Posted inଫୁରସତ

ଓଳଗ ଗାଁର ନିଆରା ପାର୍ବଣ

କାଶତଣ୍ଡୀ ଫୁଲର ପସରା ମେଲେଇ ଗାଁକୁ ଆସେ ପାର୍ବଣ। ଗାଁର ଆବାଳ ବୃଦ୍ଧ ବନିତା ମସ୍‌ଗୁଲ ହୋଇଯାନ୍ତି ଏଥିରେ। ବିଲ୍ବବରଣରୁ ଦଶହରା ପର୍ଯ୍ୟନ୍ତ ସମସ୍ତେ ନିଜକୁ ଆଧ୍ୟାତ୍ମିକତାରେ ହଜେଇ ଦିଅନ୍ତି। ପାର୍ବଣର ଏହି ପରମ୍ପରାକୁ ପୁରୁଷ ପୁରୁଷ ଧରି ବଜାୟ ରଖି ଆସୁଥିବା ଏ ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଗାଁ। ଏଠାରେ ଯେଉଁ ପାରମ୍ପରିକ ନିଆରା ଦୁର୍ଗାପୂଜା ସଂଗଠିତ ହୁଏ ତାହା ସାରା ଓଡ଼ିଶାରେ ବିରଳ ।

ପାର୍ବଣର ପରମ୍ପରା: ଓଳଗ ଗାଁରେ ବାସ କରୁଥିବା କ୍ଷତ୍ରିୟ ବଂଶର ୨ ଗୋଷ୍ଠୀ ବଡ଼ଓଳଗ ଓ ସାନଓଳଗ ଭାବେ ପରିଚିତ। ପ୍ରତିବର୍ଷ ଏହି ଦୁଇ ଗୋଷ୍ଠୀ ତରଫରୁ ସ୍ବତନ୍ତ୍ର ଶୈଳୀରେ ଦୁର୍ଗାପୂଜା ପାଳିତ ହୋଇଥାଏ। ବଡ଼ଓଳଗ/ବଡ଼ଭାଇ ଗୋଷ୍ଠୀର ମହାପାତ୍ର ବଂଶଜମାନେ ଏକ ପିତଳ କଳସରେ ସ୍ବର୍ଣ୍ଣ/ରୌପ୍ୟର ଚକ୍ଷୁ, ନାସିକା, କର୍ଣ୍ଣ, ଅଧର ଆଦି ରୋପଣ କରିବା ପରେ ତାକୁ ମଣ୍ଡପରେ ସ୍ଥାପନ କରି ମା’ଙ୍କୁ ଆରାଧନା କରିଥାନ୍ତି। ସେହିପରି ସାନଓଳଗ/ସାନଭାଇ ଗୋଷ୍ଠୀର ସୁନ୍ଦରରାୟ ବଂଶଜମାନେ ମହଣ ପତ୍ରକୁ ଦେବୀଦୁର୍ଗା ଭାବେ ପୂଜା କରିଥାନ୍ତି। ପୂର୍ବେ ଏହି ପତ୍ରରେ ସେମାନେ ସ୍ବର୍ଣ୍ଣ/ରୌପ୍ୟରେ ନିର୍ମିତ ଚକ୍ଷୁ, ଅଧର, ନାସିକା କର୍ଣ୍ଣ ଆଦି ରୋପଣ କରି ପୂଜାର୍ଚ୍ଚନା କରୁଥିଲେ ା ହେଲେ ଗତ ୩ ବର୍ଷ ହେବ ସେମାନେ ମା’ଙ୍କର ମୁଖମଣ୍ଡଳ ସହ ଶରୀରର ଏକ ଖୋଳପାକୁ ମହଣ ପତ୍ର ଉପରେ ରଖି ପୂଜା କରୁଛନ୍ତି।

ବିଧିପୂର୍ବକ ପୂଜାର୍ଚ୍ଚନା: ପବିତ୍ର ଷଷ୍ଠୀ ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀରେ ମା’ ଦୁର୍ଗାଙ୍କୁ ଆବାହନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ୨ ଗୋଷ୍ଠୀର ଜଣେ ଜଣେ ବ୍ୟକ୍ତି ପ୍ରଥମେ ପୁଣ୍ୟତୋୟା ବୈତରଣୀରେ ଘଟ ଉତ୍ତୋଳନ କରିଥାନ୍ତି। ତା’ପରେ ଢୋଲ, ମହୁରି, ଅନ୍ୟାନ୍ୟ ବାଦ୍ୟଯନ୍ତ୍ରର ତାଳେ ତାଳେ ପୂଜା ମଣ୍ଡପରେ ପବିତ୍ର ଘଟକୁ ସ୍ଥାପନ କରି ମା’ଙ୍କ ପୂଜା କର୍ମ ଆରମ୍ଭ ହୁଏ। ଏହି ସମୟରେ ବିଧିପୂର୍ବକ କ୍ଷତ୍ରିୟ ବଂଶର ଦାୟାଦମାନେ ନିଜ ନିଜ ଘରେ ଥିବା ବାଡ଼ି, ଖଣ୍ଡା, ଧନୁ, ଶର, ତେଣ୍ଟା ଆଦି ହାତହତିଆରକୁ ପୂଜା ମଣ୍ଡପରେ ଅବସ୍ଥାପନ କରିଥାନ୍ତି।
ମହାଷ୍ଟମୀ, ନବମୀରେ ମା’ଙ୍କର ନିଆରା ପୂଜା: ପବିତ୍ର ମହାଷ୍ଟମୀରେ ପୂଜା ମଣ୍ଡପରେ ସକାଳଠାରୁ ରାତ୍ରିର ଅନ୍ତିମ ପ୍ରହର ଯାଏ ଚଣ୍ଡୀପାଠ ସହ ଘୃତାହୁତି ପ୍ରଦାନ କରାଯାଏ। ଗ୍ରାମର ସମସ୍ତ ପରିବାରର ସଦସ୍ୟ ଉପବାସ କରିଥାନ୍ତି। ନିଜ ଗାଁ ବ୍ୟତୀତ ଆଖପାଖ ଗାଁରୁ ଆସିଥିବା ଭୋଗ ସାମଗ୍ରୀକୁ ମା’ଙ୍କୁ ଅର୍ପଣ କରାଯାଏ। ଏହିଦିନ ବଳି ସ୍ବରୂପ ମା’ଙ୍କୁ କୁଷ୍ମାଣ୍ଡ ବି ଅର୍ପଣ କରାଯାଏ। ପୂଜା ଶେଷରେ ପରିବାରର ସମସ୍ତ ବ୍ୟକ୍ତି ମା’ଙ୍କ ଚରଣାମୃତ ପାନ କରି ବ୍ରତ ଭାଙ୍ଗିଥାନ୍ତି। ସେହିପରି ମହାନବମୀରେ ଦିବାରାତ୍ର ଚଣ୍ଡୀପାଠ ସହ ପୂଜା ମଣ୍ଡପରେ ହୋମଯଜ୍ଞର ଆୟୋଜନ କରାଯାଇଥାଏ ା

ଦଶହରାରେ ମା’ଙ୍କୁ ବିଦାୟ: ଦଶହରା ଦିନ ଏକ ବିରାଟ ପଟୁଆରରେ ମା’ ଦୁର୍ଗତିନାଶିନୀଙ୍କୁ ଶୋଭାଯାତ୍ରାରେ ନିଆଯାଏ। ଉଭୟ ଗାଁର ପିଲାଠୁ ବୃଦ୍ଧ ସମସ୍ତେ ଢୋଲମହୁରିର ତାଳେ ତାଳେ ଖଣ୍ଡା ଓ ବାଡି ଖେଳରେ ମସଗୁଲ ହୋଇଯାନ୍ତି। ଏହି ପାରମ୍ପରିକ ଖଣ୍ଡା ଓ ବାଡି ଖେଳକୁ ଦେଖିବା ପାଇଁ ଆଖପାଖ ଗାଁର ଲୋକମାନେ ରୁଣ୍ଡ ହୁଅନ୍ତି। ଏହାପରେ ପ୍ରତି ଘରେ ଘରେ ଭୋଜିଭାତର ଆୟୋଜନ ହୁଏ। ସାତ ତିଅଣ ନ’ ଭଜାରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଏ ା

