ମାଟିତଳୁ ମିଳିଲା ଯୁବତୀଙ୍କ ମୃତଦେହ: ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ,୩୦ା୭(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା କୁକୁଡାଖଣ୍ଡି ତହସିଲ ଅଧୀନ ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀରେ ମାଟିତଳୁ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହକୁ ପୋଲିସ ରବିବାର ଜବତ କରିଛି। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ବୟସ ପାଖାପାଖି ୧୮ରୁ ୨୨ ମଧ୍ୟରେ ହେବ। ତାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି।
ମହୁଲପଲୀର ଏକ ପରିବାରର ନିଜ ଜମିରେ ଏକ ନିଦ୍ଦିଷ୍ଟ ସ୍ଥାନରେ ପୁରୁଷାନୁକ୍ରମେ ମୃତଦେହ ସତ୍କାର କରିଥାନ୍ତି। ସେଠାରେ ସମାଧି ମଧ୍ୟ ନିର୍ମାଣ କରିଛନ୍ତି। ଗ୍ରାମର ଝୁନୁ ନାୟକ ରବିବାର ଉକ୍ତ ସମାଧି ସ୍ଥାନ ଦେଇ ବିଲକୁ କାମ କରିବା ପାଇଁ ଯିବା ବେଳେ ସମାଧି ନିକଟରେ ମାଟି ଖୋଳାଯାଇଥିବା ଦେଖିଥିଲେ l ସେଠାରେ ଅନ୍ୟ କିଛି ସାମଗ୍ରୀ ମଧ୍ୟ ପଡ଼ିଥିଲା। ସନ୍ଦେହ ହେବାରୁ ଝୁନୁ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଜଣାଇଥିଲେ। ପରେ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୋଲିସ ଟିମ୍‌ ମାଟି ଖୋଳିବାରୁ ଯୁବତୀଙ୍କ ମୃତଦେହ ମିଳିଥିଲା। ଉକ୍ତ ଖାଲରେ ଶବ ସହ ପଡ଼ିଥିବା ଲୁଣ, ଏକ ଚେନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ଖବରପାଇ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ସ୍ବାଗତିକା ରଥ ଏବଂ ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି l ମୃତଦେହ ଜବତ ପରେ ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି l ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା(ନଂ. ୧୩/୨୩) ରୁଜୁ ହୋଇଛି।