ନ୍ୟୁୟର୍କ, ୩ା୯- ଗତଥରର ମହିଳା ସିଙ୍ଗଲ୍ସ ଚାମ୍ପିୟନ ଜାପାନର ନାଓମି ଓସାକା ୟୁଏସ ଓପନ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୋମବାର ଅନୁଷ୍ଠିତ ଏକ ପ୍ରି-କ୍ୱାର୍ଟରଫାଇନାଲ ମ୍ୟାଚରେ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍ସିକ୍ ତାଙ୍କୁ ୭-୫, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ପରାଜୟ ଦ୍ୱାରାା ଓସାକା ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ହରାଇବେ। ଫ୍ରେଞ୍ଚ ଓପନ ଚାମ୍ପିୟନ ଆଶଲେ ବାର୍ଟି ପୁଣି ଶୀର୍ଷସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ। ୨୨ବର୍ଷୀୟା ବେନ୍ସିକ ଏଠାରେ ତାଙ୍କର ଦ୍ୱିତୀୟ କ୍ୱାର୍ଟରଫାଇନାଲ ଖେଳିବେ। ଏହାପୂର୍ବରୁ ସେ ୨୦୧୪ରେ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇ ପାରିଥିଲେ। ବର୍ତ୍ତମାନ ସେ କ୍ରୋଏସିଆର ଡୋନା ଭେକିକ୍ଙ୍କୁ ଭେଟିବେ। ୨୩ ତମ ସିଡ୍ ଡୋନା ଚତୁର୍ଥ ରାଉଣ୍ଡରେ ୨୬ତମ ସିଡ୍ ଜର୍ମାନୀର ଜୁଲିଆ ଜର୍ଜେସଙ୍କୁ ୬-୭ (୫-୭) ୭-୫, ୬-୩ ସେଟରେ ହରାଇ ଦେଇଛନ୍ତି। ଡୋନା ପ୍ରଥମଥର ଏକ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟରେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।


