ଅଟୋଚାଳକରୁ ୟୁଟ୍ୟୁବ୍‌ ହିରୋ

କେନ୍ଦୁଝର, ୩।୧୨(ସ୍ବ.ପ୍ର.)-ୟୁଟ୍ୟୁବ୍‌ ଏବେ ଅନେକ ପ୍ରତିଭାଙ୍କ ପାଇଁ ବରଦାନ ପାଲଟି ଯାଇଛି। ଏଥିଯୋଗୁ ବହୁ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି, ଆଉ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମିଳୁଛି ସ୍ବତନ୍ତ୍ର ପରିଚୟ । ଏହିଭଳି ଜଣେ ୟୁଟ୍ୟୁବ୍‌ କଳାକାର ହେଉଛନ୍ତି କେନ୍ଦୁଝର ସହର ନିହାଲସିଂସାହିର ପରେଶ ପାତ୍ର। ତେବେ କମ୍‌ ବୟସରେ ୟୁଟ୍ୟୁବ୍‌ରେ ୬୦ରୁ ଊର୍ଦ୍ଧ୍ୱ ଭିଡିଓରେ ଆଲବମ୍‌ ହିରୋ ଭାବେ ଗୀତରେ ଅଭିନୟ କରି ସାରିଛନ୍ତି। ପ୍ରାୟ ସମସ୍ତ ଗୀତ ରୋମାଣ୍ଟିକ। ଅଭିନୟ ନିଶା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସଙ୍ଗୀତ ଦୁନିଆରେ ଦୀର୍ଘ ୧୦ ବର୍ଷ ହେଲା ପାଦ ଥାପିଥିବାବେଳେ ପରେଶ ପ୍ରାୟ ୫ ବର୍ଷ ହେଲା ୟୁଟ୍ୟୁବ୍‌ ଭିଡିଓରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ା ପାଠ ପଢା ସାଙ୍ଗକୁ ନୃତ୍ୟଗୀତରେ ରୁଚି ରଖିଥିବା ପରେଶ ସହରର କେତେକ ସଙ୍ଗୀତ ଅନୁଷ୍ଠାନରେ ନୃତ୍ୟଗୀତ ଶିକ୍ଷା ଲାଭ କରିଥିଲେ। ଏହା ପରେ ନିଜେ ମଧ୍ୟ ଏକ ସଙ୍ଗୀତ ଅନୁଷ୍ଠାନ ଖୋଲି ଶିକ୍ଷାଦେବା ସହ ନିଜେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି।
ଯୁକ୍ତ ଦୁଇ ପାଠ ଶେଷ ପରେ ପରେଶ ନୃତ୍ୟସଙ୍ଗୀତ ଓ ଅଭିନୟରେ ମନୋନିବେଶ କରିଥିଲେ। ସେ ଅଭିନୟ ସହିତ ନିର୍ଦ୍ଦେଶନା ଦେଉଥିଲେ। ତେବେ ଶୁଟିଂ କରିବା ସହିତ ତାଙ୍କୁ ଆଲବମ୍‌ ପ୍ରସ୍ତୁତରେ ହାପି, ଡିଜେ, ପପୁ, ବିଟୁ ଓ ଏସ୍‌କେ ସହାୟତା କରୁଥିଲେ। ହିରୋଇନ ଭାବେ ତାଙ୍କ ସହ ଜ୍ୟୋତ୍ସ୍ନା ଅଭିନୟ କରନ୍ତି। ସାଙ୍ଗମାନଙ୍କ ସହଯୋଗ ଯୋଗୁ ଏସବୁ ସଫଳ ହୋଇପାରିଛି ବୋଲି ପରେଶ କହିଛନ୍ତି। ଗୋଟିଏ ଗୀତ ରେକର୍ଡିଂ ଓ ଏଡିଟିଂ ପାଇଁ ପାଖାପାଖି ୩ରୁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଗୋଟିଏ ଗୀତ ରେକର୍ଡିଂ ପାଇଁ ୨ରୁ ୫ ଦିନ ସମୟ ଲାଗିଥାଏ। ଏଥିପାଇଁ ବିଭିନ୍ନ ସ୍ଥାନକୁ ଯାଇ ମଧ୍ୟ ଶୁଟିଂ କରିବାକୁ ପଡ଼ିଥାଏ। ହିଟ୍‌ ଗୀତର ଟ୍ରାକ୍‌ରେ ନୃତ୍ୟ କରିବା ସହ ତାକୁ ଏଡିଟିଂ କରି ପରେଶ ପ୍ରଦର୍ଶିତ କରିଥାନ୍ତି। ବାପା ଡମ୍ବରୁଧର ପାତ୍ର ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ଦୁଇ ଭଉଣୀଙ୍କ ବିବାହ ପରେ ମା, ବାପା ଓ ବଡ଼ଭାଇଙ୍କ ସହିତ ସେ ରହୁଛନ୍ତି। ପିଲାଦିନରୁ ଅଭିନୟ କଥା ସେ କେବେ ଚିନ୍ତାକରି ନ ଥିଲେ। ଚାକିରି ଆଶା ରଖିଥିବା ପରେଶ ପରିସ୍ଥିତିରେ ପଡି ଏବେ ଅଭିନୟ ସାଙ୍ଗକୁ ନିଜର ଅଟୋ ଚଲାଉଛନ୍ତି। ୟୁଟ୍ୟୁବ୍‌ ଭିଡିଓରେ ନିଷ୍ଠାର ସହ ନିଜର କାମ ଜାରି ରଖିଛନ୍ତି। ମାସିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ପରେଶ ଅଭିନୟ ସହ ଅନ୍ୟ କାମକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଥିବା କହିଛନ୍ତି ।