅଙ୍କୁ ସେ ବିବାହ କରାଇ ଦେଇଛନ୍ତି। ଏବେ ପରିଣତ ବୟସରେ ସେ ଘରେ ଏକାକୀ ରହୁଛନ୍ତି। ସମ୍ପ୍ରତି ଡିମ୍ବୋଠାରେ ଚାଲିଥିବା ଓଡ଼ିଶା ଗ୍ରାମ୍ୟ ମେଳାରେ ତାଙ୍କ କଳାକୃତି ଦେଖଣାହାରିଙ୍କ ଲାଗି ଆକର୍ଷଣ ପାଲଟିଛି।
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ପ୍ରଥମ ତୈଳଚିତ୍ର ଅଙ୍କନ କରି ପୂର୍ବରୁ ରଘୁ ଚର୍ଚ୍ଚାକୁ ଆସିଥିଲେ। ଥରେ କେନ୍ଦୁଝର ରାଜା ଉଆସରେ ସେ ଧରଣୀଧରଙ୍କ ଫଟୋ ଦେଖିଥିଲେ। କିଶୋର ମହାନ୍ତ ନାମକ ଜଣେ ଲେଖକ ସେତେବେଳେ ଧରଣୀଧରଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖିଥିଲେ। ତାଙ୍କ ଦ୍ୱାରା ରଘୁ ପ୍ରଭାବିତ ହୋଇ ଧରଣୀଧରଙ୍କ ତ୍ରେଳଚିତ୍ର ଅଙ୍କନ କରିବାକୁ ମନ ସ୍ଥିର କରିଥିଲେ। ପୁନଶ୍ଚ ସେ ରାଜବାଟୀକୁ ଯାଇଥିଲେ ମଧ୍ୟ ତାଙ୍କୁ ଧରଣୀଧରଙ୍କ ଫଟୋ ଦେଖିବା ସୁଯୋଗ ମିଳି ନ ଥିଲା। ଥରେଟିଏ ଦେଖିଥିବା ଫଟୋକୁ ସେ ତାଙ୍କ କଳ୍ପନାରେ ସଜାଇ ଏହାକୁ ରଙ୍ଗ ଓ ତୂଳୀରେ ରୂପ ଦେଇଥିଲେ। ବର୍ତ୍ତମାନ ସେହି ଛବି ସବୁଠି ଧରଣୀଧରଙ୍କ ଫଟୋ ଭାବରେ ବ୍ୟବହୃତ ହେଉଛି।
ଜଣେ କଳାମନସ୍କ ପ୍ରତିଭା ଭାବେ ରଘୁ କଳାର ବିକାଶ ଲାଗି ଜୀବନ ବ୍ୟାପୀ ଏଭଳି ବହୁ ସାଧନା ଓ ସଂଘର୍ଷ କରି ଆସିଛନ୍ତି। ପିଲାଦିନର କଥା ମନେ ପକାଇ ସେ କହନ୍ତି, ତାଙ୍କୁ ପ୍ରଥମେ ଚେନ୍ନାଇରେ ଫିଲ୍ପ ଆର୍ଟ କାମ କରିବାକୁ ସୁଯୋଗ ମିଳିଥିଲା। ଅର୍ଥାଭାବ ଯୋଗୁ ପରେ ସେହି କାମ ଛାଡି ଦେଇଥିଲେ। ଓଡ଼ିଶା ଆସିବା ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟର ଚାଇବାସାର ଏକ ଷ୍ଟୁଡିଓରେ କିଛିଦିନ ଚିତ୍ର ଅଙ୍କନ କରିଥିଲେ। ଗାଡି ମରାମତି କରିବାକୁ ସେଠାକୁ ଯାଇଥିବା ତତ୍‌କାଳୀନ କେନ୍ଦୁଝର ପୂର୍ତ୍ତ ବିଭାଗ ଏସଡିଓ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ତାଙ୍କ ଚିତ୍ରକଳାକୁ ଦେଖି ମୁଗ୍ଧ ହୋଇ ତାଙ୍କୁ କେନ୍ଦୁଝର ଡାକି ଆଣିଥିଲେ। ରଘୁ ଏଠାରେ ରହି ଠିକାଦାର କାମ କରି ବେଶ୍‌ ଦୁଇ ପଇସା ରୋଜଗାର କରିବା ସାଙ୍ଗକୁ ଆର୍ଟ କାମ ଆରମ୍ଭ କରିଥିଲେ। ରୋଜଗାର ବଢିବାରୁ ସେ ‘ରୂପ ଇଣ୍ଟରନ୍ୟାଶନାଲ’ ନାମକ ସଂସ୍ଥା କରି ବିଜୟ ମହାନ୍ତି ଓ ହିରୋଇନ ତନ୍ଦ୍ରା ରାୟ ଅଭିନୀତ ମାଣିକ (୧୯୮୦) ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହା ସେତେବେଳେ ଓଡ଼ିଶାରେ ଚହଳ ପକାଇଥିଲା। କିନ୍ତୁ ଋଣ ଭାର ବଢ଼ିବାରୁ ସେ ପରେ ଏହି ସଂସ୍ଥାକୁ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିଦେଇଥିଲେ।
ପରିଣତ ବୟସରେ ରଘୁ ବାବୁ ଏବେ ଘରେ ବସି ନିତିଦିନ ଆର୍ଟ ଅଙ୍କନ କରୁଛନ୍ତି। ଏହି ଚିତ୍ରକଳା ତାଙ୍କୁ ଜିଇବାକୁ ଦେଇଛି ପ୍ରେରଣା। ବିଭିନ୍ନ ପ୍ରକାରର ଫାଇନ ଆର୍ଟ ସମେତ ତୈଳଚିତ୍ର ଓ ଭାରତୀୟ କଳାସଂସ୍କୃତିକୁ ନେଇ ବିଭିନ୍ନ ଚିତ୍ର ଆଙ୍କିଥାନ୍ତି। ଆଜିକାଲି ରଙ୍ଗ, କନାର ଦାମ ଅଧିକ ହୋଇଥିଲେ ମଧ୍ୟ ଏଥିରୁ ଉଚିତ ପାରିଶ୍ରମିକ ମିଳୁ ନାହିଁ । ଏଥିଲାଗି ଠିକା କାମ କରିବାକୁ ସେ ବାଧ୍ୟ ହେଉଛନ୍ତି। ଚିତ୍ରକଳା ସହିତ ବିଜ୍ଞାନ କ୍ଷେତ୍ରରେ ନିଜର ଉପଲବ୍ଧିକୁ ସାକାର ରୂପ ଦେବାକୁ ରଘୁଙ୍କ ଉଦ୍ୟମ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ୧୯୭୪ରେ ପାଣି ଦ୍ୱାରା ସେ ଗାଡି ଷ୍ଟାର୍ଟ କରି ଏକ ନୂତନ କୌଶଳ ଆବିଷ୍କାର କରିଥିଲେ । ପ୍ରୋତ୍ସାହନ ଓ ସହାୟତା ନ ମିଳିବାରୁ ସେହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଛି । ସେତେବେଳେ ସେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ା ତାଙ୍କୁ ଡାକରା ଆସିଥିଲା । ହେଲେ ପ୍ୟାଟେଣ୍ଟ ଅଧିକାର ପାଇବା ସକାଶେ ୭ ରୁ ୮ ଲକ୍ଷ ଟଙ୍କା ଆବଶ୍ୟକ ପଡିବାରୁ ସେ ପଛଘୁଞ୍ଚା ଦେଇଥିଲେ। ସେହିପରି ଦୀର୍ଘ ୩୨ ବର୍ଷ ପରିଶ୍ରମ କରି ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବିଦ୍ୟୁତ୍‌ ଉପତ୍ାଦନ କୌଶଳ ସେ ବାହାର କରିଥିବା ସେ ଦାବି କରିଛନ୍ତି। ଅର୍ଥାଭାବରୁ ଏହି ପ୍ରକଳ୍ପ ଅଧାରୁ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri