Posted inଫୁରସତ

ଅନନ୍ୟା ନନ୍ଦିନୀ: ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀ; ଆଗାମୀ ପିଢ଼ି ପାଇଁ ଆଦର୍ଶ

ଜନ୍ମ ଆଉ ମରଣ ଭିତରେ ଥିବା ବ୍ୟବଧାନକୁ ଯଦି ଜୀବନ କୁହାଯାଏ, ତେବେ ସବୁ ଜୀବନ ସମାନ ନୁହେଁ। ଆପଣା ପାଇଁ ବଞ୍ଚିରୁହନ୍ତି ସାଧାରଣ ମଣିଷ। ମାତ୍ର ସମାଜ, ଦେଶ ଓ ଜାତି ପାଇଁ ବଞ୍ଚିଥାନ୍ତି ମହାମାନବ। ତାଙ୍କ କର୍ମ ହିଁ ତାଙ୍କର ପରିଚୟ ସୃଷ୍ଟି କରିଥାଏ ଓ ଉତ୍ତର ପିଢି ପାଇଁ ହୋଇଯାଇଥାଏ ଆଦର୍ଶ। ବିଂଶ ଶତାବ୍ଦୀରେ ଯେତେବେଳେ ନାରୀ ଓ ପୁରୁଷ ମଧ୍ୟରେ ଥିବା ଅସମାନତା ଓ ଫରକ ଜଳ ଜଳ ହୋଇ ବାରି ହୋଇଯାଉଥିଲା, ସେତେବେଳେ ରକ୍ଷଣଶୀଳତାର ରଜ୍ଜୁ ସ୍ବତଃ ଅପସରିଯାଇଥିଲା ଜଣେ ଓଡ଼ିଆ ମହିଳାଙ୍କ ହାତରେ ଓ ସେ ପ୍ରମାଣ କରି ଦେଖାଇଦେଇଥିଲେ ଯେ ସବୁ କ୍ଷେତ୍ରରେ ମହିଳାଟିଏ ବି ଶ୍ରେଷ୍ଠତା ହାସଲ କରିପାରେ। ରାଜନୈତିକ ବିଚକ୍ଷଣତା ଓ ପ୍ରଚଣ୍ଡ ସୃଜନଶୀଳତାକୁ ଏକ ସଙ୍ଗେ ପରିପ୍ରକାଶ କରିପାରିଥିବା କତିପୟ ମହୀୟସୀ ମହିଳାଙ୍କ କଥା ଯଦି ସ୍ମରଣ କରାଯାଏ, ତେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ନାମ ହିଁ ପ୍ରଥମେ ମନକୁ ଚାଲିଆସେ।
ନିଜର ସ୍ପଷ୍ଟବାଦିତା ତଥା ନିର୍ଭୀକତା ପାଇଁ ଓଡ଼ିଶାର ଲୌହମାନବୀ ଭାବେ ପରିଚିତା ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୁନ୍‌ ୯ ତାରିଖ ୧୯୩୧ ମସିହା। ତାଙ୍କ ପିତା ଥିଲେ ଓଡ଼ିଆ ସାହିତ୍ୟର ଜଣେ ପ୍ରଥିତଯଶା ସାରଥି ତଥା ପ୍ରତିଷ୍ଠିତ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଓ ଦାଦା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟିର ପ୍ରାଣପ୍ରତିଷ୍ଠାତା। ତେଣୁ ବାଲ୍ୟକାଳରୁ ନନ୍ଦିନୀ ଦେବୀଙ୍କ ଉପରେ ଉଭୟ ରାଜନୀତି ଓ ସାହିତ୍ୟ ପ୍ରଭାବ ବିସ୍ତାର କରିଥିଲା। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ବାଲ୍ୟକାଳରୁ ବାରି ହୋଇପଡ଼ିଥିଲା। ହେଲେ ରାଜନୈତିକ ପ୍ରଭାବ ଅପେକ୍ଷା ସାହିତ୍ୟର ପ୍ରଭାବ ତାଙ୍କ ଉପରେ ବେଶି ଥିଲା। ତାଙ୍କର ଭାବପ୍ରବଣତା ଓ ଗମ୍ଭୀରତା ହିଁ ପ୍ରଥମରୁ ପରିବାରରେ ଧାରଣା ଜନ୍ମାଇଥିଲା ଯେ, ନନ୍ଦିନୀଙ୍କ ଉପରେ ପିତା କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ପ୍ରଭାବ ବେଶି ପଡ଼ିଛି ଓ ଏହାର ପ୍ରମାଣ ହିଁ ମିଳିଥିଲା ସ୍କୁଲ ପଢ଼ାବେଳେ କବିତା ଲେଖିବା ପ୍ରତି ତାଙ୍କ ଦୁର୍ବଳତାରୁ। ପିଲାବେଳରୁ ଶାନ୍ତ, ନମ୍ର ଓ ଭାବୁକ ଥିବା ନନ୍ଦିନୀ ଯେ ଓଡ଼ିଶା ରାଜନୀତିରେ ଦିନେ ମଙ୍ଗୁଆଳ ସାଜିବେ, ଏହା ତାଙ୍କ ପରିବାର ସଦସ୍ୟଙ୍କ ସ୍ବପ୍ନର ବାହାରେ ଥିଲା।

ସାହିତ୍ୟ ସାଧନା ସ୍କୁଲ ପାଠପଢ଼ା ସମୟରୁ ଆରମ୍ଭ ହୋଇଥିଲା ବେଳେ ନନ୍ଦିନୀ ଦେବୀଙ୍କ ରାଜନୀତିର ଖଡ଼ିଛୁଆଁ ଆରମ୍ଭ ହୋଇଥିଲା ରେଭେନ୍‌ଶା କଲେଜରେ ଅଧ୍ୟୟନ ସମୟରେ। ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ରମାଗତ ଫି’ ବୃଦ୍ଧିକୁ ନେଇ ୧୯୫୧ରେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଅନେକ ଗରିବ ପିଲା ଏହି କାରଣରୁ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବା ଘଟଣା ବ୍ୟଥିତ କରିଥିଲା ନନ୍ଦିନୀ ଦେବୀଙ୍କୁ। ଦାଦା ଭଗବତୀ ଚରଣ ପାଣିଗ୍ରାହୀଙ୍କ ବୈପ୍ଳବିକ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପ୍ରଚଳିତ ଶିକ୍ଷାପଦ୍ଧତି ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ ସେ। ଏହି ବିଦ୍ରୋହ ଏତେ ତୀବ୍ରଗତିରେ ବ୍ୟାପି ଯାଇଥିଲା ଯେ, ସମଗ୍ର ଓଡ଼ିଶାର ଛାତ୍ରୀଛାତ୍ରମାନେ ନନ୍ଦିନୀଙ୍କୁ ସମର୍ଥନ କରିଥିଲେ ଓ ବିଦ୍ରୋହ ସଫଳ ହେଲା। ପୋଲିସଠାରୁ ଲାଠିମାଡ଼ ଖାଇବା ସହ ସେ କାରାବରଣ ବି କଲେ। ରେଭେନ୍‌ଶାରୁ ଓଡ଼ିଆରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବା ପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ସେ। ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେବା ପରେ ପରେ ତାଙ୍କ ବ୍ୟକ୍ତିତ୍ୱ ଓ ଅସାଧାରଣ ନେତୃତ୍ୱରେ ମୁଗ୍ଧହୋଇ ତତ୍କାଳୀନ ବରିଷ୍ଠ ନେତାମାନେ ନନ୍ଦିନୀ ଶତପଥୀଙ୍କୁ ଓମେନ୍‌ସ ଫୋରମ୍‌ ଅଫ୍‌ ଇଣ୍ଡିଆର ସଭାପତି ପଦ ପ୍ରଦାନ କରିଥିଲେ। ୧୯୬୨ରେ ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପଦ ଅଳଂକୃତ କରିଥିଲେ। ୧୯୬୮ରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ ସତ, ମାତ୍ର ୧୯୭୨ ଜୁନ୍‌ ୧୪ରେ ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ପଡ଼ିଲା। ପରେ ପରେ କଟକ ବିଧାନସଭା ଆସନରୁ ରେକର୍ଡସଂଖ୍ୟକ ଭୋଟ ବ୍ୟବଧାନରେ ଜିତି ବିଧାନସଭାକୁ ଆସିଥିଲେ। ରାଜନୈତିକ ଜୀବନକାଳ ମଧ୍ୟରେ ସେ କେବେ ବି ନିର୍ବାଚନୀ ପରାଜୟର ସାମ୍‌ନା କରିନାହାନ୍ତି। ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପୂର୍ବରୁ ବିଶିଷ୍ଟ ରାଜନୀତିଜ୍ଞ ଦେବେନ୍ଦ୍ର ଶତପଥୀଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇସାରିଥିଲା।

ସେ କେନ୍ଦ୍ରରେ କିଛିବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଉପମନ୍ତ୍ରୀ ଭାବେ କାର୍ଯ୍ୟକରି ଗାନ୍ଧୀଙ୍କ ଅତି ବିଶ୍ୱସ୍ତ ହୋଇଥିଲେ। ପାକିସ୍ତାନର ବିଭାଜନ ଓ ନୂତନ ବାଂଲାଦେଶ ଗଠନ ସମୟରେ ସେ ଇନ୍ଦିରା ଗାନ୍ଧୀଙ୍କ ପାଖେ ପାଖେ ଥିଲେ। ବାଂଲା ମୁକ୍ତିବାହିନୀକୁ ସହଯୋଗ ଓ ନୂତନ ବାଂଲାଦେଶ ଗଠନରେ ନନ୍ଦିନୀ ଶତପଥୀଙ୍କ ବୀରତ୍ୱପୂର୍ଣ୍ଣ ସହଯୋଗ ପାଇଁ ତାଙ୍କୁ ବାଂଲାଦେଶର ୪୪ ତମ ଜନ୍ମବାର୍ଷିକୀରେ ବାଂଲାବନ୍ଧୁ ମରଣୋତ୍ତର ସମ୍ମାନରେ ଭୂଷିତ କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦେଶରେ ଜାରି ହୋଇଥିଲା ଜରୁରିକାଳୀନ ପରିସ୍ଥିତି ହିଁ ଥିଲା ତାଙ୍କ ପାଇଁ ବିରାଟ ପରୀକ୍ଷା। ଦଳୀୟ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅନେକ ପଦକ୍ଷେପକୁ ସେ ଜରୁରୀ ପରିସ୍ଥିତି ସମୟରେ ବିରୋଧ କରି ଚର୍ଚ୍ଚାରେ ରହିଥିଲେ। ୧୯୭୭ରେ ସେ କଂଗ୍ରେସରୁ ଦୂରେଇ ଯାଇଥିଲେ ହେଁ ୧୯୮୯ରେ କଂଗ୍ରେସ ସଭାପତି ରାଜୀବ ଗାନ୍ଧୀଙ୍କ ଅନୁରୋଧରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୦୦ ମସିହାରେ ସେ ରାଜନୀତିରୁ ଅବସର ନେଲେ।
ନନ୍ଦିନୀଦେବୀ ବିଶ୍ୱାସ କରୁଥିଲେ ଯେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସମକକ୍ଷ। ସେ ଯେଉଁ ସମୟରେ ରାଜନୀତିକୁ ଆସି ରାଜ୍ୟ ତଥା ଜାତୀୟ ସ୍ତରରେ ନିଜକୁ ସୁପ୍ରତିଷ୍ଠିତ କରିପାରିଥିଲେ, ସେତେବେଳେ ମହିଳାଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ବା ଆଜିଭଳି ସୁଯୋଗ ନ ଥିଲା। ତଥାପି ନିଜ ଶକ୍ତି, ସାମର୍ଥ୍ୟ, ମେଧା ଓ ବ୍ୟକ୍ତିତ୍ୱ ବଳରେ ସେ ଓଡ଼ିଶାର ପ୍ରଥମ ଓ ଦେଶର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ କେବଳ କାର୍ଯ୍ୟ ସମ୍ପାଦନ କରିନାହାନ୍ତି, ବରଂ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରିଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜ୍ୟର ପ୍ରତିଟି କ୍ଷେତ୍ରରେ ବିକାଶ ପରିଲକ୍ଷିତ ହୋଇଥିଲା। ମହିଳା ସଶକ୍ତୀକରଣ, କଳା ଓ ସଂସ୍କୃତି, ଶିକ୍ଷା ତଥା ଗ୍ରାମାଞ୍ଚଳ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିଲା। ତାଙ୍କ ଶାସନ କାଳରେ ଭୂସଂସ୍କାର ଆଇନର କାର୍ଯ୍ୟକାରିତା ଏକ ଶ୍ରେଷ୍ଠ ତଥା ଐତିହାସିକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।
ରାଜନୀତି ବାଦ୍‌ ଓଡ଼ିଆ ସାହିତ୍ୟ ପ୍ରତି ଥିଲା ତାଙ୍କର ପ୍ରବଳ ଅନୁରକ୍ତି। କବିତା, ଗଳ୍ପ ଓ ପ୍ରବନ୍ଧ ବ୍ୟତିରେକେ ଅନୁବାଦ ସାହିତ୍ୟ ପ୍ରତି ଥିଲା ତାଙ୍କର ସ୍ବତନ୍ତ୍ର ରୁଚି। ଚର୍ଚ୍ଚିତ ବଙ୍ଗଳା ଲେଖିକା ତସ୍‌ଲିମା ନସ୍‌ରିନଙ୍କ ରଚିତ ‘ଲଜ୍ଜା’ ଓ ପ୍ରସିଦ୍ଧ ପଞ୍ଜାବୀ ଲେଖିକା ଅମୃତା ପ୍ରୀତମ୍‌ଙ୍କ ‘ରସିଦ ଟିକଟ’ର ଓଡ଼ିଆ ରୂପାନ୍ତର ଓଡ଼ିଆ ସାହିତ୍ୟକୁ ତାଙ୍କର ଅବିସ୍ମରଣୀୟ ଦାନ। ଓଡ଼ିଆ ସାହିତ୍ୟକୁ ନିଜର ଅବଦାନ ପାଇଁ ୧୯୯୮ରେ ତାଙ୍କୁ ମିଳିଥିଲା ସାହିତ୍ୟ ଭାରତୀ ସମ୍ମାନ। ‘ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀ’ର ଅନ୍ୟନାମ ନନ୍ଦିନୀ ଶତପଥୀଙ୍କ ଜନ୍ମ ଦିବସକୁ ନନ୍ଦିନୀ ଦିବସ ବା ଜାତୀୟ କନ୍ୟା ଦିବସ ଭାବେ ପାଳନ କରି ଏ ଜାତି ଆଜି ନିଜକୁ ଗୌରବାନ୍ବିତ ମନେକରୁଛି। ତାଙ୍କର ସାହସ, ଧୈର୍ଯ୍ୟ, ନିଷ୍ଠା, ନିର୍ଭୀକତା ଓ ଜନସେବା ଆଗାମୀ ପିଢ଼ି ପାଇଁ ଆଦର୍ଶ ହୋଇ ରହିବ।

ପ୍ରକାଶ ତ୍ରିପାଠୀ

-ମୋ-୯୪୩୭୨୩୨୪୬୩

ଘଟଣାବଳୀ…
୧୯୩୧: ଜନ୍ମ: ଜୁନ୍‌ ୯, ଖ୍ରୀଷ୍ଟିଆନ ସାହି, ଯାଚକ ଲେନ୍‌, ବକ୍ସିବଜାର, କଟକ।
୧୯୪୨: ୧୧ବର୍ଷ ବୟସରେ ‘ଭାରତ ଛାଡ଼ ଆନ୍ଦୋଳନ’ରେ ଯୋଗଦାନ।
୧୯୫୧: ଦରମା ବୃଦ୍ଧି ବିରୋଧରେ ବିଶାଳ ଛାତ୍ର ଆନ୍ଦୋଳନର ନେତୃତ୍ୱ, ପୋଲିସ ଲାଠିମାଡ଼ର ଶିକାର ଓ ଜେଲବରଣ।
୧୯୫୫: ମହିଳା ବନ୍ୟା ରିଲିଫ ସଂଘର ସମ୍ପାଦିକା ନିଯୁକ୍ତ। ଦଳେଇଘାଇ ବିପନ୍ନଙ୍କୁ ରିଲିଫ ବଣ୍ଟନ।
୧୯୫୭: ସାମୟିକ ‘ଧରିତ୍ରୀ’ ପତ୍ରିକା ପ୍ରକାଶନ। (୧୯୭୪ ନଭେମ୍ବର ୨୪ରେ ଏହା ଦୈନିକରେ ରୂପାନ୍ତରିତ)।
୧୯୫୮: ସର୍ବୋଦୟ ଆନ୍ଦୋଳନରେ ଯୋଗଦାନ।
୧୯୬୨: ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ କଂଗ୍ରେସରୁ ରାଜ୍ୟ ସଭାକୁ ନିର୍ବାଚିତ।
୧୯୬୬-୬୮: ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ତଥ୍ୟ ଓ ବେତାର ବିଭାଗର ଉପମନ୍ତ୍ରୀ।
୧୯୬୮ ଓ ୧୯୭୧: ଭାରତର ସାଂସ୍କୃତିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ସୋଭିଏଟ୍‌ ଗସ୍ତ ଓ ଭାରତ-ସୋଭିଏଟ୍‌ ବନ୍ଧୁତ୍ୱର ଭିତ୍ତିସ୍ଥାପନ।
୧୯୭୨: ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ (ଜୁନ୍‌ ୧୪)।
୧୯୭୨: କଟକରୁ ବିଧାୟିକା ଭାବରେ ୫ମ ବିଧାନସଭାକୁ ନିର୍ବାଚିତ।
୧୯୭୨: କଟକରେ ‘ଆକାଶବାଣୀ ଭବନ’ ନିର୍ମାଣ।
୧୯୭୩: ‘କେନ୍ଦୁପତ୍ର ଜାତୀୟକରଣ’ ନିଷ୍ପତ୍ତି।
୧୯୭୪: ‘ଯୌତୁକ ନିରୋଧ ଆଇନ’ ଓ ‘ଓଡ଼ିଶା ଭାଗଚାଷୀ ଆଇନ’ ପ୍ରଣୟନ।
୧୯୮୯ : ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ମଣ୍ଡନ।
୨୦୦୬ : ଅଗଷ୍ଟ ୪ରେ ଇହଲୀଳା ସମ୍ବରଣ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri