Posted inଖେଳ

ଆଇସିସି ବିଶ୍ୱକପ୍‌: ଭାରତ ସେମିର ନିକଟତର

ମାଞ୍ଚେଷ୍ଟର,୨୮।୬(ପି.ଟି.) – ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ସେମିଫାଇନାଲର ନିକଟତର ହୋଇଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଦମ୍‌ଦାର ବୋଲିଂ କରି ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବୃହତ୍‌ ବିଜୟ ହାସଲ କରିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଭାରତ ସେମିଫାଇନାଲରେ ପ୍ରବେଶ କରିବ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୮ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୩୪.୨ ଓଭରରେ ୧୪୩ ରନକରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଛି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ଭାରତ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡକୁ ହଟାଇ ଉନ୍ନତ ନେଟ୍‌ ରନ୍‌ରେଟ୍‌ରେ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠି ସେମିଆଶାକୁ ଆହୁରି ଦୃଢୀଭୂତ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୭ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ତାଲିକାରେ ପୂର୍ବପରି ଅଷ୍ଟମ ସ୍ଥାନରେ ରହିଛି। ରବିବାର ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ବର୍ମିଂହାମ୍‌ରେ ଭେଟିବ। ୭୨ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିବା କୋହଲିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
୨୬୯ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୧୬ ରନରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ୫ ରନକରି ମହମ୍ମଦ ସାମିଙ୍କ ଦ୍ୱାର ଆଉଟ ହୋଇଥିଲେ। ଏହାପରେ ତୃତୀୟ ଉଇକେଟରେ ସୁନୀଲ ଅମ୍ବ୍ରିସ୍‌ ଓ ନିକୋଲାସ ପୁରାନ ୫୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୩୧ ରନ କରିଥିବା ବେଳେ ଅମ୍ବ୍ରିସ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଉଇକେଟ ଝଡିଥିଲା। ତାସ୍‌ଘର ପରି ଓ୍ବେଷ୍ଟଇଣ୍ଡିଜ ଇନିଂସ ଭୁଶୁଡି ପଡିଥିଲା। ପୁରାନ ୨୮ ରନକରି ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ଦ୍ୱାର ଆଉଟ ହୋଇଥିଲେ। ଶିମରନ ହେଟ୍‌ମେୟର ୧୮ ରନ କରିଥିବା ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଅଧିନାୟକ ଜାସନ ହୋଲ୍ଡର ୬, କାର୍ଲୋସ ବ୍ରାଥଓ୍ବେଟ ୧, ଶେଲଡନ କଟ୍ରେଲ ୧୦ ରନ କରି ଆଉଟ ହୋଇଥିଲେ। ଫାବିଆନ ଆଲେନ ଓ ଓଶେନ ଥୋମାସ ଖାତା ଖୋଲିପାରି ନ ଥିଲେ। କେମର ରୋଚ୍‌ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୪, ବୁମ୍‌ରା ୨ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏ, ପାଣ୍ଡ୍ୟା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦେଖିଚାହିଁ ଆରମ୍ଭ କରିଥିଲା। ଇନ୍‌ଫର୍ମ ତାରକା ଓପନର ରୋହିତ ଶର୍ମା ୨୩ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୧୮ ରନ କରିଥିବା ବେଳେ ଦ୍ରୁତ ବୋଲର କେମର ରୋଚ୍‌ଙ୍କ ବଲ୍‌ରେ ଉଇକେଟ କିପର ସାଇ ହୋପ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ଫିଲ୍ଡ ଅମ୍ପାୟର ଆଉଟ୍‌ ଘୋଷିତ କରି ନ ଥିଲେ। ତେବେ ଡିଆରଏସ୍‌ରେ ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ ଘୋଷିତ କରିଥିଲେ। କିନ୍ତ ଟିଭି ରିପ୍ଲେରେ ବଲ୍‌ ବ୍ୟାଟ୍‌ରେ ବାଜିଥିବା ସ୍ପଷ୍ଟଭାବେ ଜଣାପଡୁ ନ ଥିଲା। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ୬୯ ରନ ସଂଗ୍ରହ କରିଥିଲେ। ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୬୪ ବଲରୁ ୬ ଚୌକା ସହ ୪୮ ରନ କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ୨ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ପୁଣି ବିଫଳ ହୋଇଥିଲେ। ୧୯ ବଲରୁ ୩ ଚୌକା ସହ ୧୪ ରନ କରିଥିବା ବେଳେ ରୋଚ୍‌ଙ୍କ ବଲ୍‌ରେ ହୋପ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସୁଯୋଗ ମିଳିବା ସତ୍ତ୍ୱେ ଶଙ୍କର ୪ ନମ୍ବରରେ ଏହାର ସଦ୍‌ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ମିଡଲ ଅର୍ଡର ପୁଣିଥରେ ସାଂଘାତିକ ଭାବେ ବିଫଳ ହୋଇଥିଲା। ଶଙ୍କରଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ ମଧ୍ୟ ବିଫଳ ହୋଇଥିଲେ। ଗୋଟିଏ ସ୍ଥାନ ଉପରକୁ ଆସି କେଦାର ମାତ୍ର ୭ ରନ କରିଥିବା ବେଳେ ରୋଚ୍‌ଙ୍କ ଅଫ୍‌ ଷ୍ଟମ୍ପ ବାହାରର ବଲ୍‌ ଖେଳିବାକୁ ଯାଇଥିଲେ। ବଲ ବ୍ୟାଟର ଏଜ୍‌ ନେଇଥିଲା ଓ ହୋପ୍‌ କ୍ୟାଚ୍‌ ଧରିଥିଲେ। ଏହାପରେ ପାଳି ପଡିଥିଲା ଅଧିନାୟକ ବିରାଟ କୋହଲିଙ୍କର। ସେ ୮୨ଟି ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ସହ ୭୨ ରନ କରିଥିବା ବେଳେ ହୋଲ୍ଡରଙ୍କ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମିଡ ଉଇକେଟରେ ବଦଳ ଖେଳାଳି ଡ୍ବେନ ବ୍ରାଭୋଙ୍କ ହାତରେ ଧରାପଡିଥିଲେ। ବଲ୍‌ ଆଶାନୁରୂପ ବାଉନ୍ସ କରି ନ ଥିଲା ଓ ସେ ଜଲ୍‌ଦି ଖେଳିଥିଲେ ଫଳରେ ବଲ ବ୍ୟାଟ୍‌ର ଠିକ୍‌ ସଂଯୋଗ ହୋଇ ନ ଥିଲା। ୪ଟି ମ୍ୟାଚ୍‌ରୁ କୋହଲି କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପୁଣି ଥରେ ଏହାକୁ ଶତକରେ ପରିଣତ କରିପାରି ନ ଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ସହ କୋହଲି ପଞ୍ଚମ ଉଇକେଟରେ ୪୦ ରନ ସଂଗ୍ରହ କରିଥିଲେ। ମନ୍ଥର ବ୍ୟାଟିଂ ଯୋଗୁ ବେଶ୍‌ ସମାଲୋଚିତ ହୋଇଥିବା ଧୋନୀ ଏହାକୁ ଦୋହରାଇଥିଲେ। ଧୋନୀ ଷ୍ଟ୍ରାଇକ ରୋଟେଟ କରିବାରେ ବିଫଳ ହୋଇଥିଲେ। ତାଙ୍କ ଇନିଂସରେ ଡଟ୍‌ ବଲ୍‌ ସଂଖ୍ୟା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୫୨ଟି ଡଟ୍‌ ବଲ୍‌ ଦେଇଥିଲା। ଏହି ମ୍ୟାଚ୍‌ରେ ଭାରତ ୧୬୩ଟି ଡଟ୍‌ ବଲ୍‌ ଦେଇଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହେବା ପୂର୍ବରୁ ୩୮ ବଲରୁ ୫ ଚୌକା ସହ ୪୬ ରନ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ପାଣ୍ଡ୍ୟା ଶେଲଡନ କୋଟ୍ରେଲଙ୍କ ବଲକୁ ଘୂରାଇ ମାରିବାକୁ ପ୍ରୟାସ କରିଥିଲେ ମଧ୍ୟ ଡିପ୍‌ କଭରରେ ଫାବିଏନ ଆଲେନ ହାତରେ ଧରା ପଡିଥିଲେ। ମହମ୍ମଦ ସାମି ଖାତା ଖୋଲିବା ପୂର୍ବରୁ କୋଟ୍ରେଲଙ୍କ ବଲ୍‌ରେ ହୋପ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ଷଷ୍ଠ ଉଇକେଟରେ ଧୋନୀ ଓ ପାଣ୍ଡ୍ୟା ୬୦ ବଲରୁ ୭୦ ରନ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ଧୋନୀ ୨ଟି ଛକା ଓ ଗୋଟିଏ ଚୌକା ମାରି ୧୬ ରନ ସଂଗ୍ରହ କରିଥିଲେ। ଧୋନୀ ୬୧ଟି ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହ ୫୬ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। କୁଲଦୀପ ଖାତା ଖୋଲି ନ ପାରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ରୋଚ୍‌ ୩, କୋଟ୍ରେଲ ଓ ହୋଲ୍ଡର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

ମୋତେ ଆଉ ଝିଅ ମିଳିବେ ତ… ବର୍ଷାଙ୍କୁ ହାତ ଯୋଡି ଏମିତି କହିଦେଲେ ଗୁଲୁଆ

ଭୁବନେଶ୍ୱର,୩୦।୧୨: ଓଡ଼ିଆ କମେଡିଆନ ଗୁଲୁଆ ଏବଂ ତାଙ୍କ ସ୍ତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ପଦାରେ ପଡ଼ିଛି। ଗୁଲୁଆଙ୍କର ଏକାଧିକ ଝିଅଙ୍କ ସହ ସମ୍ପର୍କ ଥିବା ଅଭିଯୋଗ...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri