ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡ଼ା,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପ ପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଏକ ବରଗଛରେ ଚଢ଼ି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ ବିସର୍ବା ପ୍ରଧାନ (୨୮)।

ସୂଚନାନୁସାରେ, ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରେଡିଙ୍ଗିଆ ଟୁଡୁବାଲିରେ ବିବାହ କରିଥିଲେ। କୌଣସି କାରଣବଶତଃ ତାଙ୍କ ସ୍ତ୍ରୀ ନିଜ ବାପଘରକୁ ଯାଇ ଫେରି ନ ଥିଲେ। ବାରମ୍ବାର ନିଜ ସ୍ତ୍ରୀଙ୍କୁ ଘରକୁ ଡାକିବା ପରେ ସେ ନ ଫେରିବାରୁ ଯୁବକ ଜଣକ ପ୍ରାୟତଃ ମାନସିକ ଚାପରେ ରହୁଥିବା ଗ୍ରାମବାସୀ କହିଛନ୍ତି। ଯୁବକଙ୍କ ୩ ଭାଇ ଏବଂ ୨ ଭଉଣୀ ଥିବା ସୂଚନା ରହିଛି। ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଜି. ଉଦୟଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହୁତୁହୁତୁ ହୋଇ ଜଳୁଥିବା ଡାଲା ଗାଡ଼ିକୁ ନିଆଁ ଦାଉରୁ ଆୟତ୍ତ କରିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଆତ୍ମହତ୍ୟା କିଭଳି ପରିସ୍ଥିତିରେ ଏବଂ କାହିଁକି ଘଟିଲା ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡ଼ିଛି।