ମାମୁଁ ଘର ଯାଇଥିଲେ: ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଜୀବନ

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜିନିଗୁଡ଼ା ଗ୍ରାମରେ ଗୁରୁବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶୀଆ ପଲ୍ଲୀ ଗ୍ରାମର ଉପେନ୍ଦ୍ର ମଲ୍ଲିକ (୨୦)।

ମିଳିଥିବା ସୂଚନା ମୁତାବକ, ଉପେନ୍ଦ୍ର ମାମୁଁ ଘର ଜିନିଗୁଡ଼ା ଯାଇଥିଲେ। ସେ ନିକଟସ୍ଥ ପଡ଼ିଆକୁ ପରିଶ୍ରା କରିବାକୁ ଯାଇଥିଲେ। ସେତିକିବେଳେ ଉପେନ୍ଦ୍ର ଗ୍ରାମର ରାଜେନ୍ଦ୍ର ମଲ୍ଲିକ ଘର କାମ ପାଇଁ ବେଆଇନ ଭାବେ ବିଛାଇ ଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦିଗପହଣ୍ଡି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ପୋଲିସ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ମୃତକଙ୍କ ବଡ଼ଭାଇ ରବୀନ୍ଦ୍ର ମଲ୍ଲିକ ଦିଗପହଣ୍ଡି ଥାନାରେ ରାଜେନ୍ଦ୍ରଙ୍କ ନାମରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ.୩୩୧/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।