ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା: ତଦନ୍ତ ଆରମ୍ଭ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଗୁଣ୍ଡୁରିପୋଷି କଲୋନୀ ସାହିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବାବେଳେ ସାଇଣ୍ଟ୍‌ଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରିଥିବା ଜଣାପଡିଛି । ଏହି ଟିମ ଘଟଣାସ୍ଥଳରେ ପହଞ୍ଚି ଏକ ନୂଆ ଛୁରି ଓ ଘଟଣା ଦିନ ମୃତକ ପିନ୍ଧିଥିବା କପଡା ଜବତ କରିବା ସହ ବିଭିନ୍ନ ନମୂନା ସଂଗ୍ର୍ରହ କରିଥିଲା ।

ସୂଚନାଯୋଗ୍ୟ ଯେ, ଗୁଣ୍ଡୁରିପୋଷି କଲୋନୀ ସାହିର ଆରତ ସାହୁଙ୍କ ପୁଅ କୃଷ୍ଣ୍ନ ଓରଫ ପପୁ(୨୯)ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରୁ ବାହାରକୁ ଦୌଡି ଦୌଡି ଆସିବା ସହ ରାସ୍ତାରେ ଉପରେ ଅଚେତ ହୋଇ ପଡିଯାଇଥିଲେ। ଘର ବାହାରେ ବସିଥିବା ତାଙ୍କ ବାପା, ଭିଣୋଇ ଓ ଅନ୍ୟ କେତେଜଣ ମହିଳା ଘଟଣାସ୍ଥଳକୁ ଯାଇ ପପୁଙ୍କ ବାମ ଜଂଘରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ। ତାଙ୍କ ଭିଣୋଇ ଗୁରୁଚରଣ ସ୍ବାଇଁ ପପୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣାର ପୂର୍ବ ଦିନ ଗାଁରେ ପାନୀୟ ଜଳ ଯୋଗାଣକୁ କେନ୍ଦ୍ରକରି ପପୁଙ୍କ ସହିତ ଗାଁର କେତେକ ମହିଳା ଏବଂ ଯୁବକଙ୍କର ଗଣ୍ଡଗୋଳ ହୋଇଥିବାରୁ ଏହା ହିଁ ହତ୍ୟାକାଣ୍ଡର କାରଣ ହୋଇଥିବା ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ। ଏଥିସହ ପପୁଙ୍କ ପିତା ଆରତ ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗତକାଲି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏଥିସହିତ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟ୍‌ଫିକ୍‌ ଟିମର ସହାୟତା ଲୋଡିଥିଲା ।

 

Dharitri – Odisha’s No.1 Odia Daily

 

Share