ଯୁବକଙ୍କୁ ମାଡ଼ମାରି ଲୁଟି ନେଲେ ସୁନା ଚେନ୍‌, ଟଙ୍କା

ବ୍ରହ୍ମପୁର ଅଫିସ,୧୧ା୫: ଶେରଗଡ଼ ବାଇସିଙ୍ଗି ଗ୍ରାମର ଧୁର୍ଜଟି ପ୍ରଧାନ ଓ ତାଙ୍କର ଦୁଇ ସାଙ୍ଗଙ୍କୁ କେତେକ ଦୁର୍ବୃତ୍ତ ମାଡ଼ମାରି ସୁନା ଚେନ, ମୋବାଇଲ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ.୧୭୭/୨୩) ରୁଜୁ କରି ସିସି ଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଧୁର୍ଜଟିଙ୍କ ଦୁଇ ସାଙ୍ଗ କାହ୍ନୁ ଚରଣ ଡାକୁଆ ଓ ସଞ୍ଜୀବ ସେଠୀ କୌଣସି କାମରେ କଳାହାଣ୍ଡି ଯାଇଥିଲେ। ସେଠାରୁ ସେମାନେ ୯ ତାରିଖରେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ବ୍ରହ୍ମପୁରରେ ଅପରାହ୍ନରେ ପହଞ୍ଚି ଥିଲେ। ସେଠାରୁ ସେମାନେ ଚାଲିକି ନୂଆ ବସ୍‌ଷ୍ଟାଣ୍ଡ ଯାଉଥିଲେ। ସେତିକିବେଳେ ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ ଏବଂ କାରଗିଲ ପେଟ୍ରୋଲ ପମ୍ପ ମଝିରେ ଏକ ବାଇକ୍‌ରେ ୩ଜଣ ଯୁବକ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପରେ ସେମାନେ ଧୁର୍ଜଟି ପିନ୍ଦି ଥିବା ସୁନା ଚେନ, ମୋବାଇଲ ଫୋନ ଏବଂ ପର୍ସ ଲୁଟି ନେଇଥିବା ବେଳେ ଦୁଇସାଙ୍ଗଙ୍କ ମୋବାଇଲ ଫୋନକୁ ଦୁର୍ବୃତ୍ତମାନେ ନେଇଯାଇଥିଲେ।