ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରୁଥିଲେ ଯୁବକ, ସୁରଟରୁ ହେଲେ ଗିରଫ

ହିଞ୍ଜିଳିକାଟୁ,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ କୋଦଳା ଥାନା ଅନ୍ତର୍ଗତ ସଚିନା ଗାଁର ନରେଶ ପ୍ରଧାନଙ୍କୁ ଗୁରୁବାର ହିଞ୍ଜିଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ସହ ଅଭିଯୁକ୍ତ ସୁରଟରେ କାର୍ଯ୍ୟ କରୁଥିବା ବେଳେ ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ ରଖିଥିଲେ। ପରେ ସେ ଯୁବତୀଙ୍କୁ ମୋବାଇଲ ନମ୍ବର ମାଗିଥିଲେ। ବିଭିନ୍ନ ପ୍ରକାରରେ ପ୍ରଲୋଭିତ କରାଇବା ସହ ବିବାହ କରିବାକୁ କହି ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସଂଗ୍ରହ କରିଥିଲେ। ପରେ ଯୁବତୀଙ୍କୁ ବ୍ଲାକମେଲ୍‌ କରି ଅଶ୍ଲୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏଥି ନେଇ ଯୁବତୀ ଜଣକ ଚଳିତ ମାସ ୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇ ଅଭିଯୁକ୍ତ ନରେଶଙ୍କୁ ସୁରଟରୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।