ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି ବାହାନଗା ବ୍ଲକ ତାଳକୁରୁଣିଆଁ ବଜ଼ାରରେ। ଏହି ବଜ଼ାରର ଏକ ଲୁଗା ଦୋକାନ ପଛପଟେ ଥିବା ଭଡା ଘରେ ତାଳକୁରୁଣିଆଁ ଗ୍ରାମର ଡୋଜର ମାଲିକ ମୃତ୍ୟଞ୍ଜୟ ସାହୁଙ୍କ ଷ୍ଟାଫ ରହୁଥିଲେ। ଗତ ୬ ତାରିଖ ଦିନ ଆଠଗଡ଼ ଅଞ୍ଚଳରୁ ରାଜ ଶେଖର ମହାପାତ୍ର ନାମକ ଯୁବକ ସୁପରଭାଇଜର ଭାବେ ମୃତ୍ୟଞ୍ଜୟଙ୍କ ପାଖରେ କାମ କରିବା ପାଇଁ ନିଯୁକ୍ତି ପାଇଥିଲେ। ସେ ଷ୍ଟାଫ ରହୁଥିବା ଭଡାଘରେ ରୁହନ୍ତି। ଗତ ମଙ୍ଗଳବାର ରାତିରେ ଡୋଜର ଡ୍ରାଇଭର କୈଳାଶ ଚନ୍ଦ୍ର ରାଉତ ଓ ସୁପରଭାଇଜର ରାଜ ଶେଖର ଦୁଇଜଣ ଥିଲେ। ମାତ୍ର ଲୋକମାନେ କହିବା ଅନୁଯାୟୀ, ରାତିରେ ଉଭୟଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ଲାଗିଥିଲା। ତେବେ ସକାଳେ ଅନ୍ୟଜଣେ ଡ୍ରାଇଭର ଡାକିବାରୁ କବାଟ ନ ଖୋଲିବାରୁ ନିଜେ କବାଟ ପେଲି ଭିତରକୁ ପଶିଯିବାରୁ ଚଟାଣରେ ସୁପରଭାଇଜର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡୋଜର ଡ୍ରାଇଭର ଫେରାର ହୋଇଯାଇଥିବା ଘଟଣାକୁ ନେଇ ସନ୍ଦେହ ଅଧିକ ଘନୀଭୂତ ହୋଇଛି।
Dharitri – Odisha’s No.1 Odia Daily