ଲାଖବିନ୍ଧା ପରମ୍ପରା: ମା’ଙ୍କୁ ବିଦାୟ ଦେଲାପରେ ସାନଓଳଗ ସୁନ୍ଦରରାୟ ବଂଶର ଜଣେ ବ୍ୟକ୍ତି ପାଲିଙ୍କିରେ ବିଦ୍ୟମାନ ହୋଇ ବିଭିନ୍ନ ବାଦ୍ୟର ତାଳେ ତାଳେ ବଡ଼ଓଳଗର ମହାପାତ୍ର ବଂଶଜଙ୍କ ନିକଟକୁ ଆଗମନ କରିଥାନ୍ତି ଓ ଦଶହରା ପଡିଆରେ ଉପନୀତ ହେବାପାଇଁ ନିମନ୍ତ୍ରଣ କରି ଫେରିଆସନ୍ତି। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥାଏ। ଏହାପରେ ଉଭୟ ଗୋଷ୍ଠୀର ଶତାଧିକ ବ୍ୟକ୍ତି ବୀର ବେଶରେ ସଜ୍ଜିତ ହୋଇ ହାତରେ ଧନୁଶର ଧରି ଗାଁଠୁ କିଛି ଦୂରରେ ଥିବା ଦଶହରା ପଡିଆକୁ ଯାତ୍ରା କରନ୍ତି। ସେଠାରେ ବନ୍ଧୁତ୍ୱପୂର୍ଣ୍ଣ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୁଏ। ନିୟମାନୁସାରେ, ୧୦୦ ମିଟର ବ୍ୟବଧାନରେ ପୋତାଯାଇଥିବା ଏକ କଦଳୀ ଗଛକୁ ଲକ୍ଷ୍ୟ କରି ଉଭୟ ଗୋଷ୍ଠୀର ବୀରମାନେ ତୀର ମାରନ୍ତି। ଯେଉଁ ଗୋଷ୍ଠୀର ବ୍ୟକ୍ତି କଦଳୀ ବୃକ୍ଷରେ ପ୍ରଥମେ ତୀର ବଜାନ୍ତି, ସେହି ଗୋଷ୍ଠୀର ବ୍ୟକ୍ତିମାନେ ମା’ଦୁର୍ଗାଙ୍କ ସମ୍ପତ୍ତି ଉପରେ ୧ ବର୍ଷ ପର୍ଯ୍ୟନ୍ତ ମାଲିକାନା ଜାହିର କରିଥାନ୍ତି। ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଦଶହରା ପଡିଆରେ ରୁଣ୍ଡ ହୋଇଥାନ୍ତି ା
ରାବଣ ପୋଡ଼ି: ଲାଖବିନ୍ଧା ପର୍ବର ପରିସମାପ୍ତି ପରେ ସନ୍ଧ୍ୟାରେ ଗାଁ ନିକଟସ୍ଥ ମଠଡିହଠାରେ ରାବଣ ପୋଡିର ଆୟୋଜନ ହୋଇଥାଏ। ନିୟମାନୁଯାୟୀ, ସ୍ଥାନୀୟ ସରପଞ୍ଚ ରାବଣ ଦେହରେ ଅଗ୍ନି ସଂଯୋଗ କରିଥାନ୍ତି। ଆତସବାଜିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଯାଏ। ରାବଣ ପୋଡିକୁ ଦେଖିବା ପାଇଁ ଆଖପାଖ ୧୦ଟି ପଞ୍ଚାୟତ ଓ ପଡୋଶୀ ଯାଜପୁର ଜିଲାର ୨ଟି ପଞ୍ଚାୟତର ଲୋକେ ରୁଣ୍ଡ ହୋଇଥାନ୍ତି ା

ଭାଇଚାରା ରଖିବାକୁ ଉଦ୍ୟମ: ଷଷ୍ଠୀଠାରୁ ନବମୀ ପର୍ଯ୍ୟନ୍ତ ଉଭୟ ଗୋଷ୍ଠୀ ତରଫରୁ ଭାଇଚାରା ରଖିବାକୁ ଉଦ୍ୟମ କରାଯାଏ। ଯେଉଁଥିପାଇଁ ଗ୍ରାମରେ ଥିବା କ୍ଷତ୍ରିୟଙ୍କ ବ୍ୟତୀତ ଅନ୍ୟ ସଂପ୍ରଦାୟର ଲୋକେ ବି ଆଖପାଖ ଗାଁର ବ୍ୟକ୍ତିଙ୍କୁ ସନ୍ଧ୍ୟାରେ ନିଜ ନିଜ ଘରକୁ ଆମନ୍ତ୍ରିତ କରିଥାନ୍ତି। ଏହି ୪ ଦିନ ଘରେ ଘରେ ହୁଏ ପିଠାପଣାର ସମ୍ଭାର। ପୁରି, ଖିରି, ଘିଅପିଠା, ରସାବଳୀ, ପାନତୁଆ, ଲେଡିକିନ, ଜିଲାପି ଆଦି ମିଠା ସହ ବିଭିନ୍ନ ଫଳମୂଳ ଆମନ୍ତ୍ରିତ ଅତିଥିଙ୍କୁ ପରସା ଯାଇଥାଏ। ଏହା ଭାଇଚାରା ରକ୍ଷା କରିବାର ଶ୍ରେଷ୍ଠ ମାଧ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହୁଏ ା
-ଦିପ୍ତୀ ରଞ୍ଜନ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri