ଜମି ଭାଗବଣ୍ଟାରୁ ସାନ ଭାଇଙ୍କୁ ହତ୍ୟା

ଧରାକୋଟ,୧୧ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ଼ ଥାନା ଅଧୀନ ଜଗନ୍ନାଥପୁର ଶାସନ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ନିଲୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଟକ ଥିବା ନିଲୁଙ୍କ ବଡ଼ଭାଇ ଟୁଲୁ ବିଷୋୟୀଙ୍କୁ ପୋଲିସ ସୋମବାର ଗିରଫ କରିଛି।

ପାରିବାରିକ କଳହକୁ ନେଇ ଅତ୍ୟଧିକ ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ଓ ପରେ ମାରପିଟ ହୋଇଥିଲା। ଏଥିରେ ନିଲୁଙ୍କ ମୃତ୍ୟୁ ଘଟିଥିଲା ବୋଲି ଟୁଲୁ ସ୍ବୀକାର କରିଥିବା ଥାନା ଅଧିକାରୀ ସାରାଣୀ ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ପ୍ରତାପୁର ଗ୍ରାମ ନିକଟ ଚୁନା ନାଳରୁ ନିଲୁଙ୍କ ମୃତଦେହ ଗତ ରବିବାର ବଡଗଡ ପୋଲିସ ଜବତ କରିଥିଲା। ସାନଭାଇକୁ ବଡ଼ଭାଇ ହତ୍ୟା କରିଥିବା ନିଲୁଙ୍କ ସ୍ତ୍ରୀ ମାମିନା ବିଷୋୟୀ ଅଭିଯୋଗ କରିଥିଲେ। ପୋଲିସ ଆଣିବା ପରେ ପୋଲିସ ନଂ.୫୪୧/୨୩ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ବଡଗଡ ଥାନା ଅଧିକାରିଣୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଟୁଲୁଙ୍କୁ ପ୍ରତାପୁର ନିକଟରୁ ଗିରଫ କରାଯାଇଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।