ମନ୍ଦିର ସଫେଇ କଲେ ମୁସ୍‌ଲିମ୍‌ ଯୁବକ

ଢେଙ୍କାନାଳ ଅଫିସ, ୨।୧:  ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜୁଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ଅହମ୍ମଦିଆ ମୁସଲିମ୍‌ ଯୁବ ସଙ୍ଗଠନ। ଇଂଲିଶ ନବବର୍ଷ ଅବସରରେ ଏକତାର ବାର୍ତ୍ତା ପ୍ରଦାନ ସ୍ବରୂପ ଅନୁଷ୍ଠାନର ଯୁବକମାନେ ସ୍ଥାନୀୟ ଜାମା ମସଜିଦ୍‌, ଗ୍ରାମଦେବୀ ଜେନାମଣି ମନ୍ଦିର ପ୍ରାଙ୍ଗଣ ସମେତ ଗୁଣ୍ଡିଚାପଡ଼ା ଶହୀଦ ସ୍ମାରକଠାରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ସଫେଇ କରିଛନ୍ତି। ଏ ସମ୍ପର୍କରେ ଅହମ୍ମଦିଆ ଯୁବ ସଙ୍ଗଠନ ଅଧ୍ୟକ୍ଷ ମହମ୍ମୁଦ ଖଁା କୁହନ୍ତି, ଇସଲାମ ଧର୍ମ ପବିତ୍ରତାର ଶିକ୍ଷା ଦିଏ। ପବିତ୍ରତା ବିଶ୍ୱାସର ଅଂଶ। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକ୍‌। ପରିବେଶକୁ ସ୍ବଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଗୁଣ୍ଡିଚାପଡ଼ା ଅହମ୍ମଦିଆ ମୁସଲିମ୍‌ ସମ୍ପ୍ରଦାୟ ସଭାପତି ସୁଲେମାନ ଅଲ୍ଲୀ ଖଁା, ଯୁବ ସଙ୍ଗଠନ ଉପାଧ୍ୟକ୍ଷ ରମଜାନ୍‌ ବକ୍ସଙ୍କ ସମେତ ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ।